Unknown

 

 

 

 

 

 

 

 

 

 

 

ଶ୍ୱେତ ଅନୃତ

ଶ୍ରୀ ଉମାଶଙ୍କର ମିଶ୍ର

 

 

 

 

 

 

 

 

 

 

 

 

ବୋଉ ପାଦ ତଳେ

 

ଗଳ୍ପ ସୂଚୀ

 

୧.

କଳା ଜହ୍ନ

୨.

ଶ୍ଵେତ ଅନୃତ

୩.

ଅଣନାୟକ

୪.

ହାରାହାରି ସୁଖଦୁଃଖ ନଈର ନକ୍‌ସା

୫.

ଚିମିନି ଓ ରାଜା

୬.

ଆକାଶ କଇଁଆ

୭.

ଦୀପୁର ଗୋଟିଏ ଦିନ

୮.

ଫୁଲ ତୋଡ଼ା

୯.

କଳା ଓ କଳଙ୍କ

Image

 

କଳା ଜହ୍ନ

 

ନୂଆ ବର୍ଷର ସଂଘାତ କା ପାଇଁ କଣ ! କି ବେଶରେ କି ଭେକରେ ଉତୁରିବ ! ତା କବାଟର ଦର ଆଉଜା ଫାଙ୍କରୁ ତ ସବୁ ଦିଶୁଚି ମନଛୁଆଁ, ସ୍ଵାଦ୍ୟ, ସୁଦର, ସମୁଜ୍ଜ୍ଵଳ ସମ୍ଭାବନାରେ ଭରପୂର । କିନ୍ତୁ ଘରକାନ୍ଥ ଆଉ କୋଣଗୁଡ଼ାକ ଧୂପଛାୟାଚ୍ଛନ୍ନ । ଅସ୍ଫୁଟ ଅସ୍ପଷ୍ଟ ଦିବ୍ୟଜ୍ଞାନ ଆଉ ହିମ ଅନ୍ଧାରର ପଟାପଟା ମହାବଳ ଚମଡ଼ାର ଚିହ୍ନପରି କମନୀୟ ଆଉ ଭୟଙ୍କର ବି । ଜହ୍ନ ତାକୁ ଡିମା ଡିମା ଆଖିରେ ପରଖୁଚି । ଅବଶ୍ୟ ଏଇ ବିକଟ ବେପଥ–ଜର୍ଜରିତ ଅସହାୟ ସାମ୍ଭତ୍ସରିକ ଅରୁଣାଭକୁ ତାର ସ୍ଵାଗତ କରିବାରେ ଆଉ ଦ୍ଵିଧା ନାଇଁ । ସବୁ ଆଗନ୍ତୁକ ଅଭ୍ୟାଗତଙ୍କୁ ବାହୁ ମେଲେଇ ସ୍ଵୀକାର କରିବା, ଓଳଗି ହେବା, ଚୁମା ଦବା ତାର ଦେହଜ ଅଭ୍ୟାସ । ଆମ୍ୱ ପାରିବା ପାଇଁ ତିଆରି ଆଙ୍କୁଡ଼ିରେ କେବେ ଯଦି କିଏ ଜହ୍ନକୁ ତୋଳିବାକୁ ପହିଜ କଲା, ତାହେଲେ କ୍ଷତି କଣ-! ରୂପାତ୍ଵକ୍‌ର ଚକା ଜହ୍ନକୁ ପେଡ଼ିରେ ସାଇତି ରଖିଲା ଭଳି ସଂଗ୍ରହଣୀୟ ବସ୍ତୁ ବୋଲି ଭାବି କିଏ ଯଦି ଆଗୁସାର ହୋଇଯାଏ–ଆସନ୍ତୁ ଆମେ ତାକୁ ଦୟା କରିବା, କରତାଳିରେ ଉଚ୍ଛନ୍ନ କରିବା ତାର ସୁନ୍ଦର ମନଟି ପାଇଁ; ସତରେ କିନ୍ତୁ ଜହ୍ନ ଓ ଆମ୍ବ ଆଙ୍କୁଡ଼ି ନିହାତି ଗୌଣ, ଅପଦାର୍ଥ ବସ୍ତୁ-। ଏମାନଙ୍କ ଦେଇ କିଛି ହୁଏନା । ଏଇ ସୁନା ଖଡ଼ିକା ପରି ଝିଅଟିକୁ କେହି ଚିହ୍ନନ୍ତି ନାଇଁ-। ତାର ଠିକଣା, ପରିଚୟ ଜ୍ଞାତି ଗୋଚର କିଛି ଇ ନାଇଁ । ସିଏ କିନ୍ତୁ ଆମ ଗାଁ ବା କେଉଁ ଗାଁର ଝିଅ, କଣ ହେଲା ସେଠୁ । ତାକୁ ଜହ୍ନ ବୋଲି ଡାକି ଦେଖାଇବା–ହୋଇ ଆମ ଜହ୍ନକୁ ଦେଖ । ସିଏ ଖାଲି ଚବିଶିଘଣ୍ଟା ସପନ ଦେଖୁଚି । ଆଉ କଦବା କେମିତି ‘ସତ’ କୁ ଦେଖିଦେଲେ ଏଇ ଦର ଆଉଜା କବାଟ ଫାଙ୍କରୁ, ତାର ଲୋମ ଟାଙ୍କୁରି ଉଠୁଚି । ଆତଙ୍କ ଆଉ ଉଲ୍ଲାସର ଲଞ୍ଜାତାରା ପରି ତାର ଦୃଷ୍ଟିର ପ୍ରକ୍ଷେପ ଭାରି ସୁନ୍ଦର । ଏଇ ଅନାମିକା ଜହ୍ନଟିକି ସମସ୍ତେ ଭଲ ପାଆନ୍ତି । ବ୍ୟୋମଚାରିଣୀ ଅସଲ ଜହ୍ନଟି ପରି । ପୁରା ହାଡ଼ ମାଂସର ଶରୀର ରୂପୀ ଜହ୍ନ । ଦେଖୁଚଟି ତାର ତ୍ଵକ୍, ଟରସୋ, ପ୍ରୋଫାଇଲ୍ ! ଜହ୍ନରେ ସିନା କଳଙ୍କ ଅଛି କିନ୍ତୁ– ।

 

ପରିବା ବଜାରରେ ମୂଲ କରୁ କରୁ ସିଏ ଦିନେ କହୁଚି “ଏଇ କୋବିଟିର ଫଟ ଉଠାଅ । ତା ତଳେ ତାର ସୁଲଭ ମୂଲ୍ୟ, ମାନେ ମୁଠାରେ ପଶିଗଲା ଭଳି ମୁରୁକୁଟିଆ କୋବିର ଦାମ ଅଢ଼େଇ ଟଙ୍କା ବୋଲି ଲେଖ । ତା ସାଥିରେ ସେଇ ବିଜ୍ଞାନୀ ଦୋକାନୀ ଓ ଗରାଖଙ୍କ ଦସ୍ତଖତ୍ ସବୁର ଫଟ ଖବର କାଗଜରେ ବାହାର କର । ଭୁବନେଶ୍ଵରବାସୀଙ୍କର କି ଭାଗ୍ୟ ଅପୂର୍ବ, ତା ସମସ୍ତେ ଅବଗତ ହୋଇ ହିଲ୍ଲୋଳିତ ହୁଅନ୍ତୁ” । ମୋଟା ମୋଟି ଜହ୍ନଟି କଥା କହିଲା ବେଳେ ବହଳ ତାଜା ବନ୍ଧା କୋବିଟିଏ ସ୍ମୃତିରେ ସ୍ଵପ୍ନରେ ଭାସି ଆସିଲା ଭଳି ଜିନିଷଟିଏ ପରି ଲାଗିବ । ପିଲାଗୁଡ଼ାକ ମାଳ ମାଳ ହୋଇ ସୁସୁରି ମାରି କୁହାଟ କରି ସ୍କୁଲ୍ କଲେଜ ଗଲାବେଳେ ସିଏ ପଚାରିଚି–କିରେ କାହିଁକି ମାଙ୍କଡ଼ନାଚ କରୁଚ ? ପାଠରୁ କଣ ଶିଖୁଛ ? ‘କି ମଣିଷ ତିଆରି ହେଉଚି ଏ ପୋଥି ପଢ଼ାରୁ ? କିରାଣୀ ଦପ୍ତର୍‌ତ ଭର୍ତ୍ତି । ନା ଚାକିରି ନା ଧନ୍ଦା ଅଛି । ମିଲ୍ ଫ୍ୟାକ୍ଟେରି ସହର ବଜାର ସବୁଠି ଷ୍ଟ୍ରାଇକ୍ । ତମେ ସବୁ ଯା’ ହଳ କର । ଗାଡ଼ିଆରେ ବନ୍‌ଶିପକା । ବାହା ପିଟି ମେହେନତ୍ କର । କିଛି ନ ହେଲେ ଡାଳମାଙ୍କୁଡ଼ି ଖେଳ । କିନ୍ତୁ ମୋ ରାଣ ଜମ୍ମାରୁ ସହରକୁ ଆସନାଇଁ ।’

 

ପୂରିନାଇଁ ତେର ତିନି । ତଥାପି ମିତଣୀ କେମିତି ତୋର ଗୋଡ଼ ଖସିଗଲା ! ମୁଣ୍ଡ ତଳକୁ ଗୋଡ଼ ଉପରକୁ କରି ବଳିଲା ବଳିଲା ହାତ ଗୋଡ଼ର ଚମ୍ପା କଳି ଆଙ୍ଗୁଠି ଗୁଡ଼ିକରେ । ପବନ ପିଠିକୁ ଆଉଁସି ଆଉଁସି ସୁଦୁ ଶୂନ୍ୟରେ ଦୋହଲୁ ଥିବା ଏଡ଼େ ମୁଲାଏମ୍ ଉଲଙ୍ଗ ମାଳତୀ ଲତାର ଆକାରକୁ କଣ ମଣିଷ କହିବା ! ସୁଦୁ ହାଓ୍ୟାରେ ପହଁରୁ ଥିଲେ ବି ଆମ ଜହ୍ନ ଦିଶୁଚି ସତେକି ଲୋଟଣି ପାରାଟିଏ । କିଏ ଦେଖି ପାରିଚ କହ ତା ଛାତିରେ ଜଡ଼େଇ ଯାଇଥିବା ଶଶାଟିକି-। ଖୁବ୍ ଦୁଃଖ ଆଉ ଦୁଃଖାନ୍ତକତାରେ ହିଲ୍ଲୋଳରେ ଡେଇଁ ପଡ଼ୁଥିବା ବଗୁଲିଆ ଶଶାଟିଏ ଆହା ।

 

ନଥିଲେ କି ଜହ୍ନକୁ ଏମିତି କି’ବା ଗହଣା ମାନୁଥାଆନ୍ତା ! ରାକାର ଆଲୋକକୁ ବି ଜହ୍ନ ଭଲପାଏ । କାକ ଜ୍ୟୋସ୍ନା ଜହ୍ନଠାରୁ ଆଉରି ସୁନ୍ଦର ବୋଲି ଜହ୍ନ ମୁହଁରୁ ମୁଁ ଶୁଣିଚି । ଦେଖୁନା ମୋ ଛାତିରେ କେମିତି ଲଟେଇ ଯାଉଚି । ତଥାପି ମୁଁ ନିର୍ବୋଧ ଘାଏଲା ଲୋକପରି ତା ମୁହଁକୁ ଉହୁଙ୍କି ଦେଖୁଚି–କିଏ ଏଇ । କିଏ କି ?

 

ବସ୍‌ଷ୍ଟାଣ୍ଡର ବିରାଟ ସିମେଣ୍ଟ ଚଟାଣର ଏ ପାଖୁଁ ବସ୍ ସବୁ ଏକାଥରେ ଅଠର କି ଊଣିଶି ପଶୁଚି ଓ ସେପାଖେ ଧାଡ଼ି ବାନ୍ଧି ବାହାରୁଚି । ସଦର ଅଫିସ୍ ଭିତରୁ କଣ୍ଡକ୍‌ଟର ବାବୁ ଓ ପରିଚାଳକ ବାବୁମାନେ ମାଇକ୍‌ରେ ଘୋଷଣା କରୁଚନ୍ତି ଚନ୍ଦକା, ପାରଳାଖେମୁଣ୍ଡି, ଭଞ୍ଜନଗର, ସୋରୋ, ଜଳେଶ୍ଵର, ସମ୍ବଲପୁର, କଲିକତା–ଯେତେବେଳେ ଯୋଉଠି ନିର୍ଦ୍ଧାରିତ ସ୍ଥାନକୁ ବିଭିନ୍ନ ବସ୍ ଛାଡ଼ିବା କଥା । ଅସୁମାରି ଲୋକବାକ, ଆସବାବ୍, ଠେଲାପେଲା ଭିତରେ ବାସଷ୍ଟାଣ୍ଡ୍‌ର ଏପାଖୁ ସେପାଖ ପଦଚାରଣ କରୁଚି ଏଇ ହେମଗୋରୀ ନାମହୀନା ଝିଅଟି । ସବୁ କଥାରେ ଏଡ଼େ ଏଡ଼େ ଆଖି ତରାଟି ଆଶ୍ଚର୍ଯ୍ୟ ହେଇ ଯାଉଚି ଆମର ଜହ୍ନ । ଲହକା ଲବଙ୍ଗଲତା ପରି ଦେହ ଦୋଳୁଚି; ପାଦ କି ଚେର ଭୂଇଁରୁ ଉପୁଡ଼ି ଗଲାଣି । କେଉଁଠିକି ଯିବ ସେ କୋଉ ଦିଗରେ ? କୋଉ ଗାଁକୁ କି ଉଦ୍ଦେଶ୍ୟରେ । କା’କୁ ଖୋଜି । କା’କୁ ଭେଟିବାକୁ । କା’ର ଡାକରେ । କା’ର ଆକର୍ଷଣରେ-। କା’ର ବିଲୋଳ ଭାବୋଚ୍ଛ୍ୱୋସର ଇଙ୍ଗିତରେ–କି ମତଲବରେ ଏବଂ କାହିଁକି ? କିନ୍ତୁ ସେ ବସ୍‌ରେ ଉଠିବ ଉଠିବ ବୋଲି ହଉଚି । ସବୁ ବସର ମୁହଁକୁ ଓ କପାଳରେ ଚିତାକୁଟା ନିଦ୍ଧାରିତ ଗାଁର ନାଆଁକୁ ଚାହିଁ ଦଉଚି । ଭୂରୁ ଭୁଜଙ୍ଗ କୁଞ୍ଚି ଦଉଚି । ଟିକିଏ ହସି ବି ଦଉଚି । ପୁଣି ଖସି ଆସୁଚି ପଛକୁ । ନାଁ ଇଏ ନୁହେଁ, ଇଏ ନୁହେଁ, ଏଠିକି ନୁହେଁ, ଏଆଡ଼େ ନୁହେଁ । କୁଆଡ଼େ ? କୁଆଡ଼କୁ ? ମୋଟାମୋଟି ସେ କୁଆଡ଼େ ଯାଉନି । ଖାଲି ଗତିଶୀଳ ସବୁ ଯାନବାହାନକୁ କଣେଇଁ କଣେଇଁ ଆଖିର କିମିଆରେ ସଙ୍କେତ କରୁଚି । କଣ କେଜାଣି । ସେ ଆଖି ଫେରାଇଲା ବେଳକୁ ଗୋଟାକ ପରେ ଗୋଟାଏ ବସ୍ ଘାଏଁ ଘାଏଁ କରି କିଲିବିଲିଆ ହେଇ ଧାଇଁ ପଳଉଛନ୍ତି । ମୁରୁକି ହସୁଚି ଜାଣିସିଆଣି । ଲାଜରକ୍ତ ଉକୁଟୁଚି । ଏଡ଼େ ଏଡ଼େ ଡିମା ଆଖିରେ ତମ ଭିତରୁ କଲିଜାକୁ କୋରିଆଣି ପଦ୍ମପତର ଉପରେ ଢଳ ଢଳ କରି ଚହଲେଇ ଦବାର ଚାହାଣୀ ।

 

ପାଖ ପାନ ଦୋକାନକୁ ପାଦ ବଢ଼େଇଲା ଏବେ ସିଏ । ଆଉ ଯେତେ ହର୍‌ରକ୍‌ମ ଜିନିଷ ସଜା ହେଇଚି ସବୁକୁ ଦେଖିଲା । ସାନପିଲାଟେ ପାନ, ସୋଡ଼ା, ସାବୁନ୍‌, ନକଲି ପ୍ଲାଷ୍ଟିକ୍ ଫୁଲ ଇତ୍ୟାଦି ବିକୁଚି ।

 

କଣ ନବୁକିଲୋ ନାନୀ ?

 

ଏଁ !

 

କୁଆଡ଼ିକି ଯିବୁ ?

 

ଉଁ ।

 

ପାନ ଦେବି କି ? ଦଶ ପଇସା ।

 

ଆଏଁ !

 

ତୋ ଗାଡ଼ି କଣ ଆସିନି କିଲୋ । କୁଆ କା କଲାଠୁଁ ଚାରି ଘଣ୍ଟା ବୁଲୁଚୁ ଖାଲି ପାଦରେ-। ବସି ପଡ଼ୁନୁ ବେଞ୍ଚ ଉପରେ ।

 

ଉହୁ ।

 

କୁଆଡ଼େ ଯିବାର ନାଇଁ ତ ପଳେଇ ଯାଉନୁ ଘରକୁ ।

 

ଘର !

 

ଘରକୁ ଯାଉନୁ କି ବସ୍‌ରେ ଯାଉନୁ । ଏଇ କେମିତିକା କଥା ?

 

ହଇରେ ଚଗଲା । କିଏ କୁଆଡ଼େ ଯାଏରେ । କିଏ କୋ’ଠି ପହଞ୍ଚୁଚି ଦେଖୁନୁ !

 

ଏତିକି କହିଦେଇ ଜହ୍ନ ଫିକ୍ କିନା ହସିଦେଲା, ଫୁଙ୍ଗୁଳା ମନର ସୁନ୍ଦର ଝିଅଟିଏ ଏକୁଟିଆ ବୁଲୁଚି । ହଉ ବୁଲୁ ।

 

ତାକୁ ନିଘା କରୁଚନ୍ତି ଶହ ଶହ ଆଖି । ଏକାବେଳେକେ ସବୁ ଆଖି ପଶ୍ଚିମ ଦିଗକୁ ଫେରିଗଲା । ଦୂରରୁ ଘଞ୍ଚ ଦେବଦାରୁ ଉହାଡ଼ରୁ ଦିଶୁଚି ଶୀତରେ ଥରୁଥିବା ଦି ତାଲା ତିନି ତାଲା ନଅ ତାଲା ଜାକିଜୁକି ଠିଆ ହୋଇଥିବା କୋଠା ମାଳ, ଯାହାକୁ ଦିଭାଗ କରି ପ୍ରସରି ଯାଇଚି ରାଜଧାନୀର ପ୍ରଧାନ ସରଣୀ । ଯେଉଁଠୁ ଏବେ ଏକ ପ୍ରକାଣ୍ଡ ଭାତ ହାଣ୍ଡିରୁ ମିନାର ପରି ମୋଟା ଧୂଆଁର ପଟଳ ପ୍ରକ୍ଷିପ୍ତ ହେଉଚି ଉପରକୁ । ‘ପୋଡ଼ି ଗଲା ପୋଡ଼ି ଗଲା’ । ଯେତେ ବସ୍ ଜହ୍ନର ପ୍ରତ୍ୟାଖ୍ୟାତ ହୋଇ ଦଉଡ଼ି ଯାଇଥିଲେ ଏଡ଼େ ଥାଟ୍‌ରେ, ଦେଖୁଁ ଦେଖୁଁ ସବୁ ଜଳୁଚନ୍ତି । କଳା ଧୂଆଁରେ ଛାଇଯାଉଚି ଅଭ୍ରମଣ୍ଡଳ । ବାକି ସବୁ ଯାନ ବାହନ, ରାସ୍ତାରେ ଯିଏ ଯେଉଁଠି ଥିଲା, ସବୁ ଅବାକ୍ ମୂକ । ସଂଶୟରେ ଥରୁଚନ୍ତି । ଦେଖୁ ଦେଖୁ ବସ୍‌ଷ୍ଟାଣ୍ଡରେ ଗୋଟେ ବୋଲି ଲୋକ ନାହିଁ । ଗୋଟିଏ ମାତ୍ର ପୁଲିସ୍ ଠେଙ୍ଗା ପକେଇ ବସିଚି ।

 

ଜହ୍ନ ହସୁଚି ଏଠି । ନିର୍ଲଜ୍ଜୀ ଜହ୍ନ ।

 

ଖିଲ୍ ଖିଲ୍ ।

 

ତାର ମୁକୁଳା ଚୂର୍ଣ୍ଣ ଚିକୁର ଫୁର୍‌ର୍‌ ଫୁର୍‌ର୍‌ ଉଡ଼ୁଚି, ଆଉ ଲଟେଇ ଯାଉଚି ତାର ଗ୍ରୀବା, ଗଣ୍ଡ ଆଉ ପାନ ପତର ମୁହଁରେ । ପୁଣି ଲୋଟିଯାଉଚି ବାସ୍‌ଷ୍ଟାଣ୍ଡ୍‌ର ଶୂନ୍‌ଶାନ୍ ନିଷ୍ପ୍ରାଣ ଶ୍ଳଥ ଆଲିଙ୍ଗନରେ ।

 

ଦେଖୁଁ ଦେଖୁଁ ଜହ୍ନ ବି ନାଇଁ ।

 

ସିଏ ଉଭାନ୍ ହଉ ନ ହଉଣୁ କଟକ ସହରର ବୋଲିବାଣୀ କ୍ରମରେ ଦୁଷ୍ଟ ପିଲାଏ ପଚାରି ଦଉଛନ୍ତି–‘ଏ ରଙ୍ଗ ରହିଲେ ହେଲା’ ‘କେଡ଼୍‌ଡ଼େ ନାଲି’ । ‘ଯାଉନୁ’ ‘ଇଏ କିଏ କି’ ? ସ୍ଥାବର ଜଙ୍ଗମ ସବୁ ଅନୁତ୍ତର, ମୂକ ।

 

ଇଏ କେମିତିକା ଗାଁ ସତରେ । ଚାରିପାଖେ ସାପ ପରି ଘେରି ରହିଚି ନଈ । ଏମୁଣ୍ଡୁ ସେମୁଣ୍ଡୁ ନଈ କୂଳେ କୂଳେ ଜାମୁ ପଣସ ତେନ୍ତୁଳି କରଞ୍ଜ ଗଛ ଧାଡ଼ିକି ଧାଡ଼ି । ଗାଁ ଲୋକ ପିଲା ଜୁଆନ୍ ବୁଢ଼ା ସମସ୍ତେ ଭାରି ଦୁଷ୍ଟ ଅଝଟ । ହର୍‌ଦମ୍ କେନ୍ଦେରା ବଜେଇ ଗୀତ ଗାଉଥିବେ । ଆଉ ମଗୁଶିର ଆସିଗଲେ ସୂର୍ଯ୍ୟ ବୁଡ଼ୁ ନବୁଡ଼ୁଣୁ ଗହ୍ମାପଦାରେ ଧୂନି କରିବେ । ଦି ମଣିଷ ଉଚ୍ଚରେ ନିଆଁ ଉଠିବ । ପୂର୍ବ ଖଣ୍ଡରେ ଏମିତି ଗାଁ ଆଉ ନାଇଁ, ନିଆଁ ପୁଆଁ, କାଉତୁଣ୍ଡି ଗୀତ ଆଉ କେନ୍ଦେରା ତାନ୍‌ରେ ଉଚ୍ଛଳ ନଙ୍ଗଳା ପିଲାମାନେ ଡେଉଁଥିବା ନାଚୁଥିବା, ସବୁଦିନ ଦେଖିବେ ଆପଣ । ବଢ଼ିପାଣି ପରି–ବତାସି ବାଆ ପରି–ସମସ୍ତେ ଅମାନିଆଁ । କଣ କେମିତି ହୁଏ ଜାଣିବା ଆଶ୍ଚର୍ଯ୍ୟ । କିନ୍ତୁ ଏଇ ନିଆଁ ପୁଇଁ ହବାକୁ ଦେଶ ଦେଶରୁ ଭଳି ଭଳି ଚିତ୍ର ବିଚିତ୍ର ଚଢ଼େଇମାନେ ଉଡ଼ି ଆସି ବସନ୍ତି ଏଇ ଗାଁର ଚାଳ ଓ ଆମ୍ବ, ବଉଳ, ପଣସ ଗଛ ଡାହିର ଶୀର୍ଷରେ । ସୂର୍ଯ୍ୟ ବୁଡ଼ିବା ସଙ୍ଗେ ସଙ୍ଗେ ଧୂନି ଜଳେ । ଚେଁ ଚାଁ କିର୍ କିର୍‌ର୍‌ ରାବ କରି କାକଳି ମୁଖର ଅବହାୱାକୁ କେତେ ସରାଗରେ ତନ୍ମୟ କରି ହଜାର ହଜାର ରଙ୍ଗ ବେରଙ୍ଗ କୁନି କୁନି ଚଢ଼େଇ ପ୍ରଥମେ ଉଡ଼ି ଯାଆନ୍ତି ଗାଁକୁ ଘେରି ରହିଥିବା ସାପୁଆ ନଈକୁ । ଡେଣା ବୁଡ଼େଇ ଚଅଁର ପରି ପାଣି ଛାଟି ଗାଧୋଇ ପଡ଼ନ୍ତି-। ନଈ ଧାର ଉପରେ ଖାଲି ପତତ୍ରୀ ପକ୍ଷର ମେଘ ଘୋଟି ଆସେ । ସେଉଠୁଁ ସିଧା ଉଡ଼ିଯାଆନ୍ତି ଦଳ ଦଳ ହୋଇ ସବୁତକ ଚଢ଼େଇ–ଧୂ ଧୂ ନିଆଁ ଜଳୁଥିବା ଧୂନି ଚାରିପାଖେ କିଛି ସମୟ ଘୂରନ୍ତି-। ପରେ ପରେ ଅମରମତା ଉନ୍ମାଦନାରେ ଝାସ ଦିଅନ୍ତି ସେଇ ନିଆଁର ଡହ ଡହ ସ୍ଫୁଲିଙ୍ଗର ଆଲିଙ୍ଗନରେ । ସାରା ବିଶ୍ଵର ସବୁ ପକ୍ଷବତୀ ଯେମିତି ପାଉଁଶ ଦେଇ ଯାଆନ୍ତି ଜଳି ଜଳି ଦଣ୍ଡକ ଭିତରେ । ଋତୁ ଚଇତାଳି କଣ ବା ପାଏ–କଣ ହଜାଏ ? ଏମିତି ଫୁଲତକକୁ ପତ୍ରତକକୁ ପତତ୍ରୀ କୁଳକୁ ଜାଳି ଦେଇ । ଗାଁ ଲୋକଙ୍କ ଆଖିରୁ ଲୁହ ବା ଦେହରୁ ଲହୁ ଝରିବା କେହି କେବେ ଦେଖିନି-। ଅଥଚ ସେମାନେ ଦି ହାତରେ କରତାଳି ଦେଇ ଅସୁମାରୀ ଆଖୁଫୁଲ ମୁକୁଳା ବାଆରେ ମୁଣ୍ଡ ଲାଡ଼ିଲା ପରି ଚଉକସ୍ ନାଚନ୍ତି । ଏଇ ଭିତରେ କିନ୍ତୁ କନିଅର ପରି ଝିଅଟିଏ କଉପୁନି ପିନ୍ଧି ଅଧା ପୋଡ଼ା ହଳଦି ବସନ୍ତଟିର ପର ଗୁଡ଼ିକୁ ଆଉଁସୁ ଥିବାର ଆଉ ପ୍ରଲମ୍ବ ନିଶ୍ଵାସ ଛାଡ଼ୁଥିବାର ଦୃଶ୍ୟ ଗାଁ ଲୋକେ ଦେଖି ପକେଇ ଅସ୍ଥିର ହେଇଚନ୍ତି । ଏଇ ଅଜଣା ରୂପଟି କିଏ ! ଇଏ କାହିଁକି ଧାଡ଼ି ଭାଙ୍ଗି ଅନ୍ୟ ରାସ୍ତାରେ ଚାଲୁଚି । କାଇଁକି ସର୍ବଗ୍ରାସୀ ଅଗ୍ନିର ଲହ ଲହ ଲୋଭନୀୟ ଲାଲ୍ ଶୀର୍ଷକୁ ନ ଚାହିଁ ଭୂଇଁତଳର ପାଉଁଶ ଅଙ୍ଗାର ଆଉ ଦହନ ପ୍ରମତ୍ତ ଅଂଶକୁ ନିରେଖୁଚି । କଣ ସବୁ ଖୋଜୁଚି ସେ ସବୁକାଳେ, ସବୁ ଯୁଗେ, ସବୁ ଆଲୋକ ବର୍ଷରେ ! କଣ ! ଆଉ କିଏ ସିଏ !

 

ଭୂପୃଷ୍ଠର ବୈଦ୍ୟୁତିକ ଆଉ ଈଥରୀୟ ଆଲୋଡ଼ନରେ ମଗୁଶିର ମାସରେ ଏକ ନିର୍ଦ୍ଦିଷ୍ଟ ସ୍ତରଚ୍ୟୂତି ଘଟେ । ଏଇ ଯୋଗୁଁ ପକ୍ଷୀ ମାନେ ନିର୍ଦ୍ଧାରିତ ଜୈବିକ ପ୍ରକ୍ରିୟାରେ ଆକର୍ଷିତ ହେଇ ଏଇ ଆଗ୍ନେୟ ସଙ୍ଗମରେ ଝାସ ଦିଅନ୍ତି ବୋଲି ବୈଜ୍ଞାନିକ ମତ । କିଛି ଯେମିତି ଆଶ୍ଚର୍ଯ୍ୟ ହେବାର ନାଇଁ-

 

‘ସିଜୁ ନାଗଫେଣୀ କ୍ୟାକ୍‌ଟସ୍‌ର ସାମ୍ରାଜ୍ୟରେ ଚିତ୍ରକରମାନେ ଜନ୍ମ ନିଅନ୍ତି । ବୋର୍ଜିଆ ସମ୍ରାଟ୍‌ମାନଙ୍କ କର୍କଶ ଜାନ୍ତବ ଶାସନରେ ଜର୍ଜରିତ ଇଟାଲି ଭୂଖଣ୍ଡରେ ‘ଲିଓନାର୍ଡ଼ୋ ଡା ଭିନ୍‌ଚି’, ‘ମାଇକେଲ୍ ଏଞ୍ଜେଲୋମାନେ ଜନ୍ମ ନିଅନ୍ତି । ଶାନ୍ତି ସୁଖ ଲାବଣ୍ୟ ଓ ସୌକୁମାର୍ଯ୍ୟର ରଙ୍ଗ ଭୂମି ସୁଇଜରଲାଣ୍ଡରେ ଅଥଚ ବଡ଼ ଯୋର୍‌ରେ ଗୁଡ଼ିଏ ସୁକୁମାର ହାତ ଘଡ଼ି ତିଆରି ହୁଏ । ବର୍ଗୀ ଆକ୍ରମଣ ଆଉ ଶିଖି ମନାଇଁର ଆତ୍ମ ଦ୍ରୋହରେ ପିଙ୍ଗଳ, ଧୂଳି ଧୂସର–ପଳାତକ ଅନ୍ଧକାରରେ ନିଜର ଆକାର ଆଉ ଚେହେରା ଦରାଣ୍ଡି ହେଉଥିବା ଓଡ଼ିଶା ଭୂଇଁରେ ଜନ୍ମ ନିଅନ୍ତି ଭୀମଭୋଇ ଜୟଦେବ ସାଲବେଗ । ଶାସନ କାଳରେ ସବୁଠୁଁ କରୁଣତମ ଅପାରଗ ମନସ୍ତାତ୍ତ୍ୱିକ ମୁହୂର୍ତ୍ତରେ ଧରାବତରଣ କରିବା ଉଚିତ କେବଳ ଅର୍ଜ୍ଜୁନମାନେ । କିନ୍ତୁ ଆଖି ଦେଖୁଛି କଣ ? ମାତ୍ର କେଇଟା ଜ୍ଞାନ ଶୂନ୍ୟ ଜ୍ଞାତି ପରିଚୟ ହୀନ ନିର୍ଲ୍ଲଜ ଅର୍ବାଚୀନ, ସିଧା ସଳଖ ରଥ ଉପରେ ଆସୀନ । ସାରଥିର ଦେଖାନାଇଁ । “ହେଲେ ବି ବଡ଼ ବିଚକ୍ଷଣ କାରିଗର ଏମାନେ । ହଟ୍ ଚମଟ୍ କରି ଆକାଶରେ ବେଲୁନ୍ ଉଡ଼ାଇ ତୁମ ଆମ ପକେଟ୍ ମାରନ୍ତି । ପାଣି କାଚକୁ ଝମ୍ ଝମ୍ କରି ଦିହାତ ଉତ୍ତୋଳନ କରି ଏଇ ଚମକପ୍ରଦ ଭାଷଣ ଆରମ୍ଭ କରୁ ତାକୁ ମଞ୍ଚ ଉପରୁ ଜୋର କରି ଦିଜଣ ବଳୁଆ ଲୋକ ଟାଣି ଆଣିଲେ । ସେମାନେ ଆରକ୍ଷୀଙ୍କ ପାଗ ଭିଡ଼ିଚନ୍ତି । ସପାକ୍ କରି ଏକ ଚାବୁକ ମାଡ଼ ତା ପିଠିରେ ବସିଥିଲା । ଆଉ ଚାବୁକ୍ ଯାହା ହାତରେ ଥିଲା, ସେ ପଚାରୁଥିଲା–‘କିଏରେ ତୁ ଝିଅ । କିଏ କି ?’

 

ଚିହ୍ନି ତ ହଉନି ତାକୁ । ଅଣ୍ଟା ଭାଙ୍ଗି ଯାଇଚି । ନଇଁ ନଇଁ ଚାଲୁଚି । କିନ୍ତୁ ମୁହଁରେ ଫୁଟୁଚି ସେଇ ଆନନ୍ଦମୟୀ ସ୍ନେହ ଉଚ୍ଛଳ, ଉତ୍‍କୂଳ ହସଟିକକ । ସବୁ କାଳେ...ସବୁ ଋତୁରେ...ସମସ୍ତିଙ୍କ ପାଇଁ । ଏକଦା ସେଇ ଅନୁପମ କଳାମେଘୀ କୁନ୍ତଳ ଝୋଟ ହେଇ ଫୁର୍‌ର୍‌ ଫୁର୍‌ର୍‌ ଉଡ଼ିଲାଣି । ପାଦରେ ହାତରେ କିନ୍ତୁ ତାର ସେଇ ଅକ୍ଲାନ୍ତ ଅଭ୍ରାନ୍ତ ଶକ୍ତି । କେବେ ବାଡ଼ିଟିଏ ଧରିନି । କାର କାନ୍ଧକୁ ଆଶ୍ରା କରିନି । ସମସ୍ତଙ୍କୁ କୋଳରେ ଟାଣି ନେଲା ଭଳି ହାତ ଦିଓଟି ସବୁ ଦିଗକୁ ପ୍ରସାରି ଚାଲିଚି । ନାଇଁ ନଥିବା କାଳର କରାଳ ବନ୍ୟା ବାତ୍ୟା ମାଡ଼ି ଆସିଲା ଗାଁ ଗଣ୍ଡା ନାର୍‌ଖାର୍ ହୋଇଗଲା । ଏଇ ମାଇପିଟି ସେତିକିବେଳେ ହିଡ଼ ଉପରେ ଗାଁ ଯାକର ସଂତ୍ରସ୍ତ ଲଙ୍ଗଳା ପିଲା କବିଲାଙ୍କୁ ଏକାଠି ଠୁଳ କରି ମଗା ଯଚା କରି ଆଣିଥିବା ତିଳ ତଣ୍ଡୁଳ ବାଣ୍ଟି ଚାଲିଥିଲା । ପୂରା ଗାଁଟାକୁ ଜିଆଇ ରଖିଥିଲା । ଦି ଚାରିଟା ଭେଣ୍ଡିଆଙ୍କୁ ସାଙ୍ଗ କରି ନଈ ପହଁରି ଆରପାଖରୁ ଚୁଡ଼ା ଚାଉଳବୋହି ଆଣୁଥିଲା । ନାକ, ନୋଥ, ନୁଲୁକ, ବସେଣି, ଖଡ଼ୁ, କାନଫାସିଆ ବିକ୍ରିବଟା କରି ଘର ଘର ବୁଲି ରୋଗୀ ଭୋକିଙ୍କୁ ପଥି ଆହାର ଖଞ୍ଜି ଦଉଥିଲା । ତାର କାର୍ତ୍ୟାୟନୀ ରୂପକୁ ଚାହିଁ ଦେଉଥିଲେ ପୂରି ଯାଉଥିଲା ମନ ହଜି ଯାଉଥିଲା ଦୁଃଖ । ଗିରସ୍ତ ତାକୁ କେତେ ଡାକିଚି–ସହରକୁ ପଳେଇ ଆ’ । ଆରମ୍‌ରେ ରହିବୁ । ସ୍ଵାମୀ ସୁଆଗରେ ଅୟସରେ ଦିନ କାଟିବୁ । ସିଏ କିନ୍ତୁ ଗଲାନି-। ଅଟଳ ରହିଲା ତାର ଜୀବନ ଯୋଗରେ । ସବୁ ପ୍ରମାଦକୁ ମୁହାମୁହିଁ ଯୁଝିବାକୁ । ତାର ସଂଗ୍ରାମର ଅନ୍ତ ଇ ନାହିଁ । ଗାଁ ଗାଁ ବ୍ୟାପି ଚାଲିଲା ତାର ମହିମା । କିଏ ସିଏ ! କି ଅହମିକାରେ ଆତ୍ମପ୍ରତ୍ୟୟରେ ସେ ଭଲ ପାଇ ପାରୁଚି, ନିଜର କରିପାରୁଚି, ଗୋଟିଏ ନୁହେଁ କୋଟିକୁ । ମାଟି ପାଣି ପବନ ଆକାଶ ସମସ୍ତଙ୍କୁ । ବଢ଼ି ପାଣି ଛାଡ଼ିବାର ଦୁଇ ତିନି ଦିନ ପରେ ରିଲିଫ୍ ବିମାନରୁ ଖସିଲା ଚୁଡ଼ା ବସ୍ତା ଚାଉଳ ବସ୍ତା । ଖସି ପଡ଼ିଲା ତାର ଅଣ୍ଟା ଉପରେ । ତାର ନହକା କଟିରୁ ମେରୁ ହାଡ଼ ଖସିଗଲା । ହେଲେ ଅଣ୍ଟା ଭାଙ୍ଗିଲାନି । ଗାଁ ଭୂଇଁ ଛାଡ଼ିଲାନି ଗେରସ୍ତକୁ ଲେଖିଲା–‘ମୁଁ କେମିତି ଯିବି କହୁଚ, ମୋର ଗାଁଏଁ କୁଟୁମ୍ବକୁ ନିଆଶ୍ରା କରିଦେଇ । କେଡ଼େ ସୁନ୍ଦର ମୋର ଏଇ ଗାଁର ଏମୁଣ୍ଡୁ ସେମୁଣ୍ଡ ପରିବାର । ମୋର ଏଠି କେତେ କାମ । କାମ କଣ ସରିବ ନା ମୁଁ ମରିବି ? ତମେ ଭଲରେ ଥା’ । ମୁଁ ତମ ପାଇଁ ସବୁଦିନ ମାଳ ଗୁନ୍ଥୁଥିବି । ତମକୁ ସୁମରି ଶିବ ଜଟାରେ ପିନ୍ଧାଉଥିବି । ତମେ ଆଉଥରେ ବାହା ହେଇ ପଡ଼ । ସୁଖରେ ସଂସାର କର । ମୁଁ ଥିବି ଏଇମିତି । ତମକୁ ଝୁରୁଥିବି । ମୋ ସୁନାଟା ପରା ତମେ ମତେ ଝୁରନି ।

 

କିଏ ତାକୁ କେତେ ରୂପରେ ନ ଦେଖିଛନ୍ତି । ମଟର ଗାଡ଼ିରେ ତାକୁ ସହର ତଳି ଖପରା ଖାଲ ଛିଣ୍ଡାଅଖା ତାଟିଘେରା ବସ୍ତିରୁ ଉଠେଇ ବଳାତ୍କାରରେ ନିଆ ଯାଇଛି କୌଣସି ହୋଟେଲ କକ୍ଷକୁ । କର୍କଶ ହାତରେ ତାକୁ ପ୍ଲାଷ୍ଟିକ୍ କଣ୍ଢେଇ ଭଳି ଭିଡ଼ିମୋଡ଼ି ବୋକ ଦେଇ ଅସ୍ତବ୍ୟସ୍ତ ରକ୍ତାକ୍ତ କରି କୋଳରୁ କୋଳକୁ ଡିଆଁଇ ସମ୍ଭୋଗ କରା ହେଇଚି । ଆଉ ରାସ୍ତା କଡ଼ରେ ତାର ବେହୋସ୍ ଶରୀରକୁ ଫିଙ୍ଗି ଦିଆ ହେଇଚି । ତା ପରଦିନ କିନ୍ତୁ ତା ମୁହଁରେ ଫୁଟିଚି ସବୁଦିନ ପରି ଶତବଳର ନିର୍ମାୟା ପ୍ରଦୀପ, ପାଖୁଡ଼ା ପାଖୁଡ଼ା ଭୁରୁ ଭୁରୁ ମଧୁକ୍ଷରା ହସ ।

 

ତାକୁ କଣ ଦେଖିନା ମୁଣ୍ଡରେ ପଥର, ବାଲି, ସିମେଣ୍ଟର ବୋଝ ଉଠେଇ କାନିକୁ ଅଣ୍ଟାରେ ଭିଡ଼ିଦେଇ ବାଉଁଶ ସିଡ଼ି ଉଠି ତୋଳା ହଉଥିବା ନଅତାଲା ନଅର ଗଢ଼ିବାର ଦୃଶ୍ୟ । ସାରା ଦିନର ଝାଳବୁହା ଖଟଣି ପରେ ରାତିରେ ତେଲୁଣି ପୋକ ମନ୍ଦା ପାରିଲା ପରି ଘେରିଥିବା ଲଙ୍ଗଳା ପିଲା ଆଉ ସର୍ଦ୍ଦିକାଶ ରୋଗ ଜର୍ଜରିତ ସ୍ଵାମୀର ମୁହଁରେ ପେଜ ତୋରାଣି ମୁନ୍ଦେ ଦବାପାଇଁ ଚୁଲିଫୁଙ୍କାର ସବୁ ଦିନିଆଁ ମନ୍ମୟ ରୂପ । ଭାରି କଷ୍ଟ ତାକୁ ଠିକ୍ ଠଉରେଇବାକୁ ଚିହ୍ନିବାକୁ । କିଏ ସିଏ ? କିଏ ସିଏ ?

 

କେତେବେଳେ ତା ହାତରେ ଉଦ୍ଦୀପ୍ତ ବିପ୍ଲବର ମଶାଲ୍ । ତା ସାଥିରେ ସେଇ ଉଦ୍ଧତ ଉନ୍ମୁକ୍ତ ସ୍ତନବୃନ୍ତରେ ପ୍ରଚଣ୍ଡ ଜୀବନିକାର ଆହ୍ଵାନ । କେତେବେଳେ ଯୁଦ୍ଧ ଭୂଇଁରେ ଆହତ ରକ୍ତାକ୍ତ ସୈନିକର ବିକଳ କାନ୍ଦଣାର ପ୍ରଶମନ ପାଇଁ ତାର କରୁଣାଦ୍ର ଭୂରୁ–ବଲ୍ଲରୀର ଆଶ୍ଳେଷ । ଆଉ ଲହୁଣୀ କୋମଳ ପାପୁଲି ଦୁଇଟି ଉପରେ ଆଶାବରୀ ପ୍ରଦୀପର ପ୍ରସାଦ । ମନ ଗହୀରର ଅନ୍ତର୍ଦାହ ଆଉ କାଣିଚାଏ ବୋଲି ବିଶ୍ଵାସର ଏକ ସ୍ଫୁଲିଙ୍ଗ–ଏଇ ଦିହିଙ୍କର ଏକ ଉଚ୍ଚକିତ ମିଳନ ଭୂମି କଣ ଜମ୍ମାରୁ ତମେ ଦେଖିନ !

 

କାହାକୁ ସିଏ ‘ଶୈଳକଳ୍ପ’ର ସଙ୍ଗୀତ ଶୁଣାଉଥିଲା ?

 

ଶାମ୍ବର ମୂଷଳପରି ସିଏ ଜନ୍ମ ଦେଲା କାହାକୁ ? ଗାଇଥିଲା ନା ସେଦିନ–

 

“ବିଷର ଜଗତେ ମୁହିଁ ଦେଖିଅଛି/ଜୀବନର ମଧୁ

 

ମଧୁରାଜ୍ୟେ ବିଷ ତୁମେ କେଉଁ ପରି/ ସୃଜି ଅଛ ବନ୍ଧୁ”

 

ୟାକୁଇ କଣ ଦେଖି କବିଟିଏ ଗାଇଥିଲା–

 

‘ଲୋ କଳାଜହ୍ନ’ ।

 

ଏମିତି ଗୋଟାଏ ହୃଦୟର କଳ୍ପନା କରାଯାଉ । ଚିକ୍‌କଣ କଳା କିଟିମିଟି, ଚିକି ଚିକି କଳାମୁଗୁନି, କଳାପାରଦର ହୃଦୟଟିଏ । ସେଥିରେ ଜହ୍ନଆଲୁଅ ପଡ଼ିଲେ ସୂର୍ଯ୍ୟ ଆଲୁଅ ପଡ଼ିଲେ ଆଲୁଅମାନେ ଆଉରି ସୁନ୍ଦର ଦିଶନ୍ତି । ଚନ୍ଦ୍ର ଦିଶେ ଆଉରି ହସକୁରୀ । ତାରାମାନେ ଠେଲି ପେଲି ହୋଇ ମାଡ଼ି ପଡ଼ନ୍ତି ତାରି ଛାତିରେ ବିମ୍ବିତ ହେବେ ବୋଲି । ଏଇ ହୃଦୟରେ କିନ୍ତୁ ଖୁଜୁ ବୁଜୁ ହେଉଥାଏ ତୁଷାର ଧବଳ ଶଶା ଛୁଆଟିଏ । ସିଏ ଯେତେବେଳେ ଡେଇଁ ଡେଇଁ ନାଚେ–ଚାରି ପାଖୁଁ ପରସ୍ତ ପରସ୍ତ ଅନ୍ଧାର ଖୋଲିଯାଏ । ସୁନ୍ଦରା ଫାଟିଯାଏ । ଆଉ ପିଚ୍‌କାରୀ ପରି ଆଲୁଅ ବିଞ୍ଚି ପଡ଼େ । ଆତତାୟୀମାନେ ଆଉ ତୁଳସୀ ଗଛଉହାଡ଼ରେ ଛକି ବସିବେ କେମିତି ? ସମସ୍ତେ ପଦାରେ ପଡ଼ି ଯାଆନ୍ତି । ଆଉ ତାରି ପଣତରେ ମୁହଁ ଲୁଚାନ୍ତି । କିଏ ତାକୁ ଚିହ୍ନିବ ।

 

ସନ୍ଧ୍ୟା ନଇଁ ଆସୁଚି । ମୁରୁକି ହସ ହସି ଉନ୍ମନା ଝିଅଟି ଖୁପୁରୁ ଖୁପୁରୁ ଡେଇଁ ବୁଲିବା ପରିବର୍ତ୍ତେ ଏଥର ଖୁବ୍ ଗମ୍ଭୀର ଆଉ ଉଦାସ ଦିଶିଲା । ସିଏ ଚାଲିଲା ପୋଡ଼ି ଯାଇଥିବା ବସ୍‌ଗୁଡ଼ିକ ପାଖକୁ । ସେମାନଙ୍କ ଭଙ୍ଗା କାଚର ଆଖିକୁ ଆଉଁସିଲା । ତାପରେ ଲୁଟ୍ ହେଇଥିବା ଦୋକାନଗୁଡ଼ିକ ଭିତରେ ନୀରବରେ ଏପାଖ ସେପାଖ ବୁଲିଲା । ତାପରେ ଗଲା ଡାକ୍ତରଖାନା । ପୋଲିସ ମାଡ଼ରେ ଜଖମ ସ୍କୁଲ କଲେଜ ପିଲାମାନଙ୍କୁ ଆଉଁସିଲା ଆଉ ପିଜୁଳି ଖାଇବାକୁ ଦେଲା । ତା’ପରେ ଢେଲା ମାଡ଼ରେ ଆହତ ପୁଲିସ୍ ମାନଙ୍କ କପାଳରେ ହାତ ବୁଲେଇଦେଲା ।

 

ହଠାତ୍ ଚିର୍ ଚିରେଇଲା ପରି ପାଟିକରି ଉଠିଲା–

 

ମୁଁ ଯିବି–ଏଇଥର ଯିବି । ମତେ ପହଞ୍ଚିବାକୁ ହେବ । ଖାଲି ଦେଖିଲେ କ’ଣ ହବରେ । ଆମକୁ ପହୁଞ୍ଚିବାକୁ ହବ ।

 

ପୂରା ସହରଟାଯାକ ସତରେ ତା ସାମନାରେ ଜମା ହୋଇଗଲେ । ଟୁପୁରୁ–ଟାପର ହେଲେ । ଆଖି ମଳି ଚାହିଁଲେ । କଥା କଣ, କଣ କହୁଚି, କିଏସେ ଇୟେ । କିଏ କି ? ଝିଅଟି ଏଥର ଯେମିତି ଶେଷଥର ପାଇଁ ଫିକ୍ କରି ହସିଦେଲା । ତାର କାନ୍ଧରେ ଝୁଲୁଥିବା ଲମ୍ବ ମୁଣିରୁ ଦିଧାର ହୋଇ ଫାଟି ଯାଇଥିବା ସାନ ଦର୍ପଣଟିଏ ବାହାର କରି ଜନତାଜନାର୍ଦ୍ଦନଙ୍କ ଆଡ଼କୁ ଦର୍ପଣ ମୁହଁଟି ଦେଖାଇ ଦେଲା ଆଉ ଚହଲା ଗଳାରେ କହି ଉଠିଲା–‘ଚିହ୍ନିଲ ତ ମୁଁ କିଏ, ଚିହ୍ନିଲ ଏଥର’ ?

 

ଅସମାହିତ ରହିଲା ତଥାପି । ଅଳସ ଭାଙ୍ଗୁଥିବା ପ୍ରତ୍ୟୁଷର ଅବସାଦ ପରି ସୁନ୍ଦର କମନୀୟ ଏଇ ମୁହଁଟି କାହାର ? ଇଏ କିଏ କି ?

Image

 

ଶ୍ଵେତ ଅନୃତ

 

କେଉଁ ଅନାଦି ଅନନ୍ତ କାଳରୁ ଉଭାହେଇଚି ଏଇ ବିରାଟକାୟ ଅଶ୍ଵତ୍‌ଥ ଗଛଟି । ଗଣ୍ଡିଟା ଦି’କେନା ହେଇ ମଣିଷର ଦି’ଗୋଡ଼ ପରି ଭୂଇଁକୁ ଜାବୁଡ଼ି ଧରିଚି । ତିନୋଟି ବୋଲି ବାହୁଙ୍ଗା । ମଝି ବାହୁଙ୍ଗାଟି ଅଳ୍ପ ବଙ୍କେଇ ମେଘକୁ ଉଠିଛି । ତା ମୁଣ୍ଡରେ ଝୁମ୍ପୁରୀମୁଣ୍ଡି ବାୟଣୀ ପରି ଗୋଛାଏ ଗହଳ ଡାଳପତ୍ର ମଣ୍ଡି ହେଇଚି । ବାକି ଦି’ଟା ବାହୁଙ୍ଗାରୁ ଗୋଟେ ଡାହାଣକୁ ବୁଲି ଆସି ଗଛର ଅଣ୍ଟାକୁ ଧରିଚି । ବାଁ ପାଖ ବାହୁଙ୍ଗା ‘ତଥାସ୍ତୁ’ କହିବା ଢଙ୍ଗରେ ଟେକି ହୋଇ ସାମନାକୁ ବଙ୍କେଇ ଆସିଚି । ମୁହଁସଞ୍ଜର ସ୍ତିମିତ ଆଲୋକରେ ଖଣ୍ଡେ ଦୂରରୁ ଦେଖାପଡ଼ୁଚି ଯେମିତି ଅତିକାୟ ଆଦି–ମଣିଷଟିଏ ଆମ ଗାଁ ଆଡ଼କୁ ସଙ୍କେତ କରି କହି ଚାଲିଛି ସବୁକାଳେ–ଯା’ସବୁ ହଉଚି ବାପ–ଠିକ୍ ହଉଚି–ଉଚିତ ହଉଚି । କା’ର ଏଥିରେ ଭାବିବାର କିଛି ନାହିଁ । କରିବାର କିଛି ନାଇଁ । ସବୁ ଏମିତି ଚାଲୁ । ‘ଏଁ କ’ଣ କହୁଚ ?’ ଗଛର ପଛ ପାଖୁ ସତ ସାନ ମଣିଷଟିଏ ବାହାରି ପଡ଼ି ପଚାରି ଦେଲା । ଆଉ ଗଛର ଭାଙ୍ଗିମାରୁ ଆଉ କିଛି ପ୍ରକଟିତ ନ ହେଉଥିବାର ଦେଖି ଲେଣ୍ଡାଏ ଛେପ ପକେଇ ପାଦ ବଢ଼େଇଲା ଆଗକୁ । ଏଇ ଲୋକ କିଛି ଦିନ ତଳେ ନିଜ ରାଜ୍ୟରୁ ରୁଷି ପଳେଇ ଆସି ଏଇ ଅଶ୍ଵତ୍‌ଥ କୋରଡ଼ ଭିତରେ ଘର କରିଥିଲା । ଟା’ପର କ’ଣ ଏମିତି ଦିଗ୍‌ଦାର ହବା ଅବସ୍ଥା ଆସିଲା କେଜାଣି–ସେଠୁଁ ଏବେ ବାହାରିଲାଣି ପଦାକୁ ଯିବାକୁ–ଆଉ ଗୋଟାଏ ବସତି ଖୋଜିବ–ବସା ବାନ୍ଧିବ । ଯେଉଁଠି ଏମିତି ଗୋଟାଏ ଉଭା ଠାଣିରେ ପହିଜ କରୁଥିବା ଜୀବନ ବୃକ୍ଷର ଭୟାନକ ପଦାତିକତା ନ ଥିବ । ଓଲଟା ଜମା ଚିହ୍ନପରି ଭଦ୍ରଲୋକଙ୍କ ଠିଆହେବା, କଥା କହିବା, ଭଲ ପାଇବା ଠାଣିରେ ସବୁ ଠିକ୍‌ଠାକ୍ ଅଛି । ତମେ ଅଧିକ କଥା କହିନ ବୋଲି ବାରଣ ନ ଥିବ, ପୋଥିରେ କି ଚଳଣୀରେ ।

 

ପଛକୁ ବୁଲିପଡ଼ି ଥରେ ସେ ଗଛଟାର ଉପର ବାହୁଙ୍ଗାକୁ ମୁହଁ ଉଠେଇ ଚାହିଁଲା, ଆଉ ଦି’ଇଞ୍ଚି ଜିଭ କାଢ଼ି ଖତେଇ ହେଲା । ଏଥର ସେ ପଶିବ ଆଉ ଏକ ଦେଶରେ ଯେଉଁଠି ସବୁ ମୂହୁର୍ତ୍ତରେ ମଣିଷ ସନ୍ତାନ ତା’ର ଚିନ୍ତନ ମନନ ପ୍ରକ୍ରିୟାକୁ ଉର୍ଦ୍ଧ୍ଵମୁଖୀ କରିବାକୁ ପରୀକ୍ଷା ନିରୀକ୍ଷା କରି ଚାଲିଚି । ସେଥିରେ ସନ୍ତୋଷ ନ ଥାଉ ତୃପ୍ତି ନ ଥାଉ–ଦରାଣ୍ଡି ହବାକୁ ଆଙ୍ଗୁଠି ଚଳେଇବାକୁ ପାଦ ଉଠେଇବାକୁ ଦାମ୍ଭକତା, ଚଞ୍ଚଳତା ଟିକକ ତ ଥିବ । ସିଏ ଏକ ନିଛକ୍ ସଭ୍ୟ ଅଭିଜାତ ଦେଶରେ ପଶିବ ବୋଲି ନିଷ୍ପତ୍ତି କଲା । ପଶିଲା ମଧ୍ୟ ।

 

ତା ମୁହଁରେ ଗୁଞ୍ଜରି ଉଠୁଥିବା–‘ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ ରେ ଧନ–ପୁରୁଣା ହେବରେ ମନ–ପୁରୁଣା ହେବ । ତଥାପି ତା’ର ନୂଆ ରାଜ୍ୟରେ ପ୍ରବେଶ ସରିଚି । ସିଏ ଚାଲିଚି । ଜଳୁ ଜଳୁ ଖଦ୍ୟୋତ ସବୁ ରାସ୍ତା ଦି’ କଡ଼ ଗହଳ ଘାସ କାନକୋଳି ଭଇଁଚ କୋଳି କନିସିରି ବୁଦାମୂଳେ ଦିକି ଦିକି ଜଳୁଚନ୍ତି । ଅସୁମାରି ଜୁଳୁ ଜୁଳୁ ନୀଳ ପିତାଭ ସ୍ୱଳ୍ପାଲୋକିତ କୁଜ୍‌ଝଟିକାର ଆଖି । ତାକୁ ଲାଗୁଚି ଯେ ଏଇ ସ୍ଵପ୍ନମୟ ସୁଦର ଭୂଚିତ୍ରର ସାମ୍ରାଜ୍ୟରେ ଭାରି ସୁଖ ଥିବ–ବିହ୍ଵଳତା ଥିବ, ଆଲୁଅ ଥିବ–କାକଜ୍ୟୋସ୍ନା ଥିବ–ସ୍ନେହ ଥିବ । ନିଦୁଆ ନିଦୁଆ ଘୁମନ୍ତ ପକ୍ଷର ଲହୁଣୀ ପ୍ରଲେପ ଥିବ । ଭାରି ଭଲ ଜାଗା ହୋଇଥିବ ଏଇ ନୂଆ ଲ୍ୟାଣ୍ଡ ସ୍କେପ୍‌ର ସାମ୍ରାଜ୍ୟ ।

 

ଏଠଉଁ ଗୋଟାଏ ଟୁରିଷ୍ଟ ବସ୍ ବାହାରିବ । ରାସ୍ତା ଦି’କଡ଼େ ଯେତେ ସବୁ ସୁନ୍ଦର ସୁନ୍ଦର ଦେଖିବାର ଜିନିଷ ଅଛି ସେ ସବୁକୁ ପ୍ରଜ୍ଞାପିତ କରିବା ପାଇଁ ବସ୍‌ର ସବା ପଛ ଧାଡ଼ିରେ ଲହକୁ ଥିବା ଚମତ୍କାର ପରିପାଟୀରେ ସୁନ୍ଦରୀ ଗାଇଡ଼୍ ଜଣେ ଠିଆହେଇ ମାଇକ୍ ଧରି ତାଙ୍କର ସୁଲକିତ ସ୍ଵରରେ କେଡ଼େ ମଜାଳିଆ କଥା ସବୁ କହୁଛନ୍ତି ଆଉ ହସଖୁସି ଭିତରେ କହି ଚାଲିଚନ୍ତି ‘ଆପ୍‌କା ବାଏଁ ତରଫ୍ ଦେଖିୟେ–ଆପ୍‌କା ଡାଇନେ ତରଫ୍ ଦେଖିୟେ’ । ଦର୍ଶନୀୟ ପ୍ରାସାଦଟି, ବଗିଚାଟି, ସ୍ଥାପତ୍ୟଟି ପାଖେଇ ଆସିଲେ ବସ୍‌ର ଗତି ଧିମେଇ ଯାଉଚି କିମ୍ବା ପୂରାପୂରି ବନ୍ଦ ହୋଇଯାଉଚି । ଯାତ୍ରୀମାନଙ୍କୁ ମିନିଟିଏ ଦି’ମିନିଟ୍ ସମୟ ଦିଆଯାଉଚି–ଓହ୍ଲେଇ ସେଇ ଜାଗାଟିକୁ ଦେଖି ଆସିବା ପାଇଁ । ବାକି ସବୁ ସମୟରେ ସାନ ସାନ ସିଲ୍‌ଭର ପାତ୍ରରେ ଥଣ୍ଡା ବିଅର୍ ବା ଗରମ କଫିର ଚୁମୁକ୍ ପାଇଁ ବ୍ୟବସ୍ଥା ଅଛି । ଚାଲିଚି ଗାଡ଼ି, ବାଦାମବାଡ଼ି.... । ସେଇ ଜମକ୍‌ରେ ଗତିଶୀଳ ଗାଡ଼ିଟି ଭିତରେ ଗୋଟାଏ ଲମ୍ବା ହାତ ଛନ୍ଦାଛନ୍ଦି ସ୍ନେହମୟ ପରିବାର ଏଇ ନୂଆ ଭୂଚିତ୍ର–ନୂଆ ହାଓ୍ୟା, ଛାଇ ଆଲୁଅ ଭିତରେ କେଡ଼େ ସରାଗରେ ବିହାର କରୁଛନ୍ତି । ଉଲ୍ଲସିତ ହେଉଛନ୍ତି ।

 

ଏଇ ଲୋକଟିର କୌତୂହଳ ଏତେ ପ୍ରବଳ ହେଲା ଯେ ସେ ସବୁବେଳେ ଉହୁଙ୍କିପଡ଼ି ଆଗପଛ ବାଁ ଡାହାଣ ଲୋକଙ୍କ ମୁଣ୍ଡ ଉପରେ କାନ୍ଧ ଉପରେ ଆଉଜି ଚାରି ପାଖର ସଂପୂର୍ଣ୍ଣ ଦୃଶ୍ୟପଟକୁ ତା’ର ବିସ୍ଫାରିତ ଡିମା ଡିମା ଆଖିର କକ୍ଷକୁ ଓଟାରି ଆଣୁଥିଲା । ଗାଇଡ଼୍ ଜଣକ ତାଙ୍କ ପାଖକୁ ଲାଗି ଆସି କାନ୍ଧରେ ହାତ ଦେଲେ ଆଉ କହିଲେ–

 

‘ଥୟ ଧରନ୍ତୁ । ମୁଁ ତ ସବୁକଥା ଦେଖାଇ ଦେବି ଠିକ୍ ସମୟରେ । ଆପଣ ତ ଆମର ସବୁଠୁଁ ମୂଲ୍ୟବାନ୍ ଅତିଥି, ଯେଣୁ ପ୍ରଥମ କରି ଆପଣ କୋରଡ଼ରୁ ଉତୁରିଚନ୍ତି ।’

 

‘ଥୟ ଧରିଲି । ଦେଖନ୍ତୁ ଏଥର’–ଏଁ !

 

‘ଆପ୍ କା ବାଏଁ ତରଫ୍ ଦେଖିୟେ ।’

 

‘କଣ ଦେଖିବି ?’

 

‘ମଲା ଦିଶୁନି କି । ସେଇ ଯେ ଲମ୍ବା ଟେଲିଫୋନ୍ ଖୁଣ୍ଟ ଉପରୁ ବେକରେ ରସିର ଜାବପଡ଼ି ଝୁଲୁଚି ମୁର୍ଦ୍ଦାରଟା ।’

 

‘ହଁ ଦିଶିଲା ଦିଶିଲା, ଏଥର ।’

 

‘ତାକୁ ଫାଶୀ ଦିଆଦେଇଚି, କାରଣ ସିଏ ପାଞ୍ଚ ସିଉକାର କୁକୁଡ଼ା ଡିମ୍ବ ଚୋରି କରିଥିଲା, ତିନି ଦିନ ଉପାସ ରହି ଆଉ ସମ୍ଭାଳି ନ ପାରିବାରୁ ।’

 

‘ଏତିକି କଥାରେ ଫାଶି ?

 

‘ନାଇଁ ନାଇଁ–ଚାରିସିଉକା ପର୍ଯ୍ୟନ୍ତ ଚୋରୀ ଛାଡ଼୍ । ଏ ରାଜ୍ୟର ଆଇନ୍ ଯାହା ନାଁ ?’

 

ପୁଣି ତା ପାଖେ ପ୍ରାୟତିରିଶ ଫୁଟ ଉଚ୍ଚ ଅର୍ଗଲିରୁ ଝୁଲୁଛନ୍ତି ଏକାଠି ପାଞ୍ଚଟା ମୁର୍ଦ୍ଦାର । ଗୋଟାଏ ସାନପିଲା ଆଠ ଦଶବର୍ଷର, ଗୋଟାଏ ଘୋଡ଼ା, ଦି’ଟା କୁକର, ଗୋଟାଏ ଘୁଷୁରି । ସମସ୍ତଙ୍କ ବେକ ଲଟକିତ ଶକ୍ତ ରସିର ଫାନ୍ଦରୁ । ଏବେ ବି ଘୋଡ଼ାଟା ଚାରିଖୁରା ଛଟ୍‌ଛଟ୍ କରୁଚି । ପୂରା ପ୍ରାଣ ଯାଇନି ।

 

‘ଏମାନେ କ’ଣ କଲେ କି ?’

 

‘ରଜା ଆଉ ମୁଖ୍ୟ ସେନାପତି ରାଜ୍ୟର ପ୍ରସିଦ୍ଧ ଖେଳ କସରତ୍ ସମାବେଶକୁ ଉଦ୍‌ଘାଟନ କରିବାକୁ ଯାଉଥିବାବେଳେ ଜନ୍ତୁଗୁଡ଼ାକ ରାସ୍ତା ପାରି ହଉ ହଉ ପିଲାଟା ଏପାଖ ସେପାଖ ପାଞ୍ଚଣରେ ପିଟି ହୁରୁଡ଼େଇ ଦେବାରୁ ତାଙ୍କର ମଟରଗାଡ଼ି ସବୁ ଚାରି ମିନିଟ୍ ଅଟକିଗଲା-। ଏଣୁ ଷ୍ଟାଡ଼ିୟମ୍‌ରେ ପହଞ୍ଚିବାକୁ ବିଳମ୍ବ ହୋଇଯିବାରୁ ସମୟାନୁବର୍ତ୍ତିତାରେ ପ୍ରମାଦ ଘଟିଲା-। ଇୟେ ଏକ ଗର୍ହିତ ଅପରାଧ ।’

 

‘ମଲା ଯାଃ ।’

 

ଗାଡ଼ି ଭିତରର ବାକି ସବୁ ଯାତ୍ରୀ ଏଇ ଲୋକର ବିସ୍ମୟବିସ୍ଫାରିତ ଆଖିକୁ ଚାହିଁ ମରୁକି ହସୁଚନ୍ତି । ଏଇ ମୂଢ଼ମତି କ’ଣ ଜାଣିପାରୁନି ମୁକ୍ତ ଦିବାଲୋକରେ ଶହ ଶହ ଜନ–ମାନବଙ୍କ ସାମ୍‌ନାରେ ଅପରାଧୀମାନଙ୍କୁ ଏମିତି ହରିକାଠରେ ଝୁଲେଇବାରେ କେତେ ଲୋମହର୍ଷଣକାରୀ ତନ୍ମୟତା ! ତାଙ୍କ ଆଗ ସିଟ୍‌ରେ ବସିଥିବା ଫୁର୍ ଫୁର୍ ଲମ୍ବ ଧଳା କେଶଗୃଚ୍ଛ ଉଡ଼ୋଉଥିବା ନୀଳ ଆଖିବିଶିଷ୍ଟ ବୁଢ଼ା ଜଣକ ବୁଲିପଡ଼ି ତାଙ୍କୁ ବଡ଼ ବିଶ୍ଵସ୍ତ ଭଙ୍ଗୀରେ ଫୁସ୍ ଫୁସ୍ କରି କହିଲା “ଦେଖ୍, ଏମିତି କଥା କଥାକେ ଆଶ୍ଚର୍ଯ୍ୟ ହୋଇଯିବା ମଧ୍ୟ ଏ ଦେଶରେ ବଡ଼ ଧାରଣରେ ଅପରାଧ । ଏଠି ବିଦେଶର ଲୋକ ଆସି କାହାକୁ ଅସୁବିଧା ପ୍ରଶ୍ନଟିଏ ପଚାରିଲେ ଗୁଇନ୍ଦା ବୋଲି ଫାଶି ପାଆନ୍ତି । ଇୟେ ଭଲ ଲକ୍ଷଣ ନୁହେଁ । ନଅବର୍ଷରୁ ଅଧିକା ବୟସ ପିଲାଟିଏ କାହା ସାଇକଲ୍ ଚକରୁ ପମ୍ପ୍ ଖୋଲିଦେଲେ, ବଡ଼ଲୋକର ପୁଅ ଝିଅ ହେଇ ସାନ ଲୋକଙ୍କ ସାଙ୍ଗରେ ବସି ଛୋଟିଆ ଦୋକାନରେ ଚାହା ପିଇଲେ ଯେକୌଣସି ଘରେ ଚୋରି ହେଇଥିବା ଲୋକ ପୁଲିସ୍‌କୁ ଶୀଘ୍ର କାହିଁକି ଜିନିଷ ମିଳୁନି ବୋଲି ପଚାରିଲେ, ଝିଅ ହଉ ବା ପୁଅ ହଉ ଅନ୍ୟ କାହାକୁ ଦେଖି ଆଖି ମିଟିକା ମାରିଲେ, ବଡ଼ ମାଲ୍‌ଦାର, ସମାଜପତି, ଖବର କାଗଜର ସମ୍ପାଦକ, ବ୍ୟବସ୍ଥାପକ ସଭାର ସଦସ୍ୟ, ରାଜ୍ୟର ପାତ୍ରମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଠିକ୍‌ରେ ହେଉ ବା ଭୁଲରେ ହେଉ ବେଜିତ୍ କରି କିଛି କହିଲେ ଫାଶି ହବାଟା ସୁନିଶ୍ଚିତ” ।

 

“ଅପରାଧ କରିବା ଲୋକ ପାଗଳ ହେଇଥାଉ, ସାନପିଲା ହେଉଥାଉ, ଜ୍ଞାନଶୂନ୍ୟ କାପାଳିକ, ବିଦୂଷକ ବା ସରକସ୍ ଜୋକର ହେଉ–ଯେଉଁ ଅବସ୍ଥାରେ ଯେ କୌଣସି ଗୌଣ ବା ମୁଖ୍ୟ ପାତକରୁ ତ୍ରାହି ନାହିଁ । ଫାଶିପାଇବା ଏ ସାମ୍ରାଜ୍ୟର ଲୋକ ଆଚର ଆଉ ସଂସ୍କୃତିର ଏକ ଚମକପ୍ରଦ ଲୋକପ୍ରିୟ ପରମ୍ପରା । ତୁ କାଇଁକି ଏମିତି ଜୁଳୁଜୁଳୁ ଚାହୁଁଚୁ ଯେ ! ସିଧା ଚାହିଁଥା ଆଉ ଦେଖୁଥା କ’ଣ ହଉଚି ।”

 

ବସ୍‌ଟା ଘାଏଁ କରି ଗୋଟା ମୁଣ୍ଡକଣ୍ଟା ମୋଡ଼ି ବୁଲିଲା ଆଉ ଅଟକିଗଲା ଗୋଟାଏ ପ୍ରକାଣ୍ଡ କୋଠାଘର ସାମ୍‌ନାରେ । ସବା ଉପର ମହଲା ଛାତ ଉପରେ ଆମ୍ବପତ୍ର, ନେଳି ନାଲି କାଗଜ ପତକା ଆଉ ରଙ୍ଗିନ୍ ଆଲୋକର ତୋରଣ ବନ୍ଧା ହେଇଚି । କେଡ଼େ କେଡ଼େ ଚକଚକିଆ ଚାନ୍ଦୁଆ ସବୁ ଟଣାହେଇଚି । ମଖମଲ କନାର ସୋଫା ସବୁ ଧାଡ଼ି ଧାଡ଼ି ପଡ଼ିଚି । ତା ଉପରେ କେଡ଼େ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ଝିଅ ବୋହୂ, ପିଲାପିଚିକା, ଧୋବଧାଉଳିଆ ଚକଚକିଆ ବାବୁଲୋକମାନେ ବସି କଳରୋଳ କରୁଛନ୍ତି । ପାଚେରୀବନ୍ଧା ବିରାଟ୍ ଘାସର ଲନ୍ ମଝିରେ ଗୀତ ନାଚ ଚାଲିଚି । ଖୁବ ଗୋଟେ ମେଳା ମଉଚ୍ଛବର ଆୟୋଜନ । ଦଳ ଦଳ ହେଇ ଅସୁମାରୀ ଲୋକ ଘେରି ରହିଛନ୍ତି ଚାରିଆଡ଼େ । କରତାଳି ଦଉଛନ୍ତି । ଜୟଜୟକାର, ବାହାବା ସ୍ଵରରେ ଉଚ୍ଛନ୍ନ ହେଉଛି ଗଗନମଣ୍ଡଳ । ଠିକ୍ ମଝି ଜାଗାରେ ଗୋଟାଏ ବିରାଟ ସିମେଣ୍ଟ କଂକ୍ରିଟ୍‌ର ଚଉତରା । ତା ଉପରେ ପଚିଶି କି ତିରିଶି ଲୁହାଖମ୍ଭ । ଶୀର୍ଷରୁ ଝୁଲୁଚି ଚମଦଉଡ଼ି ଧରିଥିବା ଲୁହାବଳା ସବୁ । ବେଦୀ ମୂଳରେ ମନ୍ଦାରମାଳ, ଦୁବ, ଅରୁଆ, ଚାଉଳ, ଧୂପ ଦୀପ, ସିନ୍ଦୂର ଚନ୍ଦନର ନୈବେଦ୍ୟ ।

 

‘କଣ ଚାଲିଚି ଏଠି ?’

 

ଗାଇଡ଼୍ ତାଙ୍କର ହାତ ଧରି ଉଠାଇ ନେଲେ । କହିଲେ ‘ଚାଲ ଯିବା ସମସ୍ତେ ଉଠିଲେଣି-। ଭାଗ୍ୟ ଭଲ, ଆପଣ ଆସି ଯାଇଚନ୍ତି ଏଇ ମୌକାରେ । ଏକାଠି ଚଉଦ ଜଣ ଦାଗୀଙ୍କ ଫାଶୀ–ଉତ୍ସବ ଆଜି ଆପଣମାନେ ଦେଖିପାରିବେ । ଆଗରୁ ଆଇନ୍ ସଚିବ ପ୍ରୋଗ୍ରାମ୍ ଜଣାଇ ଦେଇଚନ୍ତି ରେଡ଼ିଓ ଟେଲିଭିଜନ୍ ସମ୍ବାଦପତ୍ର ଜରିଆରେ । ଦେଖୁନାହାନ୍ତି କେଡ଼େ ହରଷ ଆନନ୍ଦ ଉଚ୍ଛଳତାରେ ଜମା ହଉଚନ୍ତି ନଗ୍ରଜନେ । କେତେ ହସ, କେତେ ହୁଳହୁଳି, କରତାଳି ।’

 

ଯାହାସବୁ ତାଙ୍କ ଆଖିଆଗେ ଘଟିଲା, ଦେଖିଲା ବେଳକୁ ସିଏ ଗୋଟିପଣ ଥରୁଥିବେ । ରୁମ ଟାଙ୍କୁରି ଉଠିଥିଲା । ଏଇ ଅବସ୍ଥାରେ ଦେଖି ଗାଇଡ଼୍ ଝିଅଟି ତାଙ୍କ ବାଁ ପାପୁଲିକୁ ନିଜ ପାପୁଲିରେ ଶକ୍ତ କରି ମୁଠେଇ ଧରି ଦମ୍ଭ ଦଉଥିଲା । ଆଉ ହସୁଥିଲା କିରିକିରି ।

 

ପ୍ରଥମେ ଗୋଟେ ଖୋଲାଗାଡ଼ିରେ ବୁହା ହେଇ ଆସିଲେ ପାଞ୍ଚଟି ପନ୍ଦର ଷୋଳ ବର୍ଷର ଝିଅ । ଅଣ୍ଟାକୁ ଅଣ୍ଟା କତା ଦଉଡ଼ିରେ ବନ୍ଧା ହେଇଚନ୍ତି । ମୁହଁ ଆମ୍ବିଳେଇ ସୁକୁ ସୁକୁ କାନ୍ଦୁଚନ୍ତି । ଦିହରେ ଯେମିତି ପ୍ରାଣ ନାଇଁ । ଛାତି, ବେକ ଖରା ତାତିରେ ସିଝି ଯାଇଚି । ଆଉ ଲୁହ ଧାରର ଦାଗରେ ଶିରା ଶିରା ଫାଟି ପଡ଼ିଲା ପରି ଦିଶୁଚି ମୁହଁ । ମ୍ୟାକ୍‌ସି ଗାଉନ୍ ଶାଢ଼ୀ ସବୁ ଘୁଷୁରୁଚି ଭୂଇଁରେ । ଯେମିତି ଚଉପାଢ଼ୀ ପାଖରେ ପହଞ୍ଚିଛନ୍ତି ତାଙ୍କ ମୁହଁ ସବୁ ଖଣ୍ଡେ ଖଣ୍ଡେ କଳା କନାର ମୁଖାରେ ଘୋଡ଼ାଇ ଦିଆଗଲା । ଆଉ ଫାଶକୁ ଶକ୍ତ କରି ଭିଡ଼ି ଦିଆଗଲା ବେକମୂଳେ । ହାତ ସବୁ ପଛପାଖେ ମୋଡ଼ି ଲୁହା କଡ଼ିରେ ଛନ୍ଦି ଦିଆଗଲା । ସେମାନଙ୍କ ଭିତରୁ ଦି’ ଚାରିଜଣ ଭେଁ ଭେଁ କରି ବିକଳରେ ବୋବାଳି ଛାଡ଼ିଲେ । ଜନ-ସମାଗମରୁ ଉଠିଲା ତା’ ସାଙ୍ଗରେ ତାଳଦେଇ ବିକଟ ହର୍ଷଧ୍ୱନି–ଆଉ ଗାଳି ଗୁଲଜ, ଦିଅ ସବୁ ହାରାମ୍‌ଜାଦୀଙ୍କୁ ଶୂଳିରେ ଚଢ଼େଇ । ନବରଙ୍ଗ ଲଗେଇଛନ୍ତି ନିର୍ଲ୍ଲଜୀ ଛୋପରୀ କିଏ ହଉଚି ବେବ୍ !’ ହୋ–ହୋ ହସର ଲହଡ଼ି ମାଡ଼ି ଯାଉଚି ଚଉଦିଗ ।

 

‘କ’ଣ କରିଚନ୍ତି ଏ ଝିଅ ଗୁଡ଼ା ?’

 

‘ଚୁପ୍ ଚୁପ୍ । ଧୀରେ କହ । କାରଣ ପଚରା ଯାଏନି । ହେଲେ ଶୁଣ । ଏମାନେ ଆଦିବାସୀ ଗାଁରେ ମହୁଲି ଖାଇ ବେଦମ୍ ନାଚିଥିଲେ । ଆଉ ଯେତେବେଳେ ହୋସ୍ ନ ଥିଲା ପାଟି କରି ଗାଁ ଲୋକଙ୍କୁ ମତେଇଲେ–ସବୁ ବିଦ୍ରୋହ କର । କାହିଁକି ଜିଅଲଖାନାରେ କୟେଦୀମାନଙ୍କୁ ବିଚାର ହଉ ନ ହଉଣୁ ଆଖିରେ ଜଳନ୍ତା ଦାମ୍ପଣ ଗେଞ୍ଜି ଅନ୍ଧ କରି ଦଉଚନ୍ତି ? କାହିଁକି ଚୋରା ଚାଲାଣ ହଉଥିବା ଚାଉଳ ଚିନି ସବୁ ଆପେ ନ ଧରି ଯିଏ ତା’ର ଗୁପ୍ତ ଖବର ଦେଲା ଥାନାରେ ରିପୋର୍ଟ କଲା, ତାଙ୍କୁ ନିଘାତ୍ ଛେଚୁଚନ୍ତି ଆଉ ଜିଅଲ ପଠଉଚନ୍ତି । ଆଗେ ପେଟେ ଲେଖା ମଦ ପିଇ–ଆଦିବାସୀ ଗାଁର ପେଣ୍ଡମ, ଲନ୍ଦା ମହୁଲି ତିଆରି ଚୁଲୀ ହାଣ୍ଡିକୁ ଜବତ୍ କରୁଚନ୍ତି । ଆମ ପୁଲିସବାଲା ଏଇମିତି ସବୁ ଖରାପ କଥା କରୁଚନ୍ତି । ପୁଣି ଏଇ ପିଲାଏ ଖବର କାଗଜ ଛାପାଖାନା ସବୁ ପୋଡ଼ିଚନ୍ତି । ସାମ୍ବାଦିକମାନଙ୍କୁ ଛେଚିଚନ୍ତି । ଠିକ୍ ହେଇଚି ।

 

ଜଣେ ଡେଙ୍ଗାଲୋକ ଗୋଟାଏ ନାଲି ପାଟକନା ଘୋଡ଼ି ହେଇଥିବା ତକତା ଉପରେ ଠିଆହୋଇ ଡାକବାଜି ଯନ୍ତ୍ରରେ ଫାଶୀ ଖୁଣ୍ଟକୁ ଟଣା ହଉଥିବା ଆସାମୀଙ୍କ ଜ୍ଞାତି, ପରିଚୟ ଆଉ ଅପରାଧର ତର୍ଜମା କରି ଏକ ଲିଖିତ ଭାଷଣ ବଡ଼ ଗମ୍ଭୀର ଉଦାତ୍ତ ସ୍ଵରରେ ପାଠ କରୁଚନ୍ତି । ତାଆରି ମଧ୍ୟେ ମଧ୍ୟେ ଜନତା ଭିତରୁ କୁହାଟ ଉଠୁଚି । ‘ହାୟ–ହାୟ–ସେମ୍–ସେମ୍–କି ଲଜ୍ୟାକର କଥା–ନିପାତ କର–ନିପାତ କର–ଛଟ୍‌ପଟ୍ କରି ମାର । କଲବଲ କରି ମାର । ଟିକ୍‌କେ ବି ଦୟା କରନି ଏଗୁଡ଼ାଙ୍କୁ । ଫିନିସ୍ ଦି ଲଟ୍ ।

 

ଫାଶିରେ ଆସାମୀକୁ ଚଢ଼ଉଥିବା ଦି’ଜଣ ନିର୍ଘାତ ଲୋମଶ ବଳୁଆ ଲୋକ ସେମାନଙ୍କ ନିଜ ମୁଣ୍ଡ କଳା କନାରେ ଢାଙ୍କି ପକାଇଲେ । ଫାଶି ଖୁଣ୍ଟଗୁଡ଼ିକର ସାମନାରେ ସୁନା କମକୂଟ ଛାଉଣୀ ଚଉକିରେ ବସିଥିବା ନ୍ୟାୟାଧୀଶ ମଧ୍ୟ ନିଜ ମୁଣ୍ଡ ଉପରେ କଳା କନାର ଖୋଳ ଗଳାଇ ପକାଇଲେ । ଆଉ ସେଇଠୁଁ ପୁଲିସ ସଜେଣ୍ଟ ଭଳି ଚଢ଼ା ଗଳାରେ ଆଦେଶ ଦେଉଥିଲେ–‘ଟାଣିନିଅ-। ଟେକ–ପାଶ ଗଳାଅ । ଟାଣିଧର । ଗମ୍ଭୀରୀ ପଟା ଖୋଲିଦିଅ । ଛାଟିପିଟି ହବାର ସମାପ୍ତି ପର୍ଯ୍ୟନ୍ତ ଅପେକ୍ଷା କର । ତା’ପରେ ରସି କାଟିଦିଅ । ଖସିପଡ଼ୁ ମୁଦ୍ଦାର ମାଟି ତଳର ଖୋପ ଭିତରକୁ । ତାପର ଫିନିସ୍ ।’

 

ପାଞ୍ଚୋଟି ଝିଅଙ୍କର ଗାଁ ଗାଁ ଚିର୍‌ଚିରା ଆର୍ତ୍ତଚିତ୍କାରରେ ଚମକିଗଲା ପୂରା ଅଭ୍ରମଣ୍ଡଳ । ଏଇ ଲୋକଟି ଭୟରେ, ଆତଙ୍କରେ ଆଖି ବୁଜିଦେଲେ ଆଉ ନାଇଁ ନାଇଁ ବୋଲି ପାଟି କରି ଉଠିଲା-। ଗାଇଡ଼୍ ଝିଅଟି ଏତିକି ବେଳେ ଯେମିତି ଏକା ଖେପାରେ ଟାଣି ନେଇଗଲା ତାକୁ ବସ ଭିତରକୁ ଆଉ କଚାଡ଼ି ଦେଲା ଗୋଟାଏ କ’ଣ ସିଟ୍‌ରେ । କହିଲା ଯା ଦେଖୁଚ ଏଇଠୁଁ ଦେଖ । ସେଠି ଏମିତି ଗୋଳମାଳ କଲେ ତମକୁ ବି ଫାଶିରେ ଚଢ଼େଇଦେବେ । ତା’ପରେ ତା’ର ଲୁହ ସାଲୁବାଲୁ ମୁହଁକୁ ଚାହିଁ ଫେଁ କିନା ହସି ପକାଇଲା ।

 

ବସ ଭିତରୁ ସିଏ ଚାହୁଁଚି ଜୁଳୁଜୁଳୁ ବାହାରକୁ । ଆଉ ଶୁଣୁଚି ଦିଗ–ବିଦିଗ ପ୍ରକମ୍ପିତ କରି ଊର୍ଦ୍ଧ୍ଵକୁ ଉଠୁଥିବା ପ୍ରମତ୍ତ ବାଚାଳ ଜନତାର ହାସ୍ୟରୋଳ । ପ୍ରତିଟି କୟେଦୀ ଫାଶିରେ ଚଢ଼ିଲାବେଳେ ବିହ୍ଵଳ ଆନନ୍ଦରେ କରତାଳି ଦେଇ ଲୋକମାନେ କି ଅପୂର୍ବ ପୁଲକରେ ବିମୋହିତ ହେଉଚନ୍ତି । ତା’ର ଯୁକ୍ତି ବା ପ୍ରାସଙ୍ଗିକତା ସିଏ ମାନସପଟରେ ଧାରଣ କରିବାକୁ ଯିମିତି ବିବାକ୍ ଅସମର୍ଥ ।

 

ତା’ପରେ ଖୁଣ୍ଟ ଉପରେ ଉଠିଲେ ଗୋଟିକ ପରେ ଗୋଟିଏ ଆଉ ସାତ ଆଠୋଟି ଆସାମୀ । ମାଇକ୍‌ର ଘୋଷଣାରେ ନ୍ୟାୟାଧୀଶ ବୁଝାଇ ଦେଉଥିଲେ ଏମାନଙ୍କ ଅପକର୍ମ ।

 

ଯଥା–‘ଏଇ ଲୋକଟା ମାତ୍ର ଦୁଇ ଦିନ ଅଖିଆ ରହିଲା ବୋଲି ଆଉ ସରକାରରୁ ମିଳୁଥିବା ବେତନରୁ ଅଧେ ମାଲିକିଆଣୀ ଆତ୍ମସାତ୍ କରୁଥିଲେ ବୋଲି ଏବଂ ସବୁଦିନିଆ ଚାକିରି କରାଇଦେବେ ବୋଲି ଦଶ ବର୍ଷ ଭଣ୍ଡେଇବାର ଅନ୍ୟାୟରେ ଜର୍ଜରିତ ହୋଇ ସିଏ ପଦସ୍ଥ ହାକିମଙ୍କ ଭରିଜାକୁ ପଇଡ଼କଟା କଟୁରୀରେ ଦି’ ଗଡ଼ କରିଦେଲା ।’

 

‘ଆଉ ଏଇ ବାଳକ ଇସ୍କୁଲରୁ ଫେରୁଥିବାବେଳେ ଫୁଲିସ୍ ହାକିମଙ୍କ ହତା ଡେଇଁ ଆଠ୍ ଦଶ୍ ପାଚିଲା ଆମ୍ବ ବୋଲୁଅ ମାରି ଝଡ଼େଇ ଅଣ୍ଟିରେ ପୂରେଇ ଖସି ଯାଉଥିଲା । ପ୍ରବଳ ପରାକ୍ରମୀ ତିରିଶ୍ ଜଣ ମୋଟା ବାଙ୍ଗରା କନେଷ୍ଟବଲ୍ ଧଉଡ଼ି ଧାପଡ଼ କରି ଛଅ ଘଣ୍ଟା ପରେ ତାକୁ ଧରି ଛଅ ଘଣ୍ଟା ପରେ ତାକୁ ଧରି ପାରିଥିଲେ ।’

 

ଗାଇଡ଼୍ ଝିଅଟି ତାଙ୍କ କାନରେ ନୂଆଁଣିଆ ସ୍ଵରରେ କହୁଚି–“ଆମ ବିଚାରପତିମାନେ ଯେ ବେଳେ ବେଳେ ଦୟା କରନ୍ତି ନାଇଁ ଏମିତି ନୁହେଁ । ଯାହାକୁ ଛାଡ଼ିବା କଥା ତା’ର ଚୋରି ମାଲ୍‌ର ମୂଲ୍ୟ ଟଙ୍କେ ଚବିଶି ପଇସାରୁ ଅଧିକ ନୁହେଁ ବୋଲି ରାୟ ଦେଇଦେଲେ ହେଲା । କାରଣ ଫାଶି ହୁକୁମ୍ ଲାଗିବ ଯଦି ଚୋରି ମାଲ୍‌ର ମୂଲ୍ୟ ପଚିଶ୍ ପଇସା ବା ତଦୁର୍ଦ୍ଧ୍ଵ ହେଇଥିବ ।’

 

‘ୟା ବୋଲି ପ୍ରବଳ ପରାକ୍ରମଶାଳୀ ବେଇଜିଙ୍ଗ ଅଧିବାସୀ ଚୀନ ଅଧୀଶ୍ଵର ମାଓ ଜେଡ଼ଙ୍ଗଙ୍କ ଚତୁର୍ଥ ପତ୍ନୀ ଜିଆଙ୍ଗ୍ କ୍ଵିଙ୍ଗଙ୍କ ବିଚାର’ ଏଠି ବି ନ ହେଇଚି ବୋଲି ନାଇଁ । ସେଇ ଗୋଳମାଳିଆ ‘ଗ୍ୟାଙ୍ଗ ଅଫ୍ ଫୋର୍’ର ନେତ୍ରୀ ଜିଆଙ୍ଗ ମଧ୍ୟ ଖୁବ୍ ଉଚ୍ଚବାଚରେ ଓଲଟି ଜଜ୍‌ଙ୍କୁ ଆଉ ପ୍ରସେକ୍ୟୁଟର୍‌ଙ୍କୁ ଗାଳିଗୁଲଜ୍ କରି, ଅପମାନ କରି ଫିଙ୍ଗାଫୋପଡ଼ା ଠାଣିରେ ଜେରା କରି ଚାଲିଥିଲେ ଏଇଠି । ‘ତୁମେ ଗୁଡ଼ା ସବୁ ରିଭିଜନିଷ୍ଟ୍ ପଙ୍ଗପାଳ । ଦେଶର ଚରମ ଶତ୍ରୁ । ତମେ କ’ଣ ମୋର ବିଚାର କରିବ, ଏଁ ! କୈଫିୟତ୍ ଦିଅ । ମାଓର ଅନଳବାହୀ ବିଦ୍ରୋହ–ବିପ୍ଳବର ଚେତାବନୀରୁ ତମେ ସବୁ ଇତିହାସର କଳଙ୍କ । ବିଚାର ତମର ହଉଚି । ମୋର ନୁହେଁ । ପକ୍‌କା ଅଭିନେତ୍ରୀର ସୁଆଙ୍ଗ କରି ସେ ଖସିଗଲା ଫାଶି ଖୁଣ୍ଟରୁ । ଅଟକ ରଖା ଯାଇଥିବା ଶାସ୍ତି ।–କିନ୍ତୁ ସତରେ ତା’ର ଜବାବ ସୁଆଲ୍‌ବେଳେ ଲାଗୁଥିଲା ସିଏ ଯେମିତି ଖୋଦ୍ ବିଚାରପତି; ଆଉ ବିଚାରପତି ଓ ପ୍ରସେକ୍ୟୁଟର୍ ହଉଚନ୍ତି ଅଭିଯୁକ୍ତ ଆସାମୀ । କିସ ପୁଣି ଦେଖା ନ ଯାଏ ।’

 

ପରେ ପରେ ଫାଶିରେ ଉଠିଲେ ଜଣେ ଗାଈଆଳ ପିଲା । ଯିଏ କି ଗୋଠକୁ ଠିକ୍ ସମ୍ଭାଳି ନ ପାରିବାରୁ ମୁଖ୍ୟମନ୍ତ୍ରୀଙ୍କ ଦାମୀ ଜର୍ସି ଗାଈ ତେଲ ଘଣା ଭିତରେ ପଡ଼ି ଖୁରା ଜଖମ୍ ହବାରୁ ମାସେ କାଳ ଭେଟେରିନାରୀ ଡାକ୍ତରଙ୍କ ଚିକିତ୍ସାରେ ଭଲ ହେଲା । ତା’ ପଛକୁ ପଛ ଦି’ ତିନିଟି ମରଦ ମାଇପି । ପରଦାର, ପରପୁରୁଷ ଦୋଷ, ମହାଜନୀ ଉଧାର ନ ସୁଝିବା ଓ ପ୍ରଜାପାଲକଙ୍କ ଉଆସ ପାଚିରୀରେ ଛୋକାର କଥା ଲେଖିଥିବା ଇତ୍ୟାଦି ଗର୍ହିତ କାର୍ଯ୍ୟ ଯୋଗୁଁ ଫାଶିରେ ମୁଣ୍ଡ ଗଳାଇଲେ । ସବା ଶେଷରେ ଗୋଟିଏ ଲଢ଼ୁଆଳ ମେଣ୍ଢା ଆଉ ବୁଲା ଷଣ୍ଢକୁ ମଧ୍ୟ ଫାଶି ଚଢ଼ିବାକୁ ହେଲା, ଯେଣୁ ଏ ଦିହେଁ ସମ୍ପୂର୍ଣ୍ଣ ପ୍ରକୃତିସ୍ଥ ଥାଇ ମଧ୍ୟ ରାସ୍ତାର ଦି’ମୁଣ୍ଡରୁ ନ୍ୟାୟାଧୀଶଙ୍କ ଅତି ଯତ୍ନରେ ଲାଳିତ ଡାହାଳ କୁକୁରକୁ ଆକ୍ରମଣ କରି ବେହୋସ୍ କରି ଦେଇଥିଲେ ।

 

ଏଇ ମୌକାରେ ପ୍ରିୟଦର୍ଶିନୀ ଗାଇଡ଼୍ ତାଙ୍କୁ ଏଇ କିମ୍ଭୂତ ତଥ୍ୟର ସମ୍ମୁଖୀନ ହେବାକୁ ଇଙ୍ଗିତ କଲେ । ଯଥା–“ଦେଖ–ମେଣ୍ଡା ଷଣ୍ଡ ଆସାମୀ ପଶୁଗୁଡ଼ାକ ଯେମିତି ବେଅକଲି ଲଜ୍ଜାହୀନ ଭାବରେ ଫାଶିରେ ଝୁଲିଲାବେଳେ ଗୋଡ଼, ଲାଞ୍ଜ ଛାଟି ରଡ଼ି ବୋବାଳି ଛାଡ଼ୁଛନ୍ତି, ମଣିଷ ଆସାମୀଗୁଡ଼ାକ ମଧ୍ୟ ଠିକ୍ ସେମିତି ଅମଣିଷ ବ୍ୟବହାର କରୁଚନ୍ତି । ଆସାମୀ ହେଇଗଲେ ପାତକର ନାରକୀୟ ବହ୍ନିରେ ପଶୁ ଆଉ ମଣିଷ ସମାନ ଭାବରେ ସିଝାନ୍ତି । ଜଳନ୍ତି, ବୋବାଳି ଛାଡ଼ନ୍ତି । ଯା’ର ଅର୍ଥ ହେଲା ତମେ ଆଉ ମୁଁ ସେମିତି କେବେ ହବା ନାହିଁ ।”

 

ପ୍ରାୟ ଘଣ୍ଟାକ ପରେ ପଦାକୁ ଯାଇଥିବା ପର୍ଯ୍ୟଟକମାନେ ଭୁସ୍‌ଭାସ୍‍ କରି ପଶି ଆସିଲେ ବସ୍ ଭିତରକୁ; ଆଉ ନିଜ ନିଜ ଜାଗା ଦଖଲ କରିନେଲେ । ସମସ୍ତଙ୍କ ମୁହଁରେ କିଛି କିଛି ତୃପ୍ତି, ଆନନ୍ଦ ଆଉ ନିଜ ହାଲ୍‍କା ହାଲ୍‍କା ଭାବ । ବସ୍‌ ଚାଲିଚି । ଗାଇଡ଼୍‌ଙ୍କ ଲଳିତ କଣ୍ଠରୁ ସମୁଚ୍ଚାରିତ ହେଉଚି ଆଗରୁ ପାଖେଇ ଆସୁଥିବା ଆଉ ଡାହାଣ ଓ ବାଁ କଡ଼ରେ ପଛକୁ ଧାଇଁ ପଳଉଥିବା କେତେ ନା କେତେ ଦର୍ଶନୀୟ, ସ୍ମରଣୀୟ ଚିତ୍ର ଓ ସ୍ଥାପତ୍ୟ, ସଭ୍ୟତାର, କୃଷ୍ଟିର, କଳାର, ଭାସ୍କର୍ଯ୍ୟର । କିନ୍ତୁ ସବୁଠୁଁ ଅଧିକ ଲୋଭନୀୟ, ସବୁଠୁଁ ଅଧିକ ଚିତ୍ତ–ବିମୋହକ ଦୃଶ୍ୟଗୁଡ଼ିକ ଥିଲା ସେଇ ପ୍ରକାଣ୍ଡ ଖୁଣ୍ଟଗୁଡ଼ିକରେ ଫାଶରୁ ଝୁଲୁଥିବା ପ୍ରାୟ ଦେଢ଼ଶହ ଦୁଇଶହ ମଣିଷର ଅଳ୍ପ ଲମ୍ବା ହେଇ ଆସିଥିବା ବେକଗୁଡ଼ିକ । ବାଟୋଇମାନଙ୍କ ପଥଶ୍ରମ ଲାଘବ କରିବାପାଇଁ ଫାଶିଖୁଣ୍ଟରେ ଝୁଲୁଥିବା ଏଇମିତି ଅସୁମାରୀ ଆସାମୀଙ୍କ ଶରୀର ସକଳ ନିର୍ଦ୍ଦିଷ୍ଟ ବୌଦ୍ଧିକ ଆଲୋଡ଼ନର ଆଢ଼ୁଆଳରେ ଜୀବନକାଳର ଅଳୀକତା ଓ ଦିବ୍ୟ ଜୀବନର ଅବଶ୍ୟମ୍ଭାବୀତାକୁ ପ୍ରକଟିତ କରି ଚାଲିଥିଲେ ଏବଂ ସମାଜ କଦାଚିତ୍ ବହୁରୂପୀ ଆତତାୟୀମାନଙ୍କର କବଳିତ ହୋଇ ନ ପାରେ ବୋଲି ଢେର୍ ଆତ୍ମପ୍ରତ୍ୟୟ ବୁଣି ଦେଉଥିଲେ ।

 

ହଠାତ୍ କିନ୍ତୁ ସେଇ ନେଳି–ଆଖିଆ ବୁଢ଼ା ପାଟିକରି କହିଲା–“ମୋଟେ ଜମିଲାନି । ଭାବିଥିଲି ଏକାଠି ପଚାଶେ କି ପଁଷଠି ଫାଶିର ଜଲ୍‌ସା ହେବ ବୋଲି । ମୋଟେ ଅଧଘଣ୍ଟେ ଖେଳ ଆଉ–ଚଉଦଟା ଫାଶି–ଧ୍ୟାତ୍‌ରି ।”

 

ନିରାଭରଣ ବିମୁକ୍ତ ହୃଦୟଟି ନେଇ ସିଏ କୋରଡ଼ ଭିତରୁ ଖସି ଆସିଥିଲା–ନୂଆ ରାଜ୍ୟର ନୂଆ ପାଣି ପବନ, ନୂଆ ଗଛଲତା, ଫୁଲ ଫଳ ପତ୍ର ସ୍ଵାଦୁ ଆଉ ଘ୍ରାଣ ମନ ପୂରେଇ ଆହରଣ କରି ଯିବାକୁ । ଏଇ ବାଟ ଦେଇ ରସିକରାଜ ଦୋଳଗୋବିନ୍ଦ ବି ନିଶ୍ଚୟ ବିହାର କରିଥିବେ । ସିଏ ବି ତ ପଚାରି ପାରିଥାନ୍ତା–

 

“ହେ କୁରୁବେଲୀ ନାଗେଶ୍ଵର

ଚମ୍ପା ପୁନ୍ମଗ କନିଅର,

ତୁମ୍ଭ ପୀରତି ଘେନି ଚିତ୍ତେ

ଗୋବିନ୍ଦ ଗଲେ କି ଏ ପଥେ !”

 

ଫୁଲଯାକ ସବୁ କୁଆଡ଼େ ଗଲେ ? କିନ୍ତୁ କାହାକୁ ପଚାରିବ ? କିଏ ବା କ’ଣ ଉତ୍ତର ଦବ ? ଉତ୍ତର ଦବା–ଲୋକଯାକ ତ ଟେଲିଫୋନ୍ ଖୁଣ୍ଟରେ ବେକରେ ଫାଶି ଗଲେଇ ଝୁଲୁଛନ୍ତି । ସେମାନଙ୍କ ଚୋଚଲା ପଡ଼ିଥିବା ମଲା ମୁହଁରେ ସଭ୍ୟତାର ନକଲି ଦାନ୍ତଖସା ପରପଞ୍ଚ ହସ–ତାକୁ ଦିଶି ଯାଉଚି ସ୍ପଷ୍ଟ । ସିଏ ପୁଣି ଖୋଜୁଥିଲା ଏଇମିତି ଭେକ ଭୋକର ଲୋକ, ଯିଏ କି ପୂରା ପରିବେଶର ମୌସୁମ୍‌କୁ ପରିପୂର୍ଣ୍ଣ କରି ଜମେଇ ରଖିବ ଭଳି ଲାଗିଲା ତା’ର ସାମାନ୍ୟତମ ଗୌଣ ଅବସ୍ଥିତ ଆଉ ବାଗ୍ମୟତାରେ । କୁଆଡ଼େ କିଏ ଯାଉଚି ? କଲେଜ ସ୍କୁଲ ପଢ଼ୁଆ, ପିଲାଏ ତାଙ୍କ ବାପାମାନଙ୍କୁ ‘ମୁକଦ୍ଦର ବା ସିକନ୍ଦର୍’ ବୋଇଲେ କ’ଣ ବୁଝୁଚ ? ବୋଲି ପଚାରି ଦେଲାବେଳକୁ ଅକଲ୍ ଗୁଡ଼ୁମ୍ । ପିଲାଙ୍କର ଖେଳବୁଲ କିଛି ନାଇଁ । ସମୟ ସାଙ୍ଗରେ ଯୁଝିବାର ପହିଜ ନାହିଁ କି ଅଧୁନା ଜୀବନ ସଂଘର୍ଷର ବିରୋଧାଭାସକୁ ସାମ୍‌ନା କରିବାର ଅଣ୍ଟ ନାହିଁ । ଅଥଚ ଯେତେ ଯେଉଁଠି ସମକୋଣୀ ରାସ୍ତା ଛକ ଅଛି ସେଠି ସାଇକେଲ ଡେରି ବସି ବସି ମିଛଟାରେ ଆଡ଼୍‌ଡ଼ା ମାରିବା ଆଉ ଦିଗବାରେଣୀ ନ ଦେଖି ସୁଦୁ ଆକାଶକୁ ମୁଥ ମାରିବାରେ ସମୟ ସରି ସରି ଯାଉଛି-। ପାଠପଢ଼ା ବହିର ଅକ୍ଷରରୁ ଚିତ୍ର ଫୁଟୁନି ବା ମହୁ କ୍ଷରିବାର ପଥ ଉପୋଦ୍‌ଘାତ ହେଉନି । କିଛି ଲୋକ ବେଳେବେଳେ ଜନ୍ମ ହେଉଥିଲେ ଯେଉଁମାନେ ସଂସାରରୁ କାହାକୁ ଗୋଟେ ଧରିପକେଇ କହି ପାରୁଥିଲେ ତୁଝପର ଜାନ୍ ଦେନେ କି ତମନ୍ମା ଲେକେ ଆୟା ହୁଁ । କାହାକୁ ଗୋଟେ କୁଣ୍ଢେଇ ଆଶ୍ରା କରି କାହାର ଗୋଟିଏ ମୁହଁକୁ ଚାହିଁ ଜୀଇବାର ପ୍ରାସଙ୍ଗିକତାକୁ ଶ୍ରୀଘ୍ୟ ପ୍ରମାଣିତ କରୁଥିଲେ-। ଏବେ କିନ୍ତୁ ଦେଖ ଏଇ ଲୋକଟା ଖୁଣ୍ଟରେ ଝୁଲୁଥିବା ମୁର୍ଦ୍ଦାର ଗୁଡ଼ାଙ୍କ ମୁହଁକୁ ନିରେଖି ଘାଲେଇ ପଡ଼ିଚି–ବସ୍‌ର ପଛ ସିଟ୍‌ରେ । ଆଉ ସ୍ଵପ୍ନମାନଙ୍କୁ ତା’ର ଭୂରୂଭୂଜଙ୍ଗ ଉପରେ ଧାଡ଼ିକରି ସଜେଇ ଦେଇ ରୋମନ୍ଥନ କରି ଚାଲିଚି–‘ହେ ମୋର ସ୍ଵପ୍ନମାନେ, ମୁଁ ତ ଚାଲି ଟିକିଏ ପାରୁନି–ଅଥଚ ତମେ ସବୁ ଦଉଡ଼ୁଚ । ପୁଣି କେବେ ଉଡ଼ି ଉଡ଼ି ଯାଉଚ । ମୋ ପାଦ ଯେ ପଥର କଣ୍ଟା ଖୁଞ୍ଚରେ ରକ୍ତାକ୍ତ-। ଏଇମିତି କ’ଣ ଏଇ ଅଲକ୍ଷଣୀ ରାସ୍ତା ଅଳତା ପିନ୍ଧିବାକୁ ଫନ୍ଦି କରିଚି-!’

 

ଅଶ୍ଵତ୍‌ଥ ଗଛର କ୍ରୋଡ଼ରୁ ନିଷ୍କ୍ରମଣ ଏପରିକି ପ୍ରବେଶ ପୂର୍ବର ଅବସ୍ଥା ତାଙ୍କର କଅଣ ଥିଲା ! କେଉଁ ଅବସ୍ଥାରୁ କେଉଁ ବାୟୁମଣ୍ଡଳରୁ ସିଏ ଖସି ଆସିବାର ପହିଜ କରୁଥିଲେ ସତରେ !

 

ପୁରୁଣା ଚିତ୍ରଗୁଡ଼ିକ ନାଚି ଯାଉଚି ଆଖିରେ । ଢେର୍‌ଦିନ ବେକାର ରହି ସାମାନ୍ୟ ପୈତୃକ ସମ୍ପତ୍ତି ଜମି, ଘର ଡିହ ଦି’ଖଣ୍ଡ ବିକି ଦେଇ ପଳେଇ ଆସିଥିଲେ ସେ ସହରକୁ । ଏଠି ସବୁ ଗରିବ ବେକାରଙ୍କୁ ବ୍ୟାଙ୍କ ଋଣ ଆଉ ସରକାରୀ ସାହାଯ୍ୟରେ କାରଖାନା ତିଆରି କରିବାକୁ ସୁବିଧା ଦିଆଯାଉଚି–ଏଇ ଆଳରେ ଜଣେ ଦାଉଁଆ ଦଲାଲ୍‌ଙ୍କ ହାତରେ ତାଙ୍କର ସାମାନ୍ୟ ହାତପାଣ୍ଠି ସମର୍ପି ଦେଲେ । ପଚିଶ କି ତିରିଶ ଆବେଦନ ପତ୍ର, ଦଲିଲ, ଏଗ୍ରିମେଣ୍ଟ୍‌ରେ ଦସ୍ତଖତ କଲେ, ମୋହର ମାରିଲେ । ଯୋଉ ଜାଗାରେ ଯାହା ଫଳେ ପୁଷ୍ପେ ନୈବେଦ୍ୟ ଦବାକଥା ତା ଦେଲେ । ଜାଗା ଖଣ୍ଡିଏ ପାଇଲେ, ଚାଳିଆ ଖଣ୍ଡିଏ ବାନ୍ଧିଲେ । ସାଇକଲ ପାର୍ଟସ୍‌ ଆଉ ମରାମତିର ଦୋକାନ ଗୋଟିଏ ଠିଆହେଲା । ବର୍ଷେ ଦି’ବର୍ଷ ବେଶ୍ ଦି ପଇସା ରୋଜଗାର ବି ହେଲା । ତାଙ୍କର ପରମ ସହାୟକ ଦଲାଲ୍‌ଙ୍କ ଉଭଣୀଙ୍କୁ ତାଙ୍କରି ସୁପାରିଶରେ ବାହାହେଲେ । ପୁଅ ଝିଅ ତିନିଟା ଚାରି ବର୍ଷ ଭିତରେ ଜନମ ହେଇ ପଡ଼ିଲେ । ସେମାନେ ବଢ଼ିଲେ । ତାଙ୍କ ପେଟ ବଢ଼ିଲା । ଗୃହିଣୀଙ୍କ ବାରାଦ୍ ତାଗିଦ୍ ବଢ଼ି ବଢ଼ି ଅସମ୍ଭାଳ ଅବସ୍ଥାକୁ ଆସିଗଲା । କ୍ରମେ ସୁରାକ୍ ପାଇଲେ ଯେ ଗୃହିଣୀ ତାଙ୍କୁ କାୟମନୋବାକ୍ୟରେ ନିଜର ସଞ୍ଚାର ପଥରୁ ବିବାକ୍ ତିରୋହିତ କରିବାକୁ ବ୍ୟଗ୍ର । ଗୃହିଣୀ ତାଙ୍କ ଭାଇଙ୍କଠାରୁ ସୀମାତିକ୍ରମ ପରିମାଣରେ ଉଧାର କରି ଚାଲିଲେ ଆଉ ସ୍ଵାମୀଙ୍କୁ ଜଣାଇ ଦେଲେ ଯେ–ସିଏ ଯେମିତି ଖୋଦ୍ ଦଲାଲ ଆଉ ତାଙ୍କ ଭଉଣୀଙ୍କ ଆଶ୍ରାରେ ପରିପାଳିତ ଗୋଟିଏ ନିଖୁଣ ଅପଦାର୍ଥ ।

 

ଏମିତି ବି ସମୟ ଆସିଲା ଯେ ପତ୍ନୀ ଘରଛାଡ଼ି ବାହାରେ ବାହାରେ କାଇଁ କୋଊଠି ଯାଇ ସାତ ଆଠ ଦିନ ଧରି ରହି ଯାଉଚନ୍ତି । ଆଉ ବେଳେ ବେଳେ ବେହୋସ୍ ଅବସ୍ଥାରେ କେତେକ ଅର୍ବାଚୀନ ସଙ୍ଗୀଙ୍କ ଗହଣରେ ଫେରି ମଟର ଗାଡ଼ିରୁ ଓହ୍ଳେଇ ସମସ୍ତଙ୍କ ଉପରେ ଗାଳିଗୁଲଜ ଆରମ୍ଭ କରୁଚନ୍ତି । ସବୁଠୁଁ ଅସହ୍ୟ ଅବସ୍ଥା ହେଲା ସେଇଦିନ–ଯେଉଁଦିନ ଏଇ ଲୋକ ଘରକୁ ଫେରି ଦେଖେ ଯେ ତିନିଟାଯାକ ପିଲା ଭୋକରେ କଲବଲ ହଉଚନ୍ତି । ଚୂଳୀରେ ଜାଳ ନାହିଁ । ହାଣ୍ଡି ମାଙ୍କଡ଼ଚିତ୍ ମାରୁଚି; ଆଉ ପତ୍ନୀଙ୍କ ପତ୍ତା ନାଇଁ । ବଡ଼ପୁଅ ଧଇଁ ପେଲିଲା ପରି କାନ୍ଦି କାନ୍ଦି କହିଲା ଯେ ‘ମା କହିଚି ତୋ’ ବୋପାକୁ କହିବୁ ଆସିଲେ ମୋ ଘରୁ ବାହାରିଯିବ । କାରଣ ଖୋଦ ଦଲାଲ ମାମୁଁ ଉଧାର ସୁଝିବା ସୂତ୍ରେ ତାଙ୍କ କାରଖାନାର ଦଖଲ ନେଇ ସାରିଚନ୍ତି ।” ମୁଣ୍ଡକୁ ପିତ୍ତ ଚଢ଼ିବାକୁ ଆଉ କେତେ ବା ଡେରି ! ସିଧା ଧାଇଁଲେ ସିଏ ଦଲାଲ୍‌ଙ୍କ ଘରକୁ । ତାଙ୍କ ଦାଣ୍ଡଘରେ ପଶୁ ନ ପଶୁଣୁ ଦେଖିଲେ ଯେ ତାଙ୍କ ପତ୍ନୀ କ’ଣ ଗୋଟାଏ ଅତ୍ୟନ୍ତ ଖୁସି କଥାରେ ହସି ହସି ଗଡ଼ି ଯାଉଚନ୍ତି । ଆଉ ତାଙ୍କୁ ଲାଗିକରି ବିଜ୍ଞ ଠାଣୀରେ ବସିଚି ଗୋଟାଏ ବସନ୍ତ–ମୁହାଁ କାଳିଆ ଲୋକ । ଯେମିତି ଯାଙ୍କୁ ସେ ଦେଖିପକେଇଚି ଲୋକଟା ଦଉଡ଼ି ପଳେଇଲା ବାହାରକୁ । ଏବଂ ହାତରେ ପଡ଼ିଲା ହୁଗୁଳି ଯାଇଥିବା ଗମ୍ଭାରୀ ଖଟର ଖୁରା ଖଣ୍ଡେ । ସେଥିରେ ଗୋଟାଏ ପାହାରରେ ଘରଣୀଙ୍କ ମୁଣ୍ଡ ଦି’ଫାଳ ହେଇଗଲା । ଆଉ ତା ପରେ ସମ୍ଭବତଃ ସେନିଜକୁ ଆବିଷ୍କାର କଲେ ଅତିକାୟ ଅଶ୍ଵତ୍‌ଥର କୋରଡ଼ ଭିତରେ । ମଝିରେ କଅଣ ଘଟିଲା ତାଙ୍କ ସ୍ମୃତିରେ ନାହିଁ ।

 

ଆରାମରେ ଘୁଙ୍ଗୁଡ଼ି ମାରି ଚଉକାତ୍ ହୋଇ ଶୋଇଚନ୍ତି ସେ ଟୁରିଷ୍ଟ୍ ବସ୍‌ର ପଛ ସିଟ୍‌ରେ ଚଉଡ଼ା ଗଦି ଉପରେ । ମୁହଁ ଉପରେ ମେଞ୍ଚାଏ ପାଣି ପଡ଼ିଲା । ସିଏ ଚମକି ଉଠି ବସିଲେ-। ବାହାରେ ବର୍ଷା ଆରମ୍ଭ ହେଇଚି । ଅଧାଖୋଲା କାଚ ଭିତରେ ଦେଇ ଛିଟା ପଡ଼ୁଚି । ସୁଖ ବି ଲାଗୁଚି । ଗାଇଡ଼୍ ପାଖକୁ ଆସି କହିଲେ “ଏଥର ସମସ୍ତେ ଓହ୍ଲାନ୍ତୁ । ଆମ ପ୍ରୋଗ୍ରାମ୍‌ର ଶେଷ ଦର୍ଶନୀୟ ସ୍ଥାନଟି ହେଲା ଏ ରାଜ୍ୟର ବିଚରାଳୟ । ଏଇ ଦେଖନ୍ତୁ, ପୂରା ପ୍ରାସାଦଟି କିଟିମିଟି ଅନ୍ଧାର ଭିତରେ ହଜି ଯାଇଚି । କିନ୍ତୁ ସେଇ ଭିତରେ ମଶାଲ୍ ଜଳିଲା ଭଳି ଦିକ୍ ଦିକ୍ ଆଲୁଅ ଆସୁଥିବା କୋଠରୀଟିକୁ ଚାହାଁନ୍ତୁ । ସେଇଠି ବିଚାର । ନ୍ୟାୟ ସେଇଠି । ଦଣ୍ଡ ସେଇଠି କେବଳ ଅନ୍ୟ ରାଜ୍ୟର ଆସାମୀମାନଙ୍କ ପାଇଁ ବିଚାର ସଂଗୋପନରେ ହୁଏ । ଅଥଚ ଏଇ ରାଜ୍ୟର ଆସାମୀମାନେ ମୁକ୍ତ ଦିବାଲୋକରେ ସମସ୍ତିଙ୍କ ସାମନାରେ ନ୍ୟାୟପ୍ରାପ୍ତ ହୁଅନ୍ତି । ଓହ୍ଲାନ୍ତୁ ଓହ୍ଳାନ୍ତୁ ।” ସୁମଧୁର ଭାଷିଣୀ ଗାଇଡ଼ଙ୍କ ସ୍ଵରଟା ନିମିଷକ ପାଇଁ ପୁଲିସଙ୍କ ଭଳି କର୍କଶ ହୋଇଗଲା-

 

‘ଯିଏ ଗଲେ ଯାଆନ୍ତୁ, ମୁଁ ଯିବିନି ।’

 

‘ଇଏ କେମିତି କଥା । ଅଲ୍‌ବତ୍ ଯିବାକୁ ହବ ।’

 

ସବୁ ବିଦେଶୀ ପର୍ଯ୍ୟଟକଙ୍କର ଅନ୍ତିମ ବିନୋଦନ, ସତ୍କାର ବ୍ୟବସ୍ଥା ତ ଏଇ ମଧ୍ୟ–ରାତ୍ରିରେ, ସେଇ ଉପର କକ୍ଷରେ ।

 

ତାଙ୍କୁ ଜବରଦସ୍ତ ବିଚରାଳୟର ସେଇ କୋଠରୀଟିକୁ ଟାଣି ଟାଣି ନିଆଗଲା । ଗୋଟାଏ କାଠଗଡ଼ା ଭିତରେ ତାଙ୍କୁ ଛିଡ଼ା କରାଗଲା । କୋର୍ଟ ଉଠିବା ପର୍ଯ୍ୟନ୍ତ ମୁଣ୍ଡକୁ ତଳକୁ ପୋତି ରଖିବାକୁ ନିର୍ଦ୍ଦେଶ ଦିଆଗଲା । ଏକ ଅପୂର୍ବ ବିଭାମୟ ଚେହେରାର ବିଚାରପତି ମୃଦୁ ମୃଦୁ ହସି ତାଙ୍କର ସୁଉଚ୍ଚ ଆସନରୁ ବାକ୍ୟବାଣ ବିନ୍ଧିଲେ ।

 

‘ତୁମ୍ଭେ ଏ ରାଜ୍ୟର ବିଚାର ଓ ନ୍ୟାୟ ନୀତିକୁ ବିଦ୍ରୂପ କରି ଏହାର ସ୍ଵାଧିକାର କ୍ଷୁଣ୍ଣ କରିଚ–ଯାହାକି ଏଇ ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ସଙ୍ଗେ ସମାନ । ତୁମ୍ଭଙ୍କୁ ଫାଶି ଦିଆଯିବ-

 

କୋଠରୀର ଗୋଟିଏ କୋଣରେ ଜାକିଜୁକି ଠିଆ ହୋଇଥିବା ଆଉ ସବୁ ପର୍ଯ୍ୟଟକମାନେ ମହୋଲ୍ଲାସରେ କରତାଳି ଦେଲେ । ଏଇ ଦଣ୍ଡ ବିଧାନ ନିଘୋଷ ଶୁଣି ସେମାନେ କୌଣସି କାରଣରୁ କୃତକୃତ୍ୟ ହୋଇ ପଡ଼ୁଥିଲେ । ବିଚାରପତି ପ୍ରଥାନୁଯାୟୀ ମୃତ୍ୟୁଦଣ୍ଡ ବିଧାନ କରିବାବେଳେ ମୁହଁ ଉପରେ କଳାକନା ଖଣ୍ଡେ ଢାଙ୍କି ସାରିଥିଲେ । ଏତିକି ବେଳେ ମଧ୍ୟ କାଠଗଡ଼ା ଭିତରେ ଠିଆ ହୋଇଥିବା ଲୋକର ମୁହଁ ଉପରେ କଳାକନାର ମୁଣି ଘୋଡ଼ାଇ ଦିଆଗଲା । ଏବଂ ଯେଉଁ ଲୋକ ତାଙ୍କୁ ଫାଶିରେ ଚଢ଼ାଇବା କଥା ସିଏ ବି ମୁହଁ ଉପରେ କଳାକନା ଢାଙ୍କି ପଛ ଦରଜାରୁ କକ୍ଷ ଭିତରେ ପ୍ରବେଶ କଲା ।

 

ଠିକ୍ କୋଠରୀଟିର ମଧ୍ୟ ଭାଗରେ ଗୋଟିଏ ଉଚ୍ଚ ଇସ୍ପାତ୍ ଖୁମ୍ବ ଉପରୁ ଓହଳିଥିବା ଫାଶ ଉପରକୁ ତାଙ୍କୁ କେତୋଟି କର୍କଶ ହାତ ଟେକି ଦେଉଥିବା ବେଳେ ହଠାତ୍ କ’ଣ ହେଲା କେଜାଣି, ହାବୁଜାଏ ପବନ ପାଣି ଆସି କୋଠରୀର ଦୁଇ କୋଣରେ ଲାଖିଥିବା ଦୁଇଟି ମଶାଲକୁ ନିର୍ବାପିତ କରି ଦେଲା । କିଟିମିଟି କଳା ଅନ୍ଧାର ଭିତରେ କେତେଆଡ଼ୁ କେତେ ପଦ ଶବ୍ଦ ଆଉ ଅନୁନାସିକ ଗୁଞ୍ଜନ ଖେଳିଗଲା । କିଛି ସମୟରେ ତାଙ୍କୁ ଲାଗିଲା ଯେ ସେ ନିଜେ ବିଚାରପତିଙ୍କ ମଖମଲୀ କୁର୍ସି ଉପରେ ବସିଛନ୍ତି । ଅର୍ଡ଼ର୍ ଅର୍ଡ଼ର୍ କହି ଶାନ୍ତି ରକ୍ଷା ପାଇଁ ତାଙ୍କ ହାତରେ କାଠର ହାତୁଡ଼ି । ଏତିକିବେଳେ ସୁନ୍ଦରୀ ଟୁରିଷ୍ଟ ଗାଇଡ଼ କେଉଁଠୁ ଗୋଟିଏ ଜଳିଲା ମହମବତୀ ଆଣି ମଶାଲ ଦିଓଟିକି ଜଳେଇ ଦେଲେ । ଦିଓଟି ଲହ ଲହ ଆଲୋକର ଶିଖାରେ ସମବେତ ଦର୍ଶକଙ୍କ କରତାଳି ଆଉ ହସ ଉଲ୍ଲାସ ଭିତରେ ଯେଉଁ ଲୋକକୁ ଫାଶି ଖୁଣ୍ଟ ଉପରେ ଲଟକାଇ ଦିଆଗଲା ସେ ଯେ ସ୍ଵୟଂ ବିଚାରପତି ତାହା ତାଙ୍କ କଳାକନା ଘୋଡ଼ା ହୋଇଥିବା ମୁହଁର ଅର୍ବାଚିନତା ସତ୍ତ୍ୱେ ଲାଲ ସିଲ୍ କର ଗାଉନ୍ ଆଉ ପକେଟ ଉପରେ ସୁନା ନିକିତିର ମୋହରରୁ ଅନାୟାସରେ ଜଣା ପଡ଼ୁଥିଲା ।

 

କେହି କିନ୍ତୁ ଏଇ ବିଭ୍ରାନ୍ତିକର ପରିସ୍ଥିତିର ପ୍ରତିବାଦ କରୁ ନଥିଲେ ।

 

ତଥାପି ‘ଭୁଲ୍ ହେଇଗଲା, ଭୁଲ୍ ହେଇଗଲା’ ଚିତ୍କାର କରି ବିଚାରପତି ଆସନ ଛାଡ଼ି ଏଇ ଲୋକଟି ଚିହିଁକି ଠିଆ ହେଇ ପଡ଼ିଲା ବେଳକୁ ଗାଇଡ଼୍ ତାଙ୍କ ପାଖକୁ ଦଉଡ଼ି ଆସି କୋଇଲି କୁହୁ ସ୍ଵରରେ ବ୍ୟାଖ୍ୟା କରିଗଲେ ଯେ–‘କଳାମୁଖା ପିନ୍ଧିଥିବା ଯେକୌଣସି ଲୋକ ଫାଶିରେ ଚଢ଼ିବାକୁ ହକ୍‍ଦାର ଓ ଏଥିରେ ଭୁଲଭଟକାର ଅବକାଶ ନାହିଁ । ଏହା ହେଉଚି ଏ ରାଜ୍ୟର କାନୁନ୍ ସମର୍ଥିତ ବ୍ୟବସ୍ଥା ଓ ପରମ୍ପରା । ବିଚାରପତିମାନଙ୍କୁ ସାମୟିକ ପରିବର୍ତ୍ତନ କରିବାପାଇଁ ୟା’ଠାରୁ ଅଧିକ ବିଚକ୍ଷଣ ମାର୍ଗ ବା ଆଉ କ’ଣ ହେଇପାରେ । ହେ ମହାଭାଗ, ଆପଣ ଆଜିଠୁଁ ଯାବତ୍ ଚନ୍ଦ୍ରାର୍କେ ନିକିତି ତଉଲ ନିରୋଳା ନ୍ୟାୟ ବାଣ୍ଟି ଚଲାନ୍ତୁ ।

 

ଅବଶ୍ୟ ଯେ ପର୍ଯ୍ୟନ୍ତ ଆପଣ ସ୍ଵୟଂ ଅପରିବର୍ତ୍ତିତ ଅଛନ୍ତି–ଏତିକି କହି ଦେଇ ସେଇ ବିଧୂମୁଖୀ ଖଞ୍ଜନାକ୍ଷୀ ପ୍ରିୟଦର୍ଶିନୀ ପ୍ରିୟଭାଷିଣୀ ପର୍ଯ୍ୟଟନ ପରିଚାରିକା କୁହରିତ ଜଳତରଙ୍ଗ ପରି ହସି ହସି ଲୋଟିଗଲେ । ଆଉ ଚଳଭୁରୁ ରାତିର ଆକାଶ ପଥରେ ଶିରାଏ ବିଜୁଳି ଚମକିଗଲା । ସେଇ କିୟତ୍ କ୍ଷଣପ୍ରଭାରେ ଝଲସି ଗଲା ଆଉ ଏକ ବିବର୍ତ୍ତିତ ଚିତ୍ର ।

 

ଆଉ କାହାକୁ ଦିଶିଲାନି । କିନ୍ତୁ ଏଇ ଲୋକ ଆଗରେ ପ୍ରତିଭାତ ହେଲା–ଖୋଦ୍ ବିଚାରପତି ଫାଶି ଖୁଣ୍ଟରେ ପରିଣତ ହେଇଚନ୍ତି ଆଉ ସେଥିରେ ଲଟକିଛି ଓଲଟ ଅଶ୍ଵତ୍‌ଥ ବୃକ୍ଷର ଆକାର ।

Image

 

ଅଣନାୟକ

 

ସିଏ ଭାବିଚି କେହି ତାକୁ ଦେଖି ନାହାନ୍ତି । ପାହାନ୍ତାର ମିଠାଳିଆ ହାଓ୍ୟାର ଘ୍ରାଣ ଭୂଇଁରୁ ଉଠୁଁ ନ ଉଠୁଣୁ ସେ ପଳେଇ ଆସିଚି । କାନ୍ଧରେ ଝୁଲା ‘ପାରାସୋଲ’ ଭିତରେ ଖଣ୍ଡେ ଦିଖଣ୍ଡ ଶାଢ଼ୀ, ବେଲ୍ ବଟମ, କୁର୍ତ୍ତା ଆଉ ପ୍ରସାଧନର ଏଣୁତେଣୁ ସରଞ୍ଜାମ କେଇଟା ସେ ଧରି ଦୌଡ଼ିଚି । ତାର ଗାଁମୁଣ୍ଡରୁ ବସ ଅଟକିବାର ନିର୍ଦ୍ଧାରିତ ଜାଗାଟି ପ୍ରାୟ ଅଧଘଣ୍ଟାକର ବାଟ । ସେ ତ ଦୌଡ଼ିଚି । ବେଦମ ଦୌଡ଼ିଚି । ତାର ଅଝଟ ମନରେ କେତେ ସ୍ଵପ୍ନ, କେତେ କାମନା–ନିଜର ବିସ୍ଫାରିତ କରି ଜଗତର ସବୁ ସୁନ୍ଦର, ସ୍ଵାଦ୍ୟ ଲୋଭନୀୟ ଚେହେରାକୁ ନିଜ ଭିତରକୁ ଓଟାରି ଆଣିବାକୁ ଆଉ ବେଶୀ ଡେରି ନାଇଁ । ସବୁ ଦିନେ କେମିତି ସିଏ ରୁନ୍ଧିହୋଇ ଦିହଘଷିଆ ଅସନା ଗୋବରଲିପା ନୂଆଁଣିଆ ଏଡ଼େ ଟିକେ ଚାଲଘରଟି ଭିତରେ ବସି ଥାଆନ୍ତି ! ହରଦିନ ପାରାଟିଭଳି ଘୁମୁରିବାର ପ୍ରଶାନ୍ତି ପାଇଁ ତ ଉଡ଼ିବାକୁ ପଡ଼ିବ–ଡେଣା ପିଟିବାକୁ ପଡ଼ିବ, ଗଛବୃଚ୍ଛ ପାହାଡ଼, କାନ୍ତାର, ନଈ, ସମୁଦ୍ର ସବୁର ଉର୍ଦ୍ଧ୍ୱରେ । ସେ ପଳେଇ ଆସି ବେଶ୍ କରିଚି । ରାସ୍ତାର ଧୂଳିରେ କଅଁଳ ପାଦର ଅଳତା ଧାର ଧୂସର, ମଉଳିନି । ଚପ୍‌ପଲ ଦିଟା ହାତରେ ଧରି ଦଉଡ଼ୁଚି । ହେଇ ବସଷ୍ଟାଣ୍ଡ ପାଖ ହେଇଗଲାଣି । ମାଲୋ–ଚାହୁଁ ଚାହୁଁ ତ ଛୁଟି ଗଲାଣି ବସ୍‌ଟା କାଇଁ କେତେ ଆଗରେ । ଗୋଟାଏ ବୋଲି ସକାଳୁଆ ବସ୍ । ୟେ ତ ଗଲା । ତା’ପରେ ଯାଇ କାଲି । କ’ଣ କରେ ଏବେ । ତେନ୍ତୁଳି ଗଛ ପାଖରେ କାଳପୁରୁଷପରି ବସିଥିବା ବୁଢ଼ା ଜଣକ କହିଲା–‘ଆଲୋ ମା–’ କୁଆଡ଼େ ଯିବୁକି–ବସ୍ ସିନା ଗଲା । ଯଦି ଯିବା ତୋର ଜରୋରୀ ତେବେ ଟ୍ରକ୍ ତ ଯାଉଚି ମାଳ ମାଳ । କୋଉଥିରେ ହେଲେ ବସି ଯା । ଆଉ ତ ଦଶଖୋଜ ଆଗରେ ତାଙ୍କର ଢାବା । ସେଠେଇଁ ସବୁ ଅଟକିବେ ଚା’ ପାଣି ପାଇଁ–ଯା ବେଇଗି ବେଇଗି । ସେ ପୁଣି ଦୌଡ଼ିଲା ‘ଢାବା’ ଦିଗରେ । ଦଉଡ଼ିଆ ଖଟ କେତେଟା ପଡ଼ିଚି । ତା’ ଉପରେ ଶୋଇଚନ୍ତି ତିନିଟା ବିଲେଇ ଓ ଖୋଲାରେ ବନ୍ଧାହେଇଚନ୍ତି ଗୋଡ଼ରେ ରସି ଟଣା ହୋଇ ତିରିଶି କି ଚାଳିଶି କୁକୁଡ଼ା । ଉଚ୍ଚା ଚୂଲିରୁ ବାଂଫ ଉଠୁଚି । ତାର ଆଢ଼ୁଆଳରୁ ମୁଣ୍ଡ ଉଞ୍ଚେଇ ରାନ୍ଧୁଣିଆ ଇସାରା ଦେଲା–ଗଲା–ଗଲା–ଏଇ ତ ଖାଲି ଟ୍ରକ୍‌ଟା ପଳେଇଲା । ଦେଖ୍ ଦେଖ୍–ସାମନାରେ ଅଟକିଚି ପରା । ଯା ଦୌଡ଼ି ଯା–ଚଢ଼ିଯା । ଏଥର ସେ କିଲିକିଲା ହେଇ ଦୌଡ଼ିଲା । ଆଉ ଖୋଜେ ବୋଲି ବାଟ ଅଛି । ଘରର୍ ଘରର୍ କରି ଷ୍ଟାଟ୍ ରଖିଥିବା ଟ୍ରକ୍‌ଟା ଘାଏଁ କରି ଛୁଟି ଗଲା । ଦଶ ହାତ ଉପରକୁ ଉଠିଲା ଧୂଳିର ପଟଳ । ତାର ମୁହଁ ଆଖି କାନ ନାକ ସବୁ ଧୂଳି ଭର୍ତ୍ତି । କିନ୍ତୁ ୟେ କ’ଣ ହେଲା । ଟ୍ରକଟା ପୁଣି ଖଣ୍ଡେ ଦୂରରୁ ପଛେଇ ପଛେଇ ତାରି ଆଡ଼କୁ ଆସିଲାଣି । ଯିମିତି ପାଖ ହୋଇଗଲା ଡାଲାର ପଛପାଖ ଅର୍ଗଳିଟି ଆପେ ଆପେ ଖେଳିଗଲା । ଆଉ ସିଏ ଉଠିଗଲା କଡ଼ା ଶିକୁଳି ଯା ପାଇଲା ହାତରେ ଧରି ଟ୍ରକ୍ ଉପରକୁ-। ମନ ଏତେ ବେଳକୁ ଯାଇ ଉଶ୍ଵାସ । ଟ୍ରକ୍ ଛୁଟିଲା ଆଗକୁ । ଡ୍ରାଇଭର ଏଡ଼େ ପାଟିଟାଏ କରି ତାର ବାଁ ହାତରେ ଧରିଥିବା ମସ୍ତବଡ଼ କତୁରିଟାଏ ବଢ଼େଇ ଦେଲା ପଛ ଝରକା ବାଟେ–‘ନେ ଲୋ ଝିଅ ନେ–ଦେଖିଲା କାମ କର ।’

 

ସିଏ ଏବେ କଟୁରିଟାକୁ ଏପାଖ ସେପାଖକରି କିଛି ସମୟ ଦେଖିଲା । ଭବିଲା କ’ଣ କରିବ । ‘ଦେଖିଲା କାମ’ଟା କ’ଣ–କ’ଣ ? ଏବେ ଜାଣି ପକେଇଲା । ଅତି ସିଧା ଅକଲର କଥା । ଏଇ ରାସ୍ତାଟା ତାର ବଇରି । ଯୁଆଡ଼ୁକୁ ଯାଇଚି ସେଆଡ଼ୁ ପୁଣି ଫେରି ଆସୁଚି । ଯାଉଚି ପୁଣି ଆସୁଚି । ସବୁ ଅସୁବିଧା ସେଇଠି । ତା’ପର ଏଇ କଳା ଘୁମର ଲମ୍ବା ବାଳଗୁଡ଼ାକ ଝୁଲ ହାତୀ ଦୋଳି ଖେଳି ପ୍ରମାଣିତ କରିଦଉଚି ସେ ଅସହାୟ–ଆଶ୍ରୟବିନା ବର୍ତ୍ତି ନପାରିବା ଲତାଟିଏ ବୋଲି-। ଏକୁ ଆଗେ କଟା ଯାଉ । ଚାହୁଁ ଚାହୁଁ ବାଳଗୁଡ଼ାକ ମୁଠାମୁଠାକରି ପଛପାଖୁ ଟାଣି ଆଣି ଚରର ଚରର କରି କାଟି ପକାଇଲା କତୁରିରେ । ସେଗୁଡ଼ାକ ହାଉଳି ଖାଇ ବିକଳରେ ଉଡ଼ି ବୁଲିଲେ–ଆଉ ବିଞ୍ଚି ହୋଇ ପଡ଼ିଲେ ଟ୍ରକ୍ ଡାଲା ଯାକ । ଏବେ କେଡ଼େ ହାଲ୍‌କା ଲାଗିଲା ।

 

ଦ୍ଵିତୀୟ କର୍ତ୍ତବ୍ୟଟା ଜଳଜଳ ହୋଇ ଦିଶୁଚି । ମାରିଲା ଏକ୍ ଖେପା ଟ୍ରକ ତଳକୁ । ଆଉ ଚାହୁଁ ଚାହୁଁ ରାସ୍ତାର ଏ ପାଖୁଁ ସେ ପାଖ ସମଗ୍ର ପ୍ରସ୍ଥଟାକୁ ଚାକୁଚାକୁ କରି କତୁରୀରେ କାଟି ପକାଇଲା । ରାସ୍ତା ଏବେ ବିଭାଗ । ହେଲେ କ’ଣ ହେବ । ଅଘଟଣଟାଏ ଘାଟିଯାଇଚି । କଟା ହେଇଥିବା ରାସ୍ତାର ଦି’ମୁଣ୍ଡ ଓଲଟା ଦି’ଦିଗରେ ତମ୍ବାତାର ପରି ମୋଡ଼ି ମୋଡ଼ି ହୋଇ ଗୋଟାଳି ହଉଚି । ଟ୍ରକ ପଛେ ପଛେ ଧାଇଁଚି ଓଲଟା ଗୁଡ଼େଇ ହଉଥିବା ରାସ୍ତାର ଭଗ୍ନାଂଶ । ଆଉ ସିଏ ଯେଉଁ ଭାଗରେ ଠିଆ ହୋଇଚି, ସେଇଟାର ଓଲଟା ମୋଡ଼ ତାର ଗାଁ ଆଡ଼କୁ । କଟୁରୀଟାର ଦି ଧାର–ନାଁ ଦି’ଟା ହାତ ! ତାଳି ମାରି ନାଟ କରୁଚି କତୁରୀ । କତୁରୀର ଦି ଆଖି ଏବେ ଜଳଜଳ ଦିଶିଲାଣି । କରୁଣା ଆଉ ଅନାବିଳ ଉଚ୍ଛଳ ସ୍ନେହରେ ଝଲସୁଚି ସେ ଦିଓଟି ଆଖି । କତୁରୀ ଆଉ ସିଏ ଦିଜଣଯାକ କୋଳାକୋଳି ହୋଇ ଓଲଟା ଗୁଡ଼େଇ ହୋଇ ଗାଁ ଦିଗରେ ସଙ୍କୁଚିତ ହେଉଥିବା ହତଭାଗା ରାସ୍ତାର ତୁଟୁକା ଅଂଶରେ ମନ୍ଥି ହଉଚନ୍ତି ।

 

‘ଟ୍ରକ୍–ଟ୍ରକ୍ କୁଆଡ଼େ ଗଲା ବୋଲି କାନ୍ଦବୋବାଳି ଛାଡ଼ିଲା ବେଳକୁ ଖଟରୁ ଖସିପଡ଼ିଲା ସିଏ ଆଉ ହାଉଳି ଖାଇ ତାର ସ୍ଵାମୀ ଉଠି ବସିଲେ । କହିଲେ, କଣ ସପନ ଦେଖିଲ–ଏମିତି ଚୌକାତ୍ ପଡ଼ିଚ ଖଟ ତଳେ । ଉଠଉଠ । ମୋର ତ ଅଫିସ ବେଳ ଆଉ ଘଣ୍ଟାଟିଏ । ପଖାଳ ଅଛି ଟି ? ମୁଁ ଚାଲିଲି । ତୁମେ ଶୋଇଲେ ଆଉ ଟିକେ ଶୋଇପଡ଼ । ନିଦ ତ ହଉନି ତମକୁ । ଆଜି ଅଫିସ ଛୁଟି ପରେ ହୋମିଓପାଥି ଆଣିବି ।’

 

ଘର ହେଇଥାଆନ୍ତା ଛଅ ବଖୁରିଆ ଦି ତାଲା । ସୁନ୍ଦର ବଗିଚାଟିଏ ବନ୍ଧା ହେଇଥାଆନ୍ତା, ଅଳ୍ପ ଉଚ୍ଚ ଲମ୍ବ ଲମ୍ବ ଗହଳ ବାଳ ଥିବା ବିଦେଶୀ କୁକୁର ଦି ତିନିଟା ଏମୁଣ୍ଡ ସେମୁଣ୍ଡ ଦଉଡ଼ଧାପଡ଼ କରୁଥାଆନ୍ତେ । ଭିତରଯାକ ଗାଲିଚା, ରଙ୍ଗ ବେରଙ୍ଗ ଆଲୁଅ । ରେଡ଼ିଓ, ଟେଲିଭିଜନ, କାନ୍ଥଯାକ ସୁନ୍ଦର ସୁନ୍ଦର ଭୂଚିତ୍ର । ଏମିତି କଣ ପ୍ରସ୍ତାବ ଆସି ନ ଥିଲା । ତା ରୂପକୁ ଚାହିଁ ସେଇ କଣ୍ଟ୍ରାକ୍ଟର ତାକୁ ବାଛିଥିଲା । ହେଲେ ବାପା ମନା କରିଦେଲେ । ଲୋକଟା କୁଆଡ଼େ କଳାବଜାରୀ । ସ୍ଵରୂପା ଏବେ ତାର ଘରଣୀ । ଚକ୍‌ଚକିଆ ଲମ୍ବା ଧଳା ଗାଡ଼ିରେ ବସି ସିଏ ଏବେ ସିନେମା ଆସୁଚି । ସବୁଠୁଁ ଦାମୀ ବାଲ୍‌କୋନିରେ ବସି ଖାଲି ଚକୋଲେଟ୍ ଉପରେ ଚକୋଲେଟ୍ ଚୋବାଉଚି । ଆମ ବେଳକୁ ଆମେ ସବୁଠୁଁ ତଳ କ୍ଳାସରେ ଟିକେଟ କରି ବସିବୁ । ଗଲାବେଲୁକୁ ରିକ୍‌ସାରେ ଆଉ ସିନେମାରୁ ଫେରିଲା ବେଳକୁ ଚାଲି ଚାଲି ଘରକୁ ଆସିବୁ । ସିଏ ଚାଲୁଥିବ ଆଗେ ଆଗେ ଆଉ ତା ପଛେ ପଛେ ବିଶ୍ଵସ୍ତ ପ୍ରହରୀଟିଏ ପରି ସାଦା ଛୋଟିଆ ନିର୍ମାୟା ମଣିଷଟିଏ ତାର ସ୍ଵାମୀ । ଏକାଠି କଣ ହାତ ଛନ୍ଦାଛନ୍ଦି ହୋଇ ଚାଲିଲେ ଆକାଶ ଖସିପଡ଼ିବ । କିନ୍ତୁ ସ୍ଵରୂପା ଏବେ ବେଳେବେଳେ ବିଷର୍ଣ୍ଣ ଦିଶେ କାହିଁକି । ଯେତେ ବହପ କରି କଥା କହୁଥିବେ ବି କୋରାଏ ଅଜଣା କଳା ବଉଦ ତା ଆଖି ତଳେ ଭାସି ଯାଆନ୍ତି । ତାର ସ୍ଵାମୀର କୁଆଡ଼େ ବହୁତ ଗସ୍ତ । ବହୁତ୍ ପାର୍ଟି ମିଟିଂ କାୟଦା । ମାସରେ କୁଆଡ଼େ ଦିନେ କି ଦି’ଦିନ ଦେଖାହୁଏ ସ୍ତ୍ରୀ ସାଙ୍ଗରେ ପରିବାର ସାଙ୍ଗରେ ।

 

ନିଜକଥା ପୁଣି ଭାବୁଚି ।

 

ପାଠ ସେ ଭଲ ପଢ଼ୁଥିଲା । ଖୁବ୍ ଉଚ୍ଚ ଡିଗ୍ରୀ ଯାଏ ପଢ଼ିଥାଆନ୍ତା । ବାପାଙ୍କ ଅବସ୍ଥା କୁଳେଇଲାନି । ‘ଜ୍ଞାନ’ ତ ପୁଣି ତାଆଡ଼ୁ ପ୍ରସ୍ତାବ ଆଣିଥିଲା । କେଡ଼େ ବଡ଼ ଅଫିସରର ପୁଅ ସିଏ । ପୁଣି ଏବେ ନିଜେ ସେ କେଡ଼େବଡ଼ ଅଫିସର । ଖାଲି ପ୍ଳେନ ଚଢ଼ି ବୁଲୁଚି । ଏବେ ତ ପରିବାବଜାର ରାସ୍ତାରେ ହଠାତ୍ ଦେଖା ହେଇଗଲା । ପେଟ୍ରୋଲ୍ ପମ୍ପରୁ ଗାଡ଼ି ନେଇ ଫେରିବାବେଳେ ତାକୁ ଦେଖି ପକାଇ ଗାଡ଼ି ଅଟକାଇ ଖୁବ୍ ଠାଣିରେ ପଚାରିଲା ‘ଆରେ ତମେ–କେତେ ଶୁଖି ଗଲାଣି–ଆଉ କଣ ଖବର ?’ ଖବର ସେ ଜାଣି ପାରୁ ନ ଥିଲା । ଯେତେବେଳେ ଦେଖୁଚି ମୋ ହାତରେ ଫୁଟା ବ୍ୟାଗ୍ ଭିତରେ ଫଡ଼ାଏ କଖାରୁ ଆଉ ମୁରୁକୁଟିଆ ଚାରିଟା ମୂଳା । ପଦାରେ ପୁଣି ପଟେ ହାଓ୍ୟାଇ ସ୍ଳିପର୍‌ରୁ ଫିତା ଛିଣ୍ଡିଯାଇ ସିଏ ଖାଲି ଲାଗିଲା ପରି ଚାଲୁଚି । ଜ୍ଞାନ ତାଆଡ଼ୁ ମତେ ପ୍ରସ୍ତାବ ଦେଇ ନ ଥିଲା । ଦୟା କରୁଥିଲା । କୃପା କରୁଥିଲା । ନ ହେଲା ନାଇଁ, ତାଙ୍କ ବଡ଼ଲୋକୀ ତାଙ୍କ ଘରେ ଥାଉ । ହେଲେ କେଡ଼େ କାଣ୍ଟଛାଣ୍ଟ୍‌ର ମଣିଷ । ଦେଖିଲେ ଆଖି ପୂରିଯିବ । ଭରା ମେହେଫିଲରେ ଚିତ୍କାର କରି କହି ହେବହେଇ ଦେଖ କିଏ ଠିଆ ହେଇଚି–ଜାଣିଚ । ସିଏ ମୋର ‘ସିଏ’ । ଆଉ ଏଇ ତାର ନିଜର ସ୍ଵାମୀ । ଇଏ କଣ ଲାଭ ଯିବେ । କାହିଁକି ଏମିତି କୁଙ୍କୁରି କାଙ୍କୁରୀ ଶିଙ୍କୁଡ଼ି ଠିଆ ହୁଅନ୍ତି । ଦଶ ପଦ ଶୁଣିଲେ ପଦେ କହିବେ । ଆଖି ତଳକୁ କରି ମୁରୁକି ହସୁଥିବେ । ଯାହା ଗୋଟେ ନ ଥିଲେ କହିବେ ହଉ ଚଳେଇଦିଅ । ସବୁ କଥା କଣ ଚଲେଇଦେଇ ହୁଏ । ବଡ଼ ପଛୁଆ ଲୋକ । କୁଆଡ଼େ ଟିକିଏ ଚାଲ ସୁନ୍ଦର ସୁନ୍ଦର ଭଲ ଜାଗା ବୁଲି ଆସିବା । କହିଲେ ତେଲ ଚିକିଟା ଧୋବା ହିସାବ ଖାତାରୁ ଫାଳେ ଚିରି ଦେଇ ହିସାବରେ ଲାଗିଯିବେ । ଦରମା । ତା ତଳକୁ ଚାଉଳ, ଆଳୁ, ପିଆଜ, ଡାଲି, ଫୁଟଣ, ଘରଭଡ଼ା, ପାଣିକଳ, ବିଜୁଳି ଦେୟ, ଉଧାରି କିସ୍ତି, ଗାଁରେ ବାପଙ୍କୁ ମାସିକିଆ ଦେୟ । ‘ବାଲାନ୍‌ସ ସିଟ୍’ ବିପଜ୍ଜନକ ଭାବେ ଟଳମଟଳ । ମୁହଁକୁ ପୋତିଦେବେ । କପାଳରେ ବିନ୍ଦୁ ବିନ୍ଦୁ ଝାଳ ଦିଶିବ । ଉଦାସ ହୋଇ କହିବେ ମୁଁ ହତଭାଗାଟାଏ । ହଉ ମନକଷ୍ଟ କରନି । ଆର ରବିବାରକୁ ନିଶ୍ଚେ ପୁରୀ ଯିବା । ବସ୍ ଭଡ଼ା ମହାପ୍ରସାଦ ବେଶ୍ ଆମର ହାତ ପାଆନ୍ତି । ତାପର ଜଗନ୍ନାଥ ଦେଖିବ, ବିଶ୍ଵରୂପ ଦେଖିବ । ଅନ୍ତରୀକ୍ଷ ଦେଖିବ । କାଶ୍ମୀର ସିମ୍‌ଲା ଦାର୍ଜିଲିଂ କୋଉ ଅବା ଏହି ଜିନାସୀନ ପିଠଠୁ ବଡ଼ କହିଲ ଦେଖି । ତାଙ୍କ କଥାଗୁଡ଼ାକ ବେଳେବେଳେ ଭଲ ଲାଗେ । କିନ୍ତୁ କେଡ଼େ ବେଗି ପାଲଟିଯାଏ ସୁଦୁ ଅଲଣା ।

 

ଏବେ ବି ମନେ ଅଛି ସାଗର ଦାସ୍ କେଡ଼େ ଚମତ୍କାର ପ୍ରତିଭା । ସଭାମଞ୍ଚ ଉପରେ ଭାଷଣ ଦବ ଯେ ରୁମ ଟାଙ୍କୁରି ଉଠିବ । ଆଖି ଝଲ୍‌ସି ଯିବ । ଇଂରାଜୀ ଓଡ଼ିଆ ସବୁ ପତ୍ର ପତ୍ରିକାରେ ତାର ଲହୁ ଲେଲିହାନ୍ କବିତା, ଗଳ୍ପ ନିବନ୍ଧ । ଘଣ୍ଟା ଘଣ୍ଟା ଧରି ସିଏ ଆଉ ସାଗର କଲେଜ କ୍ୟାଣ୍ଟିନ, ପାର୍କ, ସେମିନାର୍ ଲାଇବ୍ରେରୀରେ ବସି କେତେ ଆଳାପ କରିଛନ୍ତି । ମନ ନେଣଦେଣ ହେଇଚି । ଦିନେ ତ କହିଥିଲା ‘ଆସ ହାତ ଧରାଧରି ହେଇ ଚାଲିଯିବା । ସମାଜର ଏଇ ଅଣନିଶ୍ଵାସୀ ଜତୁଗୃହରୁ ମୁକୁଳିଯିବା । ଆଉ ଏକ କମନୀୟ ପ୍ରାଚୁର୍ଯ୍ୟର ପୃଥିବୀ ଖୋଜିବା । ତମେଇ କେବେଳ ମୋତେ ବୁଝିପାରିଚ । ତମକୁ କେବଳ ମୋର ସପ୍ତରଙ୍ଗା ହୃଦୟ ସାମଗ୍ରିକ ଭାବେ ବିମ୍ବିତ କରି ପାରିବ । ମୁଁ ପାରିଲିନି । ବାହାଚୋରା ନ ହେଇ ଇମିତି ଉଡ଼ି ଯାଇଥିଲେ ବାପା ତ ମୁଣ୍ଡ ପିଟି ଦେଇଥାଆନ୍ତେ । ବୋଉ ତ ବିଷ ଖାଇ ଦେଇଥାଆନ୍ତା । ମୁଁ ଯଦି ୟା’ଙ୍କୁ କହିବି ବହି ଖଣ୍ଡେ ଖଣ୍ଡେ ପଢ଼, କ୍ଲବ୍ ଯାଅ, ଫୂର୍ତ୍ତି କର, ସାହିତ୍ୟ ଆସର, ଆର୍ଟ ଏକ୍‌ଜିବିସନ୍ ପାର୍ଟି ଜଲସା ଏସବୁ ପ୍ରତି ଗୋଟାଏ ଟେଷ୍ଟ ଡେଭଲପ୍ କର, ଗୋଟାଏ ଆକର୍ଷଣ ଜାଗରୁକ କର । ବଡ଼ ଗମ୍ଭୀର ହେଇ କହିବେ ଯେ ଜୀବନକାଳ ଖୁବ୍ ଛୋଟ । ଚଳିବାର ବାଟ ଭାରି ସଂକୀର୍ଣ୍ଣ । ମୁଁ ନିଜର ସଞ୍ଚାର ପଥ ବାଛି ନେଇଚି । ଗୀତା ଟିକିଏ, ଉପନିଷଦ୍ ଟିକିଏ ପଢ଼ୁଥିଲି, ପଢ଼ୁଚି ଓ ପଢ଼ୁଥିବି । ସେଇଥିରେ ମୋର ପରମାନନ୍ଦ; ପରମ ଶାନ୍ତି । ସବୁ କଳା, ସଂସ୍କୃତି, ଆଲୋଡ଼ନ, ଉଚ୍ଚାଟନ, ଆକର୍ଷଣ ଓ ନିଶା ମୋର ସେଇଥିରେ ନିବନ୍ଧ ଆଉ ଉଦ୍‌ଯାପିତ । ଆମେ ଛୋଟିଆ ମଣିଷ । ଆମ ପାଇଁ ନିଛାଟିଆ ସ୍ଵର୍ଗଟିଏ ଲୋଡ଼ା । କଣ କହୁଚ ?’ ମୁଁ ବା ୟା’ପରେ କଣ କହନ୍ତି ?

 

ସେଦିନ ସିଏ ବହୁତ ଟଣାଓଟରା ପରେ ସ୍ଵାମୀଙ୍କୁ ଟୁରିଜମ୍ କର୍‌ପୋରେସନ୍‌ର କଳା ଓ ବେଶପୋଷାକର ଏକ ମର୍ଯ୍ୟାଦାପୂର୍ଣ୍ଣ ଆନ୍ତର୍ଜାତିକ ପ୍ରଦର୍ଶନୀ ଦେଖିଯିବା ପାଇଁ ରାଜି କରାଇଥିଲା । ଭେକ ପାଇଁ ତାଙ୍କର ଦି’ଖଣ୍ଡ ଧଳା ପେଣ୍ଟ ଆଉ ଦି’ଖଣ୍ଡ ଧଳା ସାର୍ଟ । ସେଇ ଆରମ୍ଭ ସେଇ ଶେଷ-। ପ୍ରତି ଦି ଦିନରେ ତାକୁଇ ସାବୁନ୍ ଦେଇ କାଚି ପକେଇବେ । ଇସ୍ତ୍ରୀ ହେଇଥିଲେ ଭଲ ନ ହେଲେ ନାଇଁ । ପତ୍ନୀ ଅବଶ୍ୟ ଦି ଚାରି ସେଟ୍ ସୁନା ପରି ଦିଶୁଥିବା ନକଲି ଅଳଙ୍କାରର ବ୍ୟବସ୍ଥା କରି ସାରିଚନ୍ତି । ଖଣ୍ଡେ ଦି ଖଣ୍ଡ ନୂଆ ଫେସନ୍‌ର ଶାଢ଼ୀ ବି ଅଛି । ଲୋଭନୀୟ ଚେହେରା ସାଙ୍ଗକୁ ନୂଆ ରୁଚିର ପରିପାଟୀ ତାଙ୍କୁ ବେଶ୍ ସାଜେ । କିନ୍ତୁ ସ୍ଵାମୀ ବୋଲି ବୋଲାଉଥିବା ଲୋକଟି ହେଉଚି ସବୁ ବିଭ୍ରାଟର କାରଣ । ଅସାଧାରଣ ଭାବେ ସାଦା ସାଦା ଦିଶୁଥିବା ଏବଂ ସଂପୂର୍ଣ୍ଣ ବ୍ୟକ୍ତିତ୍ଵ ବ୍ୟବହାର ଓ ରୁଚିରେ ଇଞ୍ଚେମାତ୍ର ଆଖିଦୃଶିଆ ଭାବ ଉଚ୍ଛ୍ଵାସ ଉକୁଟୁ ନ ଥିବା ଲୋକଟିଏ ଆଖି ସାମ୍‌ନାରେ ଠିଆ ହେଇଥିଲେ ବି ହଜିହଜି ଯାଏ । ଯାହାହେଉ ସେଦିନ ଅଫିସ୍‌ର କିରାଣୀ ଖଟଣି ପରେ ଚାରି ମାଇଲ ସାଇକେଲ୍ ପେଲି ଘରକୁ ଆସି ଧଡ଼୍‌ପଡ଼୍ ହେଇ ଧୁଆଧୋଇ ହେଇ ରୁଟି ଦିଖଣ୍ଡ ଓ ଚା’ କପେ ଗଳାଧଃକରଣ କରି ସିଏ ସୁନା ପିଲାଟି ପରି ବାହାରି ପଡ଼ି କହିଲେ ‘ଚାଲ ଯିବା’ । ରିକ୍‌ସାରୁଢ଼ ହୋଇ ସ୍ଵାମୀ ସ୍ତ୍ରୀ ପ୍ରଦର୍ଶନୀର ଚକାଚକ୍ୟ ଭିତରେ କିଛି ସମୟ ବିହାର କଲେ-। ପତ୍ନୀ ଯେତେବେଳେ ସେଇ ଲୋକାରଣ୍ୟ ଭିତରେ ପ୍ରଜାପତି ଭଳି ଷ୍ଟଲ୍‌ରୁ ଷ୍ଟଲ୍‌କୁ ଉଡ଼ି ଉଡ଼ି ସୁନ୍ଦର ସୁନ୍ଦର ଚିତ୍ର କଳା, ଭାସ୍କର୍ଯ୍ୟ, ପରିଚ୍ଛଦ ପାଟବର ସାମ୍ରାଜ୍ୟରେ ଆତ୍ମହରା ହୋଇ ଉଠୁଥିଲେ ସେତେବେଳେ ତାଙ୍କର ଦୟନୀୟ ସ୍ଵାମୀ ନିକଟସ୍ଥ ପାନ ଦୋକାନ ପାଖରେ ପଡ଼ିଥିବା ଏକ ପରିତ୍ୟକ୍ତ ଢାବଲ ଉପରେ ବସି ପଚିଶି ପଇସାର ଚିନାବାଦାମ ଏକଲୟରେ ପାଟିରେ ପକାଉଥିବା ଓ ତତ୍ ସହିତ ଗୋପାଳକୃଷ୍ଣ ପଦ୍ୟାବଳୀରୁ ଖିଏ ଖିଏ ଗୁଣୁଗୁଣୁ କରି ଗାଉଥିବାର ଚିତ୍ର ପ୍ରାୟ ସମଭାବରେ ଭାବାକର୍ଷକ ଥିଲା । ହଠାତ୍ କଣ ହେଲା କେଜାଣି ପତ୍ନୀଙ୍କର ମୁଣ୍ଡ ବୁଲେଇଲା ଓ ସେ ପ୍ରାୟ ତଳକୁ ଖସି ପଡ଼ୁଥିଲେ । ସ୍ଵାମୀଟି ତାଙ୍କୁ କୋଳକୁ ସାଉଁଟି ନେଇ ଯେତେ ଶ୍ରୀଘ୍ର ପାରନ୍ତି ଡାକ୍ତରଖାନାକୁ ଦଉଡ଼ିଲେ । ଆଶ୍ଚର୍ଯ୍ୟର କଥା । ଡାକ୍ତରଖାନାରେ ଚାଳିଶି କି ପଚାଶ ମଟରଗାଡ଼ି । ପ୍ୟାଣ୍ଟ ସୁଟ୍ ଟାଇପିନ୍ଧା ବାବୁମାନେ ମେଳା ମେଳା ହଉଚନ୍ତି । ଖବର ନବାରେ ଜଣାପଡ଼ିଲା ଯେ ଜଣେ ଉଚ୍ଚ ପଦବୀଧାରି ସମାଜପତିଙ୍କ ସ୍ତ୍ରୀ ହଠାତ୍ କୌଣସି ରୋଗ ଆକ୍ରମଣରୁ ହସପିଟାଲ୍‌ରେ ଭର୍ତ୍ତି ହେଇଚନ୍ତି ଏବଂ ତାଙ୍କର ଆନୁଗତ୍ୟ ପ୍ରଜ୍ଞାପନ ପାଇଁ ସହରର ସବୁ ବଡ଼ ବଡ଼ ଲୋକେ ଏଠି ମେଳା ଜମେଇଚନ୍ତି । ଖୋଦ୍ ସମାଜପତି କୌଣସି ବିଶିଷ୍ଟ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରୁଥିବାରୁ ଡାକ୍ତର ପରିଚାରକ ସମସ୍ତଙ୍କୁ ତାଙ୍କ ପତ୍ନୀଙ୍କ ଆଶୁ ଚିକିତ୍ସାର ଆଦେଶ ଦେଇ ସାରିଚନ୍ତି । ଏବଂ ପ୍ରତି ଏକଘଣ୍ଟା ବ୍ୟବଧାନରେ ତାଙ୍କ ଶରୀରର ଅବସ୍ଥା ଟେଲିଫୋନ ଯୋଗେ ତାଙ୍କୁ ଜଣାଇ ଦେବାର ବ୍ୟବସ୍ଥା ହୋଇଚି । ଆରୋଗ୍ୟର ଅବସ୍ଥା ବ୍ୟବସ୍ଥା ବିଷୟରେ ପ୍ରତି ଏକ ଘଣ୍ଟା ବ୍ୟବଧାନରେ ଏକ ବୁଲେଟିନ୍ ମଧ୍ୟ ପ୍ରକାଶ ପାଉଚି । ହଠାତ୍ ଏକ ହୈଚୈ ସୃଷ୍ଟି ହେଲା ଏବଂ ଜଣା ପଡ଼ିଲା ଯେ ସେଇ ପରମ ଭାଗ୍ୟବତୀ ନାରୀ ସ୍ଵାମୀଙ୍କୁ ଟିକିଏ ଦେଖିବେ ଦେଖିବେ ବୋଲି କହୁ କହୁ ଅପରେସନ୍ ଟେବୁଲ୍ ଉପରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ।

 

ଆଉଟ୍‌ଡ଼ୋର୍ ବାରଣ୍ଡାରେ ନଗଦ ଚିକିତ୍ସା ହେବାକୁ ଆସିଥିବା ସ୍ତ୍ରୀ ଓ ସ୍ଵାମୀ ଜାକିଜୁକି ହୋଇ ବସିରହିଥିଲେ, କାରଣ ତାଙ୍କୁ ହେପାଜତ୍ କରିବା ପାଇଁ ଡାକ୍ତର ମିଳି ନ ଥିଲେ । ସମସ୍ତେ ଯେ ଅନ୍ୟଆଡ଼େ ବ୍ୟସ୍ତ । ଟିକିଏ ଭଲ ଲାଗୁଛି କି ବୋଲି ସ୍ଵାମୀ ପଚାରିବାରୁ ସ୍ତ୍ରୀ କହିଲେ, ହଁ । ତେବେ, ଚାଲ ଘରକୁ ପଳେଇବା । ମୁଁ ବରଂ ହୋମିଓପାଥି ଆଣିବି । ଏଇ ‘ହୋମିଓପାଥୀୟ’ ସ୍ଵାମୀଟିର ହଟହଟା ଦେଖି ତାଙ୍କ ସ୍ତ୍ରୀ ଅସୁସ୍ଥତା ସତ୍ତ୍ୱେ ବି ଚୁପିଚୁପି ହସିଥିଲେ ।

 

ସିଏ ଶୋଇ ଯାଇଚନ୍ତି । ରାତିରେ ତାଙ୍କୁ ଭାରି ଜର ଆସିଚି । ରାତିସାରା ସ୍ଵାମୀ ତାଙ୍କର ଉନ୍ନିଦ୍ର ରହି ମୁଣ୍ଡ ଆଉଁସୁଚନ୍ତି । ପାଣିକନା ପଟି ଦଉଚନ୍ତି । ଜର ବାଉଳିରେ ସିଏ ସ୍ଵପ୍ନ ଦେଖୁଚନ୍ତି । ଏକକ୍ଷୁଦ୍ର ପଟୁଆରରେ ସୁନ୍ଦର ସୁଠାମ ଅଭିଜାତ ଅଭ୍ରଂଲିହ ଉଚ୍ଚାଟନରେ ତାଙ୍କ ସାମନାରେ ଆଗେଇ ଯାଉଚନ୍ତି ଉଚ୍ଚ ଅଫିସର, ବିତ୍ତଶାଳୀ ଶିଳ୍ପପତି, ଉର୍ଜ୍ଜସ୍ପଳ ସିଦ୍ଧିର ଅଧିକାରୀ ଚିତ୍ରଶିଳ୍ପୀ, ଗାୟକ, କବି, ଲେଖକ, ଋଚିବନ୍ତ ଖେଳୁଆଡ଼ ସୁପୁରୁଷ କୃଷ୍ଣ, କର୍ଣ୍ଣ, ଅର୍ଜ୍ଜୁନମାନେ । ଆଉ ତାରି ଶେଯ ଆଡ଼କୁ ଚାହିଁ ଗୋଟିଏ ଆଖି ବନ୍ଦକରି ଆଖିମିଟିକା ମାରୁଚନ୍ତି । ସିଏ କିନ୍ତୁ ଠିକ୍ ଜାଣିପାରୁଚି ଯାହାର ହାଡ଼ୁଆ ଅଥଚ ଉଷୁମ୍ ହାତଟି ତା କପାଳକୁ ଅବିରାମ୍ ଆଉଁସି ଚାଲିଚି ସେ ହାତରେ କାରିଗରୀ, କଳା, ଅଭିନୟ, ଆଭିଜାତ୍ୟ, କାର୍ପଣ୍ୟ କିଛିଇ ନାଇଁ । ଖାଲି ନିଷ୍ପାପ କରୁଣାର୍ଦ୍ର ଉଦାସ ହାତଟିଏ ।

 

ଗୋଟିପଣ, ଶତକଡ଼ା ଶହେ, ସାଦା ସଳଖ ରୂପ ରଙ୍ଗ ଗନ୍ଧ ବିବର୍ଜିତ ସ୍ଵାମୀଟିଏ । ସୁଦୁ ସ୍ଵାମୀଟିଏ ।

 

ଏଥର ସିଏ ସବୁଠୁଁ ଜୋରରେ ବିଳିବିଳେଇ ଉଠିଲା ଦିଅ । ମତେ ସେ କତୁରୀଟା ‘ଦିଅ-। ମୁଁ ସଡ଼କଟାକୁ ଭଲ କରି କାଟି ଦି’ଖଣ୍ଡ କରିଦିଏ’ ।

Image

 

Unknown

ହାରାହାରି ସୁଖଦୁଃଖ ନଈର ନକ୍‌ସା

 

୧–ଆମ ଗାଁର ନଈମାନେ ସବୁ ଉଜାଣି ବହିବାକୁ ଲାଗିଲେ । ଖଣ୍ଡମଣ୍ଡଳର ସଭିଏଁ ଆଶ୍ଚର୍ଯ୍ୟ । ତଳଭୂଇଁରୁ ନଈ ସୁଅ ଉପରକୁ ଉଠି ପାହାଡ଼ ଶୀର୍ଷ ପ୍ରପାତ ଚୂଡ଼ାକୁ ଉଠିବାକୁ ବାହାରିଲାଣି । କାଇଁକି ଏମିତି ଅଘଟଣ ଘଟିଲା ବୋଲି ନାଇକ, ବିଦୂଷକ, ପୁରୋହିତ, ଜାଣି ସମସ୍ତେ ନିଜ ନିଜ ବାଟରେ ମାଜଣା ଆରମ୍ଭକଲେ । ଗୁହାରିଆ ପଡ଼ିଲେ, କାଳିସୀ ଲଗେଇଲେ; କିନ୍ତୁ ପାଣିଧାର ସେଇମିତି ତଳୁ ଉପରକୁ ଇ’ ଚାଲିଲା । କୈଳାସ ବାବୁ ଥରେ ଅଧେ ଆପେ କାଳିସୀ ଲାଗି ଏମିତି ଚମତ୍କାର ଘଟଣା ଘଟାଇ ପାରୁଥିଲେ । କ୍ରମେ ତାଙ୍କ ଦାନ୍ତ ଭାଙ୍ଗି ଦିଆଗଲାଦିନୁ କାଟୁ ନାଇଁ । କାଳିସୀ ଲାଗିପାରୁନାହିଁ । ଅତ୍ୟଧିକ ସୋମରସ ଓ ଧୂମପାନରୁ ଲିଭର୍ କୋରି ହେଇ ଏବେ ସେ ଡାକ୍ତରଖାନାରେ ଦି’ମାସ ହେଲା ପହଡ଼ କରୁଚନ୍ତି । ଗାଁ ଲୋକଙ୍କର ବିଶ୍ଵାସ ଏଇ ଓଲଟା ସମୟରେ ସୁଅକୁ କୈଳାସ ବାବୁ’ଇ ଫେରାଇ ଆଣିଥାନ୍ତେ–ଠିକଣା ପରମ୍ପରାକୁ, ମୁକ୍ତକେଶୀ ଅମାରାତ୍ରିର ଉହାଡ଼ରୁ ଘୁମେଇ ପଡ଼ିଥିବା ଜହ୍ନକୁ ସେଇ କେବଳ ଉଦ୍ଧାର କରିପାରନ୍ତି । ହେଲାନି କି ହବନି ଆଉ । ଚୁପ୍‌ଚାପ୍ ରହି ଏଣିକି ସବୁକଥା ସହିବାକୁ ହୁଏ ।

 

୨–ଏ ଯାଏଁ ଆସିଲାନି । ବଡ଼ ଡାକ୍ତରଖାନା କ୍ୟାନସର୍ ଓ୍ୟାଡ଼ର ଏପାଖକୁ ସେପାଖ ସମଗ୍ର ବାରଣ୍ଡାରେ ପଦଚାରଣ କରୁଚନ୍ତି । ଯା’ର ଆସିବାକୁ ଥିଲା ଏମିତି ବାକ୍‌ରୁଦ୍ଧ ଥମ ଥଣ୍ଡା ରାତିରେ ପ୍ରତୀକ୍ଷମାଣ ଏଇ ସ୍ନେହକାଙ୍ଗାଳ ମଣିଷଟିକୁ, ସେ ଏତେ ନିଷ୍ଠୁର ଭାବରେ ପ୍ରତାରିତ କରି ନ ପାରେ । ଏଠିକି କିଛି ଅସଲ ଲୋକଙ୍କର ଆସିବା ଦରକାର ତା’ର ଶେଷ ସମୟରେ ମୁହଁକୁ ଚାହିଁ ଚେନାଏଁ ମୁରୁକି ହସି ଟା’ ଟା’ ଅଲ୍‌ବିଦା ଜଣାଇବାକୁ । ପୂରା ଦେହଟାଏ ଅସମ୍ଭବ ଶୀତରେ ବି ଝାଳରେ ଜୁଡ଼ୁବୁଡ଼ୁ । ସିଏ କିନ୍ତୁ ଆସିବ । ସାଙ୍ଗରେ କୁନି ପୁଅକୁ ଆଣିବ କି ! ତାଙ୍କ ମୁହଁ ଦିଶୁ ଦିଶୁ ଟୋପିଏ କାନ୍ଦି ପକେଇବ । ତାଙ୍କ ଅସଂଯତ ଆଉ ଅବହେଳିତ ନିଶଦାଢ଼ି ଗହଳ କହରା ବାଳକୁ ଆଉଁସି ଆଣିବ । କହିବ–ଦିହ ଏତେ ଖରାପ୍ । ଚିଠି ଖଣ୍ଡେ ଦେଇ ପାରିଲନି ? ମୁଁ ବଇରୀଙ୍କଠୁ ଶୁଣି ଆସିବାକୁ ପଡ଼ିଲା । ପୁଣି ଥଣ୍ଡାରେ ବୁଲୁଚ ରାତିଯାକ । ଭାବୁଚନ୍ତି, ଯଦି ସେ ଏମିତି କହିବ ମୁଁ କହିବି–ଦେଖ ସଖୀ, ପାହାନ୍ତାର ଲହୁଣୀ ରଙ୍ଗ ଫିଟି ଆସୁଛି । କେତେ କାକର ଘାସ ପତ୍ର ଉପରେ, ଦୁଆର ବନ୍ଧ, କବାଟ, ଝରକା ଛାତ, ଅଗଣା ସବୁରି ପିଠିରେ ଟୋପି ଟୋପି ବିଞ୍ଚି ପଡ଼ିଚି । ଟୋପି ଟୋପି କାକର ଉପରେ ଟୋପାଏ ଲେଖାଏଁ ଚିକି ଚିକି ସୂର୍ଯ୍ୟଉଆଁ ଆଲୁଅ । କିଏ ଏମିତି ଏତେ ଲୁହ ଝରେଇ କାନ୍ଦି ଲାଗିଚି ରାତିସାରା । କିଏ ସତରେ ଏଇ ନାକକାନ୍ଦୁରୀ ଆକାଶ । ତମ ମୋ ଭିତରେ ଅନ୍ତରଙ୍ଗତା ଯେ ପୂରା ଧୋବ ଫରଫର ଓ ନିଷ୍ପାପ ଏକଥା କିଏ କହି ପାରିବ ! ଆଇନଷ୍ଟାଇନ୍ ଆପେକ୍ଷିକ ତଥ୍ୟ ବାହାର କରିସାରି ଏଇଟା ପୂରା ନିର୍ଭୁଲ ନିର୍ଭେଜାଲ୍ ବୋଲି କହି ପାରିଲେନି । କହିଲେ ସବୁଠୁ ସଙ୍ଗତ ତଥ୍ୟ ପରି ଲାଗୁଛି । ତାଙ୍କର ଅଙ୍କ ପରି ବିଶ୍ଵାସ ବି ଆପେକ୍ଷିକ । ଆମ ଦିହିଁଙ୍କର ଦିହିଁଙ୍କଠି ପ୍ରତ୍ୟୟ ଭଳି । ଏଇ ନାକକାନ୍ଦୁରୀ ମେଘ ତମ ଛଡ଼ା କିଏ ହେଇପାରେ ଶ୍ରାବଣୀ । ଡେରି କରନି । ଆସ । ଅଲବତ୍ ଆସ । ମୁଁ ଥୟ ରହି ପାରୁନି । ଦୀପଶିଖା ଦିକି ଦିକି ହିଲ୍ଲୋଳିତ, ପୂରା ନିର୍ବାପିତ ହେବା ପୂର୍ବରୁ ।

 

୩–ଡାକ୍ତରବାବୁ ଭେଣ୍ଡିଆ । ରାତି ଡିଉଟି କରି ଆଖିଗୁଡ଼ା ରଙ୍ଗା ପଡ଼ି ନିଦ ଖୋଜୁଛି । ବୁଟ୍ ମଚ୍ ମଚ୍ କରି ପାଖେଇ ଆସିଲେ ଆଉ ସ୍କୁଟରରେ ଷ୍ଟାର୍ଟ ଦେବା ପୂର୍ବରୁ କହିଲେ ‘କିହୋ ବାବୁ, କାଇଁକି ପଦାରେ ବୁଲୁଚ । ସୁର୍ଯୋଦୟକୁ ଅପେକ୍ଷା କରାଯାଏ କୋଣାର୍କର ବେଳାଭୂମିରେ ବା ଚିଲିକାର ପାହାନ୍ତି ଡଙ୍ଗାର ଦୋଳନର ଆମେଜ୍‌ରେ । ତମେ ଜାଣକି ବାବୁ ଡାକ୍ତରଖାନାରେ କାହାର ପ୍ରତୀକ୍ଷା କରାଯାଏନି । ସୂର୍ଯ୍ୟ ଉଦୟ ଆଜି ଛଅ ଘଣ୍ଟା ଉଛୁର ପୁଣି ଅସ୍ତ ଯିବ ଛଅ ଘଣ୍ଟା ପୂର୍ବରୁ । ଏମିତି ଆଜିକାଲି ଘଟୁଛି । ଦିନର ଉଜ୍ଜ୍ଵଳ ଆକାର ସ୍ୟାଣ୍ଡ୍ଉଇଚ୍ ଭଳି ଶାଙ୍କୁଡ଼ି ଯାଇ ଚିପି ହୋଇ ରହିବ ରାତି ଆଉ ପାହାନ୍ତର ଦି ଫାଳ ଟୋଷ୍ଟ ଭିତରେ । ଆସିବା ଯିବା ଭିତରେ ସମୟର ବ୍ୟବଧାନ ନ ଥିବ । ରହିଯିବ ଖାଲି ଗାରଟାଏ, ପାଦ ଚିହ୍ନର ପ୍ରମାଣ ସଙ୍କେତ ପରି ବା ସମୟ ଡେଇଁ ନ ପାରିଲା ପରି ଏକାକୀ ଲକ୍ଷ୍ମଣ ରେଖାଟିଏ । ନିତିମ୍ବିନୀ, ସାବେନୀ, ଦରଜୀ ମୃଦୁଭାଷୀ ନର୍ସଟି ଠିଆ ହେଲାଣି ପାଖରେ । ତା ହାତରେ ଗରମ ଦୁଧ ଗ୍ଳାସ୍ । ତାକୁ ବି ବିନିଦ୍ର ରାତ୍ରିର ଅବଶ ହାଲକା ଭାବ ଗ୍ରାସିଲାଣି । ହାଇ ମାରୁଚି । ‘ନିଅ ବାବୁ’ । ପିଇଦିଅ । ମୋର ଏବେ ଡେ ଅଫ୍ ।’

 

‘ସିଷ୍ଟର ତମେ ଭାରି ଭଲ । କା’କୁ ତମେ ଅପେକ୍ଷା କର ନାଇଁ । ସବୁକଥା ଘଣ୍ଟା କଣ୍ଟା ଟିକ୍ ଟିକ୍ ପରି କରିଯାଅ । ଭାରି ଭଲ ।’

 

‘ଯା’ କୁ ଅପେକ୍ଷା କରୁଚନ୍ତି ଆପଣ ସେ’ତ ଆସିବେ । ନ ଆସିବାର କିଛିନାଇଁ ଏ ପୃଥିବୀରେ–ପ୍ରତିକ୍ଷିତ ପରିତ୍ୟକ୍ତ ସମସ୍ତେ । କିଛି ଆପଣଙ୍କ ମର୍ଜିରେ–କିଛି ସେମାନଙ୍କ ମର୍ଜିରେ ।

 

ପାହାନ୍ତି କୁଆଁ ତାରର ଫିକା ହସ ପରି ଓହ୍ଲେଇ ଯାଉଚି ସିଷ୍ଟରର ଧଳା ଆପରନ୍ ଆବୃତ ଲହକା ଦେହ ଖୁପୁରୁ ଖୁପୁରୁ ପାହାଚ ଡେଇଁ ତଳକୁ ।

 

ସକଳ କାଇଁ !

 

୪–ଶ୍ରାବଣୀ ଏକ ଗୃହ ନିର୍ମାଣ ସଂସ୍ଥାରେ କିରାଣୀ କାମ କରନ୍ତି । ସୁନ୍ଦରୀ ବୋଲି କହି ହବନି । ତେବେ ଭରପୂର୍ ନାରୀତ୍ଵର ଆସ୍ଫାଳନ ଦେହର ପ୍ରତିଟି ଅଣୁରେ । ବର୍ଣ୍ଣ ହଳଦୀ ଆଉ ଉଜ୍ଜ୍ଵଳ ମିଶାମିଶି । ଘର ତାଙ୍କର ସେଇ ଗାଁଆରେ ଯେଉଁଠି ନଈଧାର ଅବିକା ଉଜାଣି ବହୁଚି । ଆଜି ତାଙ୍କ ମନ ହେଲା ଅଫିସ୍ ନ ଯାଇ ବା ଛୁଟି ଦରଖାସ୍ତ ନ ଦେଇ ନିହାତ୍ ସ୍ଵେଚ୍ଛାଚାରିଣୀ ଭାବେ କୌଣସି କାରଣ ନ ଥାଇ ମାଳ ଗୁନ୍ଥିବେ । ଓ ପୁଣି ମାଳରୁ ଫୁଲ ସବୁ ଚିଣ୍ଡେଇବେ । ଯେତେ ଫୁଲ ଗଛ ଓ ଫୁଲ ମଣ୍ଡି ହୋଇଥିବା ଲତା ଦେଖିବେ, ସବୁରି ମନ୍ଦାରେ ପାଣି ଦେବେ ଓ ସବୁଥିରୁ ଫୁଲପତ୍ର ଝିଙ୍କି ଖସେଇବେ । ଦେଖାଯାଉ କଣ ହଉଚି । ଏମିତି ପେନ୍ଥାରୁ ଫୁଲକୁ ଓ ଫୁଲରୁ ପାଖୁଡ଼ା ପାଖୁଡ଼ା କରି ହାଡ଼ରୁ ଚମ ବି ସବୁ ଛିଣ୍ଡେଇ ହୁଏ; ଜୀବନକୁ କଲବଲ କଲା ପରି । ଏତେ ଟିକେ ଲହକା ଡେମ୍ଫ ମକ୍‌ଚା ମକ୍‌ଚି କରି ଫୋପାଡ଼ି ଦେଇ ହୁଏ । ନିଜ ହାତରେ ଏଡ଼େ କଥା କରିହୁଏ ସତରେ ! ଛାଏଁ ପୁଣି ଉଜୁଡ଼ିଯାଏ ଏ ଫସଲ । ଛାଏଁ ମିଶିଯାଏ ମାଟିରେ । ‘କୁଆଡ଼େ ଗଲେ କୈଳାସ ବାବୁ–କେତେ କାଳରୁ ଖୋଜ୍ ଖବର ନାଇଁ । ମନ ଦିହ ଖରାପ୍‌ର ଖବର ଶୁଣିଥିଲେ । କିଏ ଡାକିଲା ଡାକିଲା ପରି ମନ ହାନ୍ଦୋଳି ହଉଚ ସତ; କିନ୍ତୁ ଚିଠି ଖଣ୍ଡେ, ବାର୍ତ୍ତାଟିଏ ତ ଆସନ୍ତା’ । ଫୁଟୁଥାଉ ଫୁଲ ଛିଣ୍ଡୁଥାଉ । ସିଏ ବା କଣ କରିବ ।

 

୫–ଦଧିନଉତିରେ ଚାଉଳ ମପା ହୁଏ ନାହିଁ । ନିଦା ଅମୁହାଁ ନଉତି ଇଏ । ତା ଉପରେ ବିପୁଳ ସ୍ତନର ଚୁଚୁକ । ଫରଫର ବାନା ଉଡ଼େ । ଅଭ୍ରମଣ୍ଡଳକୁ ହାତ ଠାରେ, ଖତେଇ ହୁଏ । ଖାଙ୍କ ପେଟରେ ଏମିତି କେତେ ନେତ ଫର୍‌ଫର୍ ଉଡ଼େଇ ପାରେ ଏ ଜୀବନ ତୃଷ୍ଣା । ଦରମଲା ଗଛ ଡାହିରେ ଦୋଳୁଥିବା ଝଉଁଳା କାଶଫୁଲ ପରି ଏ ମନ । ଯେତେ ଅନାବୃତ, ଅନୁର୍ବର, ଅଣାକାର ଆଉ ବିଶ୍ଵତୋମୁଖୀ ହେଉନା କାଇଁକି–ଏ ମନଏମିତି ନିପଟ ନିଦା ପଥରର ଦଧିନଉତି ଉପରେ ଖଞ୍ଜା ବାନାପରି । ପତିତପାବନ ବାନା । ଶୋଇପଡ଼ ପ୍ରାଣପକ୍ଷୀ ମହୋଦଧିର ଶୀତଳ ହିଲ୍ଲୋଳରେ । ଭାରି ମସ୍‌ଗୁଲ୍ ସୁଲୁସୁଲିଆ ସମୀରଣ ଆମ ନୀଳାଚଳରେ । ସମୁଦ୍ର ଓଠରେ କେତେ ନା କେତେ ମନ ଫୁଟେ ଫୁଲପରି । ଉତ୍କଳ ବିଷାଦରେ ବି ଗେହ୍ଲେଇହୁଏ ଏଇ ନିଲଠା ନୀଳଚକ୍ରର ପତାକା ପରି । ଭାରି ନିଷ୍ଠୁର ତମେ ଚକାଡ଼ୋଳା । ପତାକା ଉଡ଼ାଉଚ ଦୂରରୁ ସୁନ୍ଦର ଦିଶିଲା ପରି; ଭଲ ଆଉ ଖରାପ ସମୟର ପରସ୍ତ ପରସ୍ତ ବ୍ୟାଧିର ବଳୟ ଊର୍ଦ୍ଧ୍ଵରେ । କି ତନ୍ମୟତାର ଉଦ୍ଭିଦ ଏ ଅପରୂପ ଜୀବନ–ବୃକ୍ଷ । ମୁଁ ଓରଫ୍ ସନାତନ ପୁହାଣ ଜନ୍ମନେଲି–ଏଇ ବାଲିରୁ, ଏଇ ଲୁଣି ପାଣିରୁ, ଏଇ ପଥର ବିଗ୍ରହର ପଦପଙ୍କଜରୁ । ଦେଖ ମତେ–ସମସ୍ତେ ଦେଖ । ନିରେଖ ମୋ ଖଡ଼୍‌ମ୍‌ରୁ ଠେକା ପର୍ଯ୍ୟନ୍ତ । ମୋ ବାପର ନାମ ବଜ୍ରକିଳା, ମାଆର ନାମ ଯୋଗମାୟା । ବ୍ରହ୍ମାଙ୍କ ପାଞ୍ଚ ଆଙ୍ଗୁଠି ସନ୍ଧିରୁ ମୁଁ କ୍ଷରିଲି ନିସର୍ଗ ରେତ । ନିରେଖ ବିଶ୍ଵ । ମୁଁ ସେଇ ବିଗ୍ରହୀଭୂତ ଅମୃତ ଧାରା । ଝରିବାକୁ ଆସିଲି ଫୁଲପରି ।

 

ସାତଲହଡ଼ି ମଠ ବୋଲାଉଥିବା ଏକ ଭଙ୍ଗାରୁଜା ଲୁଣପାଣିଖିଆ ପଥର କାନ୍ଥି ଉପରେ ବସି ସନାତନ ପୁହାଣ ବିଡ଼ିରେ ଗଞ୍ଜେଇ ଟାଣୁଥିବା ଅବସ୍ଥାରେ ଅତି ମଞ୍ଜସାର କଥା ସବୁ ଭାବି ପାରୁଥିଲେ । ପ୍ରଚଣ୍ଡ କର୍ମଯୋଗୀ ଓ କାନ୍ତଦର୍ଶୀ କୈଳାସକୁ କ୍ୟାନ୍‌ସର୍ ଓ୍ୟାର୍ଡ଼ରେ ଆଡ଼୍‌ମିଶନ୍ କରାଇଦେଲେ ସେ ଗାଁ ଛାଡ଼ି ଫେରାର୍ ହେଲେ ଏଇ ଜୀନାସନ କ୍ଷେତ୍ରକୁ । କଥା ଦେଇଥିଲେ ଯେ ସିଏ କୈଳାସର ହାଲଚାଲ୍ ଓ ବଡ଼ ଡାକ୍ତରଖାନାରେ ତା ବାକିଆ ବଞ୍ଚିବାର ହାଲ୍ ନିଶ୍ଚୟ ଖବର ଦେଉଥିବେ ଶ୍ରାବଣୀ ନାୟକକୁ କିନ୍ତୁ ତା ସେ କଲେ ନାଇଁ । ଭାବିଲେ କଥାଦିଆ ଅନେକ କଥା ଅର୍ଥବିହୀନ । ଯା’ ଜଞ୍ଜାଳ ସିଏ କରୁ । ସମସ୍ତେ ମୁକ୍ତ ହୁଅନ୍ତୁ । ନିଜର ମୌଳିକ ଗୁଣରେ ପ୍ରସ୍ଫୁଟିତ ହୁଅନ୍ତୁ । ସନାତନବାବୁ ନିକଟରେ ଏକ ଟେମ୍ପୋରାରି ଚାକିରୀରୁ ବହିଷ୍କୃତ ହେଇଥିବା ଜଣେ ଚଞ୍ଚଳ ଆଉ ସ˚ତ୍ରାସପ୍ରମତ୍ତ ଯୁବକ । ତାଙ୍କ ଦୋଷ ହେଲା ଯେ ସେ ଅବକାରୀ ବିଭାଗର ଯେଉଁ କାମ କରିବାକୁ ନିଯୁକ୍ତ ହେଲେ, ତା ଉପରେ ତାଙ୍କର ବିଶ୍ଵାସ ନ ଥିଲା ଓ ସେ ସରକାରୀ ଯୋଜନାରେ ଅପାରଗତା ବିଷୟରେ କହି ବୁଲିଲେ–ଯଥା ନିଶାନିବାରଣ ବା ବେକାରମାନଙ୍କୁ ଦିନକୁ ଏକ ଟଙ୍କା ପଡ଼ି ପ୍ରଥାର ଲୋକଦେଖାଣିଆ ଯୋଜନା ଇତ୍ୟାଦି । କୈଳାସବାବୁ କିନ୍ତୁ ସମାଜହିତୈଷୀ ଏକ ସମୁଜ୍ଜ୍ଵଳ ପ୍ରତିଭା । ବାଗ୍ମୀ ସାହିତ୍ୟିକ ଓ ଯୁବନେତା । ସଂସାରରୁ ଦାରିଦ୍ର୍ୟ, ଅନ୍ଧକାର, ଅଜ୍ଞାନ ଓ ଚେତନାର ଜଡ଼ତା ନିର୍ମୂଳ କରିବାପାଇଁ ଯୋଜନା ପରେ ଯୋଜନା ସେ କରିଚାଲିଲେ । ଏକ ଚକ୍ରଧାରୀ ଅଭିମନ୍ୟୁ ପରି ସିଏ । ଆଉ କେତେ ବା ଦିନ ଲଢ଼ନ୍ତେ ଦି’ଚାରିଟା ଘୂଣଖିଆ ଆଦର୍ଶକୁ ଆଳ କରି । ତାଙ୍କୁ ଏମିତି ଭାବରେ ଜଖମ୍ କରି ଦିଆଗଲା ଯେ ସେ ଖାଲି କ୍ୟାନ୍‌ସର୍ ଓ୍ୟାର୍ଡ଼ର ଚତ୍ଵରରେ ଏକ ଜିଅନ୍ତା ଭୂତପରି ଘୂରି ବୁଲିବେ ଓ ସବୁ ଆକାରର ପ୍ରତୀକ୍ଷା କରୁଥିବେ, ଯାହା କେବେହେଲେ ତାଙ୍କ ନେତ୍ରପଥରେ ଆସିବ ନାହିଁ । ସନାତନ ଭାବନ୍ତି ଯେ ଜୀବନ–ଜାହ୍ନବୀର ଅଚଞ୍ଚଳ ସ୍ଥିର ଆତ୍ମସ୍ଥ ରୂପ ଯଦି କୈଳାସ ହୁଅନ୍ତି, ତାହେଲେ ସେ ନିଜେ ୟାର ପ୍ରକ୍ଷେପ, ଅସ୍ଥିର ରୂପ । ଏବେ କୈଳାସ କଥା ମନେପଡ଼ିଲେ ଛାତି ବିଦାରି ହୋଇଯାଏ । ସେଇ କୈଳାସ ଯାହାର ମୁଣ୍ଡରୁ ବାହାରେ ବିଶ୍ଵତୋମୁଖୀ କେତେ ଚାଞ୍ଚଲ୍ୟକର ଭାବଧାରା, ନିଷ୍କପଟ ଓ ପରିଚ୍ଛନ୍ନ ମନୀଷା । ସବୁ ଶୁଖିଲା ଭୂଇଁରେ କୁଣ୍ଡାଝଡ଼ା ବର୍ଷା ଶୋଷି ହୋଇଯିବା ପରି କେମିତି ସେ ବର୍ଷି ବର୍ଷି ନିଜକୁ ଉଜାଡ଼ି ଦେଇଚି ସମସ୍ତେ ଜାଣନ୍ତି ।

 

୬–ଶୁଆଟିଏ ଶାରୀଟିଏ ଗୋଟାଏ ପଞ୍ଜୁରୀରେ । ପଞ୍ଜୁରୀଟି ଝୁଲୁଚି ଶ୍ରାବଣୀର ପଛପିଣ୍ଡା ଓଳିରେ । ସିଏ ଶିଖଉଚି ଆଉ ଶୁଆସାରୀ ରଟୁଛନ୍ତି–‘ଚକ୍ରଧର ହେ ! ପକ୍ଷୀ ଜନ୍ମରୁ ପାରିକର’ । ଶୁଆ ଶାରୀ ମଣିଷ ସ୍ଵରକୁ ଠିକ୍ ନକଲ କରିପାରନ୍ତି, କିନ୍ତୁ ଜମ୍ମାରୁ ତାଙ୍କ ଥଣ୍ଟରେ ପଇଟେ ନାଇଁ ଜଙ୍ଗଲରେ ଯେତେ ପଶୁ ପକ୍ଷୀଙ୍କ ସ୍ଵର ଆଉ ଭାଷା । ମଣିଷ ଭାଷାର ଅନୁକରଣୀୟତା ବିଚକ୍ଷଣ । କାରଣ ମଣିଷ କେବଳ ସେଇ ପୁରୁଣା କର୍ଦ୍ଦମାକ୍ତ ବକ୍ତବ୍ୟର ପ୍ରହସନକୁ ପୁନରାବୃତ୍ତି କରି ପାରିଥାଏ ଯୁଗେ ଯୁଗେ । ସବୁ ଯୁଗରେ ସବୁ ସମୟରେ କଥାବାର୍ତ୍ତା, ଚେତନ ଚିନ୍ତନର ସମାନ ଅବୁବର୍ତ୍ତନ । ଯା କହେ ତାହା ମୋଟେ ହାଡ଼ମାଂସର ଭାଷା ନୁହେଁ–ସବୁ ପେଖନା, କଲେଇକରା ସ୍ଵର ଶବ୍ଦ । ମେକପ୍ ଖସିଲେ ବି ମୁହଁର କଦାକାରକୁ ସେ କେଉଁ କଳ୍ପିତ ରଙ୍ଗରେ ଆଙ୍କିଦିଏ ମନୋଜ୍ଞ କରି । ରଟୁ ଥା’ରେ ଚଢ଼େଇ–ମଣିଷ ମୁହଁର ପ୍ରବଞ୍ଚନାର ଅବିଶ୍ଵାସ୍ୟ ସ୍ଵର ତରଙ୍ଗ–‘ଚକ୍ରଧର ହେ–ପକ୍ଷୀ ଜନ୍ମରୁ ପାରିକର’ । କାଇଁକି ପକ୍ଷୀ ଜନ୍ମରୁ ପାରି ହବରେ ଶୁଆ ଶାରୀ ? ପୂରା ପୃଥିବୀର ପଞ୍ଜୁରୀ ଭିତରୁ ମୁକୁଳି ଆସିବୁ ଆଉ ସୁଦୁ ମୁକୁଳା ଶୂନ୍ୟରେ ଅଣନିଃଶ୍ଵାସୀ ହେଇଯିବୁ କିଆଁ ? ଖାଲି ରୋଗଶୋକରେ ପଞ୍ଜୁରୀ ବାଡ଼ି କାମୁଡ଼ି ଥଣ୍ଟ ଖଣ୍ଡିଆକରିବା ସାର ହେବ ।

 

ଶ୍ରାବଣୀ ଶୁଆ ଶାରୀଙ୍କୁ କଦଳୀ ଖୁଆଉଚନ୍ତି । ତାଙ୍କୁ ଆଜି ଖୁବ୍ ଫୂର୍ତ୍ତି ଲାଗୁଚି । ଦପ୍ତରର ବଡ଼ ହାକିମ ପୂର୍ବ ଦିନ ତାଙ୍କ ହାତ ଧରି ପକାଇ କହୁଚନ୍ତି ‘ତମେ ଦିନେ ବି ନ ଆସିଲେ ଶ୍ରାବଣୀ ଭାରି ଖାଲି ଖାଲି ଲାଗେ ଏ ଦପ୍ତର । ନିରୋଳା ଦେଖି ଆସିବ ! ଯେତେବେଳେ ମୁଁ ଯୋଉଠି ଥାଏ । ସିଏ ମୋଟେ କପଟ କରୁ ନ ଥିଲେ । ସତରେ ସେ ଚାହାନ୍ତି ତାକୁ, କାରଣ ସିଧାସଳଖ ତାର ମୁହଁକୁ ଚାହିଁବାକୁ ଖୁବ୍ କଷ୍ଟ ହୁଏ ତାଙ୍କୁ । ପୁଣି ‘କାଫେ’ରୁ ଫେରିବା ବାଟରେ ତିନି ଧାରିଆ ପାନିଆରେ ରାମ୍ପି ପକାଉଥିବା ବାବୁରି ବାଳ ଭୂଷିତ କେତେ ଜଣ ଯୁବକଙ୍କ ଟିପ୍‌ପଣୀ-। “ଓ୍ୟାଟ୍ ଏ ଡିସ୍” । ଲୋକେ ତାକୁ ଦେଖୁଚନ୍ତି । କାମନା କରୁଚନ୍ତି । କି ଶିହରଣ ଏଇ ଟିକା ଟିପ୍ପଣୀରେ !

 

ଆଜି ଖବର କାଗଜରେ ବାହାରିଚି କୈଳାସ ବାବୁ କ୍ୟାନ୍‌ସର୍ ଓ୍ୟାର୍ଡ଼ସ୍ଥ ହେବାର ଖବର-। ଠିକଣା ମିଳିଗଲା । ସିଏ ଯିବ କୈଳାସ ପାଖକୁ । ତାକୁ ଆଶ୍ଚର୍ଯ୍ୟ କରିଦବ । ତାକୁ ଦୟା କରିବ ନିଜଆଡ଼ୁ । ସିଏ କୃପାପ୍ରାର୍ଥୀ ହେଉ ବା ନ ହେଉ ।

 

୭–ଆଉଟ୍‌ଡ଼ୋର୍ ଟପି ପାଚେରୀ ଦାଢ଼ରେ ପହଞ୍ଚୁ ପହଞ୍ଚୁ ଦେଖିଲେ ମଳିଆ ମରୁକୁଟିଆ ଗେରସ୍ତ ଭରିଯା ଦି’ ଜଣ କ’ଣ ଖୋଜୁଚନ୍ତି ରାସ୍ତା ଉପରକୁ ହାମୁଡ଼ି–‘ହେଇଲୋ ପାଇଲି’ କହି ଲୋକଟି ସୁଉକିଟିଏ ଆଉ ପନ୍ଦର କୋଡ଼ିଏ ପରସ୍ତ ମୋଡ଼ା ହୋଇଥିବା ଅଣ୍ଟାରେ ଗୁଞ୍ଜିବାକୁ ସୁବିଧା ହେଲାଭଳି କାଗଜ ଖଣ୍ଡେ । ‘ହେ ବାବୁ କ’ଣ ପଥି ଓଷଦ ଲେଖିଚି ଡାକ୍ତର ମୋ ପିଲା ପାଇଁ’ ମୁଁ କିଣି କରି ନେବି । ସରକାରୀ ଡାକ୍ତର ଖାନାରେ ଏ ଓଷଦ ନାଇଁ ।’ ସନାତନ ପଢ଼ିଲେ–ଇଂରାଜୀରେ ଲେଖା ସରକାରୀ ମୋହର ପିଟା ପ୍ରେସ୍‌କ୍ରିପ୍‌ସନ୍ । ପ୍ରାୟ ସାତଟା ଖଣ୍ଡେ ଓଷଦ, ଦି’ଟା ଇଞ୍ଜେକ୍‌ସନ୍ ସହିତ । ତା ପରେ ପଥି ତାଲିକା ।

 

ସିଝା ଅଣ୍ଡା ଦିନକୁ ଦି’ଟା କରି ଦି’ଓଳା ।

 

ଦିନକୁ ଅଧଲିଟ୍‌ର ଦୁଧ ।

 

କମଳା, ଅଙ୍ଗୁର, ବେଦନା, ନାସ୍‌ପତି ଭଳିଫଳର ରସ ଏକ ଗ୍ଳାସ୍ ଦିନକୁ ।

 

ସଜ ପାଉଁରୁଟି ସକାଳେ ଓ ସଞ୍ଜବେଳେ ।

 

ପିଇବାକୁ ଫୁଟା ପାଣି ଇତ୍ୟାଦି ।

 

ବର ଭରିଯା ଦି’ ଜଣଙ୍କ ଆଖି ଚକାଡ଼ୋଳା ସାଥିରେ ଭେଟଣା ହେଲା ଭଳି ସ୍ଥିର–ଅବାକ୍ । ମାଇପିଟିର ହାତରେ ଦି’ଟଙ୍କିଆ ନୋଟ୍ ଦି’ଖଣ୍ଡ ଉପରେ ମୁଠା ଟାଣ ହେଇ ଯାଉଚି–ହୋ ହୋ କରି ହସି ଉଠିଲେ ସନାତନ ପୁହାଣ ।

 

‘ଯା ବାପା ଯା । କାଠଯୋଡ଼ିରୁ ପାଣି ଚଳେ ଚଳେ ପିଆଇ ଦିଅ ରୋଗୀକୁ । ଅପର୍ଯ୍ୟାପ୍ତ ପାଣି ।’

 

ସଂସାର ଚାଲିଚି । ସବୁ ଠିକ୍‌ଠାକ୍ ଅଛି । ପାଦ ପକେଇଲେ ସନାତନ କ୍ୟାନ୍‌ସର୍ ଓ୍ୟାର୍ଡ଼ ଦିଗକୁ ।

 

ମା’ ମାନେ ସବୁ ମରି ଯାଉଚନ୍ତି । ବସୁନ୍ଧରାର ସ୍ତନରୁ କ୍ଷୀର ଶୁଖି ଯାଇଚି । କୈଳାସ ମାତୃପୂଜା ନିଷ୍ଠାର ସହ କରୁଥିଲେ ଓ ଛେଉଣ୍ଡ ଛୁଆପରି ‘ମା’ ଥିଓରି ଉପରେ ବହୁତ ଗବେଷଣା କଲେ । ଯେତେବେଳେ ମାତୃଶକ୍ତିର ନିରୋଳା ଉର୍ଜସ୍ଵଳ ରୂପ ଦେଖିବାକୁ ବିବର ଭିତରେ ପଶିଲେ ଆଉ ଦୁର୍ନିରୀକ୍ଷ ଅନ୍ଧାରରେ ହଜିଗଲା ଚକ୍ଷୁ ତାରକା–ସେ ବାହାରି ଆସିଲେ ପଦାକୁ ଅଣନିଃଶ୍ଵାସୀ ହେଇ । ମା’ ଛାତିର ଖଣ୍ଡେ ଅର୍ଦ୍ଧଦଗ୍‌ଧ ହାଡ଼ ନେଇ ଗୟା ଚାଲିଲେ ପିଣ୍ଡ ଦାନ କରିବାକୁ । ‘ମାତୃ ଷୋଡ଼ଶା ଗାଇଲେ ।’ ଏଥିରେ ଏକ ମନ୍ତ୍ର ଉଚ୍ଚାରିତ ହେଲା–‘ହେ ମା ! ଶୀତ ରାତି, ହେମ କାକର ପାହାନ୍ତିରେ ମୁଁ ଯେତେବେଳେ ମୂତି ଦଉଥିଲି, ତୁ ସେଇ ଓଦା କାନିକୁ ପୁଣି ଦେହରେ ଗୁଡ଼େଇ ତୋ ଦେହରେ ଉଷୁମ ଶୁଖିଲା କାନିକୁ ପୁଣି ମୋ ଦେହରେ ଘୋଡ଼େଇ କେତେ କଷଣ ସହୁ ନ ଥିଲୁ, ଆହା ମୋ ପୁଅକୁ ଥଣ୍ଡା ସର୍ଦ୍ଦି ନ ଧରିବ ବୋଲି ।’ ସେଇ ଅନାବିଳ ଅନ୍ତରିକ୍ଷବ୍ୟାପ୍ତ ସ୍ନେହର ଆଧାର ମା’କୁ ଜୀବଦ୍ଦଶାରେ ମୃତ୍ୟୁ ମୁଖକୁ ଟାଣିନେଇ ଶ୍ରାଦ୍ଧ ଦେଲା ଭଳି ଉତ୍ପାତ ହେଉଥିବା କୋଡ଼ାପୋଛା ପୁଅମାନଙ୍କ ଭିତରୁ କତିପୟଙ୍କ ଭିତରେ ସିଏ ବି ଜଣେ । କେତେକ ମନ୍ତ୍ରୀ ପୁତ୍ରଙ୍କ ପୁରୀଷ ମାର କାନିକୁ ଜୁଡ଼ୁବୁଡ଼ୁ କରି ସାରି ସାରା ଜନ୍ମଭୂମିକୁ ଭସାଇବାକୁ ଆରମ୍ଭ କଲାଣି । ଥକ୍‌କା ମନ ଆଉ ମା’ର ସର୍ବସ˚ହାତ୍ଵକୁ ମାନସପଟରେ ଧାରଣ କରିବାକୁ ଅକ୍ଷମ । ଆଜି ବି ସୂର୍ଯ୍ୟ ଆଉ ସମୟକୁ ଶାସନ କରିବାକୁ ନାରାଜ୍ । ସୂର୍ଯୋଦୟ ଛଅ ଘଣ୍ଟା ଡେରି ଆଉ ସୂର୍ଯ୍ୟାସ୍ତ ଛଅ ଘଣ୍ଟା ଆଗରୁ । ତାଜ୍ଜୁବ କଥା !

 

୯–ତାଙ୍କ କେବିନ ପାଖରେ ଆଉ ଦିଓଟି ଲଗାଲଗି କୋଠରୀକୁ ମେହେନ୍ତରମାନେ ଫିନାଇଲ୍ ଦେଇ ସଫା କରୁଚନ୍ତି । ଏଇ ଲାଗ୍ ଲାଗ୍ ଦୁଇଟି ଶବ ସେଥିରୁ ବାହାରି ଫୁଲମାଳ ନାଇ କୋକେଇ ସହିତ ଶୋଭାଯାତ୍ରାରେ ବାହାରି ଗଲେ । କୋଠରୀ ଦିଓଟି ନିଜ ନିଜ ଭିତରେ କଥା ହଉଚନ୍ତି । ସନ୍ତର୍ପଣରେ କାନ ଡେରିଚନ୍ତି କାନ୍ତଦର୍ଶୀ କୈଳାସ ।

 

ପ୍ରଥମ କୋଠରୀ–ଜାଣିଚୁଟି କିଏ ଥିଲା ଏଠି ଛଅ ମାସ କାଳ ? ପଁଷଠି ବର୍ଷର ବୁଢ଼ା । ହେଲେ ଜାଣିଚୁ ନା ଭାରି ପଇସାବାଲା । ଭାରି ସଉକିନିଆ । କହୁଥିଲା ସିଏ ‘ଶିକାଗୋ’ର ‘ଏଭରଲିହ୍’ କ୍ଲବ୍‌କୁ ଯାଇଚି । ଯେଉଁଠିକି ସବୁ ଦେଶର ସୁନ୍ଦରୀ ତାଜା ତରୁଣୀମାନେ ପଣ୍ୟ ହୁଅନ୍ତି-। ଯିଏ ଯିବ ଆଗେ ସେ ସୁନ୍ଦରୀମାନଙ୍କ ବାଁ ଗୋଡ଼ ଯୋତା ଖୋଲି ସେଇ ଯୋତା ଖୋଳପାରେ ଦ୍ରାକ୍ଷାରସ ଭରି ଆକଣ୍ଠ ପିଇବ । ସେଇ ସମୟ ପର୍ଯ୍ୟନ୍ତ ତାର ଓଲଟ ରମ୍ଭା ଜାନୁଟି ଏଇ ଅଭ୍ୟାଗତର ବୋତାମ୍ ଫିଟା ଛାତିରେ ଆଉଜି ରହିଥିବ । ବିଦେଶରେ ବଡ଼ ବଡ଼ ଶିଳ୍ପପତି, ରାଜା ମହାରାଜାମାନେ ଏ ପ୍ରସିଦ୍ଧ ଗଣିକାଳୟକୁ ସଉକ୍ କରିବାକୁ ଯାଆନ୍ତି । ଏଇ ବୁଢ଼ାଟା ସଢ଼ୁଥିଲା ବେଳେ ବି କଦବା କେମିତି ମାଇପିମାନେ ଆସନ୍ତି ଫୁଲ ତୋଡ଼ା ଧରି, ଆଉ ବିଡ଼ା ବିଡ଼ା ନୋଟ୍ ନେଇ ଯାଆନ୍ତି । ପଦିଏ କମକୂଟକରା ନହସା କଥା କହିଦେଲେ ଏ ବୁଢ଼ାର ଅକଲ ଗୁଡ଼ୁମ୍ ହେଇଯାଏ । ସୁନାମୁଦି ହାର ଫାର ଯାହା ଥାଏ ସବୁ ଖୋଲି ଦେଇପକାଏ । ଭାରି ମିଜାଜୀ ଲୋକ; କିନ୍ତୁ କଣ ହେଲା ଜାଣୁ, ମଲା ଦି ଦିନ ଆଗରୁ ଆଦିବାସୀ ଠାକୁର ‘ବୁଢ଼ା ରଜା’ ଠୁଁ ପ୍ରସାଦ ମଗାଇଲା । ଜାନି ଜଣେ ସିନ୍ଦୁର ନଡ଼ିଆ ନେଇ ଆସିଲା । କଣ ପୂଜା ପାଠ କଲା । ଗୋଟେ ଘରଚଟିଆ ମାରି ତା ରକ୍ତକୁ ୟା ବେକରେ ମନ୍ଥିଲା । ସିଏ ଗଲା ପରେ କାଲି ପରା ଶୋଭାନନୀ ନର୍ସକୁ ଗୋଟାଏ ଚୁମା ବଦଳରେ ଖଣ୍ଡେ ଘରଡ଼ିହ ଲେଖିଦେଇ ମଲା । ଭାରି ଦିଲ୍‌ଦାର୍ ମଣିଷ । ଖାଲି ଅତରରେ ଗାଧୋଉଥିଲା । ମାଦଳ ପରି ଛାତିକୁ ଧରି ବିବଳରେ ଗଜନ ଛାଡ଼ିଲାବେଳେ ବି ଗୋପାଳକୃଷ୍ଣ ଚଉପଦୀ ପଦେ ପଦେ ବୋଲି ଦଉଥିଲା ।”

 

ଦ୍ଵିତୀୟ କୋଠରୀ–“ଏଠିକି ଆସି କାହିଁକି ମରନ୍ତି ଏ ନିର୍ବୋଧ ଗୁଡ଼ା ? ଜାଣୁଛନ୍ତି ଆଉ ଭଲ ହବାର ବାଟ ନାଇଁ । ଦେଖନ୍ତୁ–ସରଗ ତରା ଗୋଟେ ଚାଉଳର ନାଁ–ସେଥିରେ ତା ରୂପ ତିଆରି । ‘ରାଣୀମୋତି’–ମା ମୁସଲମାନ ବାପ କିରସ୍ତାନ । ରେଳଗାଡ଼ି ଚଳାଏ । ୟେ ପୂରା ଡକେଇତ ହେଇଗଲା । ବେଶ୍ୟା ହେଇଗଲା–ଚୋରଣୀ ହେଇଗଲା । ଆହା କି ରୂପ ! କଳାହାଣ୍ଡି ଜଙ୍ଗଲରେ ବୁଲେ । ମଟର ଗାଡ଼ି ଚଳାଇପାରେ–ନାଚିପାରେ–ତିନି ଚାରିଟା ଭାଷା ଇଂରାଜୀ, ତାମିଲ୍, ତେଲୁଗୁ ପାଣିପରି କହିପାରେ । ଗୀତ ବୋଲେ କେଡ଼େ ଚହଟା ସୁଆଦିଆ ସୁରରେ । ଜିଅଲ ଗଲା ଗୋଟେ ବୁଢ଼ା କୁମୁଟି ଗରାଖର ଗୁପ୍ତାଙ୍ଗକୁ ଚିପିଦେଇ ମାରିଦେବାରୁ । ଏଇଠି ରୋଗରେ ପଡ଼ି ଧକେଇ ହେଲାବେଳେ ବି ବେହେରା ହାତରେ ଲୁଚେଇ ଲୁଚେଇ ଆଣି ମଦ ପିଇଦିଏ । ଡାକ୍ତରମାନେ କଥା ହେବାର ଶୁଣିଛି ମୁଁ । ଖାଲି ମଦ ପିଇ, ସିଗାରେଟ୍ ଟାଣି ଟାଣି ତାକୁ କର୍କଟ ଧରିନେଲା । ପଚିଶି ବର୍ଷର ଜୁଆନ୍ ଟୋକୀ–ସବୁ ଶେଷ । ହେଲେ ଭାରି ଗୁମାନ । ତାର କୋଉ ବର ଗୋଟେ ଆସି ଟଙ୍କା ଯାଚିଲା–ଫୋପାଡ଼ିଦେଲା ମନିବ୍ୟାଗ୍‌କୁ ତା ମୁହଁକୁ । ମଲାବେଳକୁ କାଣି କୌଡ଼ିଟାଏ ନ ଥିଲା ତା ଟ୍ରଙ୍କରେ । ଶବ ଦାହ କରିବାକୁ କେହି ନିଜ ଲୋକ ଆସିଲେନି । ଲେଖି ଦେଇଥିଲା ଖଣ୍ଡେ କାଗଜ ଉପରେ–ମୁଁ ଯଦି ମରିଯାଏ, ତା’ହେଲେ ମତେ ଭସାଇ ଦେବ ମହାନଦୀରେ । ମୁଁ ବହିଯିବ । ନିଆଁ ମୋତେ ପୋଡ଼ି ପାରିବ ନାଇଁ । ଅଙ୍ଗାରକୁ ଆଉ କିଏ କେମିତି ବା ପୋଡ଼ିବ । ଟ୍ରଙ୍କରୁ ଗୋଟେ ସାନ ପିଲାର ଫଟ ମିଳିଲା । ତା ପଛରେ ସିଏ ପୁଣି ଲେଖିଛି–ୟେ ମୋ ପୁଅ–ବାପ ତାର ଭାରି ବଡ଼ଲୋକ–ବ୍ୟୋମଯାନ ଚଢ଼ି ବୁଲୁଚି । ବଡ଼ ନେତା । ତା ବାପ ଆଗରେ ମୁଁ ଏ ପିଲାର ତଣ୍ଟି ଚିପି ମାରିଥାଆନ୍ତି । ଅକଲ ଶିଖେଇ ଥାଆନ୍ତି । ହେଲେ ପାରିଲିନି । ମୁଁ ଜିଅଲରେ ଥିଲାବେଳେ ତାକୁ ନେଇଗଲେ କୋଉ ଆଶ୍ରମକୁ । ସେଠୁ ସେ କୁଆଡ଼େ ପଳେଇଲା ଜଣା ନାଇଁ । ମୋ ସାଙ୍ଗରେ ଏ ଫଟକୁ ଭସେଇଦବ ।

 

ହେଲେ କିନ୍ତୁ ଅଜବ୍ ଝିଅ । କଷ୍ଟ ପାଇ ଆଖିରୁ ଝରଝର ଲୁହ ଗଡ଼େଇ ଗଡ଼ି ଯାଇଥିବା ତଳଟାରେ; କିନ୍ତୁ ଗୀତଟିଏ ଗାଉଥିବ ଭାରି ମିଠା ଯନ୍ତ୍ରଣାର ମନଛୁଆଁ ସ୍ୱରରେ । ଭାରି ମନ ତାର ଗୀତ ଗାଉ ଗାଉ ଲୋଟଣୀପାରା ପରି ବାହୁନିବାକୁ ।

 

ପ୍ରଥମ କୋଠରୀ–ଯିଏ ଆସିଲା ସିଏ ମଲା ଏ ଘରେ–

 

ଦ୍ଵିତୀୟ କୋଠରୀ–ସମସ୍ତେ ମରିବାକୁ ଆସନ୍ତି ଏଠିକି ।

 

ପ୍ରଥମ କୋଠରୀ–ଆମେ ଏଣିକି କାନ୍ଥ ଖୋଲିଦେବା–ଛାତ ଭୂଷୁଡ଼ାଇଦବା–ମରନ୍ତୁ ସେମାନେ ମୁକ୍ତ ମେଲା ଭୂଇଁ–ଖୋଲା ପବନରେ ।

 

ଦ୍ଵିତୀୟ କୋଠରୀ–ଖୋଲା ପୃଥିବୀରେ ତ ଏମାନେ ଜୀଇ ପାରିଲେନି ବୋଲି ମାରିବା ପାଇଁ ଏକପାଖିଆ ଏକଘରକିଆ କ୍ୟାବିନ୍‌ର ନିବୁଜ ଆଲିଙ୍ଗନ ଲୋଡ଼ା ।

 

କେମନ୍ତ !

 

ଦୁଆର ବନ୍ଦକରି ସଦର ଦରଜାରେ ତାଲା ପକେଇଦେବା ପରେ ଦୁଇଘର ଭିତରେ କଥାବାର୍ତ୍ତା ବନ୍ଦ ହେଇଗଲା ।

 

କୈଳାସ ବାବୁ ଚାହିଁଲେ ଏବେ ଉଛୁରରେ ଉଦୟ ସୂର୍ଯ୍ୟ ଆଲୁଅକୁ । ତାଙ୍କର ପ୍ରତୀକ୍ଷିତ ଶୁଭାନୁଧ୍ୟାୟୀ ଆଦର୍ଶର ନିୟାମକ ଦି’ଜଣ ସାଥି ଆସୁଚନ୍ତି । ଶ୍ରାବଣୀ ଆଉ ସନାତନ ।

 

୧୦ । ଗରିବ ଲୋକମାନେ ଠିକ୍ କଲେ ଅସୁମାରୀ ପିଲା ଜନ୍ମକରି ଦେଶଟାକୁ ଖାଇଯିବା, ଛିନଛତ୍ର କରିଦେବା ସବୁ ଉଭା ପୋତା ସମୃଦ୍ଧିକୁ । କି ପାପର ପ୍ରାୟଶ୍ଚିତ୍ତ କରୁଚନ୍ତି ଏମାନେ ବୁଝା ପଡ଼ୁନାଇଁ । ଠୋପିଏ ବୋଲି ଶୋଷ ଗିଳି ଦେଇ ପାରିବ ସାରା ଆକାଶକୁ ଆଉ ସତ ସମୁଦ୍ରର ଜଳାର୍ଣ୍ଣବକୁ । ଅଥଚ ଏତେଗୁଡ଼ାଏ ଶିଶୁଙ୍କ ଶୋଷକୁ ବସୁନ୍ଧରା ସମ୍ଭାଳିଛି କେମିତି । ଥୁମଲ୍ ରାମପୁର ପାଖ ନିବୁଜ ଅରଣ୍ୟ ଭିତରେ ଭିତରଗଡ଼ । ବଡ଼ ହାକିମମାନେ ଆସିବେ, ନୂଆ ବର୍ଷ ପାଳିବେ, ବାଉଁଶ ଚାଞ୍ଚଡ଼ାରେ ଗୋବର ଲିପାହୋଇ ବଙ୍ଗଳା ତିଆରି ହେଇଚି । ଦି ଧାଡ଼ି ଘର-। ମଝିରେ ଗଡ଼ି କାଠ ସବୁ ସଜା ହେଇଚି ରାତିରେ ଧୂନି କରିବାକୁ । ଚାରିପାଖେ ବୁଲି ବୁଲି ମଦ ପିଇ ଓ ପତ୍ରପୋଡ଼ା ମାଉଁସ ଖାଇ ନୂଆ ବର୍ଷକୁ ଆମଦାନୀ କରାହେବ । କଣ୍ଟ୍ରାକ୍ଟରର ତା କାମ ସାରି ବାହୁଡ଼ି ଗଲା । ପୋଲିସ୍‌ବାଲା ଓ ସାନସାନ ଅଫିସର ମାନେ ଖାଦ୍ୟ ପାନୀୟ ବିଛଣା ଇତ୍ୟାଦି ସଜାଇ ଦେଇ ତଳ ରାସ୍ତାରେ ଯାଇଁ ଆପେକ୍ଷା କଲେ । କେତେବେଳେ ମହାପ୍ରତାପୀ ପ୍ରଚଣ୍ଡ ଶାସନକର୍ତ୍ତାମାନେ ଆସି ପହୁଞ୍ଚିଯିବେ । ଢେର ରାତିରେ ଗାଡ଼ି ମଟର ହର୍ଣ୍ଣ ଶୁଭିଲା-। ହାକିମମାନେ ବନ୍ଧୁବାନ୍ଧବ ପିଲା କବିଲା, ବନ୍ଧୁକ କୁକୁର, ତାସ୍, ଟ୍ରାନ୍‌ଜିଷ୍ଟର ଇତ୍ୟାଦି ନେଇ ପହଞ୍ଚିଗଲେ । ଯେତେବେଳେ ତାଙ୍କ ବିଶ୍ରାମ ସ୍ଥଳି ଏଇ ଝାଟିମାଟି ବଙ୍ଗଳାରେ ପହଞ୍ଚି ଯାଆନ୍ତି, ଦେଖନ୍ତି ଶହ ଶହ ସଂଖ୍ୟାରେ ଲଙ୍ଗଳା ବଣୁଆ ମଣିଷ ଶାବକ ପ୍ରମତ୍ତ ହୋଇ ଡେଉଁଛନ୍ତି ଘରେ ବାହାରେ, ବିଛଣା ଆସବାବ ଖାଇବା ସାମଗ୍ରୀ ସବୁକୁ ଛିନ୍‌ଛତ୍ର କରି । ଟିକକ ପରେ ସଦ୍ୟ ତିଆରି ଘରଗୁଡ଼ା ଜଳିବାକୁ ଲାଗିଲା ହୁତ୍‌ହୁତ୍ । ପୋଲିସ୍ ବାଲା କିଛି ଓର ପାଇଲେନି କିଏ ଏସବୁ କଲା-। ଖାଲି ହୁଇସିଲ ଫୁଙ୍କି ଓ ଲାଠିଧରି ଇତସ୍ତତଃ ଦଉଡ଼ିଲେ । ପାଖରେ ଏକ ଉଚ୍ଚା କରଞ୍ଜ ଗଛ ଉପର ଡାହିରେ ପତ୍ର ଗହଳର ନେପଥ୍ୟରେ ହନୁମନ୍ତ ପରି ଗୋଡ଼ ଲମ୍ବେଇ ଗୋଟାଏ ଲୋକ ବସି ମଜା ଦେଖୁଥିଲା । ସେଇ ଲୋକ ଏସବୁ ଗୋଳମାଳର ସୂତ୍ରଧର, କୈଳାସ ପତି ।

 

୧୧–ସଂସାର ଉପରେ ଅଭିମାନ କରି ଉନ୍ମନା କହ୍ନେଇ ମରିଗଲା । ମରିଯିବ ବୋଲି ଜାଣିଥିଲା କି କଣ, ଚବିଶି ବର୍ଷ ବୟସରେ ଦେଢ଼ଶହ ଗପ ଲେଖି ଦେଇଗଲା । ତରଳ ବିଦ୍ୟୁତର ଜେଲି ପରି ତାର ମନ । କଣ ନ ଖୋଜିଚି ସେ । ନିର୍ଲୋମ ଯୋନି, ଆକାଶ କଇଁଆ । ପାଚେରୀ ଉପରେ ଚଅଁର ମୂତି କଣ ଲେଖିହେଲା ବୋଲି ମୃତ ଯୁଗର ଲିପି ପଢ଼ିବାର ଉଦ୍ୟମ । ଭୀମ ଭୋଇ ହଜିଗଲେ–ଆମର ଦରକାର ପଡ଼ିଲେ ଗୁର ମହାନ୍ତି, ରାମାକାନ୍ତ, ସୀତାକାନ୍ତ, କମଳାକାନ୍ତ, କୋଣାର୍କ, ରାଜାରାଣୀ, ଅଜନ୍ତା ଏଲେରା ଘୁଣ ଖାଇଗଲା ଆମକୁ ଲୋଡ଼ା ହେନ୍‌ରୀମ୍ୟୁର୍, ଭ୍ୟାନ୍‌ଗଗ୍, ପିକୋଶୋ, ଡିସୋଜା–ହୁସେନ୍ । ଅସଲ ନାଗେଶ୍ଵରୀ ବଟାଭଙ୍ଗ କୁଆଡ଼େ ଗଲା । ଆମେ ଖୋଜିଲୁ ସ୍କଚ୍ ସାମ୍ପେନ୍, ଚରସ । ଓଡ଼ିଆ କଣ ସବୁକାଳେ ହୀନିମାନ । କଣ ସବୁ ଚାଲିଚି ୟେରେ ମୂଢ଼ମତି । କେତେଗୁଡ଼ା କ୍ରେଜ୍‌କୁ ଏକାଠି ବାଡ଼ି ଆଗରେ ଗଣ୍ଠିଲିରେ ବାନ୍ଧି କାନ୍ଧରେ ପକେଇ ନୂଆ ସ˚ସ୍କୃତି ନାମଧେୟ ମାଙ୍କଡ଼ନାଚଠୁଁ କଣ ନିସ୍ତାର ନାଇଁ । ପୁଲ୍‌ପିଟ୍‌ରୁ ପ୍ରବଚନ କଲା ଭଳି କୈଳାସ ବାବୁଙ୍କ ସ୍ଵର ଭାରି ଗମ୍ଭୀର ଅଥଚ ଭସାମେଘ ପରି ଚହଲା ।

 

ତକ୍ତା ପାଖରେ ଆଉ ଦୁଇଟି ଚଉକି ଉପରେ ବସି ଶ୍ରାବଣୀ ଆଉ ସନାତନ ମିଞ୍ଜି ମିଞ୍ଜି ଚାହୁଁଚନ୍ତି । କୈଳାସର ବକ୍ତବ୍ୟର ପ୍ରସଙ୍ଗଭ୍ରମ ଘଟିଚି । ସାଥିସଙ୍ଗିନୀମାନେ ଆସିଚନ୍ତି ତାର ଭାରାକ୍ରାନ୍ତ ମନକୁ ଦଣ୍ଡେ ଫୁଲଶେଯରେ ଝୁଲେଇ ହାଲ୍‌କା କରିବାକୁ । ତାକୁ ବି ଜଣା ନାଇଁ ଯେ ହାସପାତାଳରେ ତାର ଭର୍ତ୍ତିହେବା ଦିନଠୁଁ ଗାଁ ନଈର ଧାର ସବୁ ଓଲଟା ବହୁଚି । ଚାଲିଆଡ଼େ ସନ୍ତ୍ରାସ ।

 

୧୨–କ୍ୟାନ୍‌ସର୍ ବିଦ୍ୟାର ବଡ଼ ଡାକ୍ତର ଓ୍ୟାର୍ଡ଼ ବୁଲି ଆସିଲେ । ରୋଗୀଙ୍କ ଖଟିଆମାନଙ୍କରେ ଝୁଲନ୍ତା ଗ୍ରାଫ୍ ଓ ଚାର୍ଟ ସବୁ ଗୋଟି ଗୋଟି କରି ଦେଖିଲେ ଓ ନିଜର ଚମତ୍କାର ପରିପାଟୀରେ ଟ୍ରିମ୍ କରାହେଇଥିବା ଦାଢ଼ି ସହିତ କିଛି କଥାବାର୍ତ୍ତା ହେଲେ । ସେଥିରୁ କିଛି ଖସି କାନରେ ପଡ଼ିବ ପରା ଏଇ ଆଗ୍ରହରେ ସାନ ଡାକ୍ତର, ହାଉସ୍‌ମ୍ୟାନ୍ ଓ ଓ୍ୟାର୍ଡ଼ ଆଟେଣ୍ଡାଣ୍ଟ୍ ପେନ୍ଥାକୁ ପେନ୍ଥା ତାଙ୍କ ପାଶ୍ଚାତ୍‌ଧାବନ କରୁଥାନ୍ତି । ଏଇ କ୍ୟାବିନକୁ ପଶିଲା ବେଳକୁ କୈଳାସ ବାବୁଙ୍କ ବତ୍କୃତା ଚାଲିଚି–

 

ଉତ୍ତରାଧିକାରଟା ବଡ଼ କଥା ସବୁ ସାମ୍ରାଜ୍ୟର ନେତୃତ୍ଵ ପାଇଁ । ଯେମିତି ଅନ୍ୟ କେହି ଝାମ୍ପି ନେବା ଆଗରୁ ଲେନିନ୍‌ଙ୍କ ଶବକୁ ଖୁଆଡ଼କୁ ନେଇ ଆସି ସତ୍କାର କରିପାରିଲେ ବୋଲି ଷ୍ଟାଲିନ୍ ହେଲେ ସିଂହାସନର ଅସପତ୍ନ ଦାୟାଦ । ମାଓଙ୍କ ମଲା ପରେ ବି ଲାଗିଗଲା ଯୁଦ୍ଧ ତାଙ୍କ ଶବର ଅଧିକାରୀ କିଏ ହବ । ସେମିତି କୈଳାସ ପତିର ନିଷ୍ପାଣ ଶରୀର ଏବେଠୁଁ ଦାବୀ କରିନିଅ ଶ୍ରାବଣୀ–ନ ହେଲେ ସମାଜର କେତେକଧୂରୀଣ ଶ୍ଵାନ ଶୃଗାଳ ତାକୁ ଓଟାରିନେବେ ଯୂପକାଷ୍ଠ ଉପରୁ ।’

 

ବଡ଼ ଡାକ୍ତର କହିଲେ ଶାନ୍ତିରେ ରହ, ଧୀରେ କଥା କହ, ବିଶ୍ରାମ କର, ମରଣ ଯନ୍ତ୍ରଣା ଲାଘବ ହେବ । ଆମେ ତ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଚୁ ଆଣବିକ ରଶ୍ମିରେ ଆପଣଙ୍କ ଅଣଅକ୍ତିଆର୍ ବଢ଼ୁଥିବା ସେଲ୍ ଗୁଡ଼ିକୁ ସ୍ତମ୍ଭୀତ କରିବାକୁ ସାହାଯ୍ୟ କରନ୍ତୁ ଆପଣ । ହେଃ ହେଃ ।

 

‘ହେଲେ ମୁଁ ଗୋଟାଏ ମନ୍ତ୍ର କହୁଚି ଶୁଣ ଡାକ୍ତର । ଭାରି କାଟୁ ସତ । ମନେକରନ୍ତୁ ଆପଣ ସବୁ ମୃତ୍ୟୁମୁଖୀ ରୋଗୀମାନଙ୍କୁ ସପ୍ତାହକ ପାଇଁ ବାହାରକୁ ଛାଡ଼ି ଦିଅନ୍ତେ–କହନ୍ତେ ଯାଅ, ଯେଉଁଠି ଦେଖିବ ବ୍ୟବସ୍ଥାପକ ସଦସ୍ୟ କଲୋନୀର ଦାଣ୍ଡଦୁଆରେ ସାତରୁ ଅଧିକ ଲମ୍ବା ମଟର ଗାଡ଼ି ଥୁଆ ହେଇଚି, ଆଉ ଅନ୍ୟାନ ତିନିଜଣ ଡ୍ରାଇଭରଙ୍କ ରଙ୍ଗ ଗାଡ଼ିରଙ୍ଗ ସାଙ୍ଗେ ମ୍ୟାଚ୍ କରୁଚି ଏବଂ ଖୁବ୍ ମୋଟା ପେଟୁଆ ଲୋକମାନେ ଭିତରେ ବାହାରେ ବିଚରଣ କରୁଚନ୍ତି, ପୁଣି ଗଧବିହୀନ ଧୋବାମାନେ ସବୁ କ୍ଵାଟର୍ ଗ୍ୟାରେଜଗୁଡ଼ିକ ଅଧିକାର କରିଚନ୍ତି–ସର୍ବୋପରି ସଦସ୍ୟ ମହାଶୟଙ୍କ ହାତରେ ନାଲି ଟହ ଟହ ଏକ ସେଓ ଧାରଣ, ଅନ୍ୟନ ଥରକେ ସାତ ମିନିଟ୍ ଫୋନ୍ କରୁଚନ୍ତି–ସେହି ଦ୍ଵାରରୁ ଭିକ୍ଷା ମାଗିବ । ଦୁଇପେଗ୍ ସ୍କଚ୍ ହୁଇସ୍କି ଓ ଚାରି ପ୍ୟାକେଟ୍ ବିଦେଶୀ ସିଗାରେଟ୍–ଯଦି ଏ ଭିକ୍ଷା ପାଇଯାଅ ତା’–ହେଲେ ତମର ଦୌରାରୋଗ୍ୟ ବ୍ୟାଧି ଚାହୁଁ ଚାହୁଁ ଉଭେଇଯିବ । କିଛିଟା ଷ୍ଟୋକ୍ ରଖି ଖେଳ ଖେଳିଲେ ମୁତ୍ୟୁ ଆଉ ଜୀବନ ଉଭୟକୁ ଉପଭୋଗ କରିହୁଏ । ଖାଲି ଶାନ୍ତ ହୁଅ, ଧୀର ହୁଅ । କାତର ହୁଅ ନାଇଁ–ମୃତ୍ୟୁ ଅବଶ୍ୟ ଘଟିବା ଭଳି ଜିନିଷ ହୋଇଥିଲେ ବି ‘ଟେକ୍ ଇଟ୍ ଇଜି’ ଇତ୍ୟାଦି ବାଚନିକ ମଇଲମ୍ ମାଖି କି ଲାଭ । ଜାଣି ନାହାନ୍ତି ଏମାନେ ମୁଁ ପରମେଶ୍ଵସାଃ ଅର୍ଜ୍ଜୁନର ବଂଶାବତ˚ସ । ଡାକ୍ତର ଆବକ୍ ହେଇ ଚାହିଁଲେ, ଆଉ ଅପସରି ଗଲେ ଅନ୍ୟ କୋଠରୀକୁ କୌଣସି ଉତ୍ତର ନ ଦେଇ ।

 

୧୩–ଉହ୍ମେଇରୁ ନିଆଁ ରଡ଼ ଫିକା ପଡ଼ି ଆସିଲାଣି । ତିନି ଜଣଯାକ ସେଇମିତି ବସିଛନ୍ତି । ‘ତମେ ଜାଣ ଶ୍ରାବଣୀ–କାନ୍ଦଣା ଆମ ଓଡ଼ିଆ ଘରର ଉଚ୍ଚାଙ୍ଗ କଳା । ନାକକାନ୍ଦୁରୀ ମେଘ ସୁଁ ସୁଁ ହେଲା ଭଳି ପହିଲିପାଳି ବୋହୂର କାନ୍ଦଣା କେମିତି ବିନ୍ଧିଦିଏ ହ୍ରୁଦୟକୁ । ମୁଁ ଶୁଣିଚି ଆମ ପଡ଼ିଶାଘର ଝିଅ ନେତ, ସରସତି ଇତ୍ୟାଦି ‘ଶଶିଦେଇ କାନ୍ଦ’ ‘ସୁକୁମାରୀ କାନ୍ଦ’ ଇତ୍ୟାଦି ଲହର ଦେଇ ମୁଖସ୍ଥ କରିବାର । ଶାଶୁଘର ଯିବା ଝିଅ ଯଦି ସୁର୍ ଦେଇ ଦରଦ ଦେଇ ଉଚିତ ଭାବେ କାନ୍ଦି ପାରିବ, ତାହେଲେ ପତ୍ର ଝଡ଼ିପଡ଼ିବ ଗଛବୃଚ୍ଛରୁ । ମୁଁ ବି ଚେଷ୍ଟା କରିଚି କାନ୍ଦିବାକୁ ଗଭୀର ରାତ୍ରିରେ ଏଇ କ୍ରମରେ–

 

‘କେଡ଼େ ସୁକୁମାରେ ବଢ଼ାଇଥିଲୁ ବୋଉ ଲୋ ମୋର

ସୁନା ଚାଙ୍ଗୁଡ଼ିରେ ସଜାଡ଼ୁଥିଲି ମୋ ଧୂଳିଘର ।

ସମୁଦ୍ରକୁ ଠେଲି ଦଉଚୁ ଘର ଦୁଆର ଛାଡ଼ି

କି କରିବି ଯଦି ଆସିବ ଝଞ୍ଜା ପବନ ମାଡ଼ି ।

କ୍ଷୀର ସର ଭାତ ପାଟ ପତନିରେ ସମ୍ପାଦି ଥିଲୁ

ଏନ୍ତୁଡ଼ି ଶାଳରେ ତଣ୍ଟି ଚିପି କିଆଁ ନମାରି ଦେଲୁ ।

ତମକୁ ଛାଡ଼ି ମୁଁ ଦରିଆ ପରିକି କେମନ୍ତେ ଯିବି ବାପାହେ ।

ଋଷି ବସିଥିଲେ ଗେଲ କରି କିଏ ଲୁହ ପୋଛିଦବ ବାପାହେ ।’

 

ନିଜ କାନ୍ଦଣା ପରି ସବୁ କାନ୍ଦଣା ସୁଆଦ ଲାଗେ । ଆଖି ଜକେଇ ଆସେ । ତମେ ବି ଚେଷ୍ଟା କରି କାନ୍ଦଣା ଶିଖ ଶ୍ରାବଣୀ ! ଭୂଇଁରେ ଲେସି ହେଇଗଲା ପରି ଲାଗିବ । ଭୂଇଁକୁ ନଖରେ ଚିରି ଅପ୍ରାପ୍ତ ଧ୍ୟେୟ ବସ୍ତୁକୁ ଖୋଜି ଆଣିବା ପରି ଅସରା ଅସରା କାନ୍ଦି ପାରିଲେ ଭଲ ଲାଗିବ, ଯେତେବେଳେ ତମକୁ ମୁଁ ଓ ସନାତନ ଭୂଇଁରୁ ସାଉଁଟି ଆଣି ଗେହ୍ଲା କରି ଛିଡ଼ା କରାଇବୁ ଆଉ ଲୁହ ସାଲୁବାଲୁ ନାକ ଓ କାପାଳକୁ ଚିମୁଟି ଗମାତ କରିବୁ । ସତରେ !

 

କୈଳାସର ପ୍ରଳାପ ଚାଲିଛି । ତୁନି ହେଇ ଶୁଣୁଚନ୍ତି ବାକି ଦି’ଜଣ । ବିଶେଷଜ୍ଞମାନେ କହୁଛନ୍ତି ମୁଁ କୁଆଡ଼େ ମରିଯିବି; କିନ୍ତୁ ମାରିବ ମୋତେ କିଏ ? ସ୍ଵୟଂ ପିନାକୀ । ଗୋଟେ ଲୋକକୁ ମାରିବାକୁ ଦି’ଟା ହାତ ଦରକାର । ଗୋଟେ ହାତରେ ବେକକୁ ଧରିବ ଓ ଆର ହାତରେ ଛୁରୀ ଚେଳେଇବ । ଧନୁରେ ତୀର ଯୋଖିବାକୁ ବି ସେଇ ଦିଇଟା ହାତ । ରାମଙ୍କ ଡାହାଣ ହାତକୁ ପଚାରୁଛି ବାଁ ହାତ–‘ରାବଣକୁ, ମହା ପଣ୍ଡିତ ବ୍ରାହ୍ମଣକୁ କମିତି ମାରିବୁରେ ! ସେଇପରି ମୋ ପାଇଁ ଯମର ହାତ ଥରିବ । ମୁଁ ଏମିତି କିଛି ବାଜେ ଲୋକ ନୁହଁ । ମୋର ଶରୀର ବ୍ରହ୍ମକୁ ମାରିବତ ଶହେଟା ହାତ ଦରକାର । ଯେଉଁ ହାତ ଲଙ୍ଗଳ ଧରି ଭୂଇଁକୁ ଚିରି ବୀଜ ରୋପଣ କରି ଅଙ୍କୁରୋଦଗ୍‌ମ କରିଥିବ, ଯେଉଁ ହାତ କାକୁସ୍ଥ ସମାଜର ରକ୍ତରେ ପରିବର୍ଦ୍ଧିତ ଲମ୍ପଟମାନଙ୍କ ପେଟରେ ଖଣ୍ଡା ଭୁଷୁଥିବ । ଆଉ ଗାନ୍ଧି, ବୁଦ୍ଧ, ଯିଶୁର ସମାଧି ଉପରେ ଫୁଲଟେ ଟେକିଥିବ । ଏଇମିତିକା ଶହେଟା ହାତ ଅତି ଦୁର୍ଲଭ ଏଇ ଚେଇଁଶୁଆ ରାଜ୍ୟରେ ।’

 

‘କି ସମୟ ଆସିଲା ସତରେ, କଏଦୀ ହାତରେ ସିପାହୀ ବନ୍ଧା, ନଇଲେ କଏଦୀ ଓ ସିପାହୀ ସେଇ ଗୋଟିଏ ହାତକଡ଼ିରେ । ବନ୍ଧାକୋବି ପରି ପରସ୍ତ ପରସ୍ତ ପରିପାଟୀ ହୋଇ ବସିଥିବା ଆମ ଶ୍ରାବଣୀକୁ ଦେଖ । କିଏସେ ଅଧିକ ମୁକ୍ତ, ଅଧିକ ଆତ୍ମସ୍ଥ ଓ ପରିପୂର୍ଣ୍ଣ–ତାର ଶାଢ଼ୀ, ବଡ଼ିସ୍, ବ୍ଳାଉଜ୍, ଅନ୍ତର୍ବାସ, କଟୀର ମେଖଳା, ମେକପ୍ ପ୍ରସାଧନ ନକଚଣା, କାନଫାସିଆ, କନକ ଚମ୍ପା ହାର, ଟିକିଲି, ଡିମ୍ବକଣ୍ଟା, ଫଲ୍‌ସ ଖୋଷା ନାଁ ସେ ନିଜେ । କିଏ କାହାକୁ ଛାଡ଼ି ରହି ପାରିବେ କହ । ମୁଁ କିନ୍ତୁ ହାସ୍‌ପାତଳ ଛାଡ଼ି ଚାଲିଯାଇ ପାରିବି; କିନ୍ତୁ ହାସ୍‌ପାତାଳ ମତେ ଛାଡ଼ିଲେ ଚାଲିବ କେମିତି କହ ।’

 

ୟେ ଲୋକ ଭାବିଥିଲା ପୃଥିବୀର ମନ୍ଥରତମ ରେଳଗାଡ଼ିରେ ବସି ଷ୍ଟେସନ୍‌ରୁ ଷ୍ଟେସନ୍‌କୁ ଯିବ । ମନ୍ଥରତମ ଟ୍ରେନ୍‌କୁ ବି ଦଉଡ଼ିବାକୁ ପଡ଼େ । ଅନ୍ଧାରରେ ଏ ଗାଡ଼ି ଆଉ ଚଳେନାହିଁ । ତେବେ ବଇରୀ ହେଲା ଏ ଉଛୁର ସୁର୍ଯୋଦୟ ଓ ତରତର ଅସ୍ତ ଭିତରେ ଚିପିହେଇ ଛଟିକି ପଡ଼ୁଥିବା ମୁମୂର୍ଷୁ ଦିନ ଆଲୁଅର କେରାଏ ।

 

କୋଣାର୍କ ବା ଖଜୁରାଓ ଗାତ୍ରରେ କାମୁକ କାମୁକୀର ରତିବିଳାସକୁ ମନେକର ସମସ୍ତ ଦର୍ଶକ ଓ ସ୍ତବକ ପ୍ରବର ନକଲ କରନ୍ତେ ଯୋଡ଼ି ଯୋଡ଼ି ହୋଇ ମନ୍ଦିର ବେଢ଼ାରେ । ମୋଟେ ଦିଶନ୍ତାନି ବା ଲାଗନ୍ତାନି ଅପରିଚ୍ଛନ୍ନ ବା ଅଶ୍ଳୀଳ । ଆଦିମ ସ˚ସ୍କୃତିକୁ କଅଣ ଏମିତି ଅନ୍ତରଙ୍ଗ ଭାବୋଚ୍ଛ୍ୱାସରେ ଏଇଭଳି ଅର୍ଚ୍ଚନା କରାଯାଇ ନ ପାରେ; ଏଥିରେ କିଛି ଇ ପ୍ରହସନ ପେଖନା ଛଳନା ନ ଥିବ । ସବୁ ସତ ବିଶ୍ଵସ୍ତ ଭାବେ ପୁନରାବୃତ ହେଉଥିବା । ରବୀନ୍ଦ୍ରଙ୍କ ନାଟକ ସାହିତ୍ୟାନୁରାଗୀମାନେ ବିଚ୍ ବଜାରରେ ଅଭିନୟ ବା ଆବୃତ୍ତି କଲାଭଳି ଜୀବନ ଧାରାକୁ କ୍ଷଣକ ପାଇଁ ନାଟକର ଅନୁବର୍ତ୍ତୀ କରିଗଲେ ସ˚ସ୍କୃତି ଓ ଐତିହ୍ୟ ରକ୍ତ ମାଂସରେ ମିଶିମିଶି ଯାଏ । ଭଲ କଥା । ‘ଆମେ ବି ଏମିତି ସବୁ କରିବା ସନାତନ ! ଶ୍ରାବଣୀ ଓଢ଼ଣା ଟାଣି ସେପାଖକୁ ମୁହଁ ବୁଲେଇ ଶୁଣି ନ ଶୁଣିଲା ପରି ପହିଜ କରିବା ସତ୍ତ୍ୱେ ।’

 

୧୪–କିଏ ସେଇ ବୁଦ୍ଧିଆ ଲୋକ କହିଥିଲା ଯେ ପ୍ରେମରେ ପଡ଼ି ବାହା ହେବାର ପ୍ରସ୍ତୁତ ନିତାନ୍ତ ସହଜ । ଯେମିତି ସକାଳୁ ଉଠି ଧଡ଼ପଡ଼ ହେଇ ଗୁଡ଼ାଖୁ ଘଷି ହୁଏ ବା ବ୍ରସ ଚଳେଇ ହୁଏ ଦାନ୍ତ ମାଢ଼ିରେ । ଅନେକ ସହଜ କଥା ଘଟେ ଭୂଲୋକରେ, ଦ୍ୟୁଲୋକରେ ବି ତମେ ସବୁ ବିଶ୍ଵାସ କରିବନି–ଯେତେବେଳେ ପରଦିନ ଗହନ ଅମାବାସ୍ୟା ରାତିରେ ମୁଁ ଶୂନ୍‌ଶାନ୍ ନିସ୍ତବ୍‌ଧ ଆବହାଓ୍ୟାର ଛାତିର ପିଞ୍ଜରା ହାଡ଼ ଗଣୁଥିଲି, ସେତିକିବେଳେ ଇଶ୍ଵର ତାଙ୍କ ନିହଣ ମୁଗୁର ଠୁକ୍ ଠୁକ୍ କରି ତାଙ୍କ ସୃଷ୍ଟିର ଖଣ୍ଡିଆ ଖାବରା ଫଟାଚିରା ଅଂଶଗୁଡ଼ିକ ମରାମତି କରୁଥିଲେ । ଦେଖି ପାରିଚି ମୁଁ ସବୁ । ମତେ ଲାଗୁଛି ଇଶ୍ଵର ମତେ ଡାକି କହିଲେ ମୁଁ ମୈଥୁନ ତିଆରି କରିଚି କାହିଁକି ଜାଣ ? ପୁରୁଷ ସ୍ତ୍ରୀ ଓ ତା ଚାରିପାଖେ ବୁଲୁଥିବା କୁଟୁମ୍ବ–ସମାଜ ପରସ୍ପର ଭିତରେ ଗଭୀର ଅନ୍ତରଙ୍ଗତା ଆଉ ନୈର୍ବକ୍ତିକତାକୁ ପ୍ରମାଦମୁକ୍ତ ରଖିବା ପାଇଁ–ଜାଣିଚ ? ପୁଣି କହିଲେ ହସ ମଣିଷର ପ୍ରକୃତି, କାନ୍ଦ ୟାର ବ୍ୟତିକ୍ରମ; କିନ୍ତୁ ମୁଁ ତାଙ୍କୁ ଠୋକର ଦେଇଛି, ଆଚ୍ଛାକରି । କହିଲି ‘ସନ୍ଦେହର ନାମ ଜୀବନ–ବିଶ୍ଵାସ ହେଲା ମୃତ୍ୟୁ । ଇଶ୍ଵର ମୋ ମୁହଁକୁ ଚାହିଁ ଆଶ୍ଚର୍ଯ୍ୟ ହେଇଗଲେ–କହିଲେ ‘ଏ ଗୁପ୍ତଜ୍ଞାନ କେଉଁଠୁ ଜାଣିଲ କୈଳାସ ?’

 

ତା’ପରେ ତାଙ୍କୁ କହିଲି ଯେ ‘ଜାଣ ଆମ କବିମାନେ କେମିତି ସବୁ ତତ୍ତ୍ଵକଥା ପଦାରେ ପକେଇ ଦେଇ ପାରୁଛନ୍ତି–

 

ଗାଇଲି–ଖରା ଆସେ କି ପ୍ରକାରେ–

 

ପିଜୁଳି ଗଛକୁ ଅପ କରି ଡେଉଁଥିବା ମାଙ୍କଡ଼ ପ୍ରକାରେ ।’

 

ତାପର କହିଲି ‘ନଦୀର ତୀକ୍ଷ୍‌ଣ ବାୟୋନେଟ୍ ଆଗରେ ଚେନାଏଁ ମାଉଁସ ତମ ଗାଁ’ । ଇଶ୍ଵର ତାଙ୍କର ପରାକ୍ରମ ଦେଖାଇବାକୁ କହିଲେ ଏଇ କଥାତ ! ଶୁଣ ତମ ଗାଁ ନଈ ସବୁ ଉଜାଣି ବୋହିବ ଏବଠୁଁ । ପାଣି ବୋହିବ ତଳୁ ଉପରକୁ । ସାତ କୋଶିଆରୁ ଊର୍ଦ୍ଧ୍ଵଗାମୀ ପାଣିଧାର ପିନାକୀ ଜଟା ପର୍ଯ୍ୟନ୍ତ । ସେଇଦିନଠୁଁ ସତରେ ଗାଁର ସବୁ ନଈ ଉଜାଣି ଚହୁଚି କି, ନା, ମୁଁ ଜାଣେନା । ଇଶ୍ଵର ବି ଗୋଟାଏ ଭାବଭେଳା ଫିସାଦିଆ କବି ? କ’ଣ ସତ ନା ମିଛ ?

 

୧୫–କୈଳାସ ଉବାଚ–

 

‘ମୁଁ ମୋଟେ ଆଉ ନ ଥିବା ପୂର୍ବରୁ ଶେଷ ବିସ୍ଫୋରକ ଜ୍ଞାନଗୁଡ଼ିକ ପ୍ରକାଶ କରୁଛି । ଟିପିରଖ । ଦର୍ଶନ ବିଦ୍ୟାମାତ୍ରେ ଇ ଆମ ସ୍ଵାର୍ଥାନ୍ଧତା ଆଉ ଆତ୍ମଲୋଭର ପୋଷାକ । ଯେ କୌଣସି ପ୍ରକାର ସ୍ଵାଧୀନତାର ଅର୍ଥ ନୀତିହୀନତା । ଭଗବାନ ନିଜକୁ ତିଆରି କରି ନ ଥିଲେ । ସିଏ ହଉଚନ୍ତି ମଣିଷର ଆତ୍ମାଶ୍ଲାଘା ଆଉ ଅହମିକାର ମାନସ ପୁତ୍ର । ନିଜେ ଭଗବାନ ହେଇପଡ଼ିବାକୁ ଇଚ୍ଛା ସବୁ ଭକ୍ତିର ମୂଳରେ । ମୁଁ ରାଜନୀତି ପାଇଁ ସଂପୂର୍ଣ୍ଣ ଅପାରଗ; କାରଣ ମୋର ସତୀର୍ଥ ନୁହେଁ ବୋଲି ହିଁ କେବଳ ବିରୋଧୀ ଲୋକର ବିନାଶ ମୁଁ କାମନା କରି ପାରିନାହିଁ ।’

 

ମୋଟାମୋଟି କୈଳାସ ବାବୁ ରୋଗିଣା ହବା ଆରମ୍ଭ ସେଇଦିନୁ, ଯେବେଠୁଁ ସେ ଭୋଟ ଲଢ଼େଇରେ ହାରିଗଲେ । ସିଏ ଥିଲେ ଶରତ କାଳର ସ୍ଵଚ୍ଛ ପୁଷ୍କରିଣୀର ଜଳରାଶି–‘ତା ମଧ୍ୟେ ଢଳ ଢଳ ତୁହି କମଳ’ ପରି ବିମଳ ପୁରୁଷ ପୁଷ୍ପ । ଜଣେ ପରିପୂର୍ଣ୍ଣ ଭଲ ମଣିଷ ବୋଲି ତାଙ୍କର ଯେଉଁ ଆତ୍ମପ୍ରତ୍ୟୟ ଥିଲା, ତା ଶତ ଖଣ୍ଡିତ ହେଇଗଲା । ପୁଣି ତାଙ୍କରି ଗାଁରେ ଲୋକେ ବି ଭାବି ପାରିଲେ ଯେ ଇଏ ଲୋକ କେବେହେଲେ ଆମ ଗାଁ ପାଣି ପବନକୁ ଦର୍ପଣ ଭଳି ବିମ୍ବିତ କରି ପାରିବନି । ପ୍ରତିନିଧି ହେଲା ଆଉ ଜଣେ, ଯିଏ ଘର ଘର ବୁଲି ଖଣ୍ଡେ ଲେଖାଏଁ ଛାତ, ପଚିଶ ଟଙ୍କାର ଥଳି, ଆଉ ଜଗନ୍ନାଥଙ୍କ ମହାର୍ଦ୍ଧ ବାଣ୍ଟଗଲା ଭୋଟ ଦିନ ଆଗ ରାତିରେ ।

 

୧୬–ମିଛ । ଏଡ଼େ ସୁନ୍ଦର ନିର୍ମଳ ତକ୍ ତକ୍ ସୁନା ଶରୀରରେ କଣ କ୍ୟାନ୍‌ସର ହୁଏ ! କଣ କହନ୍ତି ଡାକ୍ତର ! ରକ୍ତ କୋଷର କୋଠରୀ ଗୁଡ଼ିକ ବଢ଼ି ବଢ଼ି ଅଲୋଡ଼ା ଭାବେ ବହୁଗୁଣିତ ହେଲେ ପରା ଏ ରୋଗ । ନାଇଁ ନାଇଁ ଡାକ୍ତର । ମୋ ପେଟରେ ଘା ପୁଜର ଜୈବିକ କୋଠରୀ ବଢ଼ି ବଢ଼ି ଯାଉଛି–କ୍ୟାନ୍‌ସର ହଉଚି ଭାବିବା ଭୁଲ । ଆସ ଘା ଘଉଡ଼ର କୋଠରୀ ସବୁ ଯୋଉଠି ବଢ଼ି ଚାଲିଚି ଦେଖେଇ ଦେବି ।

 

ସତ କ୍ୟାନ୍‌ସର ବଥା ଏଇ ଗୁଡ଼ାକ ଡାକ୍ତର–ଭୁବନେଶର ଅତିକାୟ ତ୍ରିରଙ୍ଗି ଉଡ଼ୁଥିବା ସାତ ମହଲା କୋଠା, ସଚିବାଳୟ, ନିର୍ଘାତ ଲମ୍ବ ଓସାର ଉଚ୍ଚତାର ପ୍ୟାଲେସ, ଅତିକାୟ ଚକ୍‌ଚକିଆ ଆସେମ୍ବ୍ଲି ଘର । ଏଇ ହେଲା ନମୁନା କର୍କଟ ରୋଗର ନ ଶୁଖିବା । କଞ୍ଚା ଦଲଦଲ ଦୁରାରୋଗ୍ୟ ଘା । କର ୟାକୁ ଅକ୍ତିଆର । ଆରୋଗ୍ୟ କର ।

 

୧୭–କଣ ପାଇଁ ଡାକିଥିଲ କହ ? ଶ୍ରବଣର ପ୍ରଶ୍ନ ।

 

‘କାଇଁ ତମ ମନରୁ ଡାକ ଉଠିଲାନି ଆସିବା ପାଇଁ–କୈଳାସର ସ୍ଵର ଅଭିମାନରେ ଗାଉଁ ଗାଉଁ ।

 

‘ସମସ୍ତେ କାତି ଛଡ଼ି–ତଫାତ୍ ହୋଇଯାଅ–ନଇଲେ ନିପାତ । ଯୋଗକଲେ ସନାତନ ପୁହାଣ ।

 

‘ଆତ୍ମରତିରେ ମାତ । ହାତ ଧରାଧରି ହୋଇ ଚଳିବାର ସୁବିଧା ଥିଲେ ଚାଲ । କା’କୁ ଡାକିବା ବା ଡାକକୁ ଅପେକ୍ଷା କରିବା ଢଙ୍ଗ ଛାଡ଼ । ହେଲେ ହୋଇଯା ପଛେ ଏକୁଟିଆ ବାହାରା ।’

 

ଶ୍ରାବଣୀର ପାପୁଲି କୈଳାସର କଙ୍କାଳ ସାର ଛାତିରୁ ବିଜୁଳି ବେଗରେ ମୁକୁଳି ଗଲା ।

 

‘କୁଆଡ଼େ ଗଲା ଆମ ଛୋଟପୁଅ ଶ୍ରାବଣୀ ! ଯିଏ ଆମକୁ ବାନ୍ଧି ରଖିଥିଲା ତାର କୁନି କୁନି ଦି ହାତରେ, କାହିଁଗଲା ସେ ! କୋଉଠି ଲୁଚିଛି ? ଛେପ ଢୋକ ବଡ଼ କଷ୍ଟରେ କହିଲା ଶ୍ରାବଣୀ–ମରିଗଲା ।

 

‘ବଡ଼ ସୁବିଧା କରି ଦେଇଗଲା ସତେ । ଆଉ ପରିବାର ଗଢ଼ିବାର ବାଧ୍ୟବାଧକତାରୁ ମୁକ୍ତି କରିଦେଲା ତମ ଦି’ଜଣଙ୍କୁ–ସନାତନ କହିଲେ । ସନାତନ ମନେ ମନେ କହୁଚନ୍ତି–‘ମୋର ଚାକିରି ଗଲା । ନିର୍ଭୀକ ମଣିଷର ଚିନ୍ତା ଉପରେ ବିଶ୍ଵାସ ତୁଟିଗଲା । ମୁଁ ଏଣିକି ଘରକୁ ଯିବି ।’

 

ଶ୍ରାବଣୀ ଗୁଣି ହାଉଚି–କେଡ଼େ ମନୋଜ୍ଞ ଶାଣଦିଆ ଛୁରୀ ପରି ପରିଷ୍କାର ମଣିଷଟିଏ ଏଇ କୈଳାସ । ଆଦର୍ଶ, ବିଶ୍ଵଶାନ୍ତି ଗରିବର ଅଭ୍ୟୁତ୍‌ଥାନ ଏଇ ଚିନ୍ତା ଆଉ ଉଦ୍ୟୋଗର ଘୋଷରାରେ ରୋଗ ମୂଳେଇ ଆଣିଲା । ଏବେ ତ କର୍କଟ ଗ୍ରାସ କରିଚ ତାକୁ । ପୁଅ ତ ମଲା । ମୁଁ ଆଉ ଶୁଆଶାରୀଙ୍କ ଗୀତ ଶିଖେଇ କେତେଦିନ ଆଶ୍ରା କରିବି ହାକିମଙ୍କ ଟିକିଏ ଦାନଦିଆ ସ୍ନେହ ଆଉ ଲଫଙ୍ଗା ଟୋକାଙ୍କ କାମୁକ ଇଙ୍ଗିତକୁ । ରାଜଧାନୀର ନିଃଶ୍ଵାସ ପ୍ରଶ୍ଵାସମାନେ ବି ହରତାଳ କରନ୍ତି ସ୍ନେହଲିପ୍‌ସୁ ଏଇ କେତୋଟି ପେଟ ପାଟଣା ଅର୍ଜୁଥିବା ଏକୁଟିଆ ଝିଅଙ୍କୁ ହନ୍ତସନ୍ତ କରିବା ପାଇଁ । ପଳେଇବ ସେ ଗାଁକୁ ।

 

ତାରି ଗାଁର ସନାତନ ପୁହାଣ ଯିଏ କି କିଛି ବିଶ୍ଵାସ କରେନି, କିଛି ପୂଜା କରେନି, କିଛି ସାଉଁଟି ପାରେନି ଅଣ୍ଟିରେ । କାହାର କାନ୍ଧରେ ହାତ ପକାଇନି, କାହାର ହାତ ଖୋଜିନି ତାକୁ ଭିଡ଼ି ନେଇ ବାଟ ଦେଖାଇବାକୁ । ସିଏ ବି ହାରିଗଲା । ତାର ବି ଗାଁକୁ ଫେରିବା ବେଳ ଆସିଗଲା ।

 

ସିଏ ବି ଯାଉ ଗାଁକୁ, ମୁଁ ବି ଯାଏ । କିନ୍ତୁ ‘ନରେ ବା ଗୁଞ୍ଜରେ ବା’ ମୃତ ବା ପ୍ରାଣବନ୍ତ କୈଳାସ ପତି ଯେମିତି ହେଲେ ଗାଁକୁ ଯିବ । ଉଜାଣି ନଇସୁଅ ନ ହେଲେ ଠିକ୍ ବାଟକୁ ଫେରିବନାହିଁ ।

 

୮–କଣ ତା ମୁଣ୍ଡରେ ପଶିଲା କେଜାଣି, ହାସପାତାଳରୁ ସିଧା ଫେରି ସାତତାଲା କୋଠାର ଦପ୍ତର ଭିତରେ ପଶିଲା ସନାତନ । ସେଇଠି ପୁଣି ସବୁଠୁଁ ବଡ଼ ହାକିମଙ୍କୁ କୋଠରୀର ଦୁଆର ଆଗରେ ଅଣ୍ଟାରେ ହାତ ଦେଇ ଫରକଟା ଗୋଡ଼ରେ ଠିଆ ହେଲା । ଠିକ୍ ଏଇ ଅଫିସ୍ ଘର–ଯାହା ସାମ୍‌ନାରେ ନାଲିବତି ଜଳୁଥାଏ ଓ ନିଶୁଆ ଜବର ମୋଟା ପିତଳ ବୋତାମ ଦିଆ ଧଳା ପୋଷାକ ପରିହତ ଦ୍ଵାରରକ୍ଷୀ ଷ୍ଟୁଲ ଉପରେ ବସିଥାନ୍ତି । ଦୁଆର ଠେଲି ପଶିଗଲା ଓ କଥାନାଇଁ ବାର୍ତ୍ତାନାଇଁ ଢି ଢା କରି ଦି ଚଟ୍‌କଣା ବସେଇ ଦେଲା ସ୍ତମ୍ଭୀଭୂତ ହାକିମଙ୍କ ଗାଲରେ ।

 

‘ମନେ ରଖିଥାରେ ହାକିମ ବୁଢ଼ା–ତୋର କେଶାଗ୍ର ସୁଦ୍ଧା କାଶ୍ମିନ କାଳେ ହୋଇଯାଉ ନିମିଷକ ପାଇଁ । ସେତକ ହୋଇଗଲା । ସେଠଉଁ ପଳେଇଗଲା ଫରେଷ୍ଟ ପାର୍କରେ ଯେତେ ସାନଦାର ଭଳିକି ଭଳି ମହଲ ଉଭା ହେଇଚି । ତାର କାନ୍ଥ ବାଡ଼ରେ କୋଇଲା ଖଣ୍ଡେ ଧରି ଯାବତୀୟ ଛୋକାର କଥା ଓ ଚିତ୍ର ଲେଖିଲା । ସେଠୁ ପଳେଇଗଲା ସହରର ମଧ୍ୟସ୍ଥଳରେ ଚକଚକିଆ ହୋଟେଲ୍ ଓ ବିନୋଦନ କେନ୍ଦ୍ର ଆଗରେ ଯେତେ ତହୁଁ ବଳି ତହୁଁ ବଳି ମଟର ଗାଡ଼ି ଥୁଆ ହୋଇଚି ତା’ର ଚକାରୁ ପମ୍ପ ଖୋଲିଦେଲେ; ଆଉ ଉଇଣ୍ଡ୍ରସ୍କ୍ରିନ୍‍ଗୁଡ଼ାକୁ ବୋଲୁଅ ମାରି ଫଟେଇଲା । ମନ୍ଦିରକୁ ଯାଇଥିବା ପୁରୀ ରାସ୍ତାରେ କାନ୍ଧରେ ବାହୁଙ୍ଗା ପକେଇ ବିଠେନି ଲେଖାଏଁ ଗଙ୍ଗାଜଳ ବୋହୁଥିବା ଓ ଘଣ୍ଟି ବଜେଇ ‘ଜୟ ଶିବ ଶମ୍ଭୋ’ ଉଚ୍ଚାରଣ କରି ଧପଡ଼ୁଥିବା ଆଠଦଶ ଜଣ ଉତ୍ତର ଦେଶର ଲୋକଙ୍କର ଗୋଡ଼ ଛନ୍ଦି ଗୋଇଠା ମାରି ଚିତ୍‌ପଟାଙ୍ଗ୍ କରି ସାରିଲା ପରେ ହୋଃ ହୋଇ ହସିଲା, ତା’ପର୍ ଗଲା ସବୁଠୁଁ ବଡ଼ ପୋଷ୍ଟ ଟେଲିଗ୍ରାଫ୍ ଅଫିସକୁ । ଯେତେ କିରାଣୀ ଚପରାଶି ଅଫିସର ଜମା ହୋଇଥିଲେ ସମସ୍ତଙ୍କୁ କହିଲା ଆଜିଠୁଁ ଡାକ ତାର ଯିବା ଆସିବା ବନ୍ଦ । ଡକାହକା ବନ୍ଦ । କିଛି ଯାଏନା କିଛି ଆସେନି । କେହି କୁଆଡ଼େ ଖବର ଅନ୍ତର ପଠେଇବା ବା ମେଘଦୂତକୁ ଅପେକ୍ଷା କରିବା ଅର୍ଥହୀନ । ଯିବା ଆସିବା ଆଦୌ ନ ଥିଲେ ଏ ସହର ହବ ସବୁଠୁଁ ସୁରକ୍ଷିତ । ବନ୍ଦ ବନ୍ଦ, ଯିବା ଆସିବା ସବୁ ବନ୍ଦ ଏ ରାଜ୍ୟକୁ । ୟା କହୁ କହୁ ନିଆଁ ଲଗାଇ ଦେଲା କଉଁଟର ତିଆରି ହୋଇଥିବା କାଠର ଅର୍ଗଳରେ ।

 

ଏସବୁ ବିଚକ୍ଷଣ କାର୍ଯ୍ୟ କରିସାରିବା ପରେ ଶୋଇଲା ଯାଇ ମାଳି ସାହିର ବରାବର୍ ପୁଲିସ୍ ଖାନ୍‌ତଲାସ୍ କରୁଥିବା ଏକ ଦିହସୁହା ବଦନାମ ନୂଆଁଣିଆ ଖପରଲି ଘରେ । ସେଠି ମୁହଁରେ ହନୁହାଡ଼ ଦିଶୁଥିବା ପାଞ୍ଚଛଅଟି ଅଳ୍ପବୟସୀ କାଳିଝିଅ ତାକୁ ଗୋପନରେ ରଖି ଶୁଶ୍ରୂଷା କଲେ । ଦିହରୁ କମ୍ପ ଜର ଉତୁରିବାକୁ ଲାଗିଗଲା ସପ୍ତାହେ କାଳ ।

 

୨୯–ଗାଁ ଲୋକେ ଯାଇ ବହୁତ ଠାକୁରାଣୀ ପଢ଼ି ମୁଣ୍ଡରେ ଏକାଠି ହୋଇଚନ୍ତି । ପାହାନ୍ତା ପହରରୁ । ଏଇ ରାସ୍ତାରେ ଆଜି ଋଷି ପଳାଇଥିବା କାଳପୁରୁଷମାନେ ଫେରିବେ । କିଛି ଦୂରରୁ ଦିଟା କଳା ଝିଣ୍ଟିକା ପରି ଛାଇ ଓସ୍ତ ମୋଡ଼ ବୁଲି ଏଆଡ଼ିକି ମୁହାଁଇଲେଣି । ନିକଟରୁ ନିକଟ ହେଉଛନ୍ତି । ସେମାନଙ୍କ ପୁରା ଅବୟବ ଦିଶିଲାଣି । ଆଗରେ ଗାଁ ଝିଅ ଶ୍ରାବଣୀ, ପଛରେ ଗାଁ ପୁଅ ସନାତନ । ସେମାନଙ୍କ କାନ୍ଧରେ ଦିଟା ବାହୁଙ୍ଗା ଉପରେ ଶୋଇଛି କୈଳାସର ଶବ । ଲୋକଙ୍କ ଗହଳି ଆଡ଼େଇ ସେମାନେ ସିଧା ଚାଲିଲେ ନଇକୂଳକୁ । ଯିମିତି ସେ ଶବଟାକୁ ନଇ ମଝିକୁ ଫିଙ୍ଗି ଦେଇଚନ୍ତି, ପାଣି ଧାର ଠିକ୍ କରି ନିଶ୍ଚଳ ହୋଇଗଲା ଶବଟା ପୂରା ପାଣି ତଳକୁ ଟୁବ୍ କରି ବୁଡ଼ିବା ପର୍ଯ୍ୟନ୍ତ । ଚବକିଲାନି କି ଚହଲି ନାଇଁ ପାଣି । ଖାଲି କାଗଜ ଖଣ୍ଡେ ଅଧାରୁ ଦିଫାଳ ହେଇ ଚିରିଗଲା ପରି ତଟସ୍ଥ ଜଳରାଶି କୈଳାଶକୁ ବସର୍ଜିତ ହେବାପାଇଁ ବାଟ କରିଦେଲା ।

 

ସେଇ ମୁହୂର୍ତ୍ତରୁ ନଈଧାର ଆଉ ଉଜାଣି ବୋହିଲାନି । ଏବେ ପାଣି ଗଡ଼ିଲା ପ୍ରପାତଠୁଁ ସମୁଦ୍ର ଦିଶରେ ତଳକୁ ତଳକୁ ଯେମତି ସବୁ ନଈ ବହିବା ଉଚିତ ।

 

ଗାଁ ଲୋକେ କିନ୍ତୁ କାନ୍ଦି କାଟି ଅସ୍ଥିର ।

 

ସେମାନେ କ’ଣ ଚିରାଚରିତ ବାରଘଣ୍ଟିଆ ଆଲୁଅ ଅନ୍ଧାର ଆଉ ବ୍ୟତିକ୍ରମହୀନ ପିନାକୀ ଜଟରୁ ‘ଗଙ୍ଗା’ର ଧରାବତରଣକୁ ସ୍ୱାଗତ କରି ନଥିଲେ !

Image

 

ଚିମିନି ଓ ରାକା

 

“ହାଃ–ଆ–ଆ–କଣ କହୁଥିଲି–ୟେ” । କଣ୍ଡକ୍ଟର ବାବୁଙ୍କୁ ପଇସା ବଢ଼ାଇ ଦେବା ପରେ ଏ ବକ୍ତବ୍ୟ–“ଊଣେଇଶ୍‌ଶ୍‌ ବୟାଳିଶ ଅକ୍ଟୋବର ପର୍ଯ୍ୟନ୍ତ ମୋର ଦିନ୍ ଖିଅର ହବାର ଅଭ୍ୟାସ ଥିଲା । ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, ମୁଁ ମୁହଁକୁ ମାଖୁନ୍ କରି ଖିଅର ନ ହୋଇ ଏମିତି କଳା, ବାଦାମୀ ଓ ଚକୋଲେଟ୍ ରଙ୍ଗର ଗୋଛାଏ ଦାଢ଼ୀ ବଢ଼େଇଛି କାହିଁକି ? ମୋର ଘରବାଲୀ ବି ଖୁବ୍ ବିଗିଡ଼େ: ଦାଢ଼ୀ ରଖିବାରେ କୁଆଡ଼େ ପ୍ରମାଦ ଅନେକ । ହେଃ–ହେଃ–ହେଃ–ଏଃ’ ର ଦଶଶନ୍ୟ ମୁହଁରେ ଚେଷ୍ଟାକୃତ ଉସୃଙ୍ଖଳ ହସ । ଆପଣ ବର୍ନାଡ଼ ଶା’ଙ୍କୁ ଜାଣନ୍ତି ?–ଲୋକଟାଏ ମେଧା ଥିଲା–ଖୁଉବ୍ ‘ସ୍ରିଉଡ୍‍–ଖୁଉବ୍ ଚାଲକ୍ । ଜଣେ ନାରୀ ସ୍ତାବକ ଦିନେ ହଠାତ୍ ଆବେଗରେ ତାଙ୍କ ମୁହଁ ଉପରେ ହାତ ଚଳାଇ ଦେଖିଲେ ଯେ ଲୋକଟାର ଦାଢ଼ୀ ରଖିବା ପଛରେ ଆଦର୍ଶ ବା ଜେନିୟସ ସୁଲଭ ଖିଆଲ କିଛି ନାଇଁ । ଅଛି କେବଳ ଓଠ ଉପାନ୍ତରେ ଅନେକ ବସନ୍ତ ଦାଗର ଜାଲିଚଟୁକୁ ଘୋଡ଼ାଇବା ଲାଗି ବୁଦାଏ କୁଣ୍ଡଳୀକୃତ ଦାଢ଼ୀର ‘କ୍ୟାମୋଫ୍ଲେଜ୍’ । ଇଂରେଜଗୁଡ଼ାକ ଛୁଞ୍ଚିମୁହଁ । ଅସଲ କଥାଟାକୁ ଢେର୍ ଦିନ ଲୁଚାଇ ରଖିଲେ । ତାଙ୍କର ସମାଲୋଚକମାନେ କହିବୁଲିଲେ ଯେ ଶା’ଙ୍କର ପ୍ରତ୍ୟେକଟି ଐକିକ ଦାଢ଼ୀର ମୂଳରେ ମେଧା ଆଉ ପ୍ରଜ୍ଞାର ଅଣୁ ପରମାଣୁ ଭରି ରହିଛି । ସୁତରାଂ ତାଙ୍କ ଆଖିରୁ ଜ୍ଞାନ ଆଲୋକ ଝରେ–ଓଠରୁ ସାହିତ୍ୟ ଝରେ–ହାଁ କଣ କହୁଥିଲା ? ସେ ଥିଲା ୧୯୪୨ ସାଲର କଥା”–

 

“ରାଆମଗଡ଼୍–ଉତ୍‌ରୋ–ଉତ୍‌ରୋ–ରାଆମଗଡ଼–” ଭଦ୍ରଲୋକଙ୍କ କଥା ଥମିଲା । ବସ୍ ଅଟକିଲା । କେଇଜଣ ଓହ୍ଲେଇଲେ–ଉଠିଲେ ଜଣେ ବୃଦ୍ଧା ଓ ସାଥିରେ ଜଣେ ପଞ୍ଜାବୀ ଆଉ ସଲଓ୍ୟାର ପରିହିତା ‘ଏ ଯୁଗର’ ଝିଅଟିଏ । ସ୍ମୃତିରେ ଚହଳୁଛି କୌଣସି ପାଶ୍ଚାତ୍ୟ ଚିତ୍ରକଳାର ଇତିହାସ ବହିର ଫଟୋଗ୍ରାଫ୍ ସବୁ–ଡାକ୍ତର ବାବୁ ଠିକ୍ ମନେ ପକେଇଛନ୍ତି । ଲିଓନାର୍ଡ଼ ‘ଡାଭିନ୍‌ଚିଙ୍କ’ ମେଡ଼ୋ ନା ଅଫ୍ ଦି ରକସ୍–ଆଖିଗୁଡ଼ାକ ସେମିତି ଚିଲ୍ଲା ଈଷତ୍ ଫିକା ନୀଳ–ଭସାଣିଆ; କଳାଭଅଁର ଡାୟେରୀ ଉପରେ ଘୂରି ଘୂରି ନାଚୁଛି–ମିଶୁଛିତ ଅନେକ ! ଭଦ୍ରଲୋକ ଜଣକ ସମ୍ଭ୍ରାମତା ସହିତ ଲାଗି ଆସିଲେ ଡାକ୍ତର ବିଶ୍ଵନାଥଙ୍କ ବାଁ କରକୁ । ଡାକ୍ତର ଦୃଷ୍ଟି ଫେରାଇ କବାଟଆଡ଼ୁ ଜାବୁଡ଼ି ଧରି ବସିଲେ । ଭଦ୍ରମହିଳା ଦୁଇ ଜଣଙ୍କ ଲାଗି ସ୍ଥାନର ବ୍ୟବସ୍ଥା ହୋଇଗଲା ।

 

“–ଶୁଣ ଡାକ୍ତର–୧୯୪୨ର କଥା–ମୁଁ ବହୁତ ପୁରୁଣା ଲୋକ, ଆଲାନ୍ ଅଣ୍ଟାଭିୟାନ ହ୍ୟୁମ୍‌ଙ୍କର ଜଣେ ବଂଶଧର ମୋର ବିଶିଷ୍ଟ ବନ୍ଧୁ–ସେଇ ମାନେ ବର୍ଣ୍ଣାଡ଼ଶ୍‌ର ଏ ଦୁର୍ବଳତାର କଳଙ୍କ ଗାଥା ଶୁଣେଇଥିଲେ ।–ତୃତୀୟ ଲୋକ ଜାଣନ୍ତିନି–ଅଥଚ ମୋର ଆପଣଙ୍କ ପ୍ରତି କେଇ ଘଣ୍ଟାରେ ଆତ୍ମୀୟତା ଚେଇଁଛି–ମୁଁ କହି ପକେଇଲି । ଏ କଥା ବଡ଼ ଗୁପ୍ତ–ଏଇ ମୋର ଦାଢ଼ୀ ରଖିବା ପଛରେ ପ୍ରତାରଣା ଛଳନା କିଛି ନାଇଁ...” । ଭଦ୍ରଲୋକ ଅପୂର୍ବ ଉଲ୍ଲାସରେ କହି ଚାଲିଛନ୍ତି । ମୁହଁର ରଙ୍ଗ ବଦଲୁଛି । କଣ୍ଠସ୍ଵର ଭାବାବେଶରେ ଉଠୁଛି ପଡ଼ୁଛି । ବାଁପଟ କଣ୍ଡକ୍ଟର ଆସନ ଆଢ଼ୁଆଳକୁ ଖୁବ୍‍ ନିପୁଣ ହାତର ପ୍ରସ୍ତୁତ ଦୁଇଟି କଳା ଲମ୍ୱବେଣୀ ଆଗକୁ ଝୁଙ୍କି ପଡ଼ିଲା । ଡାକ୍ତର ଲକ୍ଷ୍ୟକଲେ ପଞ୍ଜାବୀ ଝିଅଟି ତାଙ୍କୁ କଣେଇଁ ଅନଉଛି । ଡାକ୍ତର ବାହାରକୁ ଚାହିଁବାର ଛଳନା କଲେ । ଝିଅଟିର ମୁହଁରେ ଅନେକ ଚିହ୍ନା ଚିହ୍ନା ବିଜ୍ଞପ୍ତି, ହେଇ ହସ ଚେନାଏଁ ଈଷତ୍ ଦବିଯାଏ, କାନମୂଳ ଲାଲ ହୋଇ ଆସେ । ସବୁ ଝିଅ ଏମିତି ହସିବ ଉଚିତ୍ । ମନିଷା ଏମିତି ହସେ–ମାତ୍ର ଦଶ ମାସର ବ୍ୟବଧାନ–ଯୁଗେ ବିତିଗଲା ପରି ଲାଗୁଛି–କିନ୍ତୁ ସ୍ଵପ୍ନ, ସ୍ମୃତି ସବୁ ସେମିତି ସବୁଜ ରହିଛି । ପଞ୍ଜାବୀ ଝିଅଟିର ପ୍ରୋଫାଇଲ୍ ଠିକ୍ ମନିଷା ପରି; ଧାରୁଆ, ଚିକ୍‌କଣ ଲାଲ । ପଶ୍ଚିମରେ ଓହ୍ଲାଇ ଆସୁଥିବା ସୂର୍ଯ୍ୟର ବିଞ୍ଚି ପଡ଼ୁଥିବା ବିଷର୍ଣ୍ଣ ବ୍ରୋଞ୍ଜ୍ ଆଲୁଅ ଚେନାଏଁ ଲାଗିଛି ସେ ଗଣ୍ଡାରେ–ଆଉ ଫାଟି ପଡ଼ୁଛି କେରା କେରା ହୋଇ ସେଇ ଫୁର୍ ଫୁର୍ ଉଡ଼ୁଥିବା କବରୀ ଭିତରେ । ଡାକ୍ତର ବିଶ୍ଵନାଥଙ୍କ କଳ୍ପନାରେ କବିତ୍ଵ ଉକୁଟୁଛି । –“ଠିକ ଠ’ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ...” ଗାଇ ଉଠିବେ ପରା ମନିଷା ଏଇନା ଲାବରେଟେରୀରୁ ଫେରୁଥିବା ରିକ୍‌ସାରେ । କବରୀର ଗୋଲାପ ମଉଳି ଯିବଣି । ରୁମାଲରେ ଝାଳ ପୋଛୁଥିବ । ଆଖିଗୁଡ଼ାକରେ କଳା ଫୁଲର କ୍ଳାନ୍ତି ।

 

ମେଡ଼ୋନା ଅଫ୍ ଦି ରକସ୍‌ର ମତୁଆଲା ଆଖି–ସ୍ଵପ୍ନ କଟିଯାଉଛି–ସାଦା ହୋଇଆସୁଛି ଦିବାସ୍ଵପ୍ନର ବର୍ଣ୍ଣିଳ ରୋମାଞ୍ଚ ।

 

ଅନେକଗୁଡ଼ାଏ ପାନ ରୋମନ୍ଥନ କରିବା ଭିତରେ ଭଦ୍ରଲୋକ ବିଶୁଦ୍ଧ ହିନ୍ଦୀରେ ବତ୍କୃତା କରି ଚାଲିଛନ୍ତି । “ଆମେମାନେ ବ୍ୟକ୍ତିଗତ ଭାବରେ ଗୋଟାଏ ଗୋଟାଏ ନିଚ୍ଛକ୍ ଶପଥ ଗ୍ରହଣ କଲୁ । ଆମେମାନେ ହେଲୁ ‘ରିବେଲ୍’ ବିଦ୍ରୋହୀ ।–ଅଳନ୍ଧୁ ଅନାଚାର ସଙ୍ଗେ ଖୁବ୍ ଲଢ଼ିଛି, ପୁଣି ଲଢ଼ିବୁ । ଆପଣ ‘ଫିଡ଼େଲ କ୍ୟାଷ୍ଟ୍ରୋଙ୍କୁ’ ଜାଣନ୍ତି ? ସେ ହେଲେ “କ୍ୟୁବାର’ ହିମାଳୟ–ଦେଶର ଲଢ଼ୁଆ ସେନାପତି । ପଣ ହେଲା ସଂଗ୍ରାମ–ସ୍ୱରାଜ ପାଇଁ ସଂଗ୍ରାମ–ତାଙ୍କର ଦାଢ଼ୀ ରଖିବା ପଛରେ ଆଦର୍ଶ ଅଛି । ଦାଢ଼ୀ ସଂଗ୍ରାମ ମଣିଷକୁ ଆତ୍ମବିଶ୍ଵାସ ଦିଏ, ସ୍ଫୁର୍ତ୍ତି ଦିଏ, ନଚେତନା ଦିଏ । ପ୍ରଶ୍ନ ଉଠିପାରେ ମୁଁ କ୍ୟାଁ ଦଢ଼ୀ ରଖିଲ ? ମୁଁ ଏଇକଥା ସମସ୍ତଙ୍କୁ କହେ–ଦେହର ଏକ ପ୍ରଧାନ ଲୋମଶ ଅଂଶ ପ୍ରଭୃତ ବେଗରେ ବୃଦ୍ଧିପାଏ । ଆମେମାନେ ଦର୍ପଣ ଆଗରେ କିମ୍ବା ହାତମାରି ଜାଣିପାରିଥାଉଁ ଯେ କିଛି ଗୋଟାଏ ବଢ଼ୁଛି । ମଣିଷର ବେଗବତ୍ତା ଆଉ ପ୍ରଗତିଶୀଳତା–ଏ ସବୁର ନିଛକ୍ ସିମ୍ବଲ ହେଲା ଦଢ଼ୀ । ଦାଢ଼ୀ ନ ଥିଲେ........କ୍ଷମା କରିବେ । ଏଇ–କ୍ଷମା କରିବେ । ଏଇ ଆସିଗଲା । ଚନ୍ଦନପୁର । ମୋର ‘କନଷ୍ଟିଚ୍ୟୁଏନ୍‍ସି’–ଏ ମାଟିରେ ମୁଁ ଝାଳ ମିଶାଇ କାମ କରିଛି–ଏ ମୋର ତୀର୍ଥ ଆସିଗଲା–ଅଃ–

 

“ଓହ୍ଲେଇଲି । ହଉ–ନିମନ୍ତେ ପୁଣି କେବେ–ଆପଣ ବଡ଼ ମେଳାପୀ–”

 

“ଆପଣ ବି ଖୁବ୍...”

 

ଭଦ୍ରଲୋକ ଓହ୍ଲେଇଯିବା ପରେ ଡାକ୍ତର ବିଶ୍ଵନାଥ ଟିକିଏ ଆରାମରେ ହାଇମାରି ଝାଡ଼ିଝୁଡ଼ି ହୋଇ ବସିଲେ । ବୃଦ୍ଧା ଓ ତାଙ୍କ ସମ୍ପର୍କୀୟା ‘ଏ ଯୁଗର’ ଝିଅଟି ଘୁମେଇ ପଡ଼ିଲାଣି । ବେଣୀ ଦି’ଟା ବକ୍ଷ ଉପରେ ଦୋହଲୁଛି । ଉତ୍ତର ପ୍ରଦେଶର ଏ ଅଞ୍ଚଳର ରାସ୍ତାଗୁଡ଼ାକ ଚମତ୍କାର । ମଟରଗାଡ଼ି ମାଛଭଳି ପହଁରିଯାଏ । ଶୋଇପଡ଼ିଲେ ମା’ କୋଡ଼ର ଭ୍ରମ ଆସିଯାଇ ପାରେ । ସିଏ ଶୋଇପଡ଼ିଛି–ପ୍ରୋଫାଇଲ୍ ଠିକ୍ ମନିଷା ପରି । ପ୍ରତାପଗଡ଼ରେ ବସ୍ ଲାଗୁ ଲାଗୁ ପାହାନ୍ତା ହୋଇଯିବ । ଚବିଶ୍ ଘଣ୍ଟାର ରାସ୍ତା । ଡାକ୍ତର ଭାବୁଥିଲେ କାଲି । ଅଭିନନ୍ଦନର ଧୂମ୍–ସେଥିରେ କ’ଣ ଦଣ୍ଡେ ଫୁରସତ୍ ? ଆଖିକୁ ନିଦ ଆସୁନି । ତଥାପି ଆଖି ବୁଜିଲେ । ସେମାନେ ସବୁ ମନେ ପଡ଼ୁଛନ୍ତି । ଚାରି ବର୍ଷର ଦେହ ମନର ମମତା ସହଜରେ ତୁଟି ପାରେନା ।

 

ପ୍ରତାପଗଡ଼ର ବକ୍‌ସର ରୋଡ଼ । ଛୋଟ ଡାକ୍ତରଖାନାଟିଏ । ପାଖକୁ ଲାଗି ମସ୍ତବଡ଼ ବାୟୋଲୋଜିକାଲ ଗବେଷଣାଗାର । ପଛରେ ବିରାଟ ଟିଣ କାରଖାନା । ଦିନ ରାତି ଆଠ ଦଶଟା ଲାଗି ଲାଗି ଚିମିନି ପିଃ ପିଃ ତତଲା ଧୂଆଁ ନିଶ୍ଵାସ ଛାଡ଼ିଛନ୍ତି । ପାଖକୁ ଲାଗି ମାଇଲିଏ ଲମ୍ବର ଆଜବେସଷ୍ଟସ୍‌ ଛାତରୁ କୁଲି ମଜୁରିଆଙ୍କ ବସ୍ତି; ଚା’ ପାନର ଦୋକାନ ଆଉ ମଦ ଆଡ଼୍‌ଡ଼ା । ଚାରି ପୁରୁଷ ତଳେ ପ୍ରତାପଗଡ଼ ଥିଲା ରାଜା ଜମିଦାରମାନଙ୍କ ନିତ୍ୟ ବିଳାସ ନିକେତନ । ଅସୁମାରୀ ଫୁଲ ବଗିଚା; ଛୋଟ ଛୋଟ ସୁନ୍ଦର ବଙ୍ଗଳା–ସୁରା ସାକାରୀ ସୁଅ ଛୁଟୁଥିଲା । ଏବେ ତା’ ସରକାରଙ୍କ ନାମଜାଦା ଶିଳ୍ପାଞ୍ଚଳ । ଡାକ୍ତରଖାନା ଆଗର ରାସ୍ତା ଟପିଗଲେ ଆରପାଖେ ଧାଡ଼ି ଧାଡ଼ି ନୁଆଣିଆ ମାଟିଘର । ରାତିହେଲେ ମିଞ୍ଜି ମିଞ୍ଜି ଦୀପ ଆଲୁଅ ଜଲିଉଠେ, ଝୁମୁ ଝୁମୁ ନୂପୁରର ନିକ୍ଵଣ, ଚାପା ହସର ଢେଉ–ମଦ୍ୟପ ଆଉ ଜୁଆଡ଼ିଙ୍କ କୋଳାହଳ, ଅସମ୍ଭାଳ, ଅଶ୍ଳୀଳ ଚିତ୍‌କାର ବାୟୁମଣ୍ଡଳକୁ ଅତିଷ୍ଟ କରିଦିଏ । ଲୋହିତ ଆଲୋକର ରାଜକନ୍ୟା ଅଗଣିତ ଅଜଗରର ବିଷ ଲିପସାରେ ଝାମ୍ପିଦିଏ–ଲୋଟେଇପୋଟେଇ ହୁଏ–ପଃ ପଃ ନିଶ୍ଵାସ ଛାଡ଼େ । ଦିନକର ଗୁଜୁରାଣ ମେଣ୍ଟିଯାଏ । ମୋଗଲ ବାଦଶାହୀ ବିଳାସର ଏଇ ଏକମାତ୍ର ଉଦ୍‌ବୃତ୍ତ ପୁଲକ ଅନେକ ବର୍ଷ ତଳେ ଇରାନ୍, ଆଫଗାନିସ୍ଥାନ, ଲକ୍ଷ୍ନୋ ଓ ହାଇଦ୍ରାବାଦରୁ ଯେଉଁ ନିଶିକନ୍ୟାମାନେ ଏଇ ଅଞ୍ଚଳରୁ ଆମଦାନୀ ହୋଇଥିଲେ ଏଇମାନେ ହେଲେ ତାଙ୍କର ଦାୟାଦ ।

 

ଡାକ୍ତର ବିଶ୍ଵନାଥ ଯେଉଁଦିନ ଗବେଷଣା ସ୍କଲାରସିପ୍ ପାଇ ଏଇ ଡାକ୍ତରଖାନା ଆଉ ଗବେଷଣାଗାରରେ ଯୋଗଦେଲେ, ଟିଣ ଆଉ ଇସ୍ପାତ୍ କାରଖାନାର ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ, ସେଦିନ ତାଗିଦ କରି କହିଲେ “ଆଗରେ ରେଡ଼୍ ଲାଇଟ୍ ଜୋନ୍” ଏ ଲୋକଗୁଡ଼ାକ ଜାନୁଆର, ଛୋଟଲୋକ । କୌଣସି ସମ୍ପର୍କ ରଖିବେନି । ଅନେକ ସ୍କଲାର ଏଠୁ ବଦନାମ୍ ହୋଇ ଯାଇଛନ୍ତି । ଆପଣ ଟୋକା ଲୋକ ବାହା’ସା ହୋଇ ନାହାନ୍ତି । ଉତ୍ତରପ୍ରଦେଶରେ ଆପଣ ନୂଆ । “ବି’ ଷ୍ଟ୍ରେଟ୍ ଏଣ୍ଡ୍ ଷ୍ଟେଡ଼ି”, ପ୍ରଥମ ଦଶ ପନ୍ଦର ଦିନ ଖୁବ୍ ଭୟ ପାଇଯାଇଥିଲେ ଡାକ୍ତର–ଯିମିତି ବନ୍ୟ ଜନ୍ତୁଙ୍କ ଭିତରେ ସେ ବିଚରଣ କରୁଛନ୍ତି–ଟିକିଏ ବାଟ ହୁଡ଼ିଲେ ନିରାପଦ ନୁହେଁ ।

 

ନିଜକୁ ଭଦ୍ରଲୋକ ମନେକରୁଥିବା ଆଉ ଯଥେଷ୍ଟ ଆତ୍ମବିଶ୍ଵାସ ସଞ୍ଚୟ କରି ବାଟ ଚାଲୁଥିବା ମଣିଷ ପରି ଡାକ୍ତର ସଞ୍ଜହେଲେ ଗଣିକା ବସ୍ତିଆଗରେ ମୁହଁ ମୋତି ପୋତି କ୍ଲବ୍ ଦିଗରେ ଯା’ ଆସ କରନ୍ତି । ଶିଶିର ଶବ୍ଦ, ଟାହୁଲି ଟାପରା–ଆହାନର ଇସାରା–“ଜନାବ୍ ତସ୍‌ଲିଫ୍ ଲାଇୟେ–ଏକ୍ ନଜର ଇଧର ତୋ ଦିଜିୟେ” ଇତ୍ୟାଦିର ଉତ୍ସବ ଭିତରେ ପାଦ ବଢ଼ାଇବା କ୍ରମେ ଆଭ୍ୟାସଗତ ହୋଇ ଉଠିଲା । ବାତାବରଣ ପରିଚିତ ହୋଇ ଉଠିଲା । ଅଣନିଶ୍ଵାସୀ ହେବାର ଭୟ କଟିଗଲା । କ୍ଲବରୁ ଫେରୁ ଫେରୁ ସେଦିନ ବହୁତ ରାତି । ଗେଟ୍ ଖୋଲି ବସା ଦୁଆରବନ୍ଧକୁ ଉଠି ଆସୁ ଆସୁ ଦେଖିଲେ ପନ୍ଦର ଷୋହଳ ବର୍ଷର ଝିଅଟିଏ ଖିଡ଼ିକିକୁ ଆଉଜି କଇଁ କଇଁ ହୋଇ କାନ୍ଦୁଛି–

 

“କୌନ୍–କ୍ୟୁଁ ରୋ ରହି ହୋ ?”

 

“ସାଅ–ବ୍–ମମ୍ମି ଶକ୍ତ ବିମାର୍ । ଆପ୍ ଜେରା ଆଇୟେ ମେରି ସାଥ୍–ନେହିଁ ତୋ ଓ ମର୍ ଜାୟେଗୀ–ମୈ ବେସହାରା ହୋ ଯାଉଁଗୀ” । ଆଗ ପଛକୁ ନ ଭାବି ପାଦ ବଢ଼େଇ ଦେଲେ ଡାକ୍ତର । ଗଣିକ କଲୋନୀର ଛୋଟ ନୁଆଣିଆଁ ଘରଟିଏ । ମିଞ୍ଜି ମିଞ୍ଜି ଆଲୋକ । ସେ ଚିରବାସକ ସଜ୍ଵା ଭିତରେ ଶୋଇଛି ଶୀର୍ଣ୍ଣକାୟା ରମଣୀଟିଏ–ଆଖିରେ ନିଭିଲା ଦୀପର କ୍ଷଣିକ ସ୍ତିମିତ ଆଭା । ଚେନାଏଁ ବିଦ୍ରୂପର ବଙ୍କାହସ ଉକୁଟି ମଉଳିଗଲା ସେ ମୁହଁରେ । ଡାକ୍ତରଙ୍କ ଭଳି ସମ୍ଭ୍ରାନ୍ତ, ଲୋକର ଏ ହମ୍‌ଦର୍ଦି–ଏ ଅନୁଭୂତି ଏକବାରେ ନୂଆ । ଡାକ୍ତର ଜାଣିପାରିଲେ ଏହା ସେ ଅଞ୍ଚଳର ସେଇ ଦିହସୁଆ ଭୟାନକ ବ୍ୟାଧି । ସେ ଶପଥ ନେଲେ ସେ ଏହି ସ୍ନେହକାଙ୍ଗାଳ କିଶୋରୀଟିର ମା’କୁ ମରଣ ମୁହଁରୁ ଟାଣିବେ । ସିନେମା ‘ହିରୋ’ ଭଳି ହଠାତ୍ ‘ବଦାନ୍ୟ’ ହୋଇ ଉଠିଲେ ସେ । –ଏମାନେ ବି ଏ ମାଟିର ସନ୍ତାନ–ସବୁ ମଣିଷଙ୍କ ଭଳି ଏମାନେ ବି ବଞ୍ଚିରହି ଜୀବନର ସ୍ଵାଦ ଚାଖିବେ । ଡାକ୍ତର ଯୁବକ–ତାତିଲା ରକ୍ତ । ଏ ବୟସରେ ଆଦର୍ଶକୁ ଜାବୁଡ଼ି ଧରିବା ଶୋଭାପାଏ ?

 

କମ୍ପାଉଣ୍ଡି˚ ରୁମ୍‌ରୁ ଆବଶ୍ୟକୀୟ ଔଷଧ ତିଆରି କରି ସେ ଝିଅଟି ହାତରେ ଦେଲା ପରେ ବି କିଛି ସମୟ ବିତିଗଲା । ଝିଅଟିଏ ସେମିତି ଠିଆ ହୋଇ ରହିଛି । ଏତେବେଳଯାଏଁ ଝିଅଟିଏ ଭଲ ଭାବେ ଲକ୍ଷ୍ୟ କରି ନ ଥିଲେ ଡାକ୍ତର । ଭଙ୍ଗା ଭଙ୍ଗା ଉର୍ଦ୍ଧୁରେ ପଚାରିଲେ–ଆଉ କ୍ୟାଁ ଠିଆ ହୋଇଛୁ । ଝିଅଟିଏ ମୁରୁକି ହସି ସେମିତି ଠିଆ ହୋଇ ରହିଲା !

 

ଡାକ୍ତର ଏଥର ସିଧା ତା ମୁହଁକୁ ଚାହିଁଲେ–ଝିଅଟିଏ ସୁନ୍ଦରୀ–ସାବନ ଚମଡ଼ା ଉପରେ ଅପୂର୍ବ ଲାବଣ୍ୟର ଢେଉ । ଆଖିଗୁଡ଼ାକ ଏତେ ବଡ଼ ବଡ଼–ଟଣା ଟଣା–ଭସାଣିଆଁ–ଠିଇକ୍‍ ମନିଷା ପରି ମନିଷା ତାଙ୍କର ବାଗ୍‌ଦତ୍ତା । ଆଃ–ମନିଷା ଯେମିତି ଆଖିର ସକେଟ୍‍ ଭିତରୁ ବାହାରି ଯାଇ ମସ୍ତିଷ୍କର ପଛ ଭାଗରେ ଘାଲେଇ ପଡ଼ିଛି । ଆଗରେ ସେ ଝିଅଟି ।

 

ଝିଅଟିଏ ମୁନିଆଁ ଦୁଷ୍ଟି ସମ୍ଭାଳି ପାରିଲିନି ଯେମିତି । ଖୁବ୍ ଶଙ୍କି ଯାଇ ଛେପ ଢୋକି କହିଲା “ପାଉଣା ପାଇଁ ପଇସା ନାହିଁ । ମା କହିଛି ଆଜି ରାତିଟା ରହିଯିବି । ନଇଲେ ଆଜି କାଲି ଦି’ରାତି ।’ ଅଳ୍ପକେ ନିଜକୁ ଆତ୍ମସ୍ଥ କରି ନେଲେ ଡାକ୍ତର । କି ନୀଚ ଏମାନେ ! କି କୁତ୍ସିତ ଏମାନଙ୍କ ମନୋଭାବ । ସେ ଭଦ୍ର, ସମ୍ଭ୍ରାନ୍ତ । କିନ୍ତୁ ଝିଅଟି ପକ୍ଷରେ ଏହା ହିଁ ତାର ବେଉସା–ତାର ଦେୟ ଅତି ସାଧାରଣ ଇୟେ । “ହେୟ ! ଭାଗୋ–ଭାଗୋ ୟହାଁସେ” ସେ ପ୍ରାୟ ଚିତ୍କାର କଲେ । ଝିଅଟି ବିସ୍ମିତ ହେଲା, ଆଉ ତାପରେ ଧୀର ଗଳାରେ ବୁଝାଇଦେଲା ଯେ ଆଗରୁ ଯେତେ ଡାକ୍ତର ଥିଲେ ସମସ୍ତେ ଏଇ ପାଉଣା ନେବାରେ ଅଭ୍ୟାସ ଥିଲେ–ଆଉ ସେ ଦୃଷ୍ଟିରୁ ଡାଃ ବିଶ୍ଵନାଥଙ୍କ ହାବଭାବ ନିହାତି ଛୁଆଳିଆ ଆଉ ନିର୍ବୋଧ ।

 

“ଆଦମୀ ଜିତ୍‌ନା ବଡ଼ା ହୋତା ହୈ ନା’ ବାବୁଜି–ଉତ୍‌ନା ‘ବୁଜିଦିଲ୍’ ହୋତା ହୈ ।” ୟା ପର ଚବିଶ ଦାନ୍ତ ପ୍ରସାରଣ ଆଉ କେତେ ସେକେଣ୍ଡ ଧରି ଉନ୍ମାଦ ହସର ଜଳତରଙ୍ଗ । କହିଗଲା ସେ–ତୀର ଗେହ୍ଲା ନାଁ ‘ଚାନ୍ଦିନୀ’– । ଏ ସହରର ସମସ୍ତେ ଜାଣନ୍ତି । ଯେତେବେଳେ ଦରକାର ଡାକିଲେ ଚାଲି ଆସିବ । ଡାକ୍ତର ସେ ରାତିସାର ଶୋଇ ପାରିଲେନି । ସେ ଖାଲି ଶପଥ ପରେ ଶପଥ କରି ଚାଲିଲେ । ସେ ଏ ଲୋକଗୁଡ଼ାଙ୍କୁ ଉତ୍ତିଷ୍ଠତ, ଜାଗ୍ରତ, ପାପ୍ୟବରନ୍ ନିବୋଧତ ଶୁଣେଇବେ–ତାଙ୍କ ସାଙ୍ଗରେ କାନ୍ଧମିଳାଇ କାମ କରିବେ । ତାଙ୍କ ମନରେ ଆତ୍ମପ୍ରତ୍ୟୟ ଭରିଦେବେ । ମନିଷା ଇମିତି ବଦାନ୍ୟତାକୁ ଭଲ ପାଏ–ଆଦର୍ଶକୁ ପସନ୍ଦ କରେ । ସେ କେଡ଼େ ଖୁସି ନ ହେବେ ସତେ । ସବୁ ଝିଅ ଆଦର୍ଶକୁ ପସନ୍ଦ କରେ । ସେ କେଡ଼େ ଖୁସି ନ ହେବେ ସତେ-। ସବୁ ଝିଅ ଆଦର୍ଶକୁ ଭଲ ପାଆନ୍ତି; ସମସ୍ତେ ଖୁସି ହେବେ–କରତାଳି ଦେବେ । –କେଇଟା ଦିନ ଭିତରେ ଡାକ୍ତରଙ୍କ ସୁନାମ ମଦଖଟି, କୁଳିବସ୍ତି, ଗଣିକାୟ, ପାନ ଦୋକାନ ସବୁଠି ସଂଚରି ଗଲା-। ‘ଚାନ୍ଦିନୀ’ର ମା’ ଭଲ ହୋଇ ଉଠିଲା । ଲୋକେ ବାହାବା’ କଲେ । ଡାକ୍ତରବାବୁଙ୍କ ଦୁଆର ମୁହଁକୁ ତଳ ଶ୍ରେଣୀର ସବୁ ରୋଗୀଙ୍କ ସୁଅ ଛୁଟିଲା । କ୍ଳବର ଅଫିସର ଗୋଷ୍ଠୀ ନାକ ଟେକିଲେ, ବ୍ୟଙ୍ଗ କଲେ । କହିଲେ ଶେଷରେ ଏ ଡାକ୍ତର ବି ଗୋଳିପାଣି ପାଇଲା । ‘ସ୍ପଏଲଡ଼’ । ସବୁ ପ୍ରେମିକ ଭଳି ମନିଷା ଲମ୍ବ ଲମ୍ବ ଚିଠି ଲେଖିବାର ଅଭ୍ୟାସ କରିଛି । ଏ ଭିତରେ ଅନେକ ଚିଠି ଲେଖିଛି । ସବୁଥିରେ ସେ ଖୁବ୍ ବିବ୍ରତ । ଅଭିମାନ ଅଭିଯୋଗର ଦୀର୍ଘ ତାଲିକା । କେତେ କ’ଣ ଉଡ଼ାଖବର ସେ ଶୁଣିପାରିଛି । ତାର ପ୍ରେମଭିକ୍ଷୁ ଭାବୀ ସ୍ଵାମୀ କୁଆଡ଼େ ସୁରାସାକି ନେଇ ବ୍ୟସ୍ତ । ଡାକ୍ତର ବାବୁ ଓଲଟା ଚିଠି ଲେଖିଲେ–ମନିଷା–ଆତ୍ମସ୍ଥ ହୁଅ । ତୁମ ଛଡ଼ା ମୋ ମନ–ରାଜ୍ୟରେ ଆଉ କା’ର ଉପାସନା ହୁଏନି । ତୁମେ ଏଠିକି ଆସ–ନିଜ ଆଖିରେ ଦେଖିଯାଅ । ମୁଁ ଜୟଯାତ୍ରା କରୁଛି । କେଡ଼େ ବିଷାକ୍ତ ପରିବେଶକୁ ଆପଣାର କରି ନେଇଛି । ମୁଁ ଗରଳ ପାନକରି ନୀଳକଣ୍ଠ ହୋଇଛି । ମନିଷା ଆସିବ–କାଲି ପ୍ରଭାତରେ ଡାକ୍ତର ତାଙ୍କ ଜନ୍ମ ଦିନରେ ପ୍ରେୟସୀକୁ ସ୍ଵାଗତ ଜଣାଇବେ । ମନିଷା ନିଜ ଆଖିରେ ସବୁ ଦେଖିଯିବ–ତାଙ୍କର ପୁରୁଷକାର ଚରିତାର୍ଥ ହେବ । ମନିଷା ତାର ସେ ଶାଣଦିଆ ଆଖିରେ ଚାହିଁବ ସନ୍ଦେହ କଲା ଭଳି । ତା’ପରେ ହସି ପକାଇବ ଖିଲ୍ ଖିଲ୍–ଆଃ । ମୁଣ୍ଡଟା ଖୁବ୍ ଜୋରରେ ପିଟି ହୋଇଗଲା ବସ୍ ଝରକାରେ ରେଲିଂ ଉପରେ । ଆଖି ଖୋଲିଗଲା–ସ୍ଵପ୍ନ ଭାଙ୍ଗି ଗଲା । ପାଖରେ ଜାକିଜୁକି ହୋଇ ବସିଛି ସେ ପଞ୍ଜାବୀ ‘ଏ ଯୁଗର’ ଝିଅଟି । ବଲ ବଲ ଅନେଇଁ ରହିଛି ସେ ଡାକ୍ତରଙ୍କ ମୁହଁକୁ । ହଠାତ୍ ତଣ୍ଟି ଶୁଖିଗଲା ଭଳି ଲାଗୁଛି । ଗ୍ଲାସେ ଥଣ୍ଡା ପାଣି ମିଳନ୍ତା କି ? “ଏ ଓ୍ୟାଟ୍‌ର ବ୍ୟାଗ ଆପଣଙ୍କର ।”

 

“ଓଃ–ହଁ । ପିଇବେ । ମୁଁ ଦଉଛି”

 

“ଧନ୍ୟବାଦ–ମୁଁ ନେଇ ନେବି–ଏଣେ ଦିଅନ୍ତୁ ।”

 

“ନାଁ”–କିଛି ଭାବନ୍ତୁନି–ମୁଁ ଦଉଛି ।”–ଝିଅଟି ମୁରୁକି ହସି ମୁଣ୍ଡ ଲାଡ଼ିଲା ଆଉ ଗ୍ଳାସରେ ପାଣି ଭରିଲା । କି ଚମତ୍କାର ହସ–ଗଣ୍ଡ ଦୁଇ ପାଖେ ଚେନାଏଁ କଅଁଳ ମାଂସ ଚାପି ହୋଇ ଯାଇଛି-। ଠିକ୍ ମନିଷା ପରି–ଛୁଆଳିଆ–ସ୍ଫୁଟନୋନ୍ମୁଖୀ ମଲ୍ଲିଫୁଲିଆ ହସ । ଛାତ ଭାଗ ମୁନିଆଁ ଆଉ ଉଦ୍ଧତ ।

 

ଦୁପଟ୍ଟାଟା ଅଶ୍ଳୀଳଭାବେ ଉଠୁଛି ଆଉ ପଡ଼ୁଛି । ଡାକ୍ତର ବିଶ୍ଵନାଥ ଏକା ନିଶ୍ଵାସରେ ଗିଲାସେ ପାଣି ଢକଢାକ ପିଇଗଲେ । ଓଃ କି ଶୋଷ । ତେବେ ବି ଶୋଷ ମଲାନି । ମନିଷା ଆଃ–ମନିଷା । ମନିଷା ଥାନ୍ତା କି । କିନ୍ତୁ ମନିଷା ଯେ ଏଇ ସକାଳ ଏକ୍‌ସପ୍ରେସରୁ ଆଲାହାବାଦ୍ ଷ୍ଟେସନରେ ଓହ୍ଲାଇବ । ଡାକ୍ତର ବିଶ୍ଵନାଥ ତାକୁ ଆଲିଙ୍ଗନ କରିବେ । ବୋକ ଦେବେ । କେତେ ଆବେଗରେ ଭାବ ନେଣଦେଣ ହେବ । ମନିଷା କହିବ “ତୁମେ ମୋର ସ୍ଵପ୍ନରେ–ଜାଗରଣରେ...”-। ଡାକ୍ତର କହିବେ ‘ମୋର ବି, ମୋର ବି’ । “କେଡ଼େ ଶୁଖିଲା ଦିଶୁଛ ସତେ ?” ମନିଷା ଏମିତି ସବୁ ବେଳେ ପଚାରେ । “ହଃ–ତମ ପଣତ ତଳେ ଆଶ୍ରୟ ପାଇଲେ ପୁଣି ଚେଙ୍ଗା ହୋଇଯିବ ।” ଡାକ୍ତର ସବୁବେଳ ପରି ଇମିତି ଉତ୍ତର ଦେବେ । ସେଠଉଁ ମନିଷା ହସିବ । ଠିକ୍ ଏଇ ପଞ୍ଜାବୀ ଝିଅଟି ପରି-। ତାପର ମନିଷା ଚାହିଁବ ତାର ଏକଲବ୍ୟ ଦୃଷ୍ଟିରେ–ଟଣା ଟଣା ପୋଟଳଚିରା ଆଖିରେ ଠିକ୍ ଚାନ୍ଦିନୀର ଟଣା ଟଣା ପୋଟଳ– । ନାଁ । ଡାକ୍ତରଙ୍କ କଳ୍ପନା ହଠାତ୍ ବିପଦଗ୍ରସ୍ତ ହୋଇ ପଡ଼ିଲା-। ‘ଚାନ୍ଦିନୀ’ ଗଣିକା ସାଙ୍ଗରେ ପଞ୍ଚମ ବର୍ଷିୟା ମେଡ଼ିକାଲକଲେଜ ଛାତ୍ରୀ ‘ମନିଷା’ ଆଖିରେ ମିଶାଣ–ଏ ଯେ ଭୟଙ୍କର ଭୁଲ୍ । କ୍ୟାଁ–ଆଦର୍ଶ–ଆଦର୍ଶ କହୁଛି । ମୋ ଆଖିରେ ସମସ୍ତେ ସମାନ୍–ମନିଷା–ମେନକା, ମିନାକ୍ଷୀ–ପୋଟଳଚିରାକ୍ଷୀ–ଚାନ୍ଦିନୀ–ସମସ୍ତେ ଏ ମାଟି ପାଣିର ଦାୟାଦ । ସମସ୍ତେ ଏ ମନର ଅତି ପରିଚିତ–ଅତି ଆପଣାର । ହୃଦୟକୁ ସଭିଙ୍କୁ ଚେନାଏଁ ଚେନାଏଁ ବାଣ୍ଟି ଦେଖ, ସମସ୍ତେ ତାର ଉଚିତ୍ ମୂଲ୍ୟ ଦେଇଛନ୍ତି । କିଏ ଲୁହରେ, କିଏ ପ୍ରେମରେ, କିଏ ଆଶୀର୍ବାଦରେ, କିଏ ଆଲିଙ୍ଗନରେ । ଦରକାର ପଡ଼ିଲେ ଆଦର୍ଶ ପାଇଁ–ମନିଷାକୁ । ଏଁ, ଏମିତିକି ମ ନି-ଷାକୁବି, ହଟେଇଦେବାକୁ ପଡ଼ିବ । ପଶୁବୃତ୍ତିକୁ ଆଦର୍ଶ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ କରିବାକୁ ପଡ଼ିବ । ଡାକ୍ତର ଆବିଷ୍କାର କଲେ ତାଙ୍କ ହାତ ମୁଠା ମୁଠା ହୋଇ ଶୂନ୍ୟକୁ ଉତ୍‌କ୍ଷିପ୍ତ ହେବାର ଉପକ୍ରମ କରୁଛି । ହଠାତ୍ ସଂଯତ କରିନେଲେ ନିଜକୁ । ନାଁ ଆଉ ସଂଯତ କରିବା ନ ଥିଲା । ଗାଡ଼ି ଭିତରେ ସେ କେବେଳ ଜଣେ ମାତ୍ର ଯାତ୍ରୀ–ବାକିସବୁ ଓହ୍ଳେଇ ଗଲେଣି । ପଞ୍ଜାବୀ ଝିଅଟି ଆଉ ବଲ୍ ବଲ୍ କରି ତାଙ୍କ ମୁହଁକୁ ଚାହୁଁନି–ହସୁନି ବି । ସେ ବି କୋଉଠି ଓହ୍ଲେଇ ଗଲାଣି । କଣ୍ଡଟକର ବାବୁ ଜଣେଇଦେଲେ ଯେ ପ୍ରତାପଗଡ଼ ଆଉ ମୋଟେ ପଚିଶ ମାଇଲ । ଅଧଘଣ୍ଟାକର ବାଟ । ଡାକ୍ତର ଏଥର ସିଧା ହୋଇ ବସିଲେ ।

 

ପାରଶ୍‌ ନିଗମ୍‌ର ପାନଦୋକାନ ଚତ୍ଵର ଉପରେ ଏଇ କ୍ରମରେ କଥାବାର୍ତ୍ତା ଚାଲିଥିଲା । ଲେବର ଅଫିସର ଶ୍ରମିକଙ୍କ ସଙ୍ଗରେ ଚାଲବାଜି କରିଛି–ତିନି ମାସ ହେଲା ବୋନସର ନାଁ ଗନ୍ଧ ନାଇଁ । ‘ଚାନ୍ଦିନୀ’, ସିମକା, ରସିୟା ଏ ତିନିଟା ଝିଅଙ୍କୁ ରାମଜାନ ମୋତେଇଛି ଚାଲ କଲିକତା ନେଇଯିବି । ଏଠି ବେବସା ଧିମେଇ ଗଲାଣି । ତମର ଚେହେରା ଅଛି, ବଅସ ଅଛି, କଲିକତାଠାରେ ପୈସାବାଲା ଗରାଗ ବହୁତ୍‌ । ସେଠି ଗଲେ ମାଲାମାଲ ହୋଇଯିବ । ରାଣୀଭଳି ବଞ୍ଚିବ । ‘ରସିୟା’, ଆଉ ‘ସିମକା’ ରାଜି ହୋଇଚନ୍ତି । ଚାନ୍ଦିନୀ ଅବୁଝା ହେଉଛି । ରାମଜାନ୍‌ର ମଥା ଖରାପ ।

 

“ହ୍ୟାପ–ଏଥିରେ ଗୁମର ଅଛି । ଚାନ୍ଦିନୀକୁ ଡାକ୍ତରବାବୁର ନିଶା ଲାଗିଛି ।” “ଚୋପ୍‌–ପାରସ ନିଗମର ତର୍ଜନ–ଡାକ୍ତରବାବୁ ସେମିତି ଲୋକ ନୁହେ । ବଡ଼ ଉଚ୍ଚ ମିଞ୍ଜାସ । ଆମମାନଙ୍କ ଜୀବନ ରଖିଛି । ତା ନାଁରେ ଗୁଜବ୍‌ ।”

 

“ଡାକ୍ତରବାବୁ ଦିଲଦାରିୟା ଲୋକ”

 

“ହଁ ଦିଲଦାରିୟା–ପକ୍‌କା ଲୋକ–ପୈସା ବଢ଼େଇଲେ ଛୁଇଁବନି । ତାର କ’ଣ ପୈସା ଅଭାବ ଅଛି ?” ପଶ୍ଚିମର ଲଲାଟ ଲାଲ ହୋଇ ଉଠିଲଣି । ସୂର୍ଯ୍ୟ ଓହ୍ଲେଇବ ଏବେ । ଚିମିନି ଗୁଡ଼ାକରୁ ଧୂଆଁ ଉଠିବା ଧିମେଇଁ ଗଲାଣି । ବଡ଼ ବଡ଼ ଝାଉଁଗଛ ଦିଟାର ବାହାଙ୍ଗା ଭିତରେ ଉଡ଼ନ୍ତା ଧୁଆଁର କୁନ୍ତଳ ଜାକିଜୁକି, ଓଲଟପାଲଟି ହାଉଳି ଖାଉଛି–ଉପରକୁ ଉଠୁଛି ଶିରା ଶିରା ହୋଇ ଚଅଁର ପରି । ଦୁଇଟା ଜାଲିମୁଣିରେ ଗୁଡ଼ାଏ ତଟକା ବେଙ୍ଗ ଆଉ ଜିଅନ୍ତା ମୂଷା ଭର୍ତ୍ତିକରି ଡାକ୍ତରଖାନା ମେହେନ୍ତର ରାମ ଔତାର ସେଇବାଟେ ଫେରିଲା । ଡାକ୍ତରବାବୁ ଏ ଜନ୍ତୁଗୁଡ଼ାକ ଉପରେ ସ୍ପିରିଟ ଢାଳି କଟାକଟି କରି ଗୋଟାଏ ଲମ୍ବା ନଳୀ ଦେଇ କଣସବୁ ପରଖ୍ କରନ୍ତି । ତାପରେ ବିଡ଼ାଏ କାଗଜରେ ରାତି ରାତି ବସି କଣ ସବୁ ଲେଖନ୍ତି । ୟେ ତାଙ୍କର ଗବେଷଣା ରସିୟା ସାମନା ରାସ୍ତାରେ ବଜାର ସଉଦାମୁଣି ଧରି ଫେରିଲା । ପଚାରିଲା ଡାକ୍ତରବାବୁ ଘରେ ଯେ ଡାକ୍ତରବାବୁ ଘରେ ଅଛନ୍ତି ନାଁ ନାଇଁ ? ରାମ ଔତାର ଖବର ଦେଲା ଯେ ଡାକ୍ତର ବାବୁ ତିନି ରୋଜ ହେଲା ଲକ୍ଷ୍ନୌ ଯାଇଛନ୍ତି କଣ କାମରେ । କାଲି ଫେରିବେ । କାଲି ତାଙ୍କର ‘ସାଲଗିରା’ ହବ-। ଜନ୍ମଦିନ–ତାଙ୍କ ‘ହୋନେବାଲି’ ବିବି ଆସୁଛି । ଆହ୍ଲାବାଦ୍ ଷ୍ଟେସନରୁ ସେ ତାକୁ ପାଛୋଟି ଆଣିବେ । ରସିୟାର ଆଖି ଉଜ୍ଜଳି ଉଠିଲା କଣ ଗୋଟାଏ ଆହେତୁକ କାମନାରେ । ‘ହେୟ, ବିବି ସାହେବ ଭି ଆ ରହି ହୈ–ପାରାସ ଭାୟା–ହମ୍ ଡାକ୍ତର ବାବୁକା ସାଲଗିରାନେକା ବାଜହ ବଧାଇ ଦେଁଗେ ନହିଁ କ୍ୟା । ଡାକ୍ତର କଳ୍ପନା ଆଗ୍ର ଆଦମୀ ହୈ । କିତିନା ଖୟାଲ କରତା ହୈ ହମାରା-।” ପ୍ରସ୍ତାବଟା ପାରସ୍ ମନକୁ ପାଇଲା । ସତରେ ଡାକ୍ତରର ଜନ୍ମଦିନରେ ସାରା ଲୋକ ସମସ୍ତେ ତାଙ୍କୁ ଅଭିନନ୍ଦନ କରିବେ–ଅତି ଅପ୍ରତ୍ୟାଶିତଭାବରେ । ଡାକ୍ତରଙ୍କୁ ଅବାକ୍ କରିଦେବେ । କୃତଜ୍ଞତା ବିଜ୍ଞପ୍ତିର ଏ ମୌକା ଆଉ ଆସିବନି । ସମସ୍ତଙ୍କ ମୁହଁରେ ହଠାତ୍ ହସ ଉକୁଟି ଉଠିଲା । ସାଇର ସବୁ ମଜୁରିଆ ସୁଉକିଏ ଲେଖାଏଁ ଚାନ୍ଦା ଦେବେ । ଯୟକିଶନ ମହାରାଜ ଦୋକାନ୍‌ରେ ବିରିୟାନି ବନାଯିବ । ଚାରି ଡର୍ଜନ କୁକୁଡ଼ା କଟାଯିବ । –ୟାପର ରସିୟା, ଚାନ୍ଦିନୀ ଆଉ ସିମକା ଭୋଜପୁରୀ ନାଚ ନାଚିବେ । ରାମଜାନ ଆଉ ରସିଦ ଯଥାକ୍ରମେ କଓ୍ୟାଲି ଗାଇବେ ଓ ତାବଲା ସଙ୍ଗୀତ କରିବେ । ଖୁବ୍ ଜମିବ ଏ ଉତ୍ସବ । ଆଠ ଦଶ ବୋତଲ ଅସଲ ଗୋରଖପୁରି ସରାବ୍ ବରାଦ ଦିଆଗଲା । ହେଲେ ପାରସ୍ ଚେତେଇଦେଲା ଯେ ଡାକ୍ତରବାବୁ ବସାକୁ ଫେରିବା ପର୍ଯ୍ୟନ୍ତ ଯେମିତି କେହି ମାତାଲ ହୋଇ ପାଟିତୁଣ୍ଡ ନା କରନ୍ତି । ଡାକ୍ତର ମାତାଲ ହେଲେ ଖୁବ୍ ବିଗଡ଼େ । ତାର କିଛି ଅସମ୍ମାନ ହେଲେ ଆଉ ମୁହଁ ଚାହିଁବନି । ହଁ ।–ରମଜାନ ପ୍ରସ୍ତାବ ଦେଲା–ଡାକ୍ତର ଯେମିତି ଏସବୁ ଆୟୋଜନର ଆଗତୁରା କୌଣସି ଖୋଜ ନପାଏ । ସମସ୍ତେ ଡାକ୍ତର ବାବୁର ବାରିପିଣ୍ଡାରେ ପ୍ରତୀକ୍ଷା କରିଥିବେ । ଚୁପ୍ ଚାପ୍–ଯେମିତି ଡାକ୍ତରବାବୁର ଲମ୍ବ ବୈଠକଖାନାରେ ତମାସା ଆରମ୍ଭ ନ ହୋଇଯିବ, ରସିୟା, ସିମିକି ଆଉ ଚାନ୍ଦିନୀ କମର ନଚେଇ ଖିଲ୍ ଖିଲ୍ ହସି କୁରଙ୍ଗ ପରି ନାଚିଯିବେ । ଡାକ୍ତରବାବୁ ବିଭୋର ହୋଇ ପଡ଼ିବେ । ତାପର ମହଫିଲ୍‌ସ ‘କଓ୍ୟାଲି’ ର ଆସର । ଡାକ୍ତରବାବୁ ଆଉ ତାଙ୍କ ବିବିକୁ ଖାନା ପରଷିବ ଚାନ୍ଦିନୀ । ଏସବୁ କଳ୍ପନା କରି ଗଲାବେଳେ ପାରସର ଆଖି ମିଟିକି ଉଠୁଥିଲା ।

 

“କିନ୍ତୁ ସେ ବୁଢ଼ୀ କାନନ୍ ବାଈ କଣ’ ଆମକୁ ବେବସା ଛାଡ଼ି ଛୁଟିଦବ ।’’ କ୍ୟୁଁ ବେ–ରାମଜାନ ସରାବୀ ସ୍ଵରରେ ତର୍ଜନ କରି ଉଠିଲା–ମୋଲାଗି ତା ବେଉସା–ଚା’ କେମିତି ନା ଛାଡ଼ିବ ଦେଖିବି । ହାରାମଜାଦୀ–ଚଲ ଉଠ୍ ।” ରାମଜାନ ଆଉ ରସିୟା ଉଠିଲେ ଆଉ ଆଗେଇଲେ ଗଣିକା ବସ୍ତି ଦିଗରେ । ଭଙ୍ଗା ଭଙ୍ଗା ଉର୍ଦ୍ଦୁ, ଭୋଜପୁରୀ ଆଉ ହିନ୍ଦୀର ଏ ଆଲୋଚନା ଶେଷ ହେଲା । ନିମିଷେକେ ଏ ଖବର ସାହି ସାରା ଖେଳିଗଲା, ସମସ୍ତେ ପ୍ରସ୍ତୁତ ହୋଇପଡ଼ିଲେ । କାଲି ଡାକ୍ତରବାବୁର ‘ସାଲଗିରା’ ଉତ୍ସବ । ସମସ୍ତଙ୍କ ମୁହଁରେ ଉଦ୍ଦେଗ–କାଲି ତାମସା ହବ–ହସ, ଉଲ୍ଲାସ, ସରାଗରେ ପଟୁଆର, ମନ ନାଚିବ, ରକ୍ତ ନାଚିବ । ମହଫିଲ ସାରା ଗରମ ହୋଇ ଉଠିବ । ଚାନ୍ଦିନୀ ଆଖିରେ ନୀଳସ୍ଵପ୍ନ । ସେ କାଲି ଡାକ୍ତରବାବୁଙ୍କୁ କଣ ଗୋଟେ ଉପହାର ଦେବ–କାଲିର ପ୍ରତୀକ୍ଷରେ ତା ମନ କୁରୁଳି ଉଠିଲା ।

 

ଶୀତଦିନିଆଁ ବର୍ଷା–ସାଧାରଣଭାବେ ଝୁପୁରୁ ଝୁପୁରୁ ବର୍ଷେ । କିନ୍ତୁ ଏ ବର୍ଷା ବାଆ, ବତାସ, ମେଘଡମ୍ବରୁ ସବୁ ଆନୁସଙ୍ଗିକ ପ୍ରକ୍ରିୟା ସଙ୍ଗରେ ବାହା ମେଲେଇ ନିର୍ଘାତ୍ ବର୍ଷୁଛି । ‘ମନିଷାର’ ସ୍ଵାଗତ ପାଇଁ ଏସବୁ ନିହାତି ଅନୁକୁଳ ନୁହେଁ ଯେମିତି । ଟ୍ୟାକ୍‌ସିଟା ରାସ୍ତାର ଛପ୍ ଛପ୍ ପାଣି ଆଉ ପବନର ସୁଅ କାଟି ସର୍ ସର୍ ଛୁଟୁଛି । ପଛ ସିଟ୍‌ରେ ଡାକ୍ତର ବିଶ୍ଵନାଥଙ୍କ ବାହୁବେଷ୍ଟନୀରେ ସ୍ଵପ୍ନାତୁରା ହୋଇ ପଡ଼ିଛି ମନିଷା । ପ୍ରତାପଗଡ଼ ଆଉ ପ୍ରାୟ ପଇଁଚାଳିଶି ମିନିଟର ବାଟ । ସତୁରି ମାଇଲ ବିରକ୍ତିକର ଟ୍ରେନଯାତ୍ରା ପରେ ସହରର ଯେ କୌଣସି ସୌଖୀନି ଝିଅ କ୍ଲାନ୍ତ ହୋଇ ପଡ଼ିବା ସ୍ଵଭାବିକ । ଡାକ୍ତର ବିଶ୍ଵନାଥ ବୃଥାରେ ଆଳାପ ଜମେଇ ମନିଷାର ସୃଷୁପ୍ତିର ଆରାମକୁ ନଷ୍ଟ କରିବାକୁ ଚାହୁଁ ନଥିଲେ । କିନ୍ତୁ ମନିଷା ଚେଇଁଲା–ଚମ୍ପାଫୁଲିଆ ଆଙ୍ଗୁଠିଗୁଡ଼ିକ ଡାକ୍ତରଙ୍କ ଗ୍ରୀବା ଓ ଗଣ୍ଡ ଦେଶରେ ପହଁରି ଆସିଲା ।

 

“କେଡ଼େ ବଡ଼ ବଡ଼ ଦାଢ଼ୀ ବଢ଼େଇଚମ–ଖିଅର ହେବାକୁ କ’ଣ ସମୟ ହୁଏନି ?”

 

“ଏଇ ବର୍ଣ୍ଣାଡ଼ଶଙ୍କ କଥା ଧରାଯାଉ...”

 

“ଚୋଅପ୍–ସେ ବାଜେକଥା.....

 

“ଚୋଅପ୍” ଝିଅଙ୍କ ହାଇପିଚ୍ ସ୍ଵର । ୟାପର କ୍ଷଣକର ନୀରବତା । ପୁଣି ଫୁସ୍ ଫୁସ୍ । ଆର୍ଦ୍ର କରୁଣାକ୍ତ ସ୍ଵର ।” ତମେ କାହୁଁ ବୁଝିବ–ତମେ ମୋର ସ୍ଵପ୍ନରେ ଜାଗରଣରେ... “ ‘ମୋରବି–ମୋରବି” ।

 

“ତମେ ନଥିଲେ ହୁଏତ ଏ ଜନ୍ମରେ ମୁଁ ଏ ପୃଥ୍ଵୀରେ ଜନ୍ମ ହୋଇ ନଥାନ୍ତି’ । “ମୋରବି ମନେହୁଏ ମୁଁ ଗୋଟେ ସାଧାରଣ ମଣିଷଙ୍କ ଭଳି ପ୍ରଜନନ କ୍ରିୟାର ଉଦ୍‌ଭୂତ୍ ନୁହେ–ୟେ–ମାନେ ତମେ ଜନ୍ମ ନେବାର ଦେଖି ମୁଁ ବାୟୁମଣ୍ଡଳରୁ ମଣିଷ ବିଗ୍ରହରେ ଆତ୍ମୋଦ୍ଭବ ହୋଇପଡ଼ିଲି–ତୁମେ କାହୁଁ ବୁଝିବ ଏଇ ଏଗାର ମାସର ବିଚ୍ଛେଦରେ ମୁଁ କେମିତି ମସ୍ତିଷ୍କ ବିକୃତିର ସୀମାରେ ପହଞ୍ଚି ସାରିଲିଣି ।”

 

“ବୁଝିଛି ବୁଝିଛି–ଚୋଅପ୍” । ମନିଷା ପୁଣି ଘୁମେଇ ପଡ଼ିଛି ।

 

ରାତି ବାର ଟପିଲାଣି । ଟ୍ୟାକ୍‌ସି ଲାଗିଲା ଡାକ୍ତରବାବୁଙ୍କ କ୍ଵାଟର ବାହାରେ–ଠିଇକ ଲାବରୋଟେରୀ ସାମନାରେ । ମନିଷା ଆଖି ମଳି ମଳି ଓହ୍ଲେଇଲା, ୟେ କଣ ଲାବରୋଟେରୀ ଆଉ ବୈଠକ ଖାନା ସବୁଠି ଆଲୁଅ ଜଳୁଛି । ଭିତରେ ଅନେକ ଲୋକଗହଳି । ଭିତରୁ ଅସମ୍ଭବ ହସ, ଉଚ୍ଛ୍ଵାସ ଓ ଭଙ୍ଗା ଭଙ୍ଗା ମଦ୍ୟପୀ ସ୍ଵରର ଅସଞ୍ଜତ ଶବ୍ଦ ତରଙ୍ଗ । ଝୁମ ଝୁମ ନାଚାର ଆଓ୍ୟାଜ-। ବର୍ଷାର ଏ କରୁଣ ଚେହେରାକୁ ଆହୁରି ବିଭତ୍ସ କରି–ଡାକ୍ତରବାବୁ ପାଦେ ଆଗେଇଲେ–ତାଙ୍କର ହଠାତ୍ ଭ୍ରମ ଆସିଲା । ଏ ତାଙ୍କର ନିଜ କ୍ଵାଟର ତ–କିନ୍ତୁ ଏ ବଳେପଶି ମଙ୍ଗଳବାରିୟା ଅତିଥିଙ୍କ ରାସୋତ୍ସବ–ସେ କିଛି ବୁଝିପାରିଲେନି । ମନିଷା ଆଖିଦିଟା ଯେମିତି ବିସ୍ମୟ ଆଉ କ୍ରୋଧରେ ଦାଉଦାଉ ଜଳୁଛି । ଝିଅଗୁଡ଼ା ରାଗିଲେ ସତରେ ନିହାତି ପ୍ରିତିକର ଦିଶନ୍ତିନି-

 

ଡାକ୍ତର ଲମ୍ବ ଲମ୍ବ ପାଦ ପକେଇ ଉଠିଗଲେ ବାରଣ୍ଡା ଉପରେ । ଯୋତାତଳେ ବେଙ୍ଗଟାଏ ଚିପି ହୋଇଗଲା । ୟେ କ’ଣ–ଲାବରେଟେରୀର ଡ୍ରମଟା ଓଲଟି ପଡ଼ି ସେଥିରୁ ପ୍ରାୟ ଶହେ ପାଖାପାଖି ବେଙ୍ଗ ବାରଣ୍ଡା ସାରା ଡିଆଁ ଡେଇଁ ଆରମ୍ଭ କରି ଦେଇଛନ୍ତି । ଏରୁଣ୍ଡି ବନ୍ଧରେ ପାଦ ଦେଇ ଦେଖନ୍ତି ପ୍ରାୟ ପଚାଶ ସରିକି ମୂଷା ତାର ଜାଲି ଘେରା ରିଜରର୍ଭରରୁ ଫିଟି ଚେଁ ଚେଁ ଶବ୍‌ଦ କରି ଇତସ୍ତତଃ ଦୌଡ଼ାଦୌଡ଼ି ଆରମ୍ଭ କରି ଦେଇଛନ୍ତି ।

 

‘ଆଃ’–ମନିଷା ପ୍ରାୟ ଚିତ୍କାର କରି ଉଠିଲା ବିସ୍ମୟ ଆଉ ବିରକ୍ତିରେ । ଆଉ ଲାବରୋଟେରୀ ଭିତରେ ରୀତିମତ ମତୁଆଲ ଗଣିକାପୁରୀର ଦୃଶ୍ୟ । ଗୋଟାଏ ନାଲିଜାମା ଆଉ ଚପକନ୍ ପିନ୍ଧି ମଦ ଖାଇ ଭୂଇଁରେ ଗଡ଼ୁଛି ପାରସ୍ ନିଗମ ଆଉ ଟା ପାଟିରେ ଗୁଡ଼େଇ ତୁଡ଼େଇ ମଦ ବୋତଲଟାର ମୁହଁ ଧରି ଢାଳୁଛି ‘ରସିୟା’ । ଦିହରେ ତାର ଲୁଗା ନାହିଁ କହିଲେ ଚଳେ;–ଆଉ ଗୋଟାଏ ଲୋକ ତାର ସାୟାକୁ ଧରି ଟାଣୁଛି ତଳକୁ । ରସିୟା ହସୁଛି ଭୟାନକ ଭାବରେ–; ପାରସ ସମ୍ପତ୍ କଣ ଗୁଡ଼ାଏ ଗପୁଚି ବର୍‌ର୍‌ ବର୍‌ର୍‌ କରି । ସିମିକା ଖାଲି ଇତସ୍ତତଃ ଟଳୁଛି–ମଦ ନିଶାରେ ଆଖିଗୁଡ଼ାକ ଜଳନ୍ତା ଫର୍ଣ୍ଣେସ୍ ପରି ଲାଲ । ଡାକ୍ତରବାବୁ ହତବାକ୍ ପଡ଼ିଲେ । ମନିଷା ତାଙ୍କ ପିଠିଆଡ଼େ ଫଁ ଫଁ ନିଶ୍ଵାସ ଛାଡ଼ୁଛି । ମୁହଁରେ ଯଥେଷ୍ଟ ପାଉଡ଼ରର ପଲସ୍ତରା । ବେକରେ ଦିଟା ଛିଟ କନାର ରୁମାଲ; ତ୍ରସ୍ତ ଅସଞ୍ଜତ ଭାବେ ଗ୍ରୀବା ଦୋହଲାଇ ବୁକୁ ଠେଲି ନା ନା ଅଶ୍ଳୀଳ ମୁଦ୍ରାରେ ବ୍ୟଞ୍ଜନା ନାଚିଯାଉଛି ‘ଚାନ୍ଦିନୀ’ । ରାମଜାନ ମିଆଁ ବେକରେ ଗୋଟେ ଫୁଲହାର ପକେଇ ବାଳ ଭୂତୁରା କରି ଭୋଜପୁରୀ ରନ୍‌ଡ଼ି ଗୀତର ରାହାଛାଡ଼ିଛି । ସେଥିରେ ତାଳ ନାଇଁ, କ୍ରମ ନାଇଁ, ସ୍ଵର ନାଇଁ । ସେତେବେଳକୁ ସ୍ଥାଣୁ ପାଲଟି ଯାଇଛନ୍ତି ଡାକ୍ତର । ଲାବରେଟେରୀ ଉତ୍କଟ ଗନ୍ଧରେ ଫାଟି ପଡ଼ୁଛି । ଔଷଧ ବୋତଲ,ଏସିଡ଼ି, ଟେଷ୍ଟଟ୍ୟୁବ, ଯନ୍ତ୍ରପାତି ସବୁ ଇତସ୍ତତଃ ଭଙ୍ଗାରୁଜା ଅବସ୍ଥାରେ ଚିତ୍‌ପଟାଙ୍ଗ୍ ମାରି ଗଡ଼ୁଛନ୍ତି–ଚଟାଣସାରା ଢାଳିଯାଇଛି ସଦ୍ୟ ପ୍ରସ୍ତୁତ କୁକୁଡ଼ା ମାଂସର ଝୋଳ, ବିରିୟାନୀ ଇତ୍ୟାଦି । ଗେଷ୍ଟରୁମ୍ ଭିତରେ ପ୍ରାୟ ପଚିଶ୍‌ଜଣ ଶ୍ରମିକ ଓ କୁଲି ମାତାଲ ହୋଇ ଗଡ଼ୁଛନ୍ତି ।

 

ଆଦର୍ଶର ହିମାଳୟ ଟଳୁଛି–ପଛରେ ମନିଷାର ଫଁ ଫଁ ନିଶ୍ଵାସ । ଓଃ–କି ଭୟଙ୍କର ଏ ଲୋକ ଗୁଡ଼ାକ ! କଇଁ କଇଁ କାନ୍ଦିବାକୁ ଆରମ୍ଭ କଲାଣି ମନିଷା । ଡାକ୍ତରଙ୍କ ରକ୍ତରେ ନିଆଁ ଲାଗିଗଲା । “ଏୟ ଫୁଲଝରି–ଆଜାଓ ମେରାପାସ–” ରାମଜାନ ବିଭୋର ହୋଇ ଟାଣି ଆଣୁଥିଲା ‘ଚାନ୍ଦିନୀ’କୁ ତା ବାହାକୁ ଧରି । ‘ପଟାସ’ କରି ଚାପୁଡ଼ାଏ ବସିଲା ଚାନ୍ଦିନୀର ଗ୍ରୀବାରେ, ଗଛ କାଟିଲା ଭଳି ତଳେ ପଡ଼ିଲା । ହଠାତ୍ ଯେମିତି ପାରସ ନିଗମର ଚେତନା ଆସିଗଲା–ଟଳି ଟଳି ଠିଆ ହବାର ଚେଷ୍ଟା କଲା ସେ ! ତାପର ଲାଲ ଲାଲ ଆଖିର ଡାୟେଲ୍ ଉପରେ ଡୋଳାଗୁଡ଼ାକ ବୁଲେଇ ସେ ଆଗନ୍ତୁକକୁ ଚିହ୍ନିବାକୁ ଚେଷ୍ଟା କଲା ଯେମିତି । ଭଙ୍ଗା ଭଙ୍ଗା ମତୁଆଳ ସ୍ଵର–“ଅର୍‌ରେ ହମାରା ଡକ୍ଟର ବାବୁ ଆଗୟେ ବେହତ୍ ଦେର୍ ଲଗାଦିଆ ଆପନେ–ତମାସା ତୋ ଅଭି ଖତମ୍–” ଡାକ୍ତର ବାବୁଙ୍କ ରକ୍ତ ମଥାକୁ ଚଢ଼ି ଆସୁଛି । ଗୋଟାଏ ପ୍ରବଳ ଧକ୍‌କା–ପାରସ ନିଗମ ଓଲଟିପଡ଼ିଲା ଭୂଇଁରେ ।

 

ହଠାତ୍ ଯେମିତି ସମସ୍ତଙ୍କ ମଦନିଶା ଛାଡ଼ିଯାଇଛି ।–ଯେ ଯାର ବାଟକାଟି ଟଳି ଟଳି ଛୁଟି ପଳେଇଲେ ପଛ କିଳିଣି କିମ୍ବା ଲାବରେଟେରୀର ଝରକା ବାଟେ ଡେଇଁ ଟଳିଟଳି । ପାରସ ନିଗମ ଭୂଇଁରେ ପଡ଼ି କ’ଣ ଗୁଡ଼ାଏ ପୁଣି ବରର ବରର କରି ବାକୁଛି । ଚାନ୍ଦିନୀ ଦଣ୍ଡେ ଡାକ୍ତର ବାବୁଙ୍କ ମୁହଁକୁ ଚାହିଁଲା । ତା’ପରେ ଭୂଇଁରେ ଘୁସୁରି ଘୁସୁରି ଲାଗି ଆସିଲା ତାଙ୍କ ପାଦ ପାଖକୁ । ଶୂନ୍ୟକୁ ହାତଟେକି ବିଜ୍ଞାପନ କଲା–“ସାଲଗିରା–ମୁବାରକ ହୋ ଡକ୍ଟର ବାବୁ–ମୁବାରକ” । ନିମିଷକ ଭିତରେ ଶୁଣାଗଲା ପାରସ ନିଗମର ହାଉଳିଆ ଚିତ୍କାର–“ଡାକ୍ଟର ବାବୁ ଜିନ୍ଦାବାଦ୍–ସାଲଗିରା ମୁବାରକ ହୋ–ହମ ଲୋଗୋଁ କା ବହୁତ୍ ବହୁତ୍ ବଧାଇ” । ହଠାତ୍ ଯେମିତି ଭୁଲିଯାଇଥିବା କର୍ତ୍ତବ୍ୟ ମନେ ପଡ଼ିଗଲା ସମସ୍ତଙ୍କର–ଛତ୍ରଭଙ୍ଗ ମଦ୍ୟପୀ ସେନା ଲେଉଟି ଆସି ଲାବରେଟେରୀ ଦୁଆର ସାମନାରେ ଛିଡ଼ାହୋଇ ଗଲେ । ପରାସ ନିଗମର ଚିତ୍କାର ଯେମିତି ସେମାନଙ୍କୁ ଚେତାବନୀ ଶୁଣେଇଛି । ସମବେତ କଣ୍ଠରୁ ଉଛୁଳୁଛି ବର୍ଷାର ଫାଟିପଡ଼ୁଥିବା ଝାଇଁ ଝାଇଁ ଅସରାର ଶବ୍ଦ ତରଙ୍ଗ–“ ‘ସାଲଗିରା ମୁବାରକ ହୋ–ହମାରା ଡାକ୍ଟର ବାବୁ ଜିନ୍ଦାବାଦ୍–ଜିନ୍ଦାବାଦ୍–ହମାରା ବହୁତ ବଧାଇ–ବ–ହୁ–ତ ବଧାଇ...” ଡାକ୍ତର ନିର୍ବେଦ, ଅଭିଭୂତ ଉଦ୍‌ବେଗ ନେଇ ଠିଆ ହୋଇଛନ୍ତି ସେମିତି କବାଟକୁ ଆଉଜି । ମନିଷା ଢେଗା ଢେଗା ଆଖିରେ ଚାହିଁ ରହିଛି ଫେରି ଯାଉଥିବା ଲୋକଗୁଡ଼ାକ ପଟୁଆରକୁ । ଡାକ୍ତରବାବୁ ଖାଲି ମଝିରେ ମଝିରେ ପାଟିକରି ଉଠୁଛନ୍ତି “ଗେଟ୍–ଆଉଟ୍–ଆଇସେ–ଗେଟ୍ ଆଉଟ୍–ଭାଗୋ–ଭା...ଗୋ...ହ୍ୟାପ୍ ।”

 

କୋଳାହଳ ଥମିଲା ପରେ ମୁଣ୍ଡରେ ହାତ ଦେଇ ଡାକ୍ତର ବସିପଡ଼ିଲେ ଷ୍ଟୁଲଟା ଉପରେ-। ଲାବରେଟେରୀର ଭଙ୍ଗାରୁଜା ସରଞ୍ଜାମ ଗୁଡ଼ାକ ଉପରେ ତାଙ୍କ ଦୃଷ୍ଟି ନିବଦ୍ଧ–ଆଖିର ଚାହାଣୀ ବଡ଼ କରୁଣ ଆଉ ତୀକ୍ଷ୍ନ । ମନିଷା ଆଖିରେ ସେ ଯେମିତି ବହୁତ୍ ତଳକୁ ଖସି ଯାଇଛନ୍ତି ।

 

ମନିଷା ଫ୍ଲାସ୍କରୁ ଚା’ ଢାଳି ଡାକ୍ତରଙ୍କ ଆଡ଼କୁ କପ୍ ବଢ଼େଇଲା । “ନାଁ–ମୁଁ ଖାଇବିନି,” ।

 

“ଏ ଲୋକ ଗୁଡ଼ାକ କି ଚମତ୍କାର,” ମନିଷା ସ୍ଵରରେ ଦରଦ ଫୁଟାଇ କହିଚାଲିଛି ।

 

“ୟାଁ ! “କେଡ଼େ ହୃଦୟବାନ୍ ?”

 

–“କି ସରଳ ନିଷ୍କପଟ । –କେଡ଼େ କୃତଜ୍ଞ ଏମାନେ ?

 

“ହ୍ଵା...ଆ...ଟ୍ ?” ଡାକ୍ତର ବାବୁ ଏଡ଼େ ଏଡ଼େ ଆଖିକରି ମନିଷାର ସେ ହସମିଶା ମୁହଁକୁ ଚାହିଁ ରହିଲେ । ଯେମିତି ଆଉ ପାଲକ ପଡ଼ିବନି ।

Image

 

ଆକାଶ କଇଁୟା

 

ଏକ ନିବୁଜ ନିଛାଟିଆ ମନର ଚଉତରାରେ ଅନେକ ତୁଟୁକା ସଂଶୟର କଳା କଳା ହ୍ରଦ-। କଳା ଘୂମର ପାଣିରେ ଚିକ୍ ଚିକ୍ କେତେ ଚହଲାତରାର ଛାଇ । ରୂପା ଧଡ଼ି ଧାରା ମେଘ ଛିଣ୍ଡି ଛିଣ୍ଡି ମିଶୁଛି ସେଥିରେ, ଗୋଳି ହେଉଛି । ମନ ସଙ୍ଗରେ ଚଉଲୁଛି ।

 

ତମେ ଆସିବନି ତାହେଲେ ?

 

ଇଁ–ନାଁ–ଆଁ–ଆଁ–ଆ । ସ୍ଵର ଖୁଉବ ସରୁ ଆଉ ଚିକ୍‌କଣ । ସେଥିରେ ପୁଣି କିଛି କିଛି ଦମ୍ଭ–ଔଦ୍ଧତ୍ୟ–ପୁଣି କାପୁରୁଷତା । ଯେତିକି ଅନ୍ଧାର ସେତିକି ରୂପାର ଡହକ ।

 

ମୋର ବଳ ପ୍ରୟୋଗ କରିବା କଣ ଦରକାର ?

 

ମତେ କାହିଁକି ଡାକୁଚ; ମୁଁ ତମର କିଏ ?

 

ଆସନା ?

 

‘ନାଁ–ଆଁ–ଆ–ଆଉ କେବେ ଉଃ–ହୁ–ହାତ ଛାଡ଼ିଦିଅ । ଆରେ–ଉଁ–ଉଁ ଉଁ ଏମିତି କଣ ସବୁବେଳେ ଅନୁନୟ–ଆଷାଢ଼ର ଭରାତୁର ମେଘ । ଏଣିକି ସେ ମୋ କୋଳରେ ଆଉଜି ଚୁପି ଚୁପି ହସୁଛନ୍ତି । ମୁକୁଳିତ ହୋଇ ସେଇ ଓଠ ସଂପୁଟରୁ ଝରି ପଡ଼ୁଛି ଗୋଟି ଗୋଟି କାଶତଣ୍ଡି ଫୁଲ । ଉଲୁସା ମନଗହିରୀରୁ ଉକୁଟି ଉଠୁଛି ଆଭିମାନର ଫୁଆରା; ପୁଣି ଉଲୁସି କ୍ଷରି ପଡ଼ୁଛି ସାରା ତନୁଯଷ୍ଠୀରେ ବିନ୍ଦୁ ବିନ୍ଦୁ ସ୍ଵେଦ ।

 

‘ତମେ କହୁଥିଲାନା ଆଉ କେବେ ? ମୋ ଭଳି ଅଣନିଶ୍ଵାସୀ ସରକାରୀ କର୍ମଧାରୟ ସାମନାରେ ‘ଆଉ କେବେ’ର ପ୍ରଶ୍ନଈ’ ନାଇଁ । ସେକଣ୍ଡ କଣ୍ଟା ସଙ୍ଗରେ ମୋର ନିଶ୍ଵାସ ପ୍ରଶ୍ଵାସ ହାତ ଗୋଡ଼ର ରୁଟିନ ବନ୍ଧା । ସୁଯୋଗ ନିଆଯାଏ ଗୋଟାଏ ମୁହୂର୍ତ୍ତରେ । ମୁଁ ସେ ମୂହୁର୍ତ୍ତ ଗୁଡ଼ିକ ନିଜସ୍ଵ କରି ତୁମକୁ ପାଇଛି । ଆଉ ପାଇଛି ଅନେକଟା ଅଳନ୍ଧୁ ଆଉ ଆଲୋକର ଉତ୍ସଙ୍ଗ ।’

 

ଆଉଜି ଆସୁଛି ମେନକା; ଖାଲି ଉଁ–ଉଁ–ଉଁ ଥରିଲା ବେପଥୁ ମଖ ନେଶାଣିଆ ସ୍ଵର । ଛାତିର ବର୍ତ୍ତୁଳ ଯୁଗ୍ମ ସ୍ତବକର ଚୁଚୁକ ଚୂଡ଼ା ଦିଓଟି ଠେଲି ହୋଇ ମିଶୁଛି ମୋ ଓଠ ତଟରେ । ଆମେ ଦିହେଁ ଯେ ଅନ୍ଧାରକୁ ନିଜର କରିଛେ ।

 

‘ଯା–ଅପଦାର୍ଥ !’

 

(ମୁଁ ବୋଧହୁଏ ପର୍ଯ୍ୟାପ୍ତ ପରିମାଣରେ ରତିକ୍ରୀଡ଼ାରେ ପାରଙ୍ଗମ ନୁହେଁ ।)

 

ତମେ ମତେ ଠେଲିଦେଇଛ । ଠିକ୍ କରିଛ । ଅବିକା ଏଇ ଅଶରୀରୀ କାମନାର ଚହଲା ମେଘ ସବୁ ୟାର ଉତ୍ତର ଦେବେ ।–ତମ, ମୋ, ଆଉ ମେଘ ଚାରିପାଖେ କଳାକନା ବୁଲି ଆସୁଛି । ମତେ ଏମିତି ଜାବୁଡ଼ି ଧରୁଛ କାଇଁକି ? ଭୟ ! ଶଙ୍କା ! କାମନାର ନାଁ ଆତ୍ମପ୍ରତ୍ୟୟର !

 

‘ମେନକା, ମୁଁ ତୁମକୁ ଆଉ ଆଗଭଳି ଭଲ ଲାଗେନି ନାଁ ?’

 

‘ଛିଃ–କି ପାପକଥା–ଏମିତି କହନ୍ତି ?’

 

ତମେ ଯେ ମୋର ଜନ୍ମ ଜନ୍ମାନ୍ତରର କାମ୍ୟ...ଆମର ସମ୍ପର୍କ ଦେହ–ଦେହାତୀତ । ଆତ୍ମା ଆତ୍ମାର ସେଇ ଅବିନଶ୍ଵର–‘ସମଥିଙ୍ଗ୍’–ଆମକୁ ଏକାକାର କରିଛି ।

 

ପରେ ପରେ ଆମେ ଦିହେଁ ‘ପତି ପରମେଶ୍ଵର’ ନାମଧେୟ ଏକ ମିନେମା ଯାଇଛେ ।

 

ମୁଁ ତମକୁ ଭା–ଆରି ଭଲ ପାଏ ସତରେ ଭାଆରି ?

 

‘ମୁଉଁ ବି….ତମର ଟାଆଁସା ପ୍ରେମ ଗଦ୍ ଗଦ୍ ଗଦ୍ୟ ଓ ଉତ୍ସୃଙ୍ଖଳ ରିତୀଭିକ୍ଷା ସତ୍ୱେ ବି !’ ବୁଝିପାରୁନ ମେନକା–ଟାଇମ୍ । କାବ୍ୟିକ ରୀତି ଅନୁସାରେ–ଫର୍ମୁଲା ପକେଇ ଦିନ ଦିନ ପ୍ରତୀକ୍ଷା–ତାପର ଅଭିସାର–ବିରହ–ମିଳନ–ପରେ (ମନେ ନାଇଁ) ଦି’ଚାରିଟା ସୋପାନ ଛାଡ଼ି ସ୍ତମ୍ଭନ–ମୋହନ–ଉଚ୍ଚାଟନ–ବଶୀକରଣ–କ୍ଷୀର ସାଗର ମନ୍ଥନ । କାଇଁ ସମୟ କାଇଁ । ଏ ସବୁ ଲାଗି ମୁଁ ଯେ...ଖୁଉବ୍–କାର୍ଯ୍ୟବ୍ୟସ୍ତ–‘ଭେରି ବିଜି ଇନ୍ ଡିଡ଼୍ ।’

 

ତମର ଗ୍ରୀବାର ବିନ୍ଦୁ ବିନ୍ଦୁ ଝାଳ ମୋ ଓଠରେ ଚୁମୁକ ନେଉଛି । ଭୀରୁ କଟିତଟର ତ୍ରିକୋଣମିତି ସହିତ ମୁ ଅତି ଜଘନ୍ୟ ଭାବରେ, ଘଞ୍ଚ ନିଷ୍ଠୁର ଭାବରେ ପରିଚିତ ହେବାକୁ ଚାହେଁ । ତମ ଆଖି ଲାଗି ଲାଗି ଆସୁଛି । ଚନ୍ଦ୍ର ଏବେ ଫୁଟିବ ।

 

ଏମିତି ନିଦାଘ ସମୟରେ ଏ ଗଳିରୁ ସେଗଳି ଉଠପଡ଼୍ ସରୁ ଅଙ୍କାବଙ୍କା ରାସ୍ତାରେ ଏକ ରିକ୍‌ସାବାଲାକୁ ବହନ କରି ସହର ପଇଁତରା କରିବା ଆଦୌ ରୋମାଞ୍ଚକର ନୁହେଁ । ବନ୍ଧୁ କିନ୍ତୁ ଆଶା ଦେଉଛନ୍ତି ସେଇ ରାଜାବଗିଚା ବାଁ ପଟ କଂସେଇ ଦୋକାନଠୁଁ ମୋଡ଼ ବୁଲିଗଲେ କାଠଯୋଡ଼ିକୁ ମୋହିଁ ଯେଉଁ ତ୍ରିତାଲା ଫ୍ଲାଟ୍ ଭଡ଼ାଘର ମିଳିବ ସେଥିରେ ନୈସର୍ଗିକ ଆନନ୍ଦ ଶତକଡ଼ା ଶହେ ଗ୍ୟାରେଣ୍ଟି । ଆମେ ଦୁହେଁ ରିକ୍‌ସାରୁଢ଼ ସଦ୍‌ଗତ ଆତ୍ମାପରି ସେଇ ପରଂବ୍ରହ୍ମଙ୍କ ଦିଗରେ ଅନାୟାସରେ ଆକୃଷ୍ଟ ହୋଇ ଚାଲିଛୁଁ ।

 

ଅନଂଗ କହିଲେ–‘ମୁଁ’ ଠିକ ଯାଗାରେ ପହଞ୍ଚେଇ ଦେଉଛି । ବ୍ୟସ୍ତ ହୁଅନ୍ତୁନି ।’

 

‘ନାଁ–ବ୍ୟସ୍ତ ହେବି କାହିଁକି । ପନ୍ଦର ଦିନରେ ତିନି ଯାଗା ବଦଳି ହେଇ ସାରିବା ପରେ–ରାୟଗଡ଼ାଠାରୁ ଜଗତସିଂହପୁର–ଜଗତସିଂହପୁରରୁ କଟକ ସହର–ଭଡ଼ାଘର ଖୋଜିବା ଦେହ ସୁଆ ହୋଇ ଗଲାଣି ।’

 

‘ଦେଖନ୍ତୁତ–ଏଇ ହେଲା ଦୁଇଟି କୋଠରୀ । ଗୋଟିଏ ବୈଠକ ଖାନା କରିବେ । ବାକିଟା ଶୋଇବା ଘର । ରୋଷେଇ ଘର ତ ଅବିକା ଦରକାର ନଇଁ । ଆପଣ ଏକାଟିଆ ଲୋକ । ସାମନାରେ ଚିରଂଜିବ୍ ଲାଲ୍ ହୋଟେଲ୍ । ଠିକ୍ ସୁହାଇବ । ସେଇଠିଁ ଖାଇନେବେ ।’

 

ବାଁ ପାଖ ଝରକା ଖୋଲି ପାରନ୍ତି । ‘ଓ୍ୟାଟର୍ ଫ୍ରଣ୍ଟ୍’ । ଅନୁଭବ କରି ପାରୁଛନ୍ତି ନା କେମିତି ସୁଲୁସୁଲୁଲିଆ ବାଆ । ଆଉ ସେଇ ମେଘୁଆ ତରଙ୍ଗ କୋଠାର ପାଣି ଚବର ଚବର ମେଘାର ପ୍ରତିବିମ୍ବ–ଦେଖୁଛନ୍ତି କେମିତି ଘଷା ପଥର ବନ୍ଧା ପୋଖରୀ । ଦ୍ଵିତୀୟ ମହଲାର ବାଁପାଖ କୋଠରୀକୁ ଲକ୍ଷ୍ୟ କରନ୍ତୁ । କଲୋନୀ ଉପରେ ଦେଖି ପାରୁଥିବେ ତିନୋଟି ତନୁପାତଳୀ ଗୌରାଙ୍ଗୀ ତରୁଣୀ । ଏମାନେ ଆମ ଆଡ଼କୁ ପଛ କରି ଠିଆ ହୋଇଛନ୍ତି ।

 

ସେମାନଙ୍କର ତିନିଚଉଠା ଅନାବୃତ ପିଠି କେମିତି ସୂର୍ଯ୍ୟ ଢେଉରେ ଚିକ ଚିକ୍ କରୁଛି । ସୁପରିମିତ ନିତମ୍ବ ଉପରକୁ ଲମ୍ବି ଆସିଛି ଉନ୍ମୁକ୍ତ ସଦ୍ୟବିଧୌତ ଚିକୁର । ଏଇ ହେଲା ସେମାନଙ୍କ ସମୟ । ଉଷା ସିଲେଇ କମ୍ପାନୀରୁ କ୍ଲାସ ସାରି ସେମାନେ ଏଇ ବେଳା ଫେରନ୍ତି । ଆଉ ଏମିତି ଅସମୟରେ ସଞ୍ଜବେଳେ ହିଁ ଗାଧେଇ ପାଧୋଇ ବାଳ ସୁଖାଇବା ସେମାନକ ଆଦତ୍ ପଡ଼ିଗଲାଣି-। ସିନ୍ଧୁ ପ୍ରଦେଶର ଝିଅ ଏମାନେ । ଆପଣଙ୍କୁ ବେଶ୍ ଲାଗିବେ । କଟକର ପାଣି ପବନରେ ଏମାନେ ଉଧେଇ ଗଲେଣି । ପାର୍ଟିସନ ପରେ ପରେ–ନିଇତି ମୁହଁସଂଜରେ ଏମାନେ ବେଶଭୁଷା ସାଜ ସିଂଗାର କରି ଆପଣଙ୍କୁ ନୈଶ ବିହାର ପାଇଁ ପ୍ରସ୍ତୁତ ରଖନ୍ତି । ଅଜବ୍ ଲାଗୁଥିବ ଆପଣଙ୍କୁ–ରାତି ଓ ଅନ୍ଧାର ଏମାନଙ୍କର ଏତେଟା ନିଜର–ଆଲୋକ ଯେମିତି ଏ କଲେଇ କରା ଚେହେରାକୁ ସାଦା କରିଦିଏ–ତରଙ୍ଗହୀନ କରିଦିଏ । ଦିନ ଆଲୁଅକୁ ସେଇଥିପାଇଁ ଏମାନଙ୍କର ଏତେ ନଫରତ୍-। ହାଃ ହାଃ । ଦେଖୁଛନ୍ତିତ ! ଏ ଆଡ଼କୁ ପିଠିକରି ମଝି ଝିଅଟି–ସେମାନଙ୍କ ମଧ୍ୟରେ ଈଷତ୍ ଡେଙ୍ଗା, ନହକା ଆଉ ଚଞ୍ଚଳ । ଏପଟ ସେପଟକୁ ଛନ୍‌ଛନ୍ କରି ବୁଲି ଅନାଉଛି । ଛାତି ଉପରେ ଦୋହଲୁଛି ଦିଇଟା ମୋଟା ମୋଟା ବେଣୀ । ଗେଲେଇ ଗେଲେଇ ବେପରଓ୍ୟା ଭାବରେ ଆମ ଝରକା ଆଡ଼କୁ ବୁଲି ବୁଲି ଚାହିଁଲା ପରି ଲାଗୁଛି–ହେଇ ଦ୍ୟାଟ୍ ଓ୍ୟାନ୍–ନିଶି । ଏକଦା ସେ ମୋ ପ୍ରିୟା ଥିଲା–ସାଂଘାତିକ ଭାବେ ନିବୀଡ଼ ଥିଲା ଆମ ଦିହିଙ୍କ ମନର ମିଶାଣ । ମୋର କିନ୍ତୁ ଅଚାନକ ବାହାଘର ହୋଇଯାଏ ଆମ ଟୁରିଷ୍ଟ ବ୍ୟୁରୋର ଜଣେ ନାରୀ ସହକର୍ମୀଙ୍କ ସହିତ । ସେଇଠୁଁ ନିଶି ସଙ୍ଗରେ ଛାଡ଼ବାଡ଼ ହୋଇଗଲା । ନିଶି ମୋତେ ଏବେ ଦେଖିଲେ ଖାଲି ଫଁ ଫଁ ହୁଏ-। କଥା ହେଲାବେଳେ ମୋ ଆଖିକୁ ଚାହେଁନା–ଚାହେଁ ମୋ ମଥା ଉପରେ ତିନିଶହ ଗଜ ଦୂରରେ ଯେମିତି ଗୋଟାଏ ଅନିଶ୍ଚିତ ଝାପସା ଝାପସା ବିଭତ୍ସ ସଂକେତ ଚିହ୍ନକୁ । ମୋର ଅସ୍ତିତ୍ଵକୁ ସେ ନିକଟରୁ ସ୍ଵୀକାର କରି ପାରେନା । ମୋ ଆଖି ଛଳ ଛଳ ହୋଇ ଆସେ ତା କଥା ଭାବିଲେ । ନିଜର ତାକୁ କରି ପାରିଲିନି ବର୍ଷ ବର୍ଷର କେତେ ସ୍ଵପ୍ନ, କେତେ ନିଉଛୁଣା ସରାଗ ସତ୍ୱେବି ! ସେ ମାରଓ୍ୟାଡ଼ି ଟୋକା ତାକୁ ବହକେଇ ନେଇଗଲା–ରମ୍ମୁ ! ଇଡ଼ିୟଟ୍ । ରିଏଲ୍ଲୀ ନିଶି ଗୁର୍ ନାନୀ–ଏ ବ୍ରାଇଟ୍ ଗ୍ୟାର୍ଲ । –ଲେଡ଼୍ ଆଷଟ୍ରେ ।

 

ଆଉ ବର୍ତ୍ତମାନ ଅବସ୍ଥାରେ କୌଣସି ନିକଟତମ ବତୀ ଖୁଣ୍ଟରେ ମୋତେ ଫାଶିରେ ଝୁଲେଇବା ଲାଗି ଯେମିତି ସେ ସବୁଠୁଁ ବେଶୀ ବ୍ୟଗ୍ର–ତାର ଆଖି ମତେ ଏବେ ଏମିତି ହିଁ ଦେଖେ–ଛାଡ଼ନ୍ତୁ । ଆପଣଙ୍କ କଥା ଦୋସରା । ମୁଁ ଜାଣେ ଆପଣଙ୍କୁ ସେ ଖୁବ୍ ପସନ୍ଦ କରିବ । ଯେ କେହି ‘ଅଫ୍ ଟୁ ଡେଟ’ ଝିଅ । କାରଣ ମୁଁ ବେଟ୍ ମାରି କହିପାରେ ଯେ ଆପଣ ନିଶ୍ଚିତ ଭାବରେ ଖୁବ୍ ରୋମାଣ୍ଟିକ୍–ଖୁବ୍ ଦିଲ୍‌ଦାର । ଆପଣଙ୍କ ବ୍ୟକ୍ତିତ୍ଵ, ଚାଲିର ଢଙ୍ଗ–ଆଖିର ଚମକ୍–ଇର୍‌ରେଜିଷ୍ଟିବଲ୍-

 

ତେବେ ଘର ଠିକ୍ ହୋଇଗଲା । ଲ’ବେଟଙ୍କା ଭଡ଼ା । ହଁ ଭୁଲି ଯାଉଛି । ବାଁ ପାଖ କଣ୍ଟ୍ରୋଲ ଦୋକାନ ବୁଲିଗଲେ ଡେ ଲାଇଟ୍ ଲଣ୍ଡ୍ରି ଓ ବାଳକଟା ସେଲୁନ । ବିଶେଷ ଆକର୍ଷଣ ହେଉଛି ଯେ ବାଳକାଟିଲା ବେଳେ ଆପଣଙ୍କର ଯେ କୌଣସି ସିନେମା ଗୀତ ମାନେ ପଡ଼ିବ ତା ଅବାଧରେ ଗୁଣୁଗୁଣୁ କରି ମିଳାଇ ମୁଁ ପହଞ୍ଚିଲି ଲକ୍ଷ୍ୟ ସ୍ଥଳରେ । ଟ୍ୟାକ୍‌ସି ଭିତରୁ ଗୋଟିଏ କଅଁଳ ହାତ ପାପୁଲି ବାହାରି ଆସି ମୋତେ ଅଭିନନ୍ଦନ କରି ଟାଣି ନେଲା ଭିତରକୁ । ସେ ସ୍ଵରରେ ଭିଜା ଭିଜା କାକୁତି, ସୋହାଗ, ରୋମାଞ୍ଚ ।

 

‘କାଲିଠଉଁ ମୁଁ ଆପଣଙ୍କୁ ହିଁ ଧ୍ୟାନ କରୁଛି । କେଡ଼େ ସରଳ ଆପଣ । କେଡ଼େ ସୁପୁରୁଷ-। ଆପଣଙ୍କ ଦେହରେ ଗୋଟେ କଣ କିମିଆଁ ଅଛି । ଦେଖନ୍ତୁ କାଲି ଆପଣଙ୍କୁ ଚାହୁଁ ଚାହୁଁ ମୋର ସାରା ତନୁ ଯେମିତି ତରଳି କ୍ଷରି ପଡ଼ିବ ଭୂଇଁରେ ଏମିତି ଲାଗୁଛି । ଆପଣଙ୍କୁ ଗୋଟାପଣ ନିଜର କରିବାକୁ ମତେ କେତୋଟି ମୁହୂର୍ତ୍ତର ଅଧିକାର ଦିଅନ୍ତୁ–ଦେବେନି–ଆପଣ ?’

 

ମୁଁ ଅନୁତ୍ତର ରହଲି । ନିଜର ନିପଟ ଅସହାୟତା ପୁଣି ଏଡ଼େ କମନୀୟ ଏଡ଼େ ମନୋଜ୍ଞ ହୋଇପାରେ ।

 

ତୋଫା ଡବଲ୍ ବେଡ଼ ଉପରେ ମୁଉଁ ବି ତରଳି କ୍ଷରି ଯାଉଥିଲି । ନୀଳ ଧୀମା ଧୀମା ଶୟନ କକ୍ଷର ଆଲୋକରେ ସବୁ ଅସ୍ପଷ୍ଟ–ପୁଣି ସ୍ଵପ୍ନାଭ । କାମନାର ଅଗ୍ନିକଣା ସଂଚରି ଯାଉଛି କୋଠରୀର ଚାରିକାନ୍ଥ ଚଟାଣ ଆଉ ଛାତ ପିଠିରେ । ଚାରିଆଡ଼େ ଖାଲି ଆଗ୍ନେୟ ପ୍ରଶ୍ଵାସ–କଂଚା ମାଂସ ଦହନର ଘ୍ରାଣ । ଝାଡ଼ିଝୁଡ଼ି ହୋଇ ଖଟ ଉପରୁ ଉଠି ମୋର କେତେକ୍ଷଣର ନାୟିକା ତାଙ୍କର ଅନ୍ତର୍ବାସ ପିନ୍ଧିବାକୁ ଆରମ୍ଭ କଲେ । ଆଉ ମୋ ମଥା ଟିକିଏ ସାଉଁଳି ଦେଲେ ଆହ୍ଲାଦରେ–

 

‘ମୋ ଧନ–ମୋ ରଙ୍କୁଣି ରତନ–ମୋ ଦେହର ଚନ୍ଦ୍ର ମଧଭୁକ୍–ମୋ କେଳି ସଦନର ଖଦ୍ୟୋତ–ଆହା ମୁଁ ମରିଯାଏଁ–କଣ୍ଟ ଦେଇଥିଲି । ଠିକ୍ ସମୟରେ ଆସିଛ ମୋ ପାଖକୁ–ଟିକିଏ ଏପଟ ସେପଟ ନୁହଁ–’ ପ୍ରଥମ ସ୍ଵର ।

 

ପରେ ପରେ–‘ଆପଣ ବର୍ତ୍ତମାନ ଯାଇପାରନ୍ତି । ରାତି ସାଢ଼େ ଏଗାରଟାରେ ଠିକ୍ ଟ୍ରେନ୍ ପାଇବେ । ମୁଁ ଆପଣଙ୍କୁ ମନେ ରଖିବ ବହୁଦିନ ପର୍ଯ୍ୟନ୍ତ–’

 

ରମଣ–କ୍ଳାନ୍ତ ଅବଶ ଦେହଟା ଘୋଷାରି ବାହାରକୁ ଆସୁଥିଲି । ଆଖି ପଡ଼ିଲା ଡ୍ରଇଁରୁମ୍‌ର ଟେବୁଲ ଉପରେ ଗୋଟିଏ ଷ୍ଟାଣ୍ଡ୍ ଫ୍ରେମ୍‌ରେ ବନ୍ଧା ଏକ ଦମ୍ପତିଙ୍କର ଚିତ୍ର । ମୋର କିଛିକ୍ଷଣ ପୂର୍ବରୁ ନାୟିକା ମଥାରେ ଓଢ଼ଣା ଟାଣି–ଟୋପି ଟୋପି ଚନ୍ଦନ, ଗୋରଚନା ଚର୍ଚ୍ଚିତ ହୋଇ ଏଡ଼େ ବଡ଼ ସିନ୍ଦୁର ଟୋପା ନାଇ ବସିଛନ୍ତି ବାଁ ପାଖରେ–ଆଉ ତାଙ୍କୁ ବାହୁଫାଶରେ ଆବଦ୍ଧ କରି ଗଡ଼ ଜିତିବା ଭଙ୍ଗୀରେ ବତିଶ୍ ଦାନ୍ତ ଦେଖାଇ ବସିଛନ୍ତି ଆମର ବହୁ ପରିବାର ବନ୍ଧୁ ଅନଙ୍ଗ,–ସେ ମୋ ସ୍ଵାମୀ–ଭୂଇଁରେ ଯା’ପାଇଁ ସ୍ଵର୍ଗ ସମ୍ଭବ ହୁଏ । ପାଚେରୀ ଧାରେ ଧାରେ ପିଠି ପାତି ଖରା ପୋଉଁଥିବା ଢେଗା ଢେଗା ଗୋଡ଼ି ଗୁଡ଼ାଙ୍କୁ ମୁଁ ଆଉଁଷିବାରେ ଲାଗିଯାଇଛି କାହିଁକି ମୁଁ ଜାଣେନା ।

 

ମୋର ରିତିମତ ତୁହାଇ ତୁହାଇ କାନ୍ଦିବାକୁ ଇଚ୍ଛା ହେଲା ।

 

ଠକି ଯାଉଛି । କୁଆଡ଼େ ଯେମିତି କିଛି ହଉନି । ଖାଲି ଗୁଡ଼େଇ ତୁଡ଼େଇ ବୁଢ଼ିଆଣୀ ଜାଲରେ ଛନ୍ଦି ହେଇ ସବୁବେଳେ କାମନା କରୁଛି ଏଇ ମୋର ଚାରିପାଖେ ବନ୍ଧା ହୋଇଥିବା ସୂତାଖିଅ ଧରି ମୁଁ ଆକାଶ ମର୍ଥନରେ ପହଞ୍ଚିଯିବି,–ଏ ଭୂଇଁର ବାସ୍ନା ଆଉ ଭଲ ଲାଗେନି । ଏ ଜାଲ ସହଜରେ ଛିଣ୍ଡିବାର ବି ସମ୍ଭବ ମନେ ହେଉନି । ଏମିତି ଓହଳିବା କେତେବେଳେ କେମିତି ଭଲ ଲାଗେ–ଆଉ ଭଲ ଲାଗୁନି ଏଣିକି–ମାର୍କସ୍, ଶ’, କ୍ୟାମୁ, ରୋମା ରୋଲାଁ, ବିଡ଼ି ଭିତରେ ଗଞ୍ଜେଇ, କାରୋନା ଚୁରୁଟ୍–ସ୍କଚ୍–ମ୍ୟାଟିନି, ମୁସାଏରା, ବଡ଼େ ଗୁଲାମ ଅଲ୍ଲୀ ପିକାଶୋ ହେନେରୀ ମ୍ୟୁର ସମସ୍ତେ ଯେମିତି ଝୁଲୁଛନ୍ତି ସେଇ ସୂତା ଖିଅରେ ।

 

ଉର୍ଣ୍ଣନାଭର ନାଭିରୁ ପ୍ରସରି ଯାଉଛି ମାଇଲ ମାଇଲ ଲମ୍ବର ନାଇଲନ ସୁତା । ଏ ସୂତାରେ ଗୁଡ଼େଇ ହୋଇ ଝୁଲିବା ଆମ ସମୟର ଏକ ଝୁଙ୍କ୍ ।

 

ନା’ କଣ କହୁଛନ୍ତି ?

 

ସାମନା ଦର୍ପଣରେ–ମୁଁ ମୋର ଅସ୍ତବ୍ୟସ୍ତ କଳେବରର ଛାଇକୁ ପ୍ରଶ୍ନବଦ୍ଧ କରୁଛି । ରାତିରେ କେଇଦିନ ହେଲା ଆଖିପତାରେ ତନ୍ଦ୍ରା ନହିଁ । ନିଦ ହେଉନି ରାତି ରାତି ଧରି । ଭୟ ହେଉଛି ମରି ଯିବି କି ? ଯେହେତୁ ସମସ୍ତଙ୍କୁ ନିଶ୍ଚୟ ଦିନେ ମରିବାକୁ ହବ–କେବଳ ସେଇ ଗୋଟିଏ କାରଣରୁ ମୁଁ ଆଦୌ ମରିବାକୁ ଚାହେଁନି । ମୁଁ ଏମିତି ଗୌରିକ ସୂର୍ଯ୍ୟାସ୍ତ ସଙ୍ଗରେ ଉଭାନ୍ ହୋଇଯିବାକୁ ଚାହେଁ । ପୁଣି ସକାଳର ରକ୍ତାରୁଣ ଆଲୋକ ପିଣ୍ଡ ସଙ୍ଗରେ ଏଇ ମାଟିକୁ ନିୟମିତ ଓହ୍ଲାଇବାର ଏକ ନିଶ୍ଚିତ ବ୍ୟବସ୍ଥା କରିବାକୁ ଚାହେ–, ଏଣୁ ବାଇବେଲ, କୋରାନ୍, ଗ୍ରନ୍ଥ ସାହେବ୍–ଯୋରାଷ୍ଟ୍ରିଅନ୍, ଉପନିଷଦ, ମାଓଙ୍କୁ ରେଡ଼ବୁକ୍, ଦାସ୍ କ୍ୟାପିଟାଲ୍ ସବୁ ନିଗାଡ଼ି ଚିପୁଡ଼ି ଏକ ନିଛକ ଆତ୍ମଦର୍ଶନରେ ବିହ୍ଵଳ ହେବା ମୁଁ କର୍ତ୍ତବ୍ୟ ମନେ କରୁଛି ।

 

ଲାୟଲା ପଚାରୁଛ ‘ବାବୁ ଚା’ ଆଣିବି ?’

 

‘ନା–ଲାୟଲା ବସ । ମୋଇ ଛାତିରେ ଆଉଜି ବସ । ତମେ ଭାରି ଭଲ ପିଲା, ତମେ ପାଠ ପଢ଼ିଛ ?’

 

ନାଇଁବାବୁ–ପଢ଼ୁଥିଲି ପଞ୍ଚମ ଶ୍ରେଣୀରେ । ମୋତେ ମହିନ୍ଦର ବାବୁ ନେଇ ଆସିଲା ବାହାହବ ବୋଲି କହି । ତାକୁ ‘ମୁଁ’–ବାହା ହେଇଛି । ତାର ଭଡ଼ାଘର କିରାୟାଦାର୍ ମାନଙ୍କ କଥା ବୁଝୁଛି । ପାଠର କି ଦରକାର ଏଥିପାଇଁ ?

 

ସବୁ ଗୋଳମାଳ ହେଇ ଯାଉଛି ମୋ ମଥାରେ । ପୋଥି ପଢ଼ା ଜ୍ଞାନ ଲାୟଲାକୁ ତାର କର୍ମ କୁଶଳୀତାରେ କେଉଁ ବାୟବୀୟ ସ୍ତରକୁ ବା ଉନ୍ନିତ କରିଥାନ୍ତା ! ସଂସାରକୁ ଯେତିକି ସେ ବୁଝିଛି ସେତିକିରୁ ଅଧିକାର କୌଣସି ଆବଶ୍ୟକତା ନାହିଁ । ଜୀବନର ସଉଦା ରୋକ୍‌ଠୋକ୍ ଚଳଣି ଉପରେ ଗୋଟାଏ କଲେଇକରା ଦର୍ଶନ ଲଦି ଦିଆଯିବାରେ କିଛି ମାନେ ହୁଏନା ?

 

କ୍ୟାସିୟର ବାବୁ ଏଡ଼େ ଏଡ଼େ ରେଜିଷ୍ଟର ସବୁ ଟେବୁଲ ଉପରେ ଲଦୁଛନ୍ତି । ହିସାବପତ୍ର ତନଖି ହେଇ ଦସ୍ତଖତ ହେବ–ଏ ଜରୁରୀ । ବଢ଼ି ପାଣି ମାଡ଼ିଥିବା ଅଞ୍ଚଳକୁ ରିଲିଫ ନେଇ ଯିବାକୁ ଜିଲ୍ଲାପାଳଙ୍କ ‘ସର୍ବୋଚ୍ଚ ଅଗ୍ରାଧିକାର ଚିହ୍ନିତ’ ଆଦେଶନାମା ମୋତେ ଫାଇଲ୍ ଭିତରୁ ଚାହୁଁଚି ଖତେଇ ହେଇ । ସରକାରଙ୍କ ଲୋକାୟୁତ ବିଭାଗ ପଚାରିଛନ୍ତି ମୁଁ ଠିକ୍ କେଉଁ ତାରିଖରେ ଭୂପୃଷ୍ଠରେ ପଦାର୍ପଣ କଲି କାରଣ ମୋର ଘରୁ ସଂଗ୍ରହ ହୋଇଥିବା କୋଷ୍ଠି ଓ ଚାକିରୀ ପାଇଁ ନିବେଦନ ଫର୍ମରେ ଲେଖାଯାଇଥିବା ଜନ୍ମ ତାରିଖ ମଧ୍ୟରେ ଦେଢ଼ଦିନ ଏପଟ ସେପଟ ହେଇ ଯାଉଛି । ଯାହା ଫଳରେ ଚିତ୍ରଗୁପ୍ତଙ୍କର ମୋର ଚାକିରୀ ପଞ୍ଜିକାରେ ସମସ୍ତ ଗଣନା ବିଭ୍ରାଟ ହୋଇ ପଡ଼ିଲାଣି । ତା’ ତଳକୁ ତଳ ଥାକମରା ହୋଇ ଥୁଆ ହୋଇଛି କେତେ ଅଭିଯୋଗ, ପରଓ୍ୟାନା, ଚେତାବନୀ, ଆଦେଶ, ସବୁର ଚାହିଦା ଏଇ ସଙ୍ଗେ ସଙ୍ଗେ । ନଇଲେ ଏ ପୃଥ୍ଵୀ ରସାତଳଗାମୀ ହୋଇଯିବ କେଇଟା ମୂହୁର୍ତ୍ତ ଭିତରେ–ଯଦି ଜିଲ୍ଲା କାର୍ଯ୍ୟାଳୟର ଅଢ଼େଇ ହଜାର ନିଷ୍ପ୍ରାଣ କଲମ ମୁନ ଗୁଡ଼ାଏ ଅର୍ଥବିହୀନ ଶବ୍ଦକୁ ଆଗପଛ କରି ନ ସଜାଡ଼ି ଗଦାଏ ଗଦାଏ କିଭୂତ କିମାକାର ନଜିର ସୃଷ୍ଟି ନ କରନ୍ତି । ଚିଠ ଗଦାକ ପାଖକୁ ଅଲଗା କରି ଥୁଆ ହୋଇଛି ମୋର ଚିର ପ୍ରତ୍ୟାଶିତ ସେଇ ସାବ୍‌ଜା ରଙ୍ଗର ଲଫାପା । ଉପରେ, ମେନକା ହାତର ଅକ୍ଷରରେ ଲେଖା ହେଇଛି ଠିକଣା । ଏଇ ମୋର ମେନକା । ଛାତିରେ ଅସ୍ଵାଭାବିକ ଉଦଗ୍ରତା ।

 

‘କାଇଁ କେତେ ଦିନୁ ଗଲଣି । ଚିଠିଖଣ୍ଡେ ଲେଖିବାକୁ ଏତେ କାର୍ପଣ୍ୟ । କଣ ଏତେ ଦିନ ଯାଏ ଘର ଖୋଜୁଛ ? ମୋ ପାଖରେ ଥିବାବେଳେ ଖାଲି ସବୁବେଳେ ତରତର । ତମକୁ କୁଆଡ଼େ ମୋଟେ ଫୁରୁସତ ମିଳେନା–ରାଜ୍ୟଯାକର କାମ । ଖାଲି ମୋ ପାଖରେ ତମ ଚାକିରୀ, ତମ ଚାକିରୀ, ତମ ପୁରୁଷ ପଣିଆଁର ସବୁ ବହପ । ମତେ କେବେ ନବ କହିଲ–କ’ଣ ମତେ ଆଉ ନବନି ?

 

ଏ କଥା କି ହୋଇପାରେ ମେନକା: ତମେ ନ ଆସିଲେ ଯେ ମୋର ଅଯୋଧ୍ୟା କଟକର ଅଭିଷେକ ହୋଇ ପାରିବନି । ତମେ ଆସିଲେ ଯାଇଁ ତମ ସାଙ୍ଗରେ ନିଭୃତରେ ଗୋଟାଏ ମିମାଂଶା କରି ନେବାକୁ ପଡ଼ିବ- ପହିଲେ । ଏଇ ବୁଢ଼ିଆଣୀ ଜାଲରୁ ତମେ- ମୁଁ ଓ ଆଉ ଆଉ ମାନଙ୍କ ଓହଳିବା ସମ୍ପର୍କରେ । ଏମିତି ଗୋଟାଏ ବାଟ ବାହାର କରିବାକୁ ହେବ ଯେମିତି ଉର୍ଣ୍ଣନାଭ ପେଟର ନାଇଲନ୍‍ ସୂତାରୁ ଝୁଲିଥିବ- କିନ୍ତୁ ଭୂଇଁ ଉପରେ ପାଦ ଅଟକି ପାରୁଥିବ- ଯେତେବେଳେ ଏ ମାଟିର ବାସ୍ନା ଆମକୁ ଓଟାରିବ ଆମେ ଓହ୍ଲେଇ ପାରୁଥିବା ତଳକୁ- ନିହାତ୍‍ ଆମରି ଇଚ୍ଛାରେ । ତମେ ଯେ ଆସିଲେ ମୋ ପାଦ ଛୁଇଁବ । ତମର ଆସିବା ଡେରି ହୋଇଗଲେ ମତେ ଯେମିତି ଲାଗୁଛି ମୋର ସମସ୍ତ ଅବୟବ- ମନ ଚେତନା; ସବୁ ଆବେଗ ଜୀବନ ଯୋଗ ଯେମିତି ବାୟବୀୟ ଧୂମକୁଣ୍ଡଳୀ ହୋଇ ମୋହିଁ ଯିବ ମହାଶୂନ୍ୟ ଆଡ଼େ । ମତେ ମୁଁ ଆଉ ପାଇବିନି- ତମକୁ ବି ।

 

ଡାକବାଲା ପାର୍ସଲଟିଏ ଥୋଇ ଦେଇ ଯାଇଛି । ଦି’ଚାର ପରସ୍ତ ଦଉମୁଦମରା କନା ଖୋଳ ଖୋଲିଲି ଖୁଉବ୍ ସାବଧାନତା ସହ । ଭୁବନେଶ୍ଵର ଟୁରିଷ୍ଟବ୍ୟୁରୋରୁ ପଠା ହେଇଛି । ଭିତରୁ ଖସି ଆସିଲା ମୋର ଖାଇରାରଙ୍ଗର ଅଣ୍ଡରଓୟାର ଖଣ୍ଡିଏ ଆଉ ଧଳା ଶୁଆଶାରୀ ଫୁଲ ପକା ରୁମାଲ । ସଦ୍ୟ ଧୋବାଘରେ ସଫେଇତି ହୋଇ ଚଉତା ହେଇ ରହିଛି । ତା ସଙ୍ଗରେ ଅନଙ୍ଗର ପରିଚିତ ହାତ ଲେଖା ଛୋଟ ଚିଠିଖଣ୍ଡେ ।

 

‘ମାଫ କରିବ ଭାଇ । ଡେରି ହେଇଗଲା–ଆମ ଶ୍ରୀମତୀଙ୍କ ତାଗିଦ୍ ସତ୍ଵେ । ଏବେ ପଠଉଛି ତମର ଏଠି ଛାଡ଼ି ଯାଇଥିବା ଜିନିଷ ଦି’ଟା । ମୋର ସ୍ତ୍ରୀଙ୍କର କିନ୍ତୁ ଇଚ୍ଛାଥିଲା ଏକୁ ସାଇତି ରଖିଥାନ୍ତେ ‘ମେମେଣ୍ଟୋ’ ପରି । ପୁଣି ଭାବିଲି ତମର ଅନ୍ୟ କେଉଁଠି ଏମିତି ଭୁଲ ଆସିବାର ସମ୍ଭାବନାରୁ କାହିଁକି ବଞ୍ଚିତ କରିବି । ହଁ–ମୋର ବିନା ସାହାଯ୍ୟରେ ମୋର ସ୍ତ୍ରୀଙ୍କ ସହିତ ଆଳାପ ପରିଚୟ ହେଇ ଯାଇଚି ତମର–ବଡ଼ ଭାଗ୍ୟର କଥା–ଆଉ ଏଆଡ଼େ କେବେ ଆସୁଛ !”

 

ଆଉ ନୁହେ–ମଥା ଭିତରେ ସୁଦର୍ଶନ ଘୂରୁଛି । ଏକା ନିଶ୍ଵାସରେ କଲେକ୍ଟରେଟ୍‌ର ତ୍ରିତାଲା ଉପରୁ ପଂଷଠି ପାହାଚ ଗଡ଼ି ଗଡ଼ି ଆସି ପହଞ୍ଚିଲି ରାସ୍ତା ଉପରେ । ଅଭିଷେକ ବେଳା ଯେ ଗଡ଼ି ଯାଉଛି ।

 

‘ଚଲାଓ ରିକ୍‌ସା–ରାଜାବଗିଚା’ । ପୁରୀଘାଟ ଧାରେ ଧାରେ କାଙ୍କରା ଗୋଡ଼ି ଗୁଡ଼ାକ ସତରେ ଏବେ ଜିଇଲା ଜିଇଲା ମୁନିଆଁ ଆଖିରେ ମୋତେ ନିରେଖି ଲାଗିଛନ୍ତି । ରିକ୍‌ସାରୁ ଓହ୍ଲାଇପଡ଼ି ଫାଟକ ମୁକୁଳା କରି ଘର ଭିତରେ ପଶିବାର ଉପକ୍ରମ କରିଛି–ପାଦ ଅଟକି ଗଲା ଦାଣ୍ଡ ଘରର ଏରୁଣ୍ଡି ବନ୍ଧ ଉପରେ । ରିସେପସନ୍‌ର ସୋଫା ଉପରେ ବସିଛି ମହିନ୍ଦର ସିଂହ ଗୋଡ଼ ଉପରେ ଗୋଡ଼–ଲଖନୱି କୁର୍ତ୍ତା ପାଇଜାମା ପିନ୍ଧିଛି ।–ମୁହଁରେ ବାଦ୍‌ସାହୀ ଠାଣି–ଚାହୁଁଛି ସେ ମୋ ଡ୍ରେସିଂ ସେଟ୍ ଅଇନା ଆଡ଼କୁ । ଆଇନା ସାମନାରେ ନିଶି, ରେଲଓ୍ୟାନୀ ଓ ଆଉ ତାଙ୍କର ସଖୀ ସଙ୍ଗାତ ମୁଦୁପୁଲି ଓଗେର ପାଞ୍ଚ ଛ ଜଣ ଖଣ୍ଡେ ଖଣ୍ଡେ ତିନିଇଞ୍ଚ ଓସାରର ଝୀନ ବକ୍ଷ ଉତ୍ତରୀ ଆଉ କରସେଟ୍ ପିନ୍ଧି ଦେହରେ ସ୍ଥାପତ୍ୟକୁ ଟାଣି ଓଟାରି ବିମ୍ବିତ କରି ଆଇନା ଆଗରେ କାଳସୀ ଲାଗିଲାପରି ସମତାଳରେ ମୁଣ୍ଡର ବବୁରୀ ବାଳକୁ ତଳକୁ ଉପରକୁ ଝାଙ୍କି ଦୋହଲୁଛନ୍ତି । ଟେବୁଲ୍ ଉପରେ ଟେପ୍‌ରେକର୍ଡ଼ର ସଦ୍ୟତମ ‘ଟ୍ଵିଷ୍ଟ’ ନାଚର ନୃତ୍ୟ ସଙ୍ଗୀତ । ମୋତେ ଦେଖି ମହିନ୍ଦର ଉଠିଆସି କହିଲା, “ସାବ୍–ଲାୟନ୍‌ସ କ୍ଳବ୍‌ରେ ଗୋଟେ ‘ସୋ’ ଦବାର ବରାଦ୍ ଲେଉଛି । ମୁଁ ଏଙ୍କର ରିହରସାଲ୍ କରାଉଛି । ବସନ୍ତୁନା ବାବୁ, ୱକ୍ତପର ଆସିଛନ୍ତି । ଆପଣଙ୍କ ମନ୍‌ପସନ୍ଦ ହେଲେ’ଇ ହୁଏ ।”

 

ତା’ପର ମୁଁ କ’ଣ କଲି କିଛି ମନେ ପଡୁନି । ତେବେ ନିଜ ମୁହଁରୁ ଏକ ବିକଟ କିଲିକିଳା ଚିତ୍କାର ନିଜ କାନରେ କିଛି ସମୟ ଧରି ବରାବର ଧ୍ଵନିତ ହେଉଥିଲା । ସେଇ ଅଧନଙ୍ଗୁଳି ବେଶରେ ପଞ୍ଚୋଟି ତନୁପାତାଳୀ ଝିଅ ଆଖିକୁ ଭୟ ଓ ଆଶଙ୍କାରେ ଢେଗା କରି ମହିନ୍ଦରର ଦି କାନ୍ଧରେ ଲେପଟି ଯାଇ ଦୌଡ଼ି ପଲାଉଥିଲେ ରାସ୍ତାକୁ; ଏଇ ତିକ୍ତ ମଧୁର ମୁହୂର୍ତ୍ତକୁ ଠିକ୍ ଭାବରେ ଉପଭୋଗ କରିବାକୁ ମୁଁ ପ୍ରସ୍ତୁତ ନଥିଲି ନିଶ୍ଚୟ ।

 

‘ଆବ୍‌ବେ–ଲାଇଲା ।’

 

ଲାଇଲା ଆଗକୁ ଆସିଲା ଥରି ଥରି । ‘ବାବୁ ଦିହ ଭଲ ଲାଗୁନି କି–ଆଖିଗୁଡ଼ାକ ଲାଲ୍ ଲାଲ୍ ଦିଶୁଛି ।’

 

‘ଚୁପ୍‌ବେ–ହାରମଜାଦି ।’

 

ବିଲ୍‌କୁଲ ଶଙ୍କିଗଲା ଝିଅଟା । ମନ ଭିତରେ ମୋର ହେମାଳ ଉଲ୍ଲାସ, ଦିଗବିଜୟର । ମୋର ଯେ ‘ଅଭିଷେକ’ର ବେଳ ଆଖିରେ ହେଇ ଆସୁଛି ।

 

‘କାଠ ନେଇ ଅଗଣାରେ ନିଆଁ କରିବେ ।’

 

ଚୁପ୍‌କରି ଚାଲିଗଲା ଆଉ ବେଜାଏ କାଠ ଗଦେଇ ନିଆଁ ଧରେଇଲା ସେଥିରେ । ୟା’ପର ହନୁମନ୍ତର ଲଙ୍କାପୋଡ଼ିର କୁହାଟମାରି ମୁଁ ବୋହିନେଲି ମୋର ବହୁକାଳ ସଞ୍ଚିତ ପୋଥିର ସ୍ତୁପ । ନିମିଷକରେ ସବୁ ଜଳି ଲାଗିଲେ ସେ ନିଆଁରେ–ସାର୍‌ର୍ତ୍ତେ–ଷ୍ଟେନ୍‌ବେକ୍–ରାଜାରାଓ ଗୋପି ମହାନ୍ତି–ଗୁରୁବାବୁ–ବର୍ଣ୍ଣାଡ଼ଶ–ଅଡ଼େନ୍–ଇଲିୟଟ୍–ପରେ ପରେ ମୋ ଶୋଇବା ଘର କାନ୍ଥରେ ସଜା ହୋଇଥିବା ବି.ବର୍ମ୍ମୀନ.ଡି. ସୋଜା; ହୁସେନ୍, ଅମିତା ସେର୍‌ଗିଲ୍ ଓ ଆଉସବୁ ପାଶ୍ଚାତ୍ୟ ଓ ଦେଶୀ ଏକ୍‌ଷ୍ଟ୍ରେକ୍ଟ୍ ତୈଳଚିତ୍ର ଆଉ ପ୍ରିଣ୍ଟ୍‌ସ୍ ଜଳିଲାଗିଲା ମୋ ହୋମ କୁଣ୍ଡରେ ଟ୍ଵିଷ୍ଟ, ରୁମ୍ବା ସୁମ୍ବାରେକ୍ ଏନ୍‌ରୋଲ, ଚା’ ଚା’ ଚା’ ଧୂନ୍‌ର ରେକର୍ଡ଼ ସବୁ ରେକର୍ଡ଼ ପ୍ଲେୟାର ସମେତ ପୋଡ଼ି ପାଉଁଶ ହେଲା ପର୍ଯ୍ୟନ୍ତ ମୁଁ ନିଘା କରିଛି ସେ ଅଗ୍ନି କୁଣ୍ଡକୁ ନିଲଠା ନୃଶଂସ ଭାବରେ–‘ଲାଇଲା’ ଚାହୁଁଛି ମିଟିମିଟି ଥରେ ନିଆଁକୁ ଆଉ ଥରେ ମୋ ଦିଗରେ ଫେରି ଫେରି–ସଂଶୟରେ ହତବାକ୍ । ନିଆଁର ତୋଡ଼ ମରି ମରି ଫିକା ପଡ଼ି ଆସିଲା । ମୁଁ ଉଠାଇଲି ମୁଠାଏ ବିଭୂତି । ଛାତି ମୋର ପୁରି ପୁରି ଉଠୁଛି ‘ଲାଇଲା–ଗୋଲାପ କୁଣ୍ଡ ଦି’ଟା ଅଗଣାକୁ ନେଇଆ ।’ –ଏଇ ପାଉଁଶରେ ଇ ସେ ଗୋଲାପ ଗଛକୁ ଜିଆଁଇବାକୁ ପଡ଼ିବ ।

 

‘ସେ ଚାରା କ’ଣ ବଞ୍ଚିବ ବାବୁ । ଖରା ଧାସରେ ମୁରୁକୁଟିଆ ପଡ଼ିଗଲାଣି–ଯେତେ ପାଣି ଦେଲେ ବି ଉଧଉନି ।’

 

‘ଚୋଅପ୍ ହାରାମ୍‌ଜାଦି । ତୁ ପୁଣି କେବେ ସେ ଗୋଲାପ ଚାରାରେ ହାତ ଲଗାଉ ତ–ଦେଖିବୁ । ଏଣିକି ମୁଁ ସେଥିରେ ପାଣିଦେବି ।’

 

ଲାଇଲା ଚାହିଁ ରହିଥିଲା ମୋ ଆଡ଼େ, ଅପଲକ ନିର୍ବୋଧ ଦୃଷ୍ଟିରେ । ପୁଣି କଣ ବୁଝିଲା କେଜାଣି–ହସି ଉଠିଲା ହୋହୋ ହେଇ ।

 

ବହୁଦୂରରୁ ଯେମିତି ମୋ କାନରେ ବାଜୁଥିଲା ରୁଣୁଝୁଣୁ ଜଳ ତରଙ୍ଗର ସିଂଜନ । ମେନକା ହସୁଥିଲେ ଏମିତି ଶୁଭୁଥାଆନ୍ତା ପୁରା !!

Image

 

Unknown

ଦୀପୁର ଗୋଟିଏ ଦିନ

 

କୁଆ କା କଲା ବେଳକୁ ଭଲ ଚାଟ ବିଛଣା ଛାଡ଼ି ଉଠି ସାରି ଦାନ୍ତ ଘଷି ଗାଧେଇ ପାଧେଇ ମଇଦାନ୍‌ରେ ଦଣ୍ଡବେଠକ କରିବା କଥା କହିଲାବେଳେ ମାଷ୍ଟ୍ରରଙ୍କ କଣ୍ଠରେ କି ଦମ୍ଭ । ଜେଜେ ମା, ବାପା, ବୋଉ ସମସ୍ତେ ଖାଲି ଏଇ କଥା ହର୍‌ଦିନ୍ ରଟୁଥିବେ । ଏଣେ ଦେଖିଲାବେଳକୁ ବାପା ପହଡ଼ କରୁଛନ୍ତି ସକାଳ ଆଠଟା ପର୍ଯ୍ୟନ୍ତ । ସିଏତ କେବେ ସୂର୍ଯ୍ୟୋଦୟ ଦେଖି ନଥିବେ । ନିଦ ଭାଙ୍ଗିବ ଯେତେବେଳକୁ ରେଡ଼ିଓରେ ଖବର ଶୁଣିବାକୁ ଧଡ଼ପଡ଼ ହେଇ ଉଠିବାକୁ ପଡ଼ିବ । ତାରିପରି କୁନି ପିଲାଙ୍କ ପାଇଁ ଖାଲି ଏ ନିୟମ କାନୁନ୍ ତିଆରି । ଯାଃ, ମୁଁ ଶୋଇଥାଏ ସେମିତି ଆଉ ପହରେ । ବୋଉ ଉଠରେ ପୁତା ଉଠରେ ପୁତା ରଟୁଥିଲେ ଥାଉ । ହେଲେ ବୋଉଟା ଏଡ଼େ ଜଲଦି ଜଲଦି ଉଠିପଡେ କାହିଁକି ? ଏଡ଼େ ସକାଳୁ ତା କୋଳର ଉଷୁମ ତକ ଖସିଯାଏ । ରନ୍ଧାଘରୁ ଠକ୍ ଠାନ୍‍ ସେଁ ସାଁ ଆଓ୍ୟାଜ୍‌ରୁ ଆଉ ତ୍ରାହି ନାହିଁ । ମତେ ଉଠିବାକୁ ହବ-। ଇସ୍କୁଲବେଳ ଏତେବେଳକୁ ଘଣ୍ଟାଏ ଡେରି । ପ୍ରାର୍ଥନା ତ ସରିବଣି ।

 

ହଉ । ସ୍କୁଲକୁ ଦି ଘଣ୍ଟା ଡେରିରେ ଗଲେ କଣ ବା ଭାସି ଯାଉଚି । ମାଷ୍ଟ୍ରେ ଓ ଦିଦିମାନେ ଆସିଲା ବେଳକୁ ତ ଅଧଘଣ୍ଟେ–ଘଣ୍ଟେ ଡେରି । ସେଥିରେ ପୁଣି କ୍ଳାସକୁ ପଶୁ ନପଶୁଣୁ ପାନ ଖଣ୍ଡେ ଖଣ୍ଡେ ପାଟିରେ ପକେଇବେ । ଏଣୁ ତେଣୁ କଣ ଧାଡ଼ିଏ ଡାକି ଦେଇ ଖବର କାଗଜ ଅନେଇ ବସିବେ । ନଇଲେ ବାହାରକୁ ପଳେଇଯାଇ ଆଉ ସାଙ୍ଗ ମାଷ୍ଟ୍ର ମାଷ୍ଟ୍ରାଣୀଙ୍କ ସାଙ୍ଗରେ ଗପ ଜମେଇ ଦେବେ । ପଢ଼ା ଯଦି କେବେ ଦେଇଥିବେ ଦିନସାରା ଘୁଙ୍ଗୁଡ଼ି ମାରି ଛୁଟି ବେଳକୁ ଏଠୁ ସେଠୁ ଗାର ମାରିଦେଇ ଦସ୍ତଖତ୍ କରିଦେବେ । କେବେ ଯଦି ନାନା କି ସାରଙ୍ଗ ପରି ବଡ଼ ଚାଟୁଆ କଷ୍ଟ ପ୍ରଶ୍ନଟେ ପଚାରି ଦବ ତାହେଲେ କୋପ ଦେଖେ କିଏ । କହିବେ ଆମରି ପାଖରେ ଆସି ଟିଉସନ୍ ହୁଅ ନ ହେଲେ ସବୁ ବାଳୁଙ୍ଗା ହେଇଯିବ ।

 

ଇସ୍କୁଲରେ କିନ୍ତୁ ଡିଆଁ ଉକୁଚା ପାଇଁ ସବୁ ଖୋରାକ୍ ମହଜୁଦ୍ । ସାନ ସାନ କାଠ ଡେସ୍କଗୁଡ଼ାକ ଉପରେ ଧାଡ଼ି ଧାଡ଼ି ଗୋଟେ ଛଡ଼ା ଗୋଟେ ଡେଇଁ ଡେଇଁକା ପ୍ରତିଯୋଗିତାରେ ମୁଁ ସବୁବେଳେ ପ୍ରଥମ । ବହି ଚିରା, ସାଙ୍ଗ ପିଲାଙ୍କ ଜାମାରେ ସ୍ୟାଇ ଛିଞ୍ଚଡ଼ା, ବାଘଛେଳି ଗୋଡ଼ିଖେଳ, ଚଟା, ଗୁଚିତାଣ୍ଡୁ ୟାକୁ ଯେ ଯେତେ ଖେଳି ପାରିଲା କେହି ପଚାରିବାକୁ ନାହିଁ । ପ୍ରେଜେଣ୍ଟ ପଡ଼ି ସାରିଲା ପରେ ଆଉ କିଏ କା’କୁ ପଚାରେ । ହେଲେ ମାଷ୍ଟ୍ର ଆଉ ଦିଦିମାନେ ଭେଳା ଭେଳା ହେଇ ଗୋଟେ ଜାଗାରେ ବସି ଏମିତି କଣ ସବୁ ଗପ ଜମେଇ ଥାନ୍ତି । କା ଭାଇ ବଡ଼ ଅଫିସର୍ ହେଲା; କା ଗାଈର ଜାଆଁଳା ଛୁଆ ହେଇଚି, କିଏ ମନ୍ତ୍ରୀଙ୍କ ପୁଅକୁ ଟିଉସନ୍ କରୁଥିବାରୁ ତା’ର ମଟର ଗାଡ଼ିରେ ଯିବା ଆସିବା ହଉଚି । ଇଥିରୁ କଣ ମିଳେ ସେମାନଙ୍କୁ । ପିନୁ ତ ଠିକ୍ କହୁଥିଲା । ଏ ମାଷ୍ଟ୍ର ମାଷ୍ଟ୍ରାଣୀଗୁଡ଼ାକ ଆମ ସାଙ୍ଗରେ ହାଫ୍ ପ୍ୟାଣ୍ଟ ପିନ୍ଧି ଡେଉଁ ନାହାନ୍ତି କାହିଁକି । ତାଙ୍କର ବି ତ ହାଡ଼ ପାକଳ ହେଇ ଯାଆନ୍ତା ।

 

ହେଡ଼୍ ପଣ୍ଡିତେ କିନ୍ତୁ ବଡ଼ ରାଗି । ଖାଲି ଆମମାନଙ୍କ ଉପରେ ରାଗନ୍ତିନି, ଅନ୍ୟ ମାଷ୍ଟ୍ର ମାଷ୍ଟ୍ରାଣୀଙ୍କ ଉପରେ ମଧ୍ୟ ଚିହିଁକି ଯାଆନ୍ତି ବେଳେ ବେଳେ । ସିଏ କ୍ଳାସ୍ ରୁମ୍ ବାଟେ ଚାଲିଗଲା ବେଳେ ଦିଦିମାନେ ହଠାତ୍ କାଲୁବାଲୁ ହେଇ ବଡ଼ ପାଟିରେ ପାଠ ପଢ଼େଇବା ଆରମ୍ଭ କରି ଦିଅନ୍ତି କାହିଁକି । ଆଉ ପିଲାଗୁଡ଼ାକ ବି ଏକ ଧ୍ୟାନରେ ବସି ସବୁ ପିଇଗଲା ଭଳି ଅଭିନୟ କରନ୍ତି ଯେ । ତେବେ ଏଥିରେ ଆମର କିଛି ଅସୁବିଧା ନାହିଁ । ସ୍କୁଲ୍ ହତାର ତାରବାଡ଼ ପାଖେ ଏଣ୍ଡୁଅଙ୍କୁ ବୋଲୁଅ ଲାଖ କରିବାରେ କି ସିନେମା ଗୀତ ସବୁ ବେଢ଼ଙ୍ଗିଆ କରି ଗାଇବାରେ, କି ଦପ୍ତରୀର ଆଖି ଏଡ଼ାଇ ମାଷ୍ଟ୍ରମାନଙ୍କ ସାଇକେଲରୁ ପମ୍ପ୍ ଖୋଲିବାରେ ଯୋଉ ମଜା । ଦୁଷ୍ଟାମି କଲେ କୁଆଡ଼େ ପରୀକ୍ଷାରେ ଆମେ ଫେଲ୍ ହେଇଯିବୁ । କାହିଁକି ଆମେ ଫେଲ୍ ହେବୁ । ପାଠତ ପଢ଼ଉ ନାହାନ୍ତି । ଆମଠୁ ତ ଗଣେଶ ପୂଜା ଶ୍ରୀପଞ୍ଚମୀ ଗୁରୁଦିବସ ଚାନ୍ଦା ନବାରେ ନଛୋଡ଼ ବନ୍ଧା । ଯଦି ବା ଫେଲ୍ ହେଲୁ ତା ହେଲେ ବଡ଼ ଇସ୍କୁଲ୍ ଆଉ କଲେଜ ପିଲାଙ୍କ ଠାରି ହରତାଳ କରିବୁ ଷ୍ଟ୍ରାଇକ୍ କରିବୁ । ଷ୍ଟ୍ରାଇକ୍ ହେଲେ ଭାରି ମଜ୍ଜା । ଧାଡ଼ିବାନ୍ଧି ଗଳା ଫଟେଇ ପାଟିକରି ଚାଲିବୁ । ‘ଦୀପୁ ପୀନୁ ଜିନ୍ଦାବାଦ’ । ହେଡ଼୍‌ମାଷ୍ଟର୍ ବୁଢ଼ାମାଙ୍କଡ଼ । ଲାଠି ଗୋଲି ଖାଏଙ୍ଗେ । ପରୀକ୍ଷାରେ ସମସ୍ତେ ପାଶ୍ କରେଙ୍ଗେ । ଜନତା ସରକାର୍, କଂଗ୍ରେସ୍ ସରକାର୍ ସବୁ ସରକାର୍ ମୁର୍ଦ୍ଦାବାଦ ।’ ଭାରି ମଜ୍ଜା । ହେଲେ ଆରବର୍ଷ ଯୋଉ ବଡ଼ବଡ଼ ନିଶ ଆଉ ଦାଢ଼ି ରଖିଥିବା ଛିଟ ପେଣ୍ଟ ଜାମା ପିନ୍ଧିଥିବା ଲୋକଟା ତାଙ୍କୁ ଚକଲେଟ୍ ଦେଇ ପ୍ରସେସନ୍ କରିବାକୁ କହିଥିଲା ଆଉ ପୁଲିସ୍ ଗୋଡ଼ାଇବାରୁ କିଳ୍‌କିଳା ରାବ କରି ଦଉଡ଼ି ଥିଲା ସିଏ ତ ଏବେ ଗୋଟେ ଚକଚକିଆ ମଟର ଗାଡ଼ିରେ ଯିବା ଆସିବା କରୁଚି । ତାର ତ ପେଟ ଆଉ ଗାଲ କଖାରୁ ଆଉ ଟମାଟୋ ଭଳି ଫୁଲିଗଲାଣି ।

 

ଯେତେ ଲୋକ ମଟର ଗାଡ଼ିରେ ବୁଲୁଚନ୍ତି ସବୁ ତ ଭାରି ମଜାରେ ଥିବେ । ଯେତେ ଚକଚକିଆ ଦୋକାନ ହୋଟେଲ ତାରି ଆଗରେ ସେମାନଙ୍କ ଗାଡ଼ି ଥୁଆ । କେତେ ବଢ଼ିଆ ବଢ଼ିଆ ଜାମାପଟା ପିନ୍ଧି ସେଥିରୁ ପିଲାମାନେ ଓ ତାଙ୍କ ବାପା ମା ଚଉକସ ଆଡ଼୍‌ଡ଼ାରେ ବାହାରନ୍ତି । ଆମର ସେମିତି ମଟରଗାଡ଼ି ଥାଆନ୍ତା କି । ମୋର ତ ଗୋଟେ ଯୋଡ଼େ ପେଣ୍ଟ ଯୋଡ଼େ ସାର୍ଟ । ଯୋତା ହଳକ ବର୍ଷେ ହେଲା ଛିଣ୍ଡି ଗଲାଣି । ବୋଉ କହୁଚି ଆର ବର୍ଷକୁ ଯାଇ ନୂଆ ହଳେ ହେବ । ଯାହା କହିଲେ ପଇସା ନାହିଁ, ପଇସା ନାହିଁ । ବାପା ବୋଉ କାହିଁକି ସବୁ ପଇସା ତାଙ୍କ ପାଖରେ ରଖିବେ-। ଆମେ କଣ ରଖି ପାରନ୍ତୁନି । ଆମ ଇସ୍କୁଲରେ ବି ଧନୀଘର ପିଲା ଅଛନ୍ତି । ତାଙ୍କ ବାପା ବଡ଼ ହାକିମ କି ବଡ଼ ଦୋକାନ ବା ମିଲ୍‌ର ମାଲିକ । ଚାରି ଛଅଟା ପିଲା ଏମିତି ଗାଡ଼ିରେ ଆସନ୍ତି । ଚନା ମିନା ସବୁଦିନ ସରକାରୀ ଗାଡ଼ି ଛାଡ଼ି ଦେଇଯାଏ ଓ ଛୁଟି ପରେ ଘରକୁ ନେଇଯାଏ-। ସେମାନେ ସ୍କୁଲକୁ ଆଣି ଥାଆନ୍ତି ଟିଫିନ୍ ବାକ୍‌ସରେ ଅଣ୍ଡା ଭଜା, ବିସ୍କୁଟ, କାଡ଼ବରୀ ଚକଲେଟ୍ ଆଉ କେତେ କଣ । ଆମରି ଆଗରେ ଖାଉଥିବେ ଚାକୁ ଚାକୁ କରି । ଟିକିଏ ହେଲେ ଦେବେନି-। ସିଏ ଦିନେ ମତେ ଚିଡ଼େଇବାକୁ କହିଲି ଯେ, ଆମ ବାପା ସବୁଦିନ ବାଲ୍‌ଟିଏ ଚକ୍‌ଲେଟ ବଜାରରୁ ଆଣନ୍ତି-। ମୁଁ ଗୋଟାଏ ବେଳା ଭାତ ଖାଏ । ବାକି ତ ସବୁବେଳେ ଚକ୍‌ଲେଟ୍-। ସତରେ ସେମିତି ହୁଅନ୍ତା କି-

 

ପୀନୁକୁ ସେଦିନ ଅବକାରୀ ହାକିମଙ୍କ ପୁଅ ଛାତି ଫୁଲେଈ କହିଲା ଯେ, ଦରମାରୁ କାଟିକୁଟି ଆଣନ୍ତି ଘରକୁ ଛଅଣ ଟଙ୍କା । ହେଲେ ତା ବୋଉର ବାକ୍‌ସରେ ସବୁବେଳେ ବିଡ଼ା ବିଡ଼ା ନୋଟ୍ । ସବୁଠୁଁ ତାଙ୍କ ଉପୁରି ଭଲ । ଉପୁରିଟା ପାପ କଥା କହିଲାରୁ ସେ କେମିତି କହିଲା–ହଃ । କଣ ହବ ସେଥିରୁ । ତାଙ୍କ ଘରକୁ ସବୁଦିନ ଦି’ତିନି ଜଣ ମନ୍ତ୍ରୀ ଆସନ୍ତି । ଆଉ ବାପାଙ୍କଠୁଁ ଆଉରି ବଡ଼ ବଡ଼ ହାକିମମାନେ ବି ଆସି ତାଙ୍କ କାନରେ ଫୁସ୍‌ଫୁସ୍ କରି କଣ କହନ୍ତି । ବାପା ଖାଲି ମୁରୁକି ହସୁଥାଆନ୍ତି । ସିଏ ତ ଖୁବ୍ ଚଲାକ୍ । କହୁଥିଲେ ଯେ, ସହରର ସବୁ ସ୍କୁଲ ପିଲାଙ୍କୁ ସିଏ ତାର ସ୍ଵନକ୍ଷତ୍ର ଦିନ ପ୍ରାଚୀ ହୋଟେଲରେ ଗୋଟାଏ ପାର୍ଟି ଦେବେ । ଓଃ ଭାରି ଗୋଟେ ଫୁଲେଈ କଥା କହୁଚି । ଇସ୍କୁଲ ପଡ଼ିଆରେ ଏମୁଣ୍ଡୁ ସେମୁଣ୍ଡଯାଏଁ ତ ଥରେ ଧାଇଁଗଲେ ଧଇଁସଇଁ ହେଇଯିବ । କଣ ଏମିତି ଅଧିକା ଖାଉଚି ଓ ଆମେ କମ୍ ଖାଉଚୁ ।

 

ସବୁଦିନେ ଏଇ ଘଷରା ଖାଦ୍ୟ ଖାଇ ଖାଇ ଚିଟା ଲାଗିଲାଣି । ସକାଳୁ ସେଇ ଶୁଖିଲା ରୁଟି ଦିଖଣ୍ଡ ଆଉ ବାସି ଡାଲି । ଇସ୍କୁଲରୁ ଏଇନା ଫେରିଲି । ଦିନ ବାରଟା । ବୋଉ ଧଡ଼ପଡ଼ ହେଇ ବାଢ଼ି ଦେଇଚି । ସେଇ ଭାତ, ପାଣିଆ ଡାଲି ଆଉ ଆଳୁ ଚକଟା ମେଞ୍ଚାଏ । ଦିନେ ଆଳୁ ଚକଟା ଦିନେ ସନ୍ତୁଳା । ପୁଣି ଆଳୁ ଚକଟା, ପୁଣି ସନ୍ତୁଳା । ଗୋଟେଢ଼ଙ୍ଗ ଚାଲିଚି । କୋଉଦିନ ଯାଇ ରବିବାର ଆସିବ, ଅଧ କେଜି ମାଉଁସକୁ ଏଗାର ଜଣ ଖାଇବେ । ବୋଉ ପାଇଁ ତ କୋଉ ଦିନ ନ ଥାଏ । ସିଏ ଆମ ଅଇଁଠାରୁ ଖୁଣ୍ଟିନାଣ୍ଟି କେବେ କେବେ ହାଡ଼ ଖଣ୍ଡେ ରେକେଟିବାର ମୁଁ ଦେଖିଚି । ମଝିରେ ଯଦି ଅଜା କି କଣ୍ଟ୍ରାକ୍ଟର ପିସା ମିଠା ପୁଡ଼ିଆଟିଏ କିଣି ଆଣିଥିବେ, ବୋଉ ଅବଶ୍ୟ ଅନ୍ୟମାନଙ୍କ ଭାଗରୁ ଖଣ୍ଡେ ଦି ଖଣ୍ଡ ଅଧିକ ମତେ ଲୁଚେଇ କରି ଦେଇଦିଏ । ମୁଁ ସାନ ପୁଅ ନା । ମତେ ସମସ୍ତେ ଗେହ୍ଲା କରନ୍ତି । ହେଲେ ଗୁଡ଼ି ପେଇଁ ତ ପଇସା ଦେଲେ ନି । ବଜାରକୁ କେତେବେଳେ ଗଲେ ଚାର୍ଟ ଖାଇବାକୁ ହଜାରେ ଥର କହିଲେ ଗୋଟେ ପ୍ଳେଟ୍ କିଣି କହିବେ ଚାରି ଭାଇ ଭଉଣୀ ମିଶି ଖାଅ । କେବେହେଲେ ଥରେ ଗୋଟାଏ ପୁରା ପ୍ଳେଟ୍ ତା ହାତରେ ପଡ଼ନ୍ତା କି ।

 

ସେ ତ ଠିକ୍ କରି ସାରିଚି ବଡ଼ ହେଲେ ଗୋଟେ ବଡ଼ ଠେଲଗାଡ଼ି ଥିବା ଜଣେ ଚାର୍ଟ ବିକାଳି ହେବ । ଯଦି ସେଟା ନ ହେଇ ପାରିଲା ତେବେ ଦ୍ଵିତୀୟ କିସ୍ତିରେ ହବ ପୁଲିସ୍ ସାହେବ । ଯିଏ କି ଗୋଟାଏ ଅର୍ଘାସୁର ଶାଗୁଆ ମଟର ଗାଡ଼ିରେ ଆଗ ସିଟ୍‌ରେ ବସି ଚଉକସ୍ ନିଶ ହଳେ ହଲେଇ ଜଳନ୍ତା କୋଇଲା ପରି ଆଖିକରି ଭୁଁ ଭାଁ ରାସ୍ତାରେ ଉଡ଼ି ଯାଉଥିବ । ତାକୁ ଦେଖି ଲୋକବାକ ଓ ଗାଡ଼ି ମଟର କେଡ଼େ ବେଗି ବେଗି ବାଟ ଛାଡ଼ି ଦିଅନ୍ତି ।

 

ବୋଉ କହୁଚି ଖାଇଲୁ ତ, ଦଶ ମିନିଟ୍ ଶୋଇପଡ଼ । ତାପରେ ପାଠ । ପ୍ରଶ୍ନମାଳାରୁ ଟିକ୍ ମାରି ଦେଇଚି ଆଠଖଣ୍ଡ ଅଙ୍କ, ଗୋଟେ ରଚନା, ଚାରିଫାଳ ଇଂରାଜୀ ହସ୍ତାକ୍ଷର । ଏଇ ପୁଣି ରାତି ଆଠଟା ସୁଦ୍ଧା ସରିବ । ନାନୀ କହୁଚି ପାଠ ପଢ଼ । ଭାଇନା କହୁଚି ପାଠ ପଢ଼ । ବାପା ତ ଖାଲି ଗର୍ଜ୍ଜୁଚନ୍ତି ପାଠ ପାଠ ପାଠ । ପାଠ ଆସିଲେ ତ ହେବ । ଅଧା ଅଙ୍କ କରି ପେଟ ମାରୁଚି ବୋଲି କହିବାକୁ ପଡ଼ିବ ଆଜି । କାଲି ବୋଉ ସାଙ୍କେତିକ ତିନି ଖଣ୍ଡ ବୁଝେଇଥିଲା । ଆଜିକି ମନେ ନାଇଁ । ସାରପୋରିଆ ଯୋଉ ମସ୍ତବଡ଼ ଦୋକାନ କରିଚି, ଚାରିଟା ଗାଡ଼ି ରଖିଚି । ତାର କୁଆଡ଼େ ଜମ୍ମାରୁ ପାଠ ହେଲାନି ବୋଲି ତା ବାପା ତାକୁ ଘରୁ ବାହାର କରି ଦେଇଥିଲା ।

 

ବାପା ସବୁବେଳେ ଏମିତି ଗର୍ଜ୍ଜନ୍ତି କାହିଁକି । ଟିକିଏ କଥାରେ ଢି ଢା ବସିଯିବ । ସିଏ ନଟା ବାଜୁ ନ ବାଜୁଣୁ ଅଫିସ୍ ପଳେଇ ଗଲେ ଯାଇ ରକ୍ଷା । ବୋଉ ବି ତ ଗର ଗର ହେଉଚି । ହେଲେ ରାତିରେ ପାଖେରେ ଶୋଇଲା ବେଳେ ତୁଛାଟାରେ କାହିଁକି ଏତେ ଗେହ୍ଲା କରେ କହିଲି । ବୋଉକୁ ଏବେ ଦିନେ ଜର ହେଲା । ସିଏ ଖଟରେ ଶୋଇ କମ୍ପିଲା । ଭାବିଥିଲି ସବୁଆଡୁ ନିସ୍ତର । ଯାଇ ସାଇ ପିଲାଙ୍କ ସାଙ୍ଗରେ ଢାବଲ ପଟାରେ ବ୍ୟାଟ୍ ତିଆରି କରି ଦିନଯାକ ମଜାରେ କ୍ରିକେଟ୍ ଖେଳିବି ବୋଲି । ହେଲେ କ’ଣ ହେବ, ସନ୍ଧ୍ୟାବେଳକୁ ଘରକୁ ଫେରି ଦେଖେ ଡାକ୍ତର ବସି ବୋଉକୁ ଦେଖୁଚି । ବାପା ଓଷଦ ତାଲିକାକୁ ଜଳକା ପରି ଚାହୁଁଛନ୍ତି । ବଜାର କଲାବେଳେ ଜିନିଷର ଦରଦାମ ପଚାରିଲା ବେଳେ ବାପାଙ୍କ ମୁହଁ ଯେମିତି ଶୁଖିଯାଏ, ଏବେ ତାଠୁଁ ଆଉରି ଅଧିକ ଶୁଖି କଳାକାଠ ପଡ଼ିଚି । କାଲି ତ କହୁଥିଲେ ଧାର ଆଣିବାକୁ ହେବ ବୋଲି । ନାନୀ, ଭାଇନା ସମସ୍ତେ ବୋଉକୁ ଘେରି ବସିଛନ୍ତି । ମତେ କିଛି ଭଲ ଲାଗିଲାନି । ବୋଉ ଖାଲି ମତେ ଚାହିଁ କହିଲା ‘ଦୀପୁ ଖାଇଚି କି ନାହିଁ ? ତା ପରେ ମୁହଁମାଡ଼ି କମ୍ବଳ ତଳେ ହୁ ହୁ ହେଇ କମ୍ପିଲା । ମତେ ଡର ଲାଗିଲା । କାନ୍ଦ ବି ଲାଗିଲା । ପୀନୁକୁ ଯାଇ ପଚାରିଲି ଜରରେ ଲୋକେ ମରି ଯାଆନ୍ତି କି ? ବୋଉ ମରିଗଲେ ତୁ କଅଣ କରିବୁ ବୋଲି ନାନୀ ପଚାରିଲାରୁ ମୁଁ କିଛି କହିଲିନି । ମୁଁ ତ ଯାଣିଛି ବୋଉ ଜମ୍ମାରୁ ମରିବିନି । ସେ ରାତି ବାପାଙ୍କ ପାଖରେ ଶୋଇଲି । ହେଲେ ନିଦ ହେଲାନି-

 

ହେଲେ ନାନୀ ଭାଇନା ସବୁବେଳେ ମତେ ପିଟିବେ କାହିଁକି ? ମୁଁ କ’ଣ ସାନ ବୋଲି । ତାଙ୍କ ବାକ୍‌ସରୁ କଲମ, ପିଜୁଳି, ଗୁଡ଼ି–ନଟେଇ, ଜଳଛବି କେତେବେଳେ କେମିତି ନେଇ ଆସିଲେ ମୋ ସାଙ୍ଗେ ଭିଡ଼ା ଓଟରା ଲଗେଇ ଥାଆନ୍ତି । ବୋଉ କଥା କ’ଣ ଜମାରୁ ଶୁଣନ୍ତି ?’ ସାନ ପିଲାଟେ । ନେଇଗଲା ତ କଣ ହେଲା ?’ ବୋଉ କାହିଁକି ସବୁବେଳେ ଭାଇନାକୁ ଅଧିକା ତରକାରୀ ଦବ ? ସିଏ କହୁଚି, ବୋଉକୁ ପୋଷିବ । ମୁଁ କ’ଣ ପୋଷିବିନି ? ନାନୀକୁ କାହିଁକି ସବୁବେଳେ ବହୁତ ଦାମ୍‌ର ଭଳିକି ଭଳି ଫ୍ରକ୍ ଜାମା ପଟା କିଣିଦବ ? କହିବ କଣ ନା ସିଏ ଝିଅ ପିଲାଟେ । ଶାଶୁଘରକୁ ଯିବ । ଶାଶୁଘରକୁ ଯିବତ ସେଠେଇଁ ପିନ୍ଧିବ । ଆମ ସାଙ୍ଗରେ କାହିଁକି ବାଦ ??

 

ଜେଜେମା ଶୋଇଚନ୍ତି । ବୋଉ ଶୋଉଚି । ତିନିଟା ବାଜିଚି । ଜେଜେମା ବି ମତେ ସବୁଠୁଁ ଭଲ ପାଏ, ଗେହ୍ଲାକରେ । ବାପାଙ୍କ ପିଲାଦିନ କଥା କହେ । ବାପା କୁଆଡ଼େ ଭାରି ଚଗଲା ଥିଲା । ଭଲ ପାଠ କିନ୍ତୁ ପଢ଼ୁଥିଲେ । ମୁଁ ପାଠ ପଢ଼ୁନି କି ? ସିଏ ଶୋଇଛନ୍ତି ଏବେ ମୁଁ ଚାଲିଲି । ଛାମୁକରଣ ପୋଖରୀରେ ମାଛଧରା ହଉଚି । ଦେଖିବୁଁ । ସେଠୁ ଯିବୁ ପୀନୁ ବାପାଙ୍କ ସାଇକଲ୍ ବାରିପଟୁ ନେଇ ଦି ଜଣିଆ ଚଢ଼ି ପ୍ରଦର୍ଶନୀ ପଡ଼ିଆ ଆଡ଼େ ବୁଲିବୁ । ଆମ ସାଇରେ ପିନୁ ସବୁଠୁଁ ଜୋର୍‌ରେ ସାଇକଲ ଚଳାଏ । ତାଠୁଁ ଶିଖିଗଲେ ମତେ କ’ଣ ସିଏ ଆଉ ପାରିବ ?

 

ବାପା କହିଛନ୍ତି ଟିଉସ୍‌ନ ମାଷ୍ଟ୍ରଟିଏ ଆଣିବେ । ସିଏ କୁଆଡ଼େ ରାତି ନଟା ଯାଏଁ ପାଠ ପଢ଼େଇବ ଓ ନିଦ ଲାଗିଲେ ପିଟିବ । ପଇସା ତ ନାହିଁ । ଆଉ ଟିଉସନ ମାଷ୍ଟର ଆଣିଲା ବେଳକୁ ପଇସା କୁଆଡ଼ୁ ଆସୁଚି ? ସନ୍ଧ୍ୟା ଛଅଟାରୁ ରାତି ଆଠଟା ହେଲାଣି । ଅଙ୍କ ଦି’ଖଣ୍ଡ ମୋଟେ କରିଚି-। ଆଉ କିଛି ମୁଣ୍ଡରେ ପଶୁନି ।

 

ଇଆଡ଼େ ନିଦ ଘୋଟି ଆସିଲାଣି । ପାଠ ପଢ଼ିବାକୁ ବସିଲେ ଖାଲି ଭୋକ ଉପରେ ଭୋକ ଲାଗୁଚି । ନଇଲେ ତ ନିଦ । ଯାଉଚି ଢଳେଇ ପଡ଼ିବି । ଢୁଲେଇ ପଡ଼ିଲେ ଆଉ ବୋଉ ମାଡ଼ ଗାଳି କରେନି । ପଛରେ ଉଠେଇ ଖୁଅଇବନି କି ? ଆଜି ରୋଷେଇ ଘର ଉଣ୍ଡି ଆସିଚି । ଶୁଖୁଆ ମଞ୍ଜି ବାସ୍‌ନା ହଉଚି । ଆଉ ନିଦ ହବନି । ହେଲେ ଢୁଳେଇବାକୁ ତ ପଡ଼ିବ ।

 

ବୋଉ ମତେ ସବୁଦିନ କହେ ଠାକୁର ଘରେ ମୁଣ୍ଡିଆ ମାର ଦିଓଳା । ଠାକୁରାଣୀ ଡାକ ଶୁଣିବେ ।

 

ଶୋଇପଡ଼ି ସତ ହେଲା ଭଳିଆ ସପନ ଦେଖିଲି । ମୁଁ ଚାଲ୍ ଘୋଡ଼ା ଚାଲ ଘୋଡ଼ା ପାଟି କରିବାରୁ ବୋଉ ଉଠି ମତେ ଜାକି ପକେଇଲା । ‘କଣ ହେଳାରେ ବାପା’ ବୋଲି କହି କହି ବାପା ଆରଘରୁ ଦଉଡ଼ି ଆସିଲେ । କହିଲି ସପନରେ ଦେଖିଲି ଯେ ଆମ ଠାକୁରାଣୀ ସିଦ୍ଧେଶ୍ଵରୀ ଆସି ମୋ ଆଗରେ ଠିଆ ହୋଇ କହିଲେ ‘ହଇରେ ଦିପୁ । ତୁ ପରା ସେଦିନ ବୋଉ ବୋଲରେ ଯାଇ ମୋ ଆଗରେ ମୁଣ୍ଡିଆ ମାରି କହିଲୁ ଠାକୁରାଣୀ ଏତିକି କରିଦିଅ ।

 

ହେଡ଼୍ ପଣ୍ଡିତ ଆଗେ ମରୁ । ବାପାଙ୍କର ବହୁତ ପଇସା ହଉ । ମୋର ଗୋଟେ ସାନ୍ ସାଇକଲ କିଣା ହଉ । ସକାଳ ସଞ୍ଜ ଦି ବେଳା ବୋଉ ମୋ ପାଇଁ ଚକ୍‌ଲେଟ ଓ ଚାର୍ଟ କିଣିଦେଉ । ସାତ ଦିନରେ ଚାରିଦିନ୍ ରବିବାର ହଉ । ଯେତେବେଳେ ସିନେମା ଦେଖିବାକୁ ଭାବିବି, ସିନେମା ବାଲା ପଇସା ନ ନଉ । ପାଖ ହାକିମଙ୍କ ଘର ପରି ସବୁବେଳେ ଲୋକେ ମାଛ, ଖଜା ମିଠା ନେଇ ଆସୁଥାଆନ୍ତୁ । ସବୁ ଖେଳରେ ମୁଁ ଫାଷ୍ଟ ହାଉଥାଏଁ ।

 

ଆମ ଅଗଣାର ସବୁ ଗଛରେ କ୍ଵାଲିଟି ଆଇସି୍‌କ୍ରିମ୍ ଫଲୁଥାଉ । ଠାକୁରାଣୀ ଯେତେବେଳେ ପଚାରିଲେ ଯେ ଇଏ ସବୁ ତ ହବ, ଆଉ କଣ ଦରକାର ? ଭାବି ଭାବି କହିଲି ଯେ ଆମଘର ଆଗରେ ଯିମିତ ସକାଳୁ ଦିଟା ଘୋଡ଼ାରେ କଳା ଫେଜ୍ ଟୋପି ଲଗେଇ ଦି ଜଣ ‘ଘୋଡ଼ା୍ ସବାର୍’ ସୁଲିସ୍ ବାଲା ଟପ୍‌ଟାପ୍ କଦମ୍ ପକାଇ ଦଉଡ଼ୁ ଥାଆନ୍ତି, ସିମିତିକା ଗୋଟାଏ ଘୋଡ଼ା ଓ ଗୋଟାଏ ଟୋପି ମତେ ଆଣିଦିଅ । ଟୋପିଟା ନିଶ୍ଚୟ । ଠାକୁରାଣୀ କହିଲେ ‘ହେଲା ଯେ’ ଏଇ ଘୋଡ଼ା ନେ ଏଇ ଟୋପି ମଡ଼ା ନେ ଏଇ ଟୋପି ମଡ଼ା । ଘୋଡ଼ାରେ ଚଢ଼ି ‘ଚୈ ଚୈ’ ହେଇ ଟୋପି ମଡ଼େଇ ବସୁ ବସୁ ମୁତି ପକେଇଲି । ବୋଉ କହିଲା ଶେଯ ଯାକ ଓଦା । ବାପା କେତେ ହସିଲେ । କଣ ଗୋଟେ ବୋଉକୁ କହିଲେ–ପୁରା ଉହ୍ମେଇଏ ନିଆଁରେ ବୁନ୍ଦେ ଜଳ ପରି ଟୋପାଏ ସୁଖ ସିଝି ଶୁଖିଯିବାକୁ କେତେ ବା ସମୟ ଲାଗେ । ‘ଦୀପୁନା’କୁ ଆମର ଉହ୍ମେଇଏ ସୁଖ ମିଳୁ । ଦୁଃଖ ଯଦି ଆସିବ ଆସୁ ଛିଟାଏ । ତା କପାଳ ମୋ କପାଳ ଠୁଁ ଭିନ୍ନେ ହଉ । ବୋଉ ବାପାଙ୍କ କଥାବାର୍ତ୍ତାରୁ ମୁଁ କିଛି ହେଲେ ବୁଝେନି ।

 

ଓଦା ଶେଯଟାରେ ବୋଉ କାନି ଫାଲେ ମେଲାଇ ଦେଇ ପୁଣି ଶୋଇ ଘୁଙ୍ଗୁଡ଼ି ମାରିଲାଣି । କେମିତି ନିଦ ହୁଏ କେଜାଣି । ମୁଁ ଯାଇ ଏବେ ବାପାଙ୍କ ପାଖରେ । ବାପା କହୁଚନ୍ତି ଏବେ ଶୋଇପଡ଼ । ସକାଳୁ ଘୋଡ଼ା ଚଢ଼ିବା । ତୁ’ ମୁଁ ଦିହେଁ ।

Image

 

ଫୁଲ ତୋଡ଼ା

 

ଏଇ ଫୁଲ ତୋଡ଼ାଟି ସମ୍ପର୍କରେ କୁହାଯାଉ । ଆମ ସରକାରୀ ସଂସ୍ଥାର ସବୁଠୁଁ ଶକ୍ତିଶାଳୀ ବିଭାଗର ହାକିମମାନଙ୍କ ଦ୍ଵାରା ପରିଚାଳିତ ଓ ପରିପାଳିତ ରାଜଧାନୀର ଉଦ୍ୟାନରୁ ସଂଗୃହୀତ ଯାଇ ଜୁଇ ମଲ୍ଲୀ ମନ୍ଦାର ଗେଣ୍ଡୁ ଗୋଲାପ ଓ ତାରି ସଜ ପାଇଁ ଏଡ଼େ ସୁନ୍ଦର ଚୂନା ଚୂନା ସରୁ ପତ୍ରଥିବା ଡାହି ଭିତରେ ସଜା ହେଇ ଫୁଲପତ୍ରର ମନୋରମ ସ୍ତବକଟିଏ ସବୁଠୁଁ ପ୍ରବୀଣ ଆଉ ରସିକ ସରକାରୀ କର୍ମ ଧାରୟ ମାଳୀ ତିଆରି କରିଛି । ତା ପୁଣି ଖୋଦ ମଛା ମଛା ସାନ ବଡ଼ ମଝିଆଁ ହାକିମମାନଙ୍କର ବରାଦ୍ ଆଉ ତାଗିଦ୍‌ରେ । ଅସଲ କଥା ହେଲା ଯେ ନୂଆ ବର୍ଷର ଉପୋଦ୍‌ଘାତ ଅବସରରେ ନଗଦ ଶିଡ଼ି ଚଢ଼ି ଏଇ ଉଦ୍ୟୋଗ ସଂସ୍ଥାର ସର୍ବୋଚ୍ଚ ସରକାରୀ ଆସନ ଅଳଂକୃତ କରିଥିବା କର୍ତ୍ତାଙ୍କ ଆନୁଗତ୍ୟ ପ୍ରଜ୍ଞାପିତ କରିବା ପାଇଁ ଅଧସ୍ତନ କୁନି ହାକିମମାନେ ପରସ୍ପର ଭିତରେ ଧସ୍ତା ଧସ୍ତି ହେଇ ତାଙ୍କୁ ଅଭିବାଦନ ଓ ଧଳାହାତି ସମ୍ପ୍ରଦାୟର ଚିରା ଚରିତ କାୟଦାରେ କୁର୍ଣ୍ଣିସ କରିବା ପାଇଁ ଆଗଭର ହୁଅନ୍ତି । ଏଇଥିପାଇଁ ପ୍ରାୟ ବିଭିନ୍ନ ମହଲରୁ ଦେଢ଼ ଶହ ପର୍ଯ୍ୟନ୍ତ ପୁଷ୍ପ ସ୍ତବକ ବା ‘ବୁକେ’ ଏଇ ମାଳୀକୁ ବରାଦ୍ ଦିଆ ହୋଇଥିଲା । କିନ୍ତୁ ବୋଟାନିକାଲ ଗାର୍ଡ଼ନରେ ଫୁଲ ଉଧେଇବା ସମ୍ଭାବିତ ଭାବେ ବର୍ଷକୁ ବର୍ଷ ସଙ୍କୁଚିତ ହୋଇ ଯାଉଥିବାରୁ ମାତ୍ର ଗୋଟିଏ ବୋଲି ସୁନ୍ଦର ଫୁଲ ତୋଡ଼ା ପ୍ରସ୍ତୁତ ହୋଇପାରିଲା ।

 

‘କି ହୋ ମାଳୀ ସାହେବ, ତମେ ତ ଆମକୁ ବୁଡ଼େଇଲ । ଏଇ ଗୋଟେ ଫୁଲ ତୋଡ଼ାରେ କାମ ଚଳେ କେମିତି ?

 

ବୁଦ୍ଧିମାନ ମାଳୀ ମୁରୁକି ହସି ରାଜ ସଭାର ବିଜ୍ଞାନୀ ପଣ୍ଡିତ ଶିରୋମଣି ପରି କହିଲେ କଣ ଆଜ୍ଞା । ଏଇ କି ନୂଆ କଥା । କେତେ ନୂଆ ମନ୍ତ୍ରୀ ନୂଆ ହାକିମଙ୍କ ଆବାହନ କଳ୍ପେ ସବୁ ବର୍ଷ ଏମିତି ଗୋଟେ ଦିଟା ମାତ୍ର ଫୁଲ ତୋଡ଼ା ଜରିଆରେ ଶହ ଶହ କୁନି ହାକିମ ବଧେଇ ଜଣାଇ ‘ବାହାବା’ ପିଠି ଥାପୁଡ଼ା ନେଇଚନ୍ତି । ଆପଣ ବଡ଼ ହାକିମଙ୍କ ବ୍ୟକ୍ତିଗତ ସଚ୍ଚିବଙ୍କୁ ପଚାରନ୍ତୁ ସିଏ ବାଟ ବତେଇ ଦେବେ ।

 

ଅବଶ୍ୟ ପରମ୍ପରାର ବ୍ୟତିକ୍ରମ ନ କରି ଅନୁଗତ କୁନି ହାକିମମାନେ ପାହାଳ ରସଗୋଲା, ପାରାଦ୍ଵୀପ ଚିଙ୍ଗୁଡ଼ି, ଚିଲିକା କଙ୍କଡ଼ା କଲିକତା କେକ୍ ଇମ୍ପୋର୍‌ଟେଡ଼ ଭିଡ଼ିଓ ଟେପ୍ ଇତ୍ୟାଦି ବଙ୍ଗଳାରେ ଖୋଦ୍ ସାମ୍ରାଜ୍ଞୀଙ୍କ ହାତରେ ନୂଆ ବର୍ଷ ପ୍ରସରି ଆସିବାର ପୂର୍ବ ରଜନୀରେ ଉତ୍ସର୍ଗ କରି ସାରିଥିଲେ । କିନ୍ତୁ ବାସ୍ତବ ଉପାସନା କେବଳ ସଫଳ କାମ ହେଇପାରେ ଯଦି ଏ ଜାତିର ଐତିହ୍ୟ ସିଦ୍ଧ ପରମ୍ପରା ସମ୍ମତ ଫୁଲ ତୋଡ଼ା ଖୋଦ୍ ସର୍ବମୟ କର୍ତ୍ତାଙ୍କ ଶ୍ରୀହସ୍ତରେ ତାଙ୍କ ଦପ୍ତରର ମହିମାମୟ ପ୍ରକୋଷ୍ଠରେ ସକାଳ ଦଶଟା ବାଜୁ ନ ବାଜୁଣୁ ପ୍ରଦତ୍ତ ହୋଇପାରେ ।

 

ଦେଖାଗଲା ଯେ ବିଭିନ୍ନ ବିଭାଗର ତୈଳାକ୍ତ, କର୍ମଧାରୟମାନେ, ଯଥା ଯୋଗାଣୀ, ଯନ୍ତ୍ରୀ, ଗୃହ ବିଭାଗୀୟ, ରାଜନୈତିକ ଓ କର୍ମ ଉପଚାର ବିଭାଗୀୟ ଆରକ୍ଷୀ ଦେଖା ଚାହାଁ ବିଭାଗୀୟ ଭଳିକି ଭଳି ଚନ୍ଦା, ପେଟୁଆ, ନାଶୁଆ, ଡେଙ୍ଗା, ଲହକା ବିଭିନ୍ନ ବପୁ ଓ ଆକାରର କର୍ମଚାରୀମାନେ ଯାଇ ରୁଣ୍ଡ ହେଲେ ସର୍ବୋଚ୍ଚ ହାକିମଙ୍କ ବ୍ୟକ୍ତିଗତ ସଚୀବଙ୍କ ଅଳିନ୍ଦ ସାମନାରେ-। ଆଜି ସଚରାଚରର ହାକିମମାନେ କେମିତି କେଜାଣି ଦପ୍ତର ଖୋଲିବାର ଅଧଘଣ୍ଟା ଆଗରୁ ହାଜର ।

 

ସଭିଙ୍କ ମୁହଁରେ ଗୋଟାଏ କଥା । ‘କଣ କରିବା ?’ ଗୋଟିଏ ମାତ୍ର ଫୁଲତୋଡ଼ାରେ କେମିତି କାମ ଚଳେ ଶହେ ଲୋକଙ୍କର । ସର୍ବୋଚ୍ଚ ଶକ୍ତି ଓ ସିଦ୍ଧିର ଅଧିକାର ସମ୍ରାଟଙ୍କ ଅଙ୍ଗ ଲାଗି ସଚୀବ ବୁଝେଇ ଦେଲେ ‘ପରବାୟ ନାଇଁ ଭକ୍ତଗଣ । ବଡ଼ କଥା ନୁହେଁ ଆପଣ ସେଇ ପରମ ପ୍ରତାପୀ ଯୁଗ ପୁରୁଷଙ୍କ ହାତରେ ସମର୍ପଣ କରିବେ ପୋକ୍‌ଶୁଙ୍ଗା, ନାଗଫେଣୀ, ପଳାଶ କି ଗୋଲାପ ଫୁଲ । ଅସଲ କଥା ହେଉଚି ଆପଣଙ୍କର ମୋହବତ୍ ଆଉ ଆନ୍ତରିକତାରେ ପଖଳା ଆନୁଗତ୍ୟ । ସାହେବତ ସର୍ବ ଜାଣ । ସିଏ ଠିକ୍ ବୁଝିବେ । ମାର୍ଗଟା ହେଲା ଏଇଆ, ଜଣେ ଯାଇ ଫୁଲତୋଡ଼ା ଦେଉଥିବ ଆଉ ଦେବସିଂ, ତାଙ୍କ ପରାକ୍ରମି ଅର୍ଡ଼ର୍‌ଲି ସେଇ ଫୁଲ ତୋଡ଼ାଟା ସାହେବଙ୍କ ଟେବୁଲ୍ ଉପରୁ ବାହାରକୁ ନେଇ ଆସୁଥିବା । ପୁଣି ଦ୍ଵିତୀୟ ବ୍ୟକ୍ତି, ତୃତୀୟ ବ୍ୟକ୍ତି, ଚତୁର୍ଥ ବ୍ୟକ୍ତି ଆଡ଼୍‌ଇନ୍ ଫିନେଟମ୍ କ୍ରମେ ସେଇ ପନ୍ଥାରେ ସେଇ ଏକକ ଫୁଲ ତୋଡ଼ାକୁ ଠାକୁରଙ୍କ ହାତରେ ଜଣକ ପରେ ଜଣେ ଉତ୍ତୋଳିତ କରୁଥିବେ ଓ ସେଇ ଫୁଲତୋଡ଼ା ଫେରି ଆସୁଥିବ ଏଇ ବ୍ୟକ୍ତିଗତ ସଚୀବଙ୍କ କୋଠରୀକୁ । ଅସୁବିଧା କଣ । ଇକୋନୋମି ସମର୍ଥିତ ପନ୍ଥା । କ୍ଷତି କଣ ।’

 

ଚାହୁଁ ଚାହୁଁ ସତରେ ସେଇୟା ଘଟିଗଲା ଓ ପୁରାପୁରି ନିର୍ବିଘ୍ନରେ । ‘ଆପଣ ଦୀର୍ଘାୟୁ ହୁଅନ୍ତୁ ସାର୍ । ପରମାନନ୍ଦରେ ପ୍ରଜା ପାଳନ୍ତୁ । ଟିକିଏ କରୁଣା କରୁଥିବେ ଏଇ ଅକିଞ୍ଚନ ଭୃତ୍ୟ ପ୍ରତି-। ‘ହେପ୍‌ପି ନିଉୟର୍ । ମୁଁ ମନେ ରଖିବି ।’ ଆପଣ ଗାଦିରେ ବସିଲେ ରାମ ରାଜ୍ୟ ଆସିଗଲା ସାର୍-। ଦାସାନୁଦାସକୁ କରୁଣାରୁ ବଞ୍ଚିତ କରିବେ ନାହିଁ ।’ ‘ହେପି ନିଉୟର୍ । ମୁଁ ମନେ ରଖିବି-।’

 

‘ଏ ମନ୍ତ୍ରୀ ଗୁଡ଼ାକ ସାର୍ ତେରଦିନିଆ ଯମ । କଣ ହୁଏ ବା ଏମାନଙ୍କ ହାତରେ । ଆପଣ ଯେମିତି ମୋଡ଼ିବେ ସେମିତି ଚାଲିବ । ଆପଣତ ମୋଡ଼ା ମୋଡ଼ିରେ ସିଦ୍ଧ ହସ୍ତ । ମୁଁ ବି ମୋଡ଼ିବି । ମୋଡ଼ା ମୋଡ଼ିତ ମୁଁ ଆପଣଙ୍କଠୁଁ ଶିଖିଚି । ଆପଣ ଉପରୁକୁ ମୋଡ଼ିବେ ମୁଁ ଆକିଞ୍ଚନ ଭୃତ୍ୟ, ଆପଣଙ୍କୁ ତଳୁ ମୋଡ଼ିବି । ସବୁତ ଆପଣଙ୍କ କୃପା । ‘ହେପ୍‌ପି ନ୍ୟୁୟର । ମୁଁ କିଛି ଭୁଲେ ନାହିଁ । ଗୋ ଆହେଡ଼ ।’

 

‘ଏ ଦେଶର ଭାଗ୍ୟ ଆଜ୍ଞା । ଆପଣ ଫୁଲପରି ସବୁଦିନ ସୁନ୍ଦର ଆଉ ସତେଜ ଥାଆନ୍ତୁ-। କଣ୍ଟାତକ ମୁଁ କାଢ଼ିନେବି । ମୋର ଭାଗ୍ୟ, ଦେଶର ଭାଗ୍ୟ । ଆପଣ ଜାତକ ଗଣଙ୍କର ଶହେ କୋଡ଼ିଏ ବର୍ଷିଆ ପରମାୟୁ ପାଇ ବଞ୍ଚନ୍ତୁ । ଦୁଧ ମହୁରେ ପୃଥ୍ଵୀ ଭାସିଯାଉ । କୃପା କଣାଟିଏ ଖାଲି ମୋର ପ୍ରାପ୍ୟ ।’

 

‘ହେପ୍‌ପି ନ୍ୟୁୟର୍ । ମୁଁ ଠିକ୍ ମନେ ରଖିବି ।’ ଇମିତି ମଞ୍ଚାଭିନୟ ଚାଲିଲା ପୂରାପୂରି ଚବିଶି ଘଣ୍ଟା ।

 

ଯେତେ ଲୋକ ଯାଇଥିଲେ ସଲାମ ପ୍ରଜ୍ଞାପନ ପାଇଁ ସମସ୍ତେ କୃତାର୍ଥ । କିନ୍ତୁ ଫୁଲ ତୋଡ଼ାର ଭାଗ୍ୟରେ କଣ ଘଟିଲା ଜାଣନ୍ତି ? ପ୍ରଥମେ ବନ୍ଧା ହୋଇଥିବା ସୁତୁଲି ହୁଗୁଳା ହୋଇଗଲା । ରଙ୍ଗ ବେରଙ୍ଗ ପତ୍ର ଓ ଫୁଲର ପାଖୁଡ଼ା ସବୁ ଝଡ଼ି ପଡ଼ିଲା । ଆଉ ସବା ଶେଷ ବ୍ୟକ୍ତି ‘ବୁକେ’ ଉତ୍ସର୍ଗ କଲାବେଳକୁ ଥିଲା କେବଳ ଥୁଣ୍ଟା ଡାଙ୍ଗରେ ଦି ଚାରିଟା ମୁରୁକୁଟିଆ ପତ୍ର ଓ ମାତ୍ର ଚାରିଟା ପାଖୁଡ଼ା ଥିବା ମ୍ରିୟମାଣ ଗୋଲାପ ଫୁଲଟିଏ । ସମ୍ରାଟ କିନ୍ତୁ ତାଙ୍କ ଉଦାର ଗୁଣରେ ଫୁଲତୋଡ଼ାର ଏ କାକୁସ୍ଥ ରୂପକୁ ଅପମାନ ସୂଚକ ଭାଙ୍ଗିମାରେ ଗ୍ରହଣ କରି ନ ଥିଲେ । କେହି ଜାଣନ୍ତି ନାହିଁ ଯେ ଭଲ କରି ବାସିବା ପାଇଁ ସେଇ ଫୁଲ ତୋଡ଼ା ଉପରେ ମୂଳରୁ ଅଧବୋତଲେ ଇଣ୍ଟମେଟ୍ ପରଫିଉମ ଅଜାଡ଼ି ଦେଇଥିଲା, ବିଜ୍ଞାନୀ ଉଦ୍ୟାନ ପାଳକ ମାଳୀଶ୍ରେଷ୍ଠ । କେହି କିନ୍ତୁ ଲକ୍ଷ୍ୟ କରି ନ ଥିବେ ଯେ ଜଣ ପିଛା ପାଞ୍ଚ ଟଙ୍କା କରି ପ୍ରଭୁଙ୍କ ଦେହ ଲାଗି ଅର୍ଡ଼ର୍‌ଲି ପ୍ରାୟ ତିନିଶହ ଟଙ୍କା ଅସୁଲ କରି ସାରିଥିଲା ଓ ବ୍ୟକ୍ତିଗତ ସଚୀବ ମହାଶୟ ତାଙ୍କ ନୂତନ ଗୃହ ନିର୍ମାଣର ସମ୍ପୁର୍ଣ୍ଣ ଲୁହାଛଡ଼ ଓ ସିମେଣ୍ଟ ଖର୍ଚ୍ଚର ତିନି ଚତୁର୍ଥାଂଶ ସଂଗ୍ରହର ପ୍ରତିଶ୍ରୁତି ସଂଗ୍ରହ କରି ସାରିଥିଲେ ।

 

ଫୁଲ ତୋଡ଼ାଟିର ପ୍ରାୟଶଃ ମୃତାବସ୍ଥାରେ ବ୍ୟକ୍ତିଗତ ସଚୀବ ତାଙ୍କର ଏଗାରଟି ସନ୍ତତିଙ୍କ ଜନନୀଙ୍କୁ ନୂଆ ବର୍ଷର ଉପହାରରେ ଆପ୍ୟାୟିତ କରିବାକୁ ଉଦ୍ୟତ ହୁଅନ୍ତେ ଶୁଣିଲେ ‘ବାଡ଼ିପୋଡ଼ା, ରଇଜଳା । ତତେ ଆଉ କିଛି ମିଳିଲାନି । ଥୁଣ୍ଟା ଡାଙ୍ଗ ଖଣ୍ଡେ ଆଣିଚୁ । ଶାଢ଼ୀ କାହିଁ, ବାସନା ତେଲ କାହିଁ !

 

‘ଶୁଣ ସଖି, ଏଇ ଥୁଣ୍ଟା ଫୁଲ ତୋଡ଼ାର ଆଦ୍ୟ ଯୌବନରେ ଭରପୁର ଫୁଲ ଆଉ ମହମହ ବାସ୍ନାର ସମ୍ଭାବନା ମନେ ପକାଅ । ୟା ପଛରେ ଯେଉଁ କନକନିଆଁ ସୁଆଦିଆ ରୂପ ରସ ଗନ୍ଧ ଭରା ମନଟିଏ ଅଛି ତାକୁ ଖୋଜ । ଆମର ଏଡ଼େ ବଡ଼ ହାକିମ ତ ଏଇ ଗୋଟାଏ ‘ବୁକେ’ରେ ହାତ ଅଣ୍ଡାଳି ତରଳି ଗଲେ ଶହେ ଲୋକଙ୍କ ପାଇଁ । ଆଉ ତମେ ଆମେ କିବା ଛାର–ଏଁ !’

 

ଆଶ୍ଚର୍ଯ୍ୟର କଥା ସବୁ ରାତିରେ କର୍ମ ଜଞ୍ଜାଳରେ କୁନ୍ଥୋଉଥିବା ତାଙ୍କର ଏଗାରଟି ସନ୍ତତିର ଜନନୀ ଆଜି ରାତିରେ ତାଙ୍କ ଗୋଡ଼ ଘଷିବାକୁ ହାତ ବଢ଼ାଇ ଦେଲେ ଓ ପରମାନନ୍ଦରେ ବଢ଼ାଇ ଦେଲେ ପୟର ଖୋଦ୍ ମୁଖ୍ୟ କର୍ତ୍ତାଙ୍କ ବ୍ୟକ୍ତିଗତ ସଚୀବ ଚକ୍ରଧର ସେଣ ।

 

ଦିନକର କଥା । ଚକ୍ରଧର ବାବୁ ଯେତେବେଳେ ଚାକିରୀ ଧନ୍ଦା କିଛି ନ ପାଇ ରାସ୍ତାଘାଟ ମାର୍‌ଫତରେ ଜୀବନ ଯାପନ କରୁଥିଲେ ସେତେବେଳେ ନିଝୁମ କଳାରାତିକୁ ସୁକେଶୀ ଅନ୍ଧାର ବୋଲି କହି ପାରୁଥିଲେ । ବସନ୍ତ କାଳର ଉଲ୍ଲସିତ ହାଓ୍ୟାରେ ଆମ୍ବ ବଉଳ ଓଠରେ ବିଚିତ୍ର ମିଠା ମିଠା ଶବ୍ଦ କେମିତି ତିଆରି ହୁଏ ତାହା ସମଝି ପାରୁଥିଲେ । ମନେ ମନେ ଗୁଣି ହଉଥିଲେ ପିଲାଦିନର କଲୁରୀ ବେଣ୍ଟ ଓ ଲାଉ ଧୁଡ଼ୁକିର ଆପାତ ବୈପ୍ଲବିକ କାହାଣୀ ସବୁ । କିଛି ଯେତେବେଳେ କାମ ନ ଥିଲା, କିଛି ରାହା ନ ଥିଲା, ରୋଜଗାରର ପନ୍ଥା ନ ଥିଲା ବା ଚିରା ପକେଟ ବା ସମ୍ପୂର୍ଣ୍ଣ ପକେଟ ବିହୀନତା ଭିତରେ ପ୍ରଭେଦ ନ ଥିଲା, ସେତେବେଳେ ନ ଥିଲା ମଧ୍ୟ ନିଜର ପରିଚୟ ଆକାର ଓଜନ ଓ ନିଜର ମୁହଁକୁ ବାରମ୍ବାର ଦର୍ପଣରେ ଦେଖିବାର ତନ୍ମୟତା । ଭାରି ଭଲ ଥିଲା ଖାଙ୍କା ପେଟ ଓ ଚିରା କମିଜର ଭଗୁରୁ ଭଗୁକୁ ଡେଇଁ ନାଚୁଥିବା କନକନିଆଁ ସ୍ମୃତିରେ ହିଲ୍ଲୋଳିତ ସେଇ ଦିନଗୁଡ଼ିକ । ମନ ଡାକୁଥିଲା ସବୁବେଳେ ‘ଆକାଶରେ–ପବନରେ–ପକ୍ଷୀରେ । ତମେ ସବୁ ମୋର ଡେଣା ହୋଇଯାଅ । ମୁଁ ଉଡ଼ିବି ।’ ବସନ୍ତ ପରେ ଗ୍ରୀଷ୍ମ ଆସିଲା । ଚୁତ ଡାଳରେ ବସି କୋଇଲି କୁହୁକୁହୁ ଗାଇଲା । ଆମ୍ବ ଗଛରେ ପତ୍ର କଅଁଳିଆ । ବଉଳ ମଣ୍ଡି ହେଲା, ଉହୁଡ଼ିରେ ଅଧେ ବଉଳ ଜଳିଗଲା । ବାକିଯାକ ଆମ୍ବ କଷି ହେଲା, ଫଳିଲା, ପାଚିଲା, ଝଡ଼ିଲା । ଗଛ ସବୁ ଦରବୁଢ଼ୀ ହୋଇଗଲା । ସିଏ କିନ୍ତୁ ଆସିଲା ନାହିଁ । ସିଏ କିଏ ଜାଣନ୍ତି ? ଅନନ୍ୟା ‘ଆନିଉଡ଼୍’ ସାଇବ ଝିଅର ନାଆଁ । ଚାକିରୀ ବାକିରି ନ ଥିଲା ବେଳେ ଚକ୍ରଧର ପୁରୀ ରେଳ ଷ୍ଟେସନରେ ଦିନେ ଏଇ କିରସ୍ତାନ ଖୋଲା ମନ ଆଗଚଲା ଝିଅଟିକୁ ଆବିଷ୍କାର କରିଥିଲେ । ଦୁହେଁ ପରସ୍ପରକୁ ପସନ୍ଦ କରିଥିଲେ ଓ କିଛିଦିନ ହାତ ଧରାଧରି ହୋଇ ବିହ୍ଵଳ ଉନ୍ମନା ଅବସ୍ଥାରେ ସହରର ଗଳି କନ୍ଦି ସବୁଆଡ଼େ ଚରି ବୁଲି ଥିଲେ । କଥା ଥିଲା ଆନିଉଡ଼ ମାସଟେ ପାଇଁ ବ୍ୟାଙ୍ଗ୍‌ଲୋର୍ ଯାଇ ତାର ପରିବାର ସହିତ ବୈପ୍ଲବିକ ପଦ୍ଧତିରେ ସବୁ ସମ୍ପର୍କ ତୁଟାଇ ଫେରି ଆସିବ ଓ ତାପରେ ଦି’ଜଣ ଯାକ ଯାବତ୍ ଚନ୍ଦ୍ରାକେ ଏକାଠି ଜୋସ୍ନା ବିହାର କରିବେ ।

 

ସେତ ଆସିଲା ନାହିଁ । ଚାକିରି ବା ପେଷାର ସମ୍ଭାବନା ବି ଆସିଲାନି । ତଥାପି ‘ମାଙ୍କଡ଼ ଗଢ଼ୁ ଗଢ଼ୁ ଦିଅଁ ହବାର ନ୍ୟାୟରେ ପ୍ରତ୍ୟୟୀ ଚକ୍ରଧର ସଚରାଚରର ବସନ୍ତ କାଳ ଆଉ ଫୁଲଫୁଟା ମୁହୂର୍ତ୍ତକୁ ଅପେକ୍ଷା କଲେ । ସୁକେଶୀ ଅନ୍ଧାର ବେଳେ ବେଳେ ଉଭା ହେଲା ତାଙ୍କ ଆଗରେ ଦୋଚାରୁଣୀ ରାତି ପରି । ନିଜକୁ ‘ପୁରୁଷର୍ଷ ଠାଣିରେ ସଜେଇ ସେ ପାଦ ପକେଇଲେ ସହରଠୁଁ ଖୁବ୍ ଦୂରରେ ଥିବା ଝାଉଁ ବଣ ଉହାଡ଼ରେ ସଳଖ ଠିଆ ହୋଇ ଥିବା ସେଇ ବିରାଟ ପଞ୍ଚ ତାରକା ବିଶିଷ୍ଟ ହୋଟେଲ ଦିଗରେ । ସେତେବେଳକୁ ରାତି ତୃତୀୟ ପ୍ରହରର ଶେଷ ପାଦରେ ସବୁଆଡ଼ ଶୁନ୍‌ଶାନ୍ । କିନ୍ତୁ ସବା ଉପର ମହଲାର ତିନୋଟି କୋଠରୀରୁ ଖୋଲା ଝରକା ଦେଇ ତଥାପି ବିଜୁଳି ଆଲୁଅ ଛଟକି ପଡୁଛି କେଡ଼େ ସୁନ୍ଦର ସନ୍ତରଣ ଶାଳାର କାଚ କେନ୍ଦୁ ଗର୍ଭରେ । ତରା ସବୁ ପାଣିରେ ଠେଲି ପେଲି ହେଇ ଚରି ହେଉଥିଲେ । ପୋଖରୀ ଦାଢ଼ରେ ପାହାଚ ଉପରେ ବସିପଡ଼ି ଚକ୍ରଧର ଚାହିଁଥିଲେ ସେଇ ତିନୋଟି ଉଜାଗର କୋଠରୀର ଝର୍କାକୁ କିଛି ଗୋଟାଏ ନୂଆ କଥା ଘଟିବାର ଚପଳ ଆଶା ଆଉ ବିଶ୍ଵାସରେ ।

 

ହେଇ ଦେଖୁଚ । ବାଁ ପଟରୁ ତିନି ନମ୍ବର କୋଠରୀରେ ବାଲ୍‌କୋନିକୁ ଉଠିଲେଣି ତିନିଟା କଳା ଛାଇ ଦିଟା ଲୁଙ୍ଗିପିନ୍ଧା ଲୋକ ବେଶ୍ ମୋଟା ଆଉ ଆର ଜଣକ ପାଇଜାମା ପିନ୍ଧା ଡେଙ୍ଗା ଓ ପତଳା । ସମସ୍ତେ ହିନ୍ଦି ମାରଓ୍ୟାଡ଼ି ଓଡ଼ିଆ ମିଶାମିଶି ଭାଷା କହୁଚନ୍ତି । ସିଧା ବୋଲ୍‌କୋନି ତଳୁ ସନ୍ତର୍ପଣରେ କାନ ଡେରିଚନ୍ତି ଚକ୍ରଧର ।

 

“ସାଇବ ଆମର ପକ୍‌କା ଲୋକ । ଘର ମିଥିଳାରେ ବା ଭାଇଜାଗରେ ହେଲେ କଣ ହବ । ଏଠି ସମସ୍ତଙ୍କୁ ଓଡ଼ିଆ ବୋଲି କହିବାକୁ କହିଚି । କଳାହାଣ୍ଡିରେ ତିନିଟା କୋଠା ଭୁବନେଶ୍ଵରରେ ଦିଟା କୋଠା ଆଉ ଆଠଟା ପ୍ଳଟ୍ । ୟା’ ତା ନାଁରେ । ପୁଣି ପିଲାପିଚିକା ସବୁ ଅସଲ ବ୍ୟବସାୟ ଭିତରେ–ପୋତା ଯେତେ ଉଭା ସେତେ ହୋଇ ଅଛନ୍ତି । ଚାରିଟା ଟ୍ରକ୍ ଗୋଟାଏ ବସ୍, ପାରାଦ୍ଵୀପରେ ଦିଟା ଟ୍ରଲର୍, ଷାଠିଏ ଏକରର ଫାର୍ମ ପଣେ ଜର୍‌ସି ଗାଈ । ଉଦ୍ୟୋଗୀ ଲୋକ ।”

 

“ଆରେ ବାପ ! ସେ ତ ଖୋଦ ସରକାର ଚଳାଇବା ଲୋକ । ସତୁରି ହେବ ନିମକ ସଚ୍ଚା ଓଡ଼ିଆ କର୍ମଚାରିଙ୍କ କାନ୍ଧରେ ପାଦ ଦେଇ ଉଠିଚି । ଆଉ ଏଇଲେ ଅଧା ଶାସନର ଦାୟିତ୍ଵ ତାରି ହାତରେ ସିଏ ନ ଥାନ୍ତା ତ ମନ୍ତ୍ରୀ ଏମ୍: ଏଲ୍: ଏ: ହବା ପୂର୍ବରୁ ଲୋକଙ୍କୁ ପ୍ଳେନ ଟିକେଟ ଦିଅନ୍ତା କିଏ ? ସଉକ ମଉଜର ବ୍ୟବସ୍ଥା କରନ୍ତା କିଏ ? ଦେଖିନ କା’ର ଗାଈର କୁଣ୍ଡା ପାଳ ଦରକାର ତାକୁଇ ଖୋଜା । କା’ ଝିଅ ବାହାଘରକୁ ଦହି ମାଛ ଦରକାର ତାକୁଇ ଖୋଜା । କାହାର ଭଜନ କୀର୍ତ୍ତନ ବ୍ୟବସ୍ଥା ପାଇଁ ଚାନ୍ଦୁଆ ଟଙ୍ଗାଠୁ ଦରିଦ୍ର ନାରାୟଣ ପଙ୍ଗତ ସେଇ ଏକା ସମ୍ଭାଳି ପାରିବ । ସବୁଠୁଁ ବିଚକ୍ଷଣ ବିଦୁରୂପୀ ତୈଳାକ୍ତ କର୍ମଚାରୀର ନମୁନା ।

 

ଦେଖିନା କି ତମେ ସଦର ଦରଜାରେ ମଟର ଗାଡ଼ି ରହିବା ମାତ୍ରେ ସିଏ କେମିତି ନବେ ଡିଗ୍ରୀ ଅଣ୍ଟା ଭାଙ୍ଗି ପଛ ଦରଜା ଖୋଲି ଭି.ଆଇ.ପି. ମାନଙ୍କୁ ସୁଦୁ ହାତରେ ଆହୁଲା ମାରି ପାଛୋଟି ନିଏ । ସତରେ କରିତକର୍ମା ମଣିଷ ତାର ଷୋଳକଳାରୁ ଗୋଟିଏ କଳା ଲେଖାଏଁ କଳା ଯଦି ସଭିଙ୍କ ପାଖରେ ଥାଆନ୍ତା । ଜଗତ ପଛକେ ନର୍କେ ପଡ଼ିଥାଉ ଶାସନ କଳର ସବୁ ପୂଜା ଉଦ୍ଧାର ଦେଇ ଯାଆନ୍ତେ । ଯେତେ ଚନ୍ଦନ କାଠ, ସାଗୁଆନ କାଠ, ଅଫିସ କିଣା ଆସବାବ ପତ୍ର ତା ଗାଁକୁ ପ୍ରଦେଶକୁ ବୋହିନଉ–କିଛି ଯାଏ ଆସେ ନାହିଁ । ସବୁ ପରାକ୍ରମୀ ନେତୃବର୍ଗଙ୍କ ସାଙ୍ଗରେ ହରଦିନ୍ ତାରି ଫଟ ତ ବାହାରୁଚି ଆମର ଯେତେ ଓଡ଼ିଆ କାଗଜରେ !

 

ପତଳା ଲୋକଟା ପାଖ ଘରର କବାଟ ଖଡ଼୍ ଖଡ଼୍ ଶବ୍ଦ ଶୁଣି ବଙ୍କା ବଙ୍କା ଓଡ଼ିଆ ଗୁଜୁରାଟୀ ମିଶା ଭାଷାରେ କହିଲା “ହେଇ ପାଟି କରନି । ହାକିମ ଉଠିଲାଣି ନା କଣ । ଆମ କାରବାର ତ ହେଇ ସାରିଚି । ଚରିଟାଯାକ ଅଡୁଆ ଅଫିସରଙ୍କୁ ତ ବଦଳି କରିଦବ ବୋଲି କହିଚି । ଟୋକିଟାକୁ ନେଇ ପୁଣି ବଡ଼ି ଭୋର୍‌ରୁ ଛାଡ଼ିବାକୁ ହବ । ଚାଲ ଶୋଇପଡ଼ ।”

 

ଏଇ ଦରଜାଟି ବନ୍ଦ ହେଲା ଏବଂ ପାଖ ଦିଟା କୋଠରୀ ଛାଡ଼ି ଅନ୍ୟଟିର ଆଲୋକିତ ଝରକା ଆଗକୁ ଦିଟା ଛାଇ ଆସି ଠିଆ ହେଲେ । ନିଶ୍ଚିତ ଭାବରେ ସେଥିରୁ ଗୋଟିଏ ସ୍ତ୍ରୀ ଲୋକ । ଗୁଣୁ ଗୁଣୁ କରି ଗାଉଚି ବେସୁରା ‘ଡର ଲାଗେ ବଲମା ହୋ’ । ଆର ଲୋକଟି ତା କାନ୍ଧରେ ହାତ ପକେଇ ପଚାରୁଚି ‘କଣ ଗୀତ ଗାଇଲଣି ?’ ‘ଶୁଣ ମୁଁ କାହିଁକି ଗାଉଚି । ଆଉ ସାରା ରାତି ଏଇ ଦାମୀ ହୋଟେଲ କକ୍ଷରେ ଚୌକାତ୍ ଶୟନ ବିଳାସରୁ ମୁକ୍ତ ଉନ୍ମିଦ୍ର ରହିବାକୁ ମନସ୍ଥ କରିଚି । ତମର ମୋର ମାସକ ଦରମା ମିଶି ପେଜ ପାଣି ପାଇଁ ନିଅଣ୍ଟ । ଯେତେବେଳେ ଆମେ ଦିହେଁ ଠିକ୍ କଲେ ଯେ ସାରା ଜୀବନ କାଳର ଗୋଟିଏ ଦିନ ମାଲ୍‌ଦାର ବଡ଼ ଲୋକ ପରି ଏଇ ପଞ୍ଚତାରକା ବିଶିଷ୍ଟ ହୋଟେଲରେ ବିତାଇବାର ପହିଜ କରି ବାକି ମାସର ଅଠର ଦିନ ମାଙ୍କଡ଼ ଚିତ ମାରୁଥିବା ହାଣ୍ଡିର ଉପହାସକୁ ନୈବେଦ୍ୟ ପରି ଗ୍ରହଣ କରିବା–ତେବେ ଆଉ ଶୋଇବା କାହିଁକି ? ଜାଗ ଧନମଣି ଜାଗ । ଗୀତ ବୋଲ । ଉତ୍ପାତ ହୁଅ ।’

 

‘ଚାହୁଁ ଚାହୁଁ ଦେଖିବ । ପତ୍ର ସବୁ କଅଁଳିଲା, ପାକଳ ହେଲା, ଝଡ଼ି ଗଲା । ପାଣିର ରୂପାଢ଼େଉ ଚାଦର ଉପରୁ ମାଳ ମାଳ ହଂସ ଉଡ଼ିଗଲେ ଦକ୍ଷିଣ ଦିଗରେ ଏକ ଲଣ୍ଡା ପାହାଡ଼ ଉପରକୁ । ଆଉ ନିର୍ଘାତ୍ ଖରା ତାତିରେ ଦାଉ ଦାଉ ତାତିଲା ଶିଳା ଶଯ୍ୟାରେ ସିଝି ସିଝି ଜଳିଗଲେ-। ହାଣ୍ଡିରେ କେଡ଼େ ଯତ୍ନରେ ତିଆରି ସଜ ଖେଚୁଡ଼ି ଗଣ୍ଡକ ଚାଉଳ ହେଲା । କାନ୍ଦୁଲ ଡାଲି ହାଣ୍ଡିକ ଆମ୍ବିଳି ହେଇଗଲା । ତରାମାନେ ଆଖି ମିଟିକା ବନ୍ଦ କରି ଦେଲେ; ଆଉ ତାଙ୍କର ଥଣ୍ଡା ମୁନିଆଁ ଚାହାଣିରୁ ଧାର ଧାର ଲୁହ ଝରି ଛାଇଗଲା ଧରିତ୍ରୀର ମଉଳା ଫୁଲ ଶେଯରେ । ସେକେଣ୍ଡ ସୋ ସିନେମା ଫେରନ୍ତା ବୁର୍ଜୁଆ ମଧ୍ୟମ ଶ୍ରେଣୀୟ ଦମ୍ପତିମାନେ ଘରର ରାହା ନ ଧରି ନଈ କୂଳକୁ ଚାଲିଲେ, ଆଉ ଶୀତ କାକାରରେ ଥର ଥର ହେଲେ । କିରାଣୀ ଗୁମାସ୍ତମାନେ ଅଧିକ ଦରମା ଦାବି ଓ ଦରଦାମ ସମ୍ପର୍କିତ ଧର୍ମଘଟ ବର୍ଜନ କରି ‘ଗେଜେଟେଡ଼୍’ ହେବାକୁ ମନ ବଳାଇଲେ-। କବିତାର ଉଷୁମୁ ଚମୁକଟିକ ସରି ଆସୁଚି । ଚିନ୍ତା ନାଇଁ, ତମ ବେକରେ ତମ ବୁଢ଼ା ବୁଢ଼ୀ ବାପ ମା ଭାଇ ଭଗାରି ବନ୍ଧା । ମୋ ବେକରେ ଦି ଭାଇ ତିନି ଭଉଣୀ ରୋଗୀଣା ବାପର ଜଞ୍ଜାଳ ବନ୍ଧା-। ଆମେ ଦିଟା ତ ବାହା ହେଇ ପାରିବାନି । ତଥାପି ଦେଖୁନା ବର୍ଷାର ପ୍ରଥମ ଜଳବିନ୍ଦୁଟି ଭୂଇଁରେ ପଡ଼ିବା ପୂର୍ବରୁ ଟାଆକୁ କିନା ଗିଳି ଦେଇ ଶାମୁକାଟି ବାଲିରୁ ପାଣିକୁ କେଡ଼େ ସୁଖରେ ଗଡ଼ି ଗଡ଼ି ଯାଉଚି । ତା ପେଟ ଭିତରେ ମୁକ୍ତାଟିଏ ତିଆରି ହେଉଚି । ଚାହେଁନି ଧନ ଚାହେଁନି ବଇଭବ-। ତୁମେ ଯେ କବି ସେଇ ମୋ ଗଉରବ’ । ଏମିତି ମନଛୁଆଁ କଥାଟିଏ କହିବା ପାଇଁ କବି ବଧୂଟିଏ କେବେ ଆସିବ ଆସିବ ବୋଲି ବାଟ ଚାହିଁ ବସିଚି । ଭଗବାନ ସତରେ ଆଜିକାଲି ଭାରି ଅନ୍ୟ ମନସ୍କ ରହୁଚନ୍ତି । ଦେଖୁଚନ୍ତି ତମ ଆମ ଅବସ୍ଥା, ତେଣେ ମନ ଯାଇ ଗୋଟିପୁଅ ନାଚଠି । ହସ ପ୍ରିୟ ହସ । ସୁନ୍ଦରା ଫାଟିବାକୁ ଆଉ ଅଳ୍ପ ସମୟ ବାକି, ଅମର ହସିବାକୁ ବା ଚିରଚିରେଇବାକୁ ମାତ୍ର ସେତିକି ସମୟ ବାକି ।

 

ସତକୁ ସତ ଦିଟାଯାକ ସିଲହଟ୍ ଛାଇ କୋଳିକୋଳି ହୋଇ ବେଦମ ହସରେ ଅଜାଡ଼ି ହେଇ ପଡ଼ିଲେ । ‘ହେଃ ହେଃ ହେଃ–ହୋ ହୋ ହୋ–ହା ହା ହା’–ଆଖିକୁ ଲୁହ ଆସିଯିବା ପର୍ଯ୍ୟନ୍ତ । ଏଇ ଭୟଙ୍କର ହସରେ ଚମକି ଯାଇ ପଲେ କୁକୁର ଏକାବେଳେକେ ଭୋ ଭୋ କରି ଚିତ୍କାର କରିବାକୁ ଲାଗିଲେ ସମତାଳରେ । ସଙ୍ଗେ ସଙ୍ଗେ ଝର୍କାଟି ଧଡ଼୍ କରି ବନ୍ଦ ଦେଇଗଲା । କିନ୍ତୁ ଚକ୍ରଧରଙ୍କର କାନ୍ଧ ଉପରେ ପଡ଼ିଲା ଅଧା ମଉଁଳା ଚମ୍ପକ ବହ୍ଲରୀଟିଏ । ସେଇ ହସକୁରୀ ଝିଅଟିର ଗଭାରୁ ମୁକୁଳି ଯାଇ ଅସାବଧାନ ଝର୍କା ବାଟେ ଛଟିକି ପଡ଼ିଚି ନିଶ୍ଚୟ । ଇଏ ବି ଏକ ଭିନ୍ନ ରୂପର ଫୁଲ ତୋଡ଼ା ସମର୍ପଣର ନମୁନା ଯାହା ଉତ୍ସର୍ଗ ହୁଏ ନାହିଁ, ଆକସ୍ମିକ ଭାବେ ପରିତ୍ୟକ୍ତ ହୁଏ, ଆଉ ଚକ୍ରଧର ପରି ହାଲ୍‌କା କାନ୍ଧର ଅଧିକାରୀ ଯୁବକକୁ ପାହାଡ଼ ପରି ଓଜନିଆ ଲାଗେ ।

 

ଚକ୍ରଧର ମଣିଷ ଜନ୍ମରୁ ପାରି ହେଇ ପତତ୍ରୀପରି ପକ୍ଷ ବିସ୍ତାର କରୁଥିଲେ । ଏଇ ସମୟରେ ଗୋଟାଏ ବିଦେଶି ମଟର ଗାଡ଼ି ଖୁବ୍ ବେଗରେ ଆସି ହୋଟେଲର ସଦର ଦରଜାରେ ଅଟକିଲା । ଆଉ କାନଫଟା ଆଓ୍ୟାଜ୍‌ରେ ହର୍ଣ୍ଣ ମାରିଲା । ଯେଉଁ ତୃତୀୟ କକ୍ଷଟିର ଝରକାରୁ ନୀଳ ଆଲୋକ କ୍ଷରୁଥିଲା ଓ ଅନେକଟା ଉହ୍ମେଇ ନିଆଁର ଭ୍ରମ ଆଣୁଥିଲା, ସେଇ କୋଠରୀରୁ ଯୋତା ମଚ୍ ମଚ୍ କରି ଓହ୍ଲେଇ ଆସିଲେ ଦୁଇଜଣ ଲୋକ ମଟରଗାଡ଼ି ପାଖକୁ । ଆଗେ ଆଗେ ‘ବବ୍’ ବାଳ ଆଉ ଢିଲା ଗାଉନ୍ ପିନ୍ଧା ମେମ୍ ଜଣକୁ ଦେଖି ଚକ୍ରଧର ଛାଟ ମାରିଲା ପରି ପୋଖରୀ ପାହାଚରୁ ଉଠି ପଡ଼ି ଦଉଡ଼ି ଆସିଲା ମଟରଗାଡ଼ି ପାଖକୁ, ଠିକ୍ ସେ ଚିହ୍ନିଲା । ଏଇ ସିଏ ଆନିଉଡ଼୍ ୟାକୁ ବହୁଦିନରୁ ସେ ପ୍ରତୀକ୍ଷା କରି ଅସୁମାରୀ ଚାନ୍ଦନୀ ବିଡ଼ି ଟାଣି ୟାରି ବାଟ ଚାହିଁ ବସିଛନ୍ତି । ଆନିଉଡ଼୍ ଡାହାଣ ହାତରୁ ଗ୍ଳୋଭସ୍ ଖୋଲି ତାଙ୍କ ଦିଗରେ ଧଳା ଆଙ୍ଗୁଠି ଗୁଡ଼ିକ ବଢ଼ାଇ ଦେଇ ଚୁମ୍ବନ କରିବାକୁ ସଙ୍କେତ ଦେଲେ । କିନ୍ତୁ ନିଶ୍ଚଳ ବାକ୍‌ରୁଦ୍ଧ ଚକ୍ରଧର କାଠ ପିତୁଳା ପରି ଠିଆ ହୋଇ ଚାହୁଁଥିଲେ ଜୁଳୁ ଜଳୁ । ଝିଅଟି ପଛରେ ଯେଉଁ ପଟା ପଟା ରାତ୍ରି ପୋଷାକ ପିନ୍ଧା ଭଦ୍ରଲୋକ ତାଙ୍କର ସନ୍ନିକଟ ହେଲେ ସେ ସମ୍ଭବତଃ ପୂର୍ବୋକ୍ତ ପ୍ରଥମ କୋଠରୀର ତିନିଜଣ ଅତିଥିଙ୍କର ଆଲୋଚ୍ୟ ପଦସ୍ଥ କରିତ୍‌କର୍ମା ସରକାରୀ କର୍ମଧ୍ୟାରୟ ।

 

ବେଶ୍ ହାକିମି ଗଳାରେ ସେ ଗାଡ଼ି ଚାଳକଙ୍କୁ ଆଦେଶ ଦେଲେ ଯେ ମେମ୍–ସାହେବଙ୍କୁ ନିଦ୍ଧାରିତ ସ୍ଥାନରେ ସଂପୂର୍ଣ୍ଣ ପ୍ରମାଦ ମୁକ୍ତ ଭାବରେ ପହଞ୍ଚାଇ ଦିଅ । ଗାଡ଼ି ଚାଲିଯିବା ପରେ ବିସ୍ମିତ ହୋଇ ସେ ଏଇ ଅର୍ବାଚୀନ ଚକ୍ରଧରଙ୍କୁ କଡ଼ା ଗଳାରେ ପଚାରିଲେ ଯେ ତାଙ୍କର ଏଠି କଣ ଦରକାର । ମଉକା ସବୁବେଳେ ଆସେ ନାହିଁ । ଏହା ଇଶ୍ଵର ଦତ୍ତ ପ୍ରଦାର୍ଥ । ଚକ୍ରଧର ସୂଚନା କ୍ରମେ ବୁଝାଇ ଦେଲେ ଯେ ସେ ହାକିମକୁ ଏଠିକି ଆସିବାର ଓ ମେମ୍ ସାହେବାଙ୍କ ସାନିଧ୍ୟ ଲାଭ କରିବାର ତଥା ଏ ସବୁର ଉପଚାରକ ତିନିଜଣ ମତ୍‌ଲବୀ ପ୍ରଥମ କୋଠରୀର ଲୋକଙ୍କ ବିଷୟରେ ସବୁ ଜାଣନ୍ତି; ଏବଂ ଏକବାରେ ଲଗାମ୍ ଛଡ଼ା ହୋଇଥିବାରୁ ସେ ଯଥା ସ୍ଥାନରେ ଓ କାଳରେ ଏସବୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରିବେ ନାହିଁ ।

 

ପାଠକେ ! କହିବା ବାହୁଲ୍ୟ ଯେ ଉକ୍ତ ପରାକ୍ରମୀ ରାଜ କର୍ମଚାରୀଙ୍କ ପ୍ରସାଦରୁ ଅବିଳମ୍ବେ ଚକ୍ରଧର ଚାକିରିଟିଏ ପାଇଲେ ଓ ସର୍ବୋଚ୍ଚ ହାକିମଙ୍କ ବ୍ୟକ୍ତିଗତ ସଚୀବ ଭାବରେ ପରମ ରାଜଭକ୍ତରେ ପରିଣତ ହେଲେ । ତାଙ୍କର ଘର ସଂସାର ଏଗାରଟି ସନ୍ତାନ ସନ୍ତତି ସତ୍ତ୍ୱେ ସମ୍ପୂର୍ଣ୍ଣ ତୈଳାକ୍ତ ଓ ସୁରକ୍ଷିତ । ତଥାପି ଚକ୍ରଧର ଯେ କୌଣସି ଫୁଲତୋଡ଼ାରେ ଅଂଶ ବିଶେଷ ଦେଖିଲା ମାତ୍ରେ ନିଜକୁ କ୍ଷଣକ ପାଇଁ ହେଲେ ବି ଅସ୍ଥିର ଓ ଅସହାୟ କରିଛନ୍ତି ।

 

ବୃକ୍ଷରୁ ଛିଣ୍ଡିବା ପରେ ଆଉ ଡାଳରୁ ଛିଣ୍ଡିବା ପରେ ପତ୍ର ବିରହ ବିବର୍ଜିତ ପ୍ରେମପରି ଏଇମିତି ସାଦା ସାଦା ନିରସ ଫିକା ହେଇଯାଏ; ଜୀବନ ଦର୍ଶନର ଏଇ ପୌଗଣ୍ଡ ଅବସ୍ଥା ସାଥିରେ ସେ ସାଲିସ୍ କରିପାରୁ ନ ଥିଲେ କସ୍ମିନ କାଳେ ।

Image

 

କଳା ଓ କଳଙ୍କ

 

ଷ୍ଟେସନ ବଜାର ଦେଇ ଇମ୍ପରିୟାଲ ରୋବସ୍ ସୋ ହାଉସ୍ ଟପିଗଲେ ତା ପାଖକୁ ଲାଗି ଖୁନ୍ଦା ଖୁନ୍ଦି ପ୍ରାୟ ଡର୍ଜନ କାଠ କ୍ୟାବିନ ପରେ ରାସ୍ତାର ଉତ୍ତର କଡ଼କୁ ପଡ଼ିବ ‘ରିଗାଲ ପାର୍କ’–ରାଜକୀୟ ଉଦ୍ୟାନ । ନୂଆ ରାଜଧାନୀର ଏଇ ଉପାନ୍ତରେ ସଳଆ ଆବହାଓ୍ୟା ଖୁବ୍ ତୃପ୍ତିକର । ସେଦିନ ସନ୍ଧ୍ୟା ଆକାଶର ତଳିଆ ପରିଧି ଉପରେ ମିଶିମିଶି ଆସିବା ଭଳି ବୋଧ ହେଉଥାଏ । ଆଲୋକ ବାବୁ କି ଉଦ୍ଦେଶ୍ୟରେ ଏତେ ବାଟ ଚାଲି ଆସିଥିଲେ ନିଜେ ବୁଝି ପାରିଲେନି । ଗୋଟାଏ ଖିଆଲ ହୋଇପାରେ । ଏମିତି ହାଲୁକା ସଞ୍ଜରେ ନାନା ରକମର ଖିଆଲ ଢୁକିବା ସବୁବେଳେ ସମ୍ଭବ ।

 

ଚଦ୍ରଚୂଡ଼ ଧଉଳି–

 

ଧଉଳି ଚଦ୍ରଚୂଡ଼–‘ସେଇଟା ଯେ କି ପାହାଡ଼ ଆଲୋକ ବାବୁଙ୍କୁ ଜଣା ନ ଥିଲା । ତଥାପି ସେ ମନେକଲେ ଏ ପାହାଡ଼ଟାକୁ ‘ଧଉଳି’ ବୋଲି ଅଖ୍ୟାୟିତ କଲେ କାନକୁ ବେଶ୍ ଭଲ ଲାଗୁଛି । ପୂର୍ବ ଦିଗରେ ଅନେକ ଦୂରରେ ପାଁଶୁଳୁ ଦିଶୁଛି ‘ଧଉଳି’ । ଧଉଳି ଉପରେ ଚନ୍ଦ୍ର ଅଧା ଡୁବିଲା ଭଳି ଦୃଶ୍ୟମାନ କିନ୍ତୁ ବାସ୍ତବରେ ଚନ୍ଦ୍ର ଉଠୁଛି । ଧଉଳିର ଚୂଡ଼ାନ୍ତରେ ଚନ୍ଦ୍ରୋଦୟ–ଖୁବ୍ ମନୋଜ୍ଞ । ଆଲୋକ ବାବୁ ଏଥର ପାର୍କ ଭିତରେ ପ୍ରବେଶ କରିବାର ଉପକ୍ରମ କଲେ । ଭିତରେ ଅନେକ ଲୋକ । ଅଳ୍ପ ଶକ୍ତି ବିଶିଷ୍ଟ ‘ବାର ଲାଇଟ’ ସବୁ ଦିଆଯାଇଛି । ଝାମ୍ପୁଲା ଫୁଲଗଛ ବାକ୍‌ସ ଗଛ ଭିତରେ ଆଲୋକର ତୋରଣ । ଭିତରେ ଅନେକ ଲୋକ । କେତେକ ଦ୍ଵୈତ–ଆଉ ଅନ୍ୟମାନେ ଅଦ୍ଵୈତ କିମ୍ବା ଦୁଇରୁ ଅଧିକ । ଏତେ ଗୁଡ଼ାଏ ଲୋକଙ୍କ ଭିତରେ ଆଲୋକବାବୁ ବଡ଼ ଏକାଟିଆ ବୋଧ କଲେ । ଉଦ୍ୟାନ ମଝିରେ ବେତାର ଖୁମ୍ବ । ଆକାଶବାଣୀ କଟକରୁ ‘ଓଡ଼ିଆ ରୂପକ’ ପ୍ରଚାରିତ ହେଉଛି । ସେ ଆଡ଼େ ଖେଆଲ ନଥିବା ଭଳି ଆଲୋକ ଗେଟ୍ ବାହାରର ପାନ ଦୋକାନ ଆଡ଼କୁ ଦୃଷ୍ଟି ଫେରାଇଲେ । ପାନବାଲାର ହାତଦିଟା ମେସିନ୍ ଭଳି ଖିଲ ମୋଡ଼ିବାରେ ବ୍ୟସ୍ତ । ଯେଉଁମାନେ ପାନ ଖାଇବାଟାକୁ ବର୍ବରତା ବୋଲି ଯୁକ୍ତି କରନ୍ତି ସେମାନଙ୍କ ପାଇଁ ସିଗ୍ରେଟ ଆଉ ‘ପାଁ’ଶ ପଇଁଚାଳିଶ’ ବିଡ଼ି ମହଯୁଦ ଅଛି । ଏଠୁଁ ଆଉ କୋଡ଼ିଏ ଫୁଟ ଆଗେଇଲା ରାମଜାନ ଦୋକାନରେ ସର୍ବତ ମିଳେ–ବେଶୀ ପଇସା ଦେଲେ ଲେମନ୍ ସ୍କାସ୍‍ ମିଳେ । ଆଲୋକବାବୁ ଚୁପ୍ ଚୁପ୍ ଏସବୁ ମନେ ପକେଇ ନଉଛନ୍ତି ।

 

କେହି ତାଙ୍କ ହାଓ୍ୟାଇର ପଛ କଲର୍‌ଟା ଭିଡ଼ି ଧରିଲା ପରା । ତାଙ୍କର ଡାହାଣ ଗଣ୍ଡ ଉପରେ ଗୋଟାଏ ରେଶମୀ ଚିକ୍‌କଣ ହାତ ଆସ୍ତେ ଆସ୍ତେ ସ୍ପର୍ଶ କରୁଛି । ଆଲୋକବାବୁ ଅନୁଭବ କଲେ–ବେଶ୍ ଆରମ ଲାଗୁଛି । ଡାହାଣହାତରେ ଗୋଟାଏ ପଟ ସୁନାର କାଚ ଆଉ ‘ଲେଡ଼ିନାଇଡ଼’ ଛୋଟ ଘଡ଼ିଟି । ଏକରକମ ମାନଭଞ୍ଜନର ଅଭିନୟ–

 

ଖିଲ୍ ଖିଲ୍ ହସ

 

ରିମ୍ ଝିମ୍ ହସ । ସ୍ଵରରେ ଛନ୍ଦ ଉଠେଇ ହସିବା ବି ଗୋଟାଏ ଆର୍ଟ ଉନ୍ନତ କଲା । ହଠାତ୍ ପଛକୁ ବୁଲିପଡ଼ି ଆଲୋକବାବୁ ଆବିଷ୍କାର କଲେ–ବିଚିତ୍ରା– । ଛାତି ଭାଗଟା ଖୁବ୍ ଆଗକୁ ଠେସିଦେଇ ବାଲକୋନିକୁ ଆଉଜି ବିଚିତ୍ରା ତାଙ୍କୁ ସଙ୍କେତ କରୁଛି । ବିଚିତ୍ରା ସୁନ୍ଦର ଝିଅଟିଏ । ବଧ ରଜତ୍ ମନ୍ତବ୍ୟ କରେ ଯେ ବିଚିତ୍ରାକୁ ଅନ୍ତତଃ ନିଜକୁ କେନ୍ଦ୍ରକରି ଚାରିଫୁଟ ବ୍ୟାସାର୍ଦ୍ଧ ଭିତରେ ପାଇଲେ ମନରେ ରୋମାଞ୍ଚ ନଆସୁ କିନ୍ତୁ ପେଟ ଭିତରେ ସବୁକିଛି ହଠାତ୍ ହଜମ ହୋଇ ଗଲା ଭଳି ଲାଗେ । ଆଉ ତାପରେ ଭୋକ–ଅସମ୍ଭବ ରକମର ଭୋକ ।

 

“ଆପଣ ଆସିବେ ବୋଲି ମୁଁ ଜାଣିଥିଲି ।”

 

“ମୁଁ ଆସିବି ବୋଲି ମୁଁ ମୋଟେ ଜାଣି ନଥିଲି ।” ଆଖି ଦି’ଟାକୁ ଖୁବ୍ ଚଉଡ଼ା କରି ଆଲୋକବାବୁ ବିସ୍ମିତ ହୋଇ ପଡ଼ୁଥିଲେ ଯେମିତି ।

 

“ମୁଁ କାର୍‌ରେ ଆସିଲି ।” ବିଚିତ୍ରାର ସ୍ଵରରେ ପ୍ରଶସ୍ତି ।

 

“ମୁଁ ଚାଲିକି ଆସିଲି”

 

“ସଞ୍ଜବେଳ ଚାଲିବା ଉଚିତ୍ । ସ୍ୱାସ୍ଥ୍ୟ ଭଲ ରହିବ । ଗେଟ୍ ଆରପାଖେ କାର ରଖିଛି । ଗଲାବେଳେ ଛାଡ଼ି ଦେଇ ଆସିବ ଯେ ।”

 

“ଧନ୍ୟବାଦ” ଆଲୋକ ବାବୁ ବଡ଼ ନିରୀହ ଭାବରେ କୃତଜ୍ଞତା ଜଣେଇଲେ ।

 

“ମୁଁ ଭାୟୋଲିନ୍ ଆଣିଛି ।”

 

“ଆପଣ ଭଲ ଭାୟୋଲିନ୍ ବଜାନ୍ତି ।”

 

“ଶୁଣିବେ ?” ଘାସ ଉପରୁ ପଶମି ଖୋଳ ବିଶିଷ୍ଟ ଭାୟୋଲିନ୍‌ଟି ଉଠାଇ ଆଣିଛ ବିଚିତ୍ରା । ତାପରେ ନିପୁଣ ବାୟଦ ଭଙ୍ଗୀରେ ବାଲ୍‌କୋନି ଉପରେ ବସି ପଡ଼ିଲା ସେ ।

 

“ନା ଏଠି ନୁହେ । ଅସୁନ୍ଦର ହେବ । ଏତେ ଲୋକ ଅଛନ୍ତି । କାହାକୁ ହୁଏତ ଖରାପ ଲାଗିପାରେ ।

 

“ଓଃ–ତା ହେଲେ ଅନ୍ୟ କେଉଁଠି ।” ବିଚିତ୍ରା ଅନ୍ୟ କୌଣସି ସୁଯୋଗର ପ୍ରତୀକ୍ଷା କରୁଥିଲା । ଆଲୋକ ବାବୁ ସଙ୍ଗୀତ ଶିଳ୍ପୀମାନଙ୍କୁ ଖୁବ୍‍ ତାରିଫ୍ କରନ୍ତି । –ବଡ଼ ଉନ୍ନତ ରୁଚି-। ଆଗରେ ପାଦଶବ୍ଦ ।

 

ଦି’ଜଣ କିଏ ଇଂରାଜୀ ଭାଷାରେ ଗପ କରୁ କରୁ ଆଗେଇ ଗଲେ । ମେମ ଆଉ ସାହେବ । ପାର୍କ ଭିତରର ଆଲୋକ ସେତେ ତୀବ୍ର ନୁହେଁ । ସୁତରାଂ ସବୁଆଡ଼େ ଝାପ୍‌ସା ଦେଖାଯାଉଛି । ଝାପ୍‌ସା ଆଲୋକରେ ଚିତ୍ତବିନୋଦନ କଲେ ଅନୁଭୂତିରେ ରୋମାଞ୍ଚ ଆସେ । ସତରେ ବିଚିତ୍ରା ଝିଅଟି ଭାରି ରୋମାଣ୍ଟିକ୍ । ଖାଏ, ପିଏ, ଶୁଏ, ଭାୟୋଲିନ୍ ବଜାଏ, ଓଡ଼ିଶୀ ନାଚେ–ମଟରକାର୍ ଚଳାଏ । ଖୁବ୍ ସିଧାସଳଖ କର୍ମନିର୍ଘଣ୍ଟ । ଶ୍ରାନ୍ତି ନାହିଁ –କ୍ଳାନ୍ତି ନାହିଁ । ସେମିତି ବି ଗୋଟାଏ ମାରାତ୍ମକ ଆସକ୍ତି ନାହିଁ କେଉଁଥିପାଇଁ ।

 

ଆଲୋକ ବାବୁ ପେନ୍‌ସନ୍ ଗଳିରେ ରହନ୍ତି । ୟୁନିଟ୍ ଫୋର୍ ପାଖରେ ବାଁ ହାତ ମୋଡ଼ରେ ସବୁଠାରୁ ନିଚା ଆଜ୍‌ବେଷ୍ଟସ୍ ଛାତର ଘର ଖଣ୍ଡିଏ । ଆଗରେ ଛୋଟକାଟର ବଗିଚା । କଲେଜ ଯିବା ଲାଗି ଏଇ ବଗିଚା ଭିତରେ ଖଣ୍ଡିଏ ଚୌକି ଉପରେ ବସିରହି ଆଲୋକ ବାବୁ ଟାଉନ୍ ବସ୍‌କୁ ଅପେକ୍ଷା କରନ୍ତି । ଘରେ ତାଙ୍କର ଏକାଟିଆ ଅନ୍ଧ ବାୟା । ସକାଳ ସାଢ଼େ ନ’ଟା ବେଳେ ଟାଉନ୍‍ ବସ୍‍ ଏଇ ଘର ସାମନା ବତୀଖୁଣ୍ଟ ପାଖରେ ଅଟକେ, ପଛ ଦୁଆର ରେଲିଂ ଧରି ବସ୍ ଚଢ଼ୁ ଚଢ଼ୁ ଆଗ ସିଟ୍‌ରୁ ଖୁବ୍ ମିଠା କଅଁଳ ସ୍ଵରରେ ସ୍ଵାଗତୋକ୍ତି ଶୁଭେ । “ଆଲୋକବାବୁ ଏଇଠି ଆପଣଙ୍କର ପାଇଁ ସିଟ୍ ରଖିଛି”, ବିଚିତ୍ରା ଟିକିଏ ବାଁ କିମ୍ବା ଡାହାଣକୁ ଘୁଞ୍ଚି ଆଲୋକବାବୁଙ୍କ ଲାଗି ଯାଗା କରିନିଏ । ବିଚିତ୍ରା ଆଉ ଆଲୋକଙ୍କ ଭିତରେ ଏ ସାନିଧ୍ୟ ଗତ ତିନି ବର୍ଷ ଧରି ଗଢ଼ି ଉଠିଛି । ବିଚିତ୍ରା ଆଲୋକ ବାବୁଙ୍କଠୁ ବର୍ଷେ ଜୁନିୟର । ଆଲୋକ ସରଳ, ସୁଛାତ୍ର । ୨ୟ ବାର୍ଷିକ ବିଜ୍ଞାନ ଛାତ୍ରୀ ବିଚିତ୍ରା ମହାପାତ୍ର ସଙ୍ଗୀତନିପୂଣା ଆଉ ଆନ୍ତଃବିଶ୍ଵବିଦ୍ୟାଳୟ ଖ୍ୟାତସମ୍ପନ୍ନା । ବିଚିତ୍ରା ଯୋଗୁ କଲେଜ ଗର୍ବ କରିବାର କଥା ବୋଲି ଅନେକ ସମ୍ବେଦନଶୀଳ ଗୁଣଗ୍ରାହୀ ବଂଧୁ ମନ୍ତବ୍ୟ ଦିଅନ୍ତି । ସାଢ଼େ ତିନି ଶହ ଟଙ୍କା ବେତନର ସୁଇସ୍ ଓସ୍ତାଦଠୁଁ ବିଚିତ୍ରା ଭାୟୋଲିନ୍ ଶିଖେ–ସୌଖୀନ୍ ସାଧନା । ବିଚିତ୍ରାର ବାପା ଧନପତି । କୋଇଲା ଖଣି ଆଉ କାଚ କାରଖାନାର ଲକ୍ଷ ଲକ୍ଷ ଟଙ୍କାର ସେୟାର୍ କିଣି ପାରନ୍ତି । ଝିଅ ପ୍ରତି ଭାରି ମମତା । ସଭ୍ୟତାର ଗତିରେ ଝିଅ ଅନେକ ବାଟ ଅଗେଇ ପାରିଛି । ନୃତ୍ୟଶିଳ୍ପୀ ବିଚିତ୍ରାର ଆଲୋକଚିତ୍ର ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଏ । –ବଂଶ ମର୍ଯ୍ୟାଦା ଉଜ୍ଜ୍ଵଳ ହୋଇ ଉଠୁଛି ।

 

ନାରୀ କଳ୍ପନାପ୍ରବଣା ହେଉ । ପାଠପଢ଼ାରେ କଳା ନାହିଁ । ପ୍ରାଣକୁ ଛୁଇଁବା ଭଳି ଆବେଗମୟ ଲାଳିତ୍ୟ ନାହିଁ ।

 

ଆଲୋକବାବୁ ପ୍ରାୟ ଦଶ ମାସ ବିଚିତ୍ରାର ଗୃହ–ଶିକ୍ଷକ ଥିଲେ ।

 

ଏଇ ଅବସରରେ ବିଚିତ୍ରା ଅନେକ ଥର ଭାୟୋଲିନ୍ ବଜାଇବାରେ ତା ହାତର କରାମତି ଦେଖାଇଛି ଆଲୋକ ବାବୁଙ୍କ ଆଗରେ । ସଙ୍ଗୀତ ଶୁଣିବାର ଆଗ୍ରହ ନ ଥିଲେ ବି ବାଧ୍ୟହୋଇ ଆଗ୍ରହ ସୃଷ୍ଟି ହେଉଥିବାର ଅଭିନୟ କରିବାକୁ ପଡ଼େ । ଆଲୋକବାବୁ ବେଳେବେଳେ ସଙ୍ଗୀତ ଲେଖନ୍ତି । ବିଚିତ୍ରା ସେ ସବୁକୁ ଭାୟୋଲିନ୍‌ରେ ସ୍ଵର ଦିଏ ।

 

ଦି’ବରଷ ପରେ ପୁଣି ବିଚିତ୍ରା ହାତରେ ଭାୟୋଲିନ୍ ଆଲୋକବାବୁ ଅନୁଭବ କଲେ ତାଙ୍କ ଭିତରେ ଯେମିତି କେହି ଅସହିଷ୍ଣୁ ହୋଇ ଉଠୁଛି । ଏସବୁ କଳା ସୃଷ୍ଟି ବେକାରଙ୍କ କାମ । ରାତି ଜମିଗଲାଣି । ଛାତି ବୋତାମ ସବୁ ଖୋଲିଯାଇଛି ଆଉ ତାରି ଭିତର ଦେଇ କାଲୁଆ ପବନ ପଶୁଛି–ଶିର୍ ଶିର୍ । ବିଚିତ୍ରା ଆଉ କିଛି ଭବିଲା ଭଳି ଅନ୍ୟମନସ୍କ ଥିଲା ବୋଧହୁଏ । ତା ଶାଢ଼ୀର ବର୍ଣ୍ଣିଳ ଅଞ୍ଚଳଟା ପବନରେ ଉଡ଼ି ଆଲୋକବାବୁଙ୍କ ବାଁ କାନ୍ଧରେ ପହଁରିଗଲା । ଦି’ଜଣଯାକ ଭାବନାରୁ ଫେରିଲେ । ଚୁପ୍ ହୋଇ ବସିବାଟା ଭଦ୍ରାମି ହେଉନି ।

 

‘ଆପଣ ଅଞ୍ଜନବାବୁଙ୍କୁ ଚିହ୍ନନ୍ତି ?’

 

‘ଓଃ–କ୍ରିଟିକ୍ ଅଞ୍ଜନ–ଅଞ୍ଜନ ମହାନ୍ତି, ନାଁ ?’

 

‘ଖୁବ୍ ଭଲ ଲୋକ । ଖୁବ୍ ଚମତ୍କାର ସମାଲୋଚନା ଲେଖନ୍ତି । ରେଡ଼ିଓ ନାଟିକା ଆଉ ଅନେକ ଗପ ବି ।

 

‘ଅଞ୍ଜନବାବୁ ମୋର ଦି’ବରଷ ସିନିୟର ଆଉ ମୋ ବାପାଙ୍କର ଛାତ୍ର ।’ ଆଲୋକବାବୁ ଏତକ କହିଲେ ।

 

‘ସେ ମୋ ନାଚ ଉପରେ ଉଚ୍ଚ ଦରର ମତାମତ ଦେଇଥିଲେ ।’

 

‘ଦେବା ଉଚିତ୍ ।’ ଆଲୋକବାବୁ ବ୍ୟଙ୍ଗୋକ୍ତି କଲେ ।’

 

‘ଦେଖନ୍ତୁ ଥଟ୍ଟା ନୁହେଁ–ସିରିଅସ୍ଳି କହୁଛି–ମୋର ଏସବୁ ସକ୍‌ସେସ୍ ଲାଗି ବାପା ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି । ବାସ୍ତବିକ ଆର୍ଟର ମୂଲ୍ୟ ବି ଏ ଯୁଗରେ ଅନେକ ବଢ଼ିଛି ।’

 

ବିଚିତ୍ରା ଅତି ମାତ୍ରାରେ ପ୍ରଗଳଭା । ଆଲୋକଙ୍କର ମୁରୁକି ହସିବାକୁ ଇଚ୍ଛାହେଲା–କିନ୍ତୁ ସେ ହସିଲେନି ।

 

“ଏଇ ଭାୟୋଲିନ୍‌ଟା ମାମୁଁ ମୋତେ ବାର୍ଥ ଡେ ପ୍ରେଜେଣ୍ଟେସନ୍ ଦେଇଥିଲେ । ଜର୍ମାନୀ କିଣା ଇଂଲିଶି କ୍ରାଫ୍‌ଟିଂ । ଦାମ୍ ଅଢ଼େଇ ହଜାର ଟଙ୍କା । ଓଡ଼ିଶାରେ ଏଇ ଗୋଟେ ବୋଲି ଅଛି ।” ବିଚିତ୍ରାର କଥା ଅଟକିଗଲା । ଆଲୋକ ଚାହିଁଛନ୍ତି ଆକାଶ ଦିଗରେ । ତାଙ୍କ ନାମକରଣର ଧଉଳି ମଥାରୁ ଚଦ୍ର ଅନେକ ବାଟ ପହଁରି ଆସିଛି ପଶ୍ଚିମକୁ ।

 

“ମୋ ହାତର ନେଲ୍‌ପଲିସ୍ ଆଦୌ ରହୁନି ଯେ, ଦେଖାନ୍ତୁନା ।’ ଚଞ୍ଚଳ ଦୃଷ୍ଟି ଫେରିଲା ଆଲୋକ ବାବୁଙ୍କର । ବିଚିତ୍ରା ଉତ୍‌କ୍ଷିପ୍ତ ଭାବେ ମୁନିଆଁ ମୁନିଆଁ ନଖସଙ୍କୁଳ ବାଁ ହାତଟାକୁ ଆଲୋକଙ୍କର ଆଖି ଆଗରେ ଟେକି ଧରିଛି । ଖୁବ୍ ସଞ୍ଜତ ଆଉ ଭୟଭୀତ ଭାବରେ ଧୀରେ ଧୀରେ ଆଲୋକ ସେଇ ନଖଗୁଡ଼ାକ ଉପରେ ହାତ ଚଲେଇଲେ । ସତର୍କ ନ ହେଲେ ଗଳିଯିବାର ସମ୍ଭାବନା ଅଛି । ବିଜୁଳି ଆଲୁଅ ଝାପ୍‌ସା ପଡ଼ୁଛି ବିଚିତ୍ରାର ହାତ ଉପରେ ।

 

“ଏଇ ବାଁ ହାତରେ ସ୍ଵର ଧରେଇ ଧରେଇ ବରାବର ମୋର ନେଲ୍‌ପଲିସଗୁଡ଼ାକ ଛାଡ଼ିଯାଇଛି । ବାପା ଭାରି ଛିଡ଼ନ୍ତି ଏ ଲାଗି । କିନ୍ତୁ ମୁଁ ତ ଭାୟୋଲିନ୍ ଛାଡ଼ିପାରିବିନି । ଭାୟୋଲିନ୍ ମୋର ଏକ ପ୍ରକାର ନିଶା ।” ଆଲୋକବାବୁ ଲକ୍ଷ୍ୟ କଲେ ବିଚିତ୍ରାର ଯଥେଷ୍ଟ କଜ୍ଵଳଦିଆ ଆଖି ଦି’ଟା ଆତ୍ମପ୍ରଶସ୍ତରେ ଦୀପ୍ତ । ଏ ଭିତରେ ସିଂହଳ ବେତାର କେନ୍ଦ୍ରର ସିନେମା ସଙ୍ଗୀତ ଉପରକୁ ଶ୍ରୋତାଙ୍କର ରୁଚି ଅତିକ୍ରମ କରିଛି ।”

 

ଆଲୋକ ଉଠିଲେ । ବିଚିତ୍ରାର ଅନୁରୋଧ–ଆଲୋକ ବାବୁଙ୍କୁ ତା’ରି ଗାଡ଼ିରେ ଯିବାକୁ ପଡ଼ିବ । ଦି’ବର୍ଷର ଘନିଷ୍ଠତା ଏତେ ଶୀଘ୍ର ଏତେ ସହଜରେ ଛିଣ୍ଡେଇ ଦବାଟା ଅସ୍ପୃହଣୀୟ ମନେ ହେଲା । ବିଚିତ୍ରାଠୁଁ ଆକର୍ଷଣ ଅଛି । ଗେଟ୍ ପାରହୋଇ ଦିହେଁ ଗାଡ଼ିରେ ଉଠିଲେ । କ୍ୟାଡ଼ାଲକ୍ କାର୍‌ର ମସୃଣ ଗଦି । ଏ ଗଦିରେ ନ ବସିଲେ ଲଳିତ କଳା ଫୁଟି ପାରିବନି । ଚେସିସ୍ ସଂଲଗ୍ନ କାଏଲ ସ୍ପ୍ରିଙ୍ଗର ଦୋଳନରେ ଗାଡ଼ିଟା ପହଁରିଲା ଭଳି ଛୁଟିଛି । ୟୁନିଟ୍...ଓ୍ୟାନ୍...ଟୁ...ଥ୍ରୀ–ଅତିକ୍ରମ କରିଗଲା–ଆଗରେ ପେନ୍‌ସନ୍ ଗଳି ।

 

“ଆପଣ ଏଥର ଯିବେ । ହଁ, ମୁଁ ଭାୟୋଲିନ୍ ନେଇ ଆସିବି । ଆପଣଙ୍କ ବସାଆଡ଼େ । ବାପା କାଶ୍ମୀର ଯାଇଛନ୍ତି ନା–ବଡ଼ ଏକୁଟିଆ ଲାଗୁଛି ।”

 

“ସୁରାତ୍ରି” କରମର୍ଦ୍ଦନ ଶେଷ ହେଲା ।

 

“ସୁରାତ୍ରି” ଆଲୋକବାବୁଙ୍କ ଡାହାଣ ହାତ ପାପୁଲି ଉପରେ ଦି’ଟା କଅଁଳ ଚିବୁକ ଖୁବ୍ ଜୋରରେ ଚାପି ହୋଇଗଲା–ତାପରେ ତତଲା ନିଶ୍ଵାସ–ରୋମାଞ୍ଚ ।

 

ବଗିଚା ପଛରେ ଏକାନ୍ତ କୋଠରୀଟିଏ । କୋଠରୀ ଭିତରର ପରିପାଟୀ କୌଣସିମତେ ଆଧୁନିକ ନୁହେଁ । ଠିକ ଗୋଟାଏ ବଡ଼ ଝରକାକୁ ଲାଗି ପୁରୁଣା ଶିଶୁକାଠର ପଲଙ୍କ ଉପରେ ଶୋଇ ରହିଛନ୍ତି ବୃଦ୍ଧ ନିରଞ୍ଜନ । ଚକ୍ଷୁ ହରାଇବା ଦିନଠୁଁ ସେ ଅଧ୍ୟାପନା ଛାଡ଼ି ସବୁବେଳେ ପ୍ରାୟ ଶଯ୍ୟାଶାୟୀ । ବିଛଣା ପାଖକୁ ହାତ ପାଇବା ଭଳି ଟୁଲ୍‌ଟିଏ ଉପରେ ପୁରୁଣା ଚାକଚକ୍ୟହୀନ ବେହେଲାଟି ରଖାଯାଇଛି । କିଶୋର ଅବସ୍ଥାରେ ଯେତେବେଳେ ହଠାତ୍ ଦେହ ମନରେ ଫୂର୍ତ୍ତି ଆସୁଥିଲା, କର୍ମପ୍ରବଣତା ଆସୁଥିଲା, ସେଇ ସମୟରୁ ଏଇ ଭାୟୋଲିନ୍ ତନ୍ତ୍ରୀରେ ସ୍ଵର ସୃଷ୍ଟି କରି ଅସଞ୍ଜତ କଳ୍ପନା ସବୁକୁ ଛନ୍ଦବଦ୍ଧ କରି ନେବାର ସାଧନା କରି ଆସିଛନ୍ତି ନିରଞ୍ଜନ । ନିରଞ୍ଜନ ଦେଶର ପ୍ରଖ୍ୟାତ ସ୍ଵର ସ୍ରଷ୍ଟା । ଆଜି ବାହାର ଦୁନିଆଠୁଁ ସେ ସବୁ ମତେ ବିଚ୍ଛିନ୍ନ । –ଆଲୋକ ଖୁବ୍ ସନ୍ତର୍ପଣରେ ବାପାଙ୍କ କୋଠରୀ ଭିତରେ ପଶିଲେ । ଖୁବ୍ ବ୍ୟସ୍ତତାର ସହିତ କିଛି ଗୋଟେ ଅଣ୍ଡାଳିବାରେ ଲାଗିଛନ୍ତି । ଆଖି ନିଷ୍ପ୍ରଭ ହେବା ଦିନଠୁ କାନଟା ବିଶେଷ ଭାବରେ ସଚେତ ହୋଇ ଉଠିଛି । ପାଦ ଶବ୍ଦରୁ ଆଲୋକ ଘର ଭିତରକୁ ଆସିଥିବାର ଜାଣିପାରିଲେ ।

 

“ଆଲୋକ, ଭାୟୋଲିନଟା ଦବୁ । ନିରଞ୍ଜନ ବାବୁ କାନ୍ଥକୁ ଆଉଜି ବସିଛନ୍ତି । ଆଲୋକ ବାବୁ ବାପାଙ୍କ ହାତରେ ଭାୟୋଲିନଟି ଦେଲେ । ବୃଦ୍ଧଙ୍କ ମୁହଁରେ କ୍ଷଣିକ ପାଇଁ ତୃପ୍ତିର ଚିହ୍ନ ଉକୁଟି ଉଠିଲା, ଜୀବନରେ ଏ ବେହେଲାଟି ଛଡ଼ା ପ୍ରିୟତର ଆଉ ତାଙ୍କର କେହି ନାହାନ୍ତି ।

 

“ଏଇଠି ବସ୍ ଆଲୋକ । ମୁଁ ପୂରବୀ ଦେଉଛି, ଶୁଣ ।” ଭାୟୋଲିନଟି ବାଁ କାନ୍ଧ ଉପରକୁ ଉଠେଇ ନିପୁଣ ବାୟକ ଭଙ୍ଗୀରେ ବୃଦ୍ଧ ନିରଞ୍ଜନ ସ୍ଵର ସଂଯୋଗ କଲେ । ଆଲୋକଙ୍କ ମନେପଡ଼ିଲା ତାଙ୍କ ମା’ଙ୍କ କଥା । ମା’ଙ୍କର ଜମା ସମୟ ନ ଥାଏ ବାପାଙ୍କ ପାଖରେ ବସି ଭାୟୋଲିନ୍ ଶୁଣିବେ । ମା’ ଭାରି ଚିଡ଼ିଚିଡ଼ି ହୁଅନ୍ତି । ଟିକିଏ ଅବସର ମିଳିଲେ ନିରଞ୍ଜନ ବାବୁ ଭାୟୋଲିନ୍‌ରେ ସ୍ଵର ସଂଯୋଗ କରନ୍ତି । ମା’ କହନ୍ତି ଏସବୁ ବେକାରଙ୍କ କର୍ମପ୍ରବଣତା–ସବୁବେଳେ ଗୋଟାଏ କେଁ କେଁ କଣ ? ସବୁବେଳେ ସଙ୍ଗୀତଚର୍ଚ୍ଚା ହେଲେ ରୁଚି ନଷ୍ଟ ହୋଇଯାଏ । ସୌନ୍ଦର୍ଯ୍ୟବୋଧ କ୍ଷୁଣ୍ଣ ହୁଏ । ମା’ଙ୍କର ହୁଏତ ଏଇ ମତ । ବାପା ନିବିଷ୍ଟ ଆବେଗରେ ଭାୟୋଲିନ୍ ବଜାଉଛନ୍ତି । ଖୁବ୍ କରୁଣ ରାଗିଣୀରୁ ଉଠି ଉଠି ରାଗ ଚରମତା ଛୁଇଁଛି । ଡାହାଣ ହାତରେ ସ୍ଵରସଞ୍ଜୀବନ ଦଣ୍ଡଟା ଖୁବ୍ କ୍ଷିପ୍ର ହୋଇ ଉଠିଛି ଏ ଭିତରେ ।

 

ସଙ୍ଗୀତରେ ଯାଦୁ ଅଛି, ଆତ୍ମ ବିସ୍ମରଣ ହୋଇଯିବାର ମାଦକତା ଅଛି ଏଥିରେ । ବୃଦ୍ଧ ନିରଞ୍ଜନଙ୍କ ମୁହଁରୁ ଗମ୍‌ଗମ୍ ଝାଳବୋହି ଲାଗିଛି–ସେ ଉତ୍ତେଜିତ । ଭାୟୋଲିନ୍ ବନ୍ଦ ହେଲା ।

 

‘ଆଲୋକ, ତୋ ମା’ର ଏଇ ସ୍ଵରଟା ଖୁବ୍ ମନକୁ ପାଉଥିଲା । ତାର ମଲାବେଳେ ଶେଯ ପାଖରେ ମୁଁ ତା ପାଇଁ ଏ ସ୍ଵରଟା ବଜେଇଥିଲି ।’ ବାପଙ୍କର ମା ମନେ ପଡ଼ୁଛନ୍ତି । ମା’ ମାରିବାର ପାଞ୍ଚ ବର୍ଷ ବିତିଗଲାଣି । ବାପା ଆଖି ହରେଇରନ୍ତି ପ୍ରାୟ ଦଶ ବର୍ଷ ହେଲା । ଆଲୋକଙ୍କୁ ଲାଗୁଥିଲା ଏ ଘରର ବାତାବରଣଟା ଯେମିତି ନିର୍ଜୀବ, ଅଚଞ୍ଚଳ ଆଉ ସେ ନିହାତି ଏକାକୀ । ବାବା ଉପରକୁ ଚାହିଁ କିଛି ଭାବୁଛନ୍ତି । ତାଙ୍କ ମୁହଁରେ ରଙ୍ଗ ପରିବର୍ତ୍ତନ ହେଉଛି ।

 

ବାହାରେ ଦରଜା ବାଡ଼େଇବାର ଶବ୍ଦ ହେଲା । ଆଲୋକ ଏକ ପ୍ରକାର ପ୍ରତୀକ୍ଷାରେ ଥିଲେ । ଯଥାଶୀଘ୍ର ପଞ୍ଜାବୀ ଖଣ୍ଡେ ଦେହରେ ଗଳେଇ ବାହାରକୁ ଉଠିଲେ । ବିଚିତ୍ରା, ପ୍ରତୀକ୍ଷମାଣ ବିଚିତ୍ରା । ବିଚିତ୍ରା ନୀଳ ପ୍ଲାଷ୍ଟିକ ଶାଢ଼ୀ ପିନ୍ଧିଛି । ନମସ୍କାର କରିସାରି ବିଚିତ୍ରା ଆଲୋକ ବାବୁଙ୍କ ମୁହଁକୁ କେମିତି କେମିତି ଗୋଟାଏ ଦୃଷ୍ଟିରେ ଚାହିଁଲା । ଆଲୋକ ଅନୁଭବ କଲେ–ସେ ନିଜ ଉପରେ ସନ୍ଦେହ କରୁଛନ୍ତି । ବିଚିତ୍ରା ପ୍ରସ୍ତାବ କଲା ଯେ ଦୁହେଁ ବଗିଚାର ଘାସ ଉପରେ ବସି ଗପ କରିବେ । ତାଛଡ଼ା ଆଜି ଯେକୌଣସିମତେ ବିଚିତ୍ରାଠୁ ଭାୟୋଲିନ୍ ଶୁଣିବାକୁ ହେବ । ଆଲୋକ ବାବୁ ତାଗିଦ୍ ପାଇ ସାରିଛନ୍ତି । ଘାସଗୁଡ଼ାକୁ ଆଙ୍ଗୁଠି ଆଗରେ ଖେଳଉ ଖେଳଉ ବିଚିତ୍ରା ପ୍ରଶ୍ନକଲା ‘ଆପଣ ଯେ ଅନେକ ଦିନ ହେଲା ଆମ ଘରଆଡ଼େ ଆସିନାହାନ୍ତି । କେବେ କେବେ ଆସନ୍ତୁନା ।’ ଆଲୋକ ବାବୁ ଉତ୍ତର କଲେ ଯେ ସୁବିଧା ମିଳିଲେ ସେ ଚେଷ୍ଟା କରିବେ । ଲୌକିକତା ରକ୍ଷାକରିବା ଲାଗି ସୁବିଧା ଉତ୍ତର–‘ଚେଷ୍ଟା କରିବି’ । ‘ଖୋକନ ଦା’ ବମ୍ବେରୁ ମୋ ଲାଗିଏ ଶାଢ଼ୀ ଆଉ ବ୍ଲାଉଜ୍ ପିସ୍‌ଟା ଆଣିଥିଲେ ।’ ‘ଭଲ ମାନୁଛି ।’ ବିଚିତ୍ରାକୁ ଖୁସି କରିବା ଲାଗି ଏମିତି ଅନିଚ୍ଛାକୃତ ତାରିଫ୍ କରିବାକୁ ଆଲୋକଙ୍କୁ ସଙ୍କୋଚ ବୋଧହେଲା ।

 

‘ଖୋକନ୍ ଦା’ ପୁଣି କିଏ ?

 

‘ଆରେ, ଖୋକନ୍ ଦା’କୁ ଆପଣ ଜାଣି ନାହାନ୍ତି । ଏବର୍ଷ ୟୁନାଇଟେଡ଼ କ୍ଲବର ଟେବଲ୍ ଟେନିସ୍ ଚାମ୍ପିୟାନ୍ । ଚିଫ୍ ସେକ୍ରେଟାରୀ ମିଃ ଘୋଷଙ୍କ ପୁଅ । ଆଲୋକ ବାବୁ କ୍ଷୂବ୍‌ଧ ହେଲେ, ସେ ଜାଣି ନାହାନ୍ତି । କିନ୍ତୁ ଜାଣିବା ଉଚିତ୍ ଥିଲା ।

 

“ଖୋକନ୍ ଦା’ର ନୂଆ ମଡ଼େଲ୍ ଷ୍ଟୁଡ଼ିବେକରଟା ଦେଖିଛନ୍ତି । ବରାବର ଏବାଟେ ଯାଏ-। –ଚମତ୍କାର ଗାଡ଼ି ଖଣ୍ଡେ”

 

“ଚମତ୍କାର ହବା ଉଚିତ୍” । ବଡ଼ ବ୍ୟସ୍ତ ଭାବରେ ଆଲୋକ ସମର୍ଥନ ଜଣାଇଲେ । ତାପରେ ଦୀର୍ଘ ନୀରବତା । ରାସ୍ତାର ଆଲୁଅ ସବୁ ଜଳି ଉଠିଲାଣି । ବିଚିତ୍ରା ଯାଇଛି ଭାୟୋଲିନ୍‌ଟା ଗାଡ଼ି ଭିତରୁ ନେଇଆସିବା ପାଇଁ ।

 

ବୃଦ୍ଧ ନିରଞ୍ଜନଙ୍କ କୋଠରୀରୁ ଭାୟୋଲିନ୍‌ର ଝଙ୍କାର ଖୁବ୍ ଧୀର ଅସ୍ପଷ୍ଟ ଭାବେ ବଗିଚା ଭିତରେ ସଂକ୍ରମଣ କଲାଭଳି ବୋଧଦେଲା । ନିରଞ୍ଜନ ବାବୁ ଭାୟୋଲିନ୍‌ରେ ସ୍ଵର ଦେଇଛନ୍ତି । ଗାଡ଼ି ପାଖରୁ ଆସୁ ଆସୁ ଅଧା ବାଟରେ ଅଭିଭୂତ ଭାବରେ ଛିଡ଼ାହୋଇ ରହିଛି ବିଚିତ୍ରା, ଭାୟୋଲିନର ସ୍ଵର ଖୁବ୍ ମନ୍ଦ୍ର, ମନ୍ଥର ଓ ତାପରେ ଗତିଶୀଳ ହେବାକୁ ଆରମ୍ଭ କଲା । ବିଚିତ୍ରାର ଉବ୍ଦେଗ ଅନେକ ବଢ଼ିଛି ।

 

“ଆପଣଙ୍କ ଘରୁ ଭାୟୋଲିନ୍ ଶବ୍ଦ ଆସୁଛି ଯେ ?”

 

“ହଁ, ବାପା ବଜାଉଛନ୍ତି”

 

“ବାପା–ଆପଣଙ୍କ ବାପା ଏତେ ସୁନ୍ଦର ଭାୟୋଲିନ୍ ବଜାନ୍ତି, ଅଥଚ ଆପଣ ମତେ ଥରେହେଲେ କହି ନାହାନ୍ତି ।”

 

“କହିନି–ଆବଶ୍ୟକତା ନ ଥିଲା”

 

ବିଚିତ୍ରା ଦଣ୍ଡେ ନିରବ ରହିଲା । ଭାୟୋଲିନ୍‌ର ସ୍ଵର ଖୁବ୍ ଚଞ୍ଚଳ ହୋଇ ଉଠିଛି ଏ ଭିତରେ । “ଏଇଟା ଯେ ‘ପରବୀ’” ବିଚିତ୍ରା ଖୁବ୍ ତନ୍ମୟ ହୋଇ ଶୁଣୁଛି । ତାପରେ ସ୍ଵରତରଙ୍ଗ ହଠାତ୍ ଉପରକୁ ଉଠିଲା–ମନ୍ଦ–କମ୍ପମାନ–‘ମେଘ ମହ୍ଲାର’ । ବିଚିତ୍ରା ନିଜର ସତ୍ତା ହଜେଇଦେଲା ଭଳି ବେଶୀ ଦି’ଟାକୁ ଏପଟ ସେପଟ ଝୁଲେଇ ନିଜେ ବି ଝୁଲୁଚି । ଆଲୋକ ବାବୁ ବିଚିତ୍ରାର ଅନେକ ନିକଟରେ । ବାପାଙ୍କ ହାତରୁ ଆଜି ଭାୟୋଲିନ୍ ନୂଆ ଶୁଣିଲା ପରି ମନେହେଲା ଆଲୋକ ବାବୁଙ୍କର । ନିର୍ଜନ ବଗିଚା ଭିତରେ ଷୋଡ଼ଶୀର ସାନ୍ନିଧ୍ୟରେ ମେଘମହ୍ଲାର ରାଗିଣୀଟା କି ତୀବ୍ର ଭାବରେ ପ୍ରାଣସ୍ପର୍ଶୀ ସେ ନୂଆ କରି ଅନୁଭବ କଲେ । ଆଉ କେତେ ମିନିଟ୍ ପରେ–ଭାୟୋଲିନ୍‌ର ତନ୍ତ୍ରୀଗୁଡ଼ାକରୁ ତଦ୍ରା ଆଉ ନିଦ୍ରାର ସମନ୍ଵୟ । ଆଲୋକ ଦେଖିଲେ ତାଙ୍କ ଛାତି ଉପରେ ବିଚିତ୍ରାର ମଥା ଉପରର ବବ୍‍ ବାଳର ଚୂର୍ଣ୍ଣାଂଶ ବିଛେଇ ହୋଇ ପଡ଼ିଛି ଚିତ୍ ହୋଇ ଆଶ୍ରୟ ନେଇଛି ତାଙ୍କ କୋଳରେ ।

 

ବିଚିତ୍ରା ସଙ୍ଗରେ ଆଲୋକ ବାବୁଙ୍କର ତିନି ବର୍ଷର ସମ୍ପର୍କ । ଏତେଦୂର ଭାବପ୍ରବଣ ଅବସ୍ଥାରେ ସେ ବିଚିତ୍ରାକୁ କେବେ ଆବିଷ୍କାର କରିଥିବାର ମନେ ହେଲାନି । ଆଲୋକ ବୁଝିଲେ ବାପାଙ୍କ ସଙ୍ଗୀତରେ ଯାଦୁ ଅଛି ।

 

ପ୍ରାୟ ଅଧଘଣ୍ଟାଏ ପରେ ଭାୟୋଲିନର ସ୍ଵର ନଇଁଲା । ବିଚିତ୍ରାର ଝୁଙ୍କ–ସେ ନିରଞ୍ଜନ ବାବୁଙ୍କୁ ଦେଖା କରିବ । ଆଲୋକ ବାବୁ ବିଚିତ୍ରାକୁ ବାପାଙ୍କ କୋଠରୀ ପର୍ଯ୍ୟନ୍ତ ବାଟ କଢ଼େଇ ନେଲେ । ବୃଦ୍ଧ ନିରଞ୍ଜନ ଶୋଇବାର ଉପକ୍ରମ କରୁଥିଲେ ।

 

‘ବାପା–ଏ ମୋର ଜଣେ ପାଠପଢ଼ା ସାଥୀ । ବିଚିତ୍ରା ମହାନ୍ତି, ସେ ଭାୟୋଲିନ୍ ବଜେଇବାକୁ ଭଲପାଆନ୍ତି ।’ ବିଚିତ୍ରାର ଡାହାଣ ହାତର ପାପୁଲିଟା ଆଲୋକ ବାପାଙ୍କ ହାତରେ ଦେଲେ । ନିରଞ୍ଜନ ଦେଖି ତ ପାରିବେନି, ଅନୁଭବ କରିବେ ।

 

‘ମତେ ଦେଖା କରିବାକୁ ଆସିଲ ମା ?’

 

‘ହୁଁ–ଆପଣ ସୁନ୍ଦର ଭାୟୋଲିନ୍ ବଜାଉଛନ୍ତି ।’

 

ବୃଦ୍ଧଙ୍କର ଓଠ ଦି’ପାଖ ଈଷତ୍ ସଙ୍କୁଚିତ ହୋଇ ଆସିଲା । ସେ ହସିଲେ, ଗୋଟାଏ ଶୁଖିଲା ନିଷ୍କପଟ ହସ ।

 

ବାହାରକୁ ଆସି ବିଚିତ୍ରା ବଡ଼ ଦରଦୀ କଣ୍ଠରେ ପଚାରିଲା–‘ବାପା ଆପଣଙ୍କର ଅନ୍ଧ । ବଡ଼ କଷ୍ଟ ହେଉଥିବ, ନୁହେଁ ?’

 

ଆଲୋକ ନିରବ ।

 

‘ମୋର ମନେ ହେଉଚି, ମୁଁ ହେଲେ ଅନ୍ଧ ହୋଇଥାନ୍ତି କିନ୍ତୁ ଏମିତି ସୁନ୍ଦର ଭାୟୋଲିନ୍ ବଜେଇ ପାରନ୍ତି ।

 

ଆଲୋକ ବାବୁଙ୍କ ତୀକ୍ଷ୍‌ଣ ଅନୁସନ୍ଧିତ୍ସୁ ଆଖି ଦି’ଟା ବିଚିତ୍ରାର ମୁହଁ ଉପରେ ବୁଲି ଆସିଲା । ବିଚିତ୍ରା କେବଳ କଳାପ୍ରବଣତାର ଗୋଟାଏ ସୌଖୀନ୍ ମୋହରେ ଏତେବଡ଼ ମିଛଟାକୁ ସତ ବୋଲି ସ୍ଵୀକାର କରି ନେଉଛି । ଭାୟୋଲିନ୍‌ର ସାଧନା ପାଇଁ ବିଚିତ୍ରାଭଳି ଝିଅ ଅନ୍ଧ ହେବାକୁ ପ୍ରସ୍ତୁତ ହୋଇ ନ ପାରେ । ବିଚିତ୍ରା ଆଖିରେ ରଙ୍ଗ ଅଛି ।

 

ସେ ଚିତ୍ରବିଚିତ୍ର ଶାଢ଼ୀ ପସନ୍ଦ କରି ଶିଖିଛି-। ସେ ରଙ୍ଗବେରଙ୍ଗ ମଟର ଗାଡ଼ି ଚଢ଼ି ଇଜ୍ଜତ ଖରିଦ୍ କରିଛି । ‘ଅସମ୍ଭବ’ ହଠାତ୍ ଆଲୋକ ବାବୁଙ୍କ ମୁହଁରୁ ବାହାରି ଗଲା । ବିଚିତ୍ରା ବିସ୍ମୟରେ ପଚାରିଲା–‘କଣ ଅସମ୍ଭବ ?’

 

‘ନା–ମୁଁ ମୋ ନିଜ ଉପରେ ମନ୍ତବ୍ୟ ଦେଉଥିଲି ।’ ଆଲୋକ ବାବୁ କଥାଟାକୁ ବଙ୍କେଇ ନେଲେ । ‘ମୋର ବି ଭାୟୋଲିନ୍ ଶିଖିବା ଉଚିତ ଥିଲା ।’ ଆଲୋକ ବାବୁ ଦେଖିଲେ ସେ ଯାହା ଭାବୁଥିଲେ ଠିକ୍ ସେଇଆ କହିପକେଇଛନ୍ତି ।

Image